ପଶ୍ଚିମ ଓଡ଼ିଶାକୁ ପାଉଁଶ ବୋଝ: ରାଜସ୍ବ ମନ୍ତ୍ରୀଙ୍କ ବୈଠକ ବଢାଇବ କି ହାଲୁକା କରିବ

ପାଉଁଶ ପରିଚାଳନା ନିର୍ଦେଶାବଳୀର ନବୀକରଣର ଆବଶ୍ୟକତା ରହିଛି। ଏଥିସଂକ୍ରାନ୍ତରେ ଜନପ୍ରତିନିଧିଙ୍କ ପରାମର୍ଶ ଏବଂ ଆଇଆଇଏମ, ଭିସୁଟ, ଭିମସାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ଶିକ୍ଷଣ ପ୍ରତିଷ୍ଠାନର ସହଯୋଗରେ ରିପୋର୍ଟ ପ୍ରସ୍ତୁତ କରିବେ ଆରଡିସି। ଲୋ ଲାଇନ ଅଞ୍ଚଳ ଯେଉଁଠି ପାଉଁଶ ପକାଯିବାର ନିର୍ଦେଶ ରହିଛି, ତାର କୌଣସି ପ୍ରକୃତ ପରିଭାଷା ନଥିବାରୁ ମନଇଚ୍ଛା ଯେଉଁଠି ଇଚ୍ଛା ସେଠି ପାଉଁଶ ପକାଯାଉଛି। ତେଣୁ ଲୋ ଲାଇନ ଅଞ୍ଚଳର ପରିଭାଷା ନିର୍ଧାରଣ ହେବ। ବ୍ୟବସାୟରେ ପାଉଁଶକୁ କଞ୍ଚାମାଲ ଭାବରେ ବ୍ୟବହାର ପାଇଁ ପାଉଁଶ ଉତ୍ପାଦନକାରୀ ସଂସ୍ଥା ଏବଂ ସରକାରୀ ବିଭାଗ ମଧ୍ୟରେ ସମନ୍ବୟ ସୃଷ୍ଟି କରାଯିବ। ପୁଲିସ ଏବଂ ସିସିଟିଭି ନଜରରେ ଗାଡ଼ିଗୁଡ଼ିକ ପାଉଁଶ ନେଇ ଡମ୍ପିଂ ୟାର୍ଡରେ ପହଞ୍ଚିବେ। ପଶ୍ଚିମ ଓଡ଼ିଶାର ପାଉଁଶ ପରିଚାଳନା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆରଡିସିଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଏହିଭଳି ବିଭିନ୍ନ ପ୍ରକାର ନିଷ୍ପତ୍ତି ହୋଇଛି।

            ବୈଠକରୁ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ୨୬ ପାଓ୍ବାର ପ୍ଲାଣ୍ଟ ଅଛି। ଏଥିରୁ ଦୈନିକ କେବଳ ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ସ୍ଥିତ ଏନଟିପିସି ପାଓ୍ବାର ପ୍ଲାଣ୍ଟରେ ସର୍ବାଧିକ ୧୩ ହଜାର ୫୦୦ ମେଟ୍ରିକ ଟନ, ଝାରସୁଗୁଡ଼ା ସ୍ଥିତ ବେଦାନ୍ତର ଦୁଇଟି ୟୁନିଟରେ ୧୬ ହଜାର ୭୦୦ ମେଟ୍ରିକ ଟନ ଏବଂ ୧୦ ହଜାର ୧୦୯ ମେଟ୍ରିକ ଟନ, ବନହରପାଲି ସ୍ଥିତ ଓପିଜିସିରେ ୧୦ ହଜାର ୯୫୮ ମେଟ୍ରିକ ଟନ, ଅନୁଗୁଳ ସ୍ଥିତ  ତାଳଚେର ସୁପର ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ୧୯ ହଜାର ୦୮୭ ମେଟ୍ରିକ ଟନ, ସମ୍ବଲପୁର ଜିଲ୍ଲାର ଆଦିତ୍ୟ ଆଲୁମିନିୟମରୁ ୫ ହଜାର ମେଟ୍ରିକ ଟନ ପାଉଁଶ ନିର୍ଗତ ହୋଇଥାଏ। କିନ୍ତୁ ଏତେ ସଂଖ୍ୟାରେ ନିଷ୍କାସିତ ପାଉଁଶକୁ ଯେଉଁ ସିମେଣ୍ଟ କାରଖାନା ବ୍ୟବହାର କରୁଛନ୍ତି ତାର ସଂଖ୍ୟା ନାମମାତ୍ର ରହିଛି। ଅର୍ଥାତ ଝାରସୁଗୁଡ଼ାରେ ୧, ସୁନ୍ଦରଗଡ଼ରେ ୪, ସମ୍ବଲପୁରରେ ୧ ଏବଂ ଅନୁଗୁଳରେ ଗୋଟିଏ ଇଟାଭାଟି ରହିଛି। ଏଥିଯୋଗୁଁ ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଏତେ ପାଉଁଶ ଗଦା ହେଲାଣି ଯେ ଏହି କମ୍ପାନି ନିକଟସ୍ଥ ଗାଁ ଗୁଡ଼ିକ ପାଉଁଶ ପ୍ରଦୂଷଣ, ପାଉଁଶରୁ ସୃଷ୍ଟି ଜଳର ପ୍ରଦୂଷଣ, ପାଉଁଶ ନେଇ ଯାତାୟାତ କରୁଥିବା ଗାଡ଼ିର ପ୍ରଦୂଷଣରେ ରୁନ୍ଧି ହୋଇ ଯାଉଛନ୍ତି। ବିଶେଷକରି ଓଡ଼ିଶାର ଜୀବନ ରେଖା ମହାନଦୀ ଏବଂ ହୀରାକୁଦ ଜଳଭଣ୍ଡାରରେ ପାଉଁଶ ମିଶ୍ରିତ ବିଷାକ୍ତ ରସାୟନ ମିଶୁଛି। ଯାହା ବିପଦ ହେଉଛି। ସବୁ ପ୍ରକାର ନିୟମ ଉଲ୍ଲଂଘନ କରାଯାଇ ଗୋଟିଏ ଛୋଟ ସ୍ଥାନରେ ଏତେ ସଂଖ୍ୟାରେ ପ୍ଲାଣ୍ଟ ସ୍ଥାପନ ଯୋଗୁଁ ବର୍ତ୍ତମାନ ଏଭଳି ଅବସ୍ଥା ହୋଇଛି। ଯେଉଁ ସ୍ଥାନରେ ପାଉଁଶ ପରିଚାଳନା ପାଇଁ ପାଉଁଶ ପାହାଡ଼ ଏବଂ ପାଉଁଶ ପୋଖରୀ କରାଯାଉଛି। ତାହା ନିକଟବର୍ତ୍ତୀ ଅଞ୍ଚଳ ପାଇଁ ବଡ଼ ବିପଦ ଭାବରେ ମୁଣ୍ଡ ଟେକୁଛି। ୨୦୦୦ ମସିହା ଡିସେମ୍ବର ୩୧ ତାରିଖରେ ଅନୁଗୁଳରେ ପାଉଁଶ ପୋଖରୀ ଭାଙ୍ଗିବା ଯୋଗୁଁ ୨୬ ଗାଁର ଚାଷ ଜମି ସହିତ ବ୍ରାହ୍ମଣୀ ନଦୀକୁ ମାଡ଼ି ଯାଇଥିଲା। ୨୦୧୨ ମସିହାରେ ପର୍ଯ୍ୟାୟ କ୍ରମରେ କେତେ ଥର ଯେ ହିଣ୍ଡାଲକୋର ପାଉଁଶ ପାହାଡ଼ ଭାଙ୍ଗି ଏକର ଏକର ଚାଷ ଜମିରେ ପାଉଁଶ ପାଣି ପ୍ରବେଶ କରିଥିଲା ତାର ଠିକଣା ନାହିଁ। ୨୦୨୩ ମସିହାରେ ଥର୍ମାଲ ପାଓ୍ବାର ପ୍ଲାଣ୍ଟର ପାଉଁଶ ପୋଖରୀ ଭାଙ୍ଗିବା ତାର କିଛି ଉଦାହରଣ ମାତ୍ର।    

ଅମାପାଲିରେ ପାଉଁଶ ବିରୋଧୀ ଆନ୍ଦୋଳନ-

ପାଉଁଶ ପରିଚାଳନା ନେଇ ଆୟୋଜିତ ବୈଠକରେ ଗଣମାଧ୍ୟମକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ନେଇ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଏଭଳି ବୈଠକ ହେଉଛି। ଯାହା ପୂର୍ବର ସରକାର ୨୪ ବର୍ଷ ଧରି କରିନଥିଲା ଏହି ସରକାର କରିଥିବା ସେ କହିଛନ୍ତି। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଗଲା। ଆଗାମୀ ଦିନରେ ରାଜ୍ୟ ସ୍ତରରେ ପାଉଁଶ ପରିଚାଳନାର ସ୍ଥିତିକୁ ନେଇ ଭୁବନେଶ୍ବରରେ ବୈଠକ ହେବ ବୋଲି ସୂଚନା ଦିଆଯାଇଛି। ଅନ୍ୟଦିଗରେ ତାଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗର ସ୍ଥିତ ଲଖନପୁର ବ୍ଲକ ଅନ୍ତର୍ଗତ ଅମାପାଲିରେ ବେଦାନ୍ତର ପାଉଁଶ ବିରୋଧୀ ଆନ୍ଦୋଳନ ଏବଂ ମନ୍ତ୍ରୀଙ୍କ ବିରୋଧରେ ଜନଅସନ୍ତୋଷ ଯୋଗୁଁ ସେ ଏହି ବୈଠକ ଡାକିବାକୁ ବାଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମକର୍ତ୍ତା ଗୋପିନାଥ ମାଝି। ଝାରସୁଗୁଡ଼ାର ପାଉଁଶ ଇତିହାସ ସମ୍ପର୍କରେ ସେ କହିଛନ୍ତି, ସ୍ବର୍ଗତ ନବ ଦାସ ବିଧାୟକ ଏବଂ ମନ୍ତ୍ରୀ ଥିବା ସମୟରେ ଲଇକେରା, କିରମିରା ଏବଂ କୋଲାବିରାକୁ ପାଉଁଶର ହବ କରି ଦେଇଥିଲେ। ଯେଉଁଠି ସାମାନ୍ୟବି ଜମି ମିଳିଲା ବେଦାନ୍ତର ପାଉଁଶ ପକାଇ ଦିଆଯାଉଥିଲା। ଏଥିଯୋଗୁଁ ସେ ଅଞ୍ଚଳ ପାଉଁଶମୟ ହୋଇ ଯାଇଛି। ବ୍ରଜରାଜନଗରରେ ଯେତେବେଳେ ପାଉଁଶ ପକାଇବା ଆରମ୍ଭ ହେଲା, ସମସ୍ତେ ଏହାକୁ ବିରୋଧ କରିଥିଲେ। ଏହାପରେ ପ୍ରଥମେ କୁମାରବନ୍ଧ ଏବଂ ପରେ ୨୦୨୩ ମସିହାରେ ଅମାପାଲିରେ ପାଉଁଶ ପକାଗଲା। ଏହାକୁ ବିରୋଧ କରାଯିବାରୁ ସେଠାରେ ଆଉ ପାଉଁଶ ପଡ଼ିଲା ନାହିଁ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପରେ ସୁରେଶ ପୂଜାରୀ ବିଧାୟକ ଏବଂ ମନ୍ତ୍ରୀ ହେବା ପରେ ଅମାପାଲିରେ ପୁନର୍ବାର ପାଉଁଶ ପଡ଼ିବା ଆରମ୍ଭ ହୋଇଥିବା ସେ କହିଛନ୍ତି। ହୀରାକୁଦ ଜଳଭଣ୍ଡାର, ଜଳାଶୟ, ନଦୀ ଏବଂ ଚାଷ ଜମି ନିକଟବର୍ତ୍ତୀ ଅଞ୍ଚଳରେ ଅମାପାଲି ଅଞ୍ଚଳରେ କିଭଳି ବେଦାନ୍ତକୁ ପାଉଁଶ ପକାଇବା ପାଇଁ ଅନୁମତି ଦିଆଗଲା ବୋଲି ସ୍ଥାନୀୟ ଅଧିବାସୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମର ପାଳନ କରାଯାଇ ପାଉଁଶ ପକାଯାଉଥିବା ଜିଲ୍ଲାପାଳ କହିଥିଲେ। ଏହା ସତ୍ତ୍ବେ ସେ ଦୃଷ୍ଟି ଦେବେ ବୋଲି କହିବା ସତ୍ତ୍ବେ ମଧ୍ୟ ପାଉଁଶ ପଡ଼ିବା ବନ୍ଦ ହେଲା ନାହିଁ। ବରଂ ଏହା କ୍ରମଶଃ ପାଉଁଶର ପାହାଡ଼ ସୃଷ୍ଟି ହୋଇ ଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଧିବାସୀ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ପୁନର୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଲାଭ ହୋଇନଥିଲା। ବରଂ ମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଥିଲା। ବରିଷ୍ଠ ସାମ୍ବାଦିକ ସତ୍ୟ ନାଏକ ନିଜସ୍ବ ୟୁଟୁବ ଚ୍ୟାନେଲରେ ଅମାପାଲିର ପାଉଁଶ ପାହାଡ଼ ପ୍ରସଙ୍ଗକୁ ନେଇ ଲଗାତାର ରିପୋର୍ଟ ପ୍ରସ୍ତୁତ ଏବଂ ଜଳଭଣ୍ଡାର ନିକଟରେ ସବୁ ପ୍ରକାର ନିୟମ କିଭଳି ଉଲ୍ଲଂଘନ କରାଯାଇ ଏଠାରେ ପାଉଁଶ ପରିଚାଳନା କରାଯାଉଛି ତାହା ଉନ୍ମୋଚିତ କରିବା ପରେ ବର୍ତ୍ତମାନ ସାମୟିକ ସମୟ ପାଇଁ ଅମାପାଲିରେ ପାଉଁଶ ପକାଇବା ସ୍ଥଗିତ ରହିଛି।  ଅନ୍ୟଦିଗରେ ପାଉଁଶ ପରିଚାଳନାର ବୈଠକରେ ରାଜସ୍ବ ମନ୍ତ୍ରୀ ଅମାପାଲିର ପାଉଁଶ ପରିଚାଳନା ଅନୁମତି ପାଇଁ ବିଜେଡ଼ି ସରକାର ଏବଂ ବିଜେଡ଼ି ସମର୍ଥିତ ସ୍ଥାନୀୟ ସରପଞ୍ଚଙ୍କୁ ଦାୟୀ କରିଥିଲେ। କେତେ ଦିନ ଏହା ବନ୍ଦ ରହିବ ତାକୁ ନେଇ ରାଜସ୍ବ ମନ୍ତ୍ରୀ ନିଜ ମତ ସ୍ପଷ୍ଟ ରଖୁନଥିବାରୁ ଭବିଷ୍ୟତ କଣ ହେବ କହି ହେବ ନାହିଁ। ଚଳିତ ବର୍ଷ ଅଢାପରା ନିକଟସ୍ଥ କଠାଚିତ୍ରାରେ ଓପିଜିସିର ଥର୍ମାଲ ପାଓ୍ବାର ପ୍ଲାଣ୍ଟର ପାଉଁଶ ପୋଖରୀ ଭାଙ୍ଗି ୫୦୦ ଏକର ଜମି ପ୍ରଭାବିତ ହୋଇଥିଲା। ଏହାକୁ ନେଇ ଗୋପିନାଥ ଏନଜିଟିରେ ଅଭିଯୋଗ କରିଛନ୍ତି।   

ହୀରାକୁଦ ଜଳଭଣ୍ଡାରକୁ ପୋତୁଛି ପାଉଁଶ-
ବ୍ୟବସାୟୀର କାମ କରୁଛି ସମ୍ବଲପୁର ପ୍ରଶାସନ

ସମ୍ବଲପୁର ଏବଂ ଝାରସୁଗୁଡ଼ାରେ ନିର୍ଗତ ହେଉଥିବା ପାଉଁଶରୁ ମାତ୍ର ୫ ପ୍ରତିଶତରେ ହିଁ ଇଟା ପ୍ରସ୍ତୁତ ଏବଂ କିଛି ପାଉଁଶ ସିମେଣ୍ଟ କାରଖାନାରେ କଞ୍ଚାମାଲ ଭାବରେ ବ୍ୟବହାର ହୁଏ। ଅବଶିଷ୍ଟ ହଜାର ହଜାର ଟନ୍‌ର ପାଉଁଶ ପରିଚାଳନା ପାଇଁ ତଳି ଅଞ୍ଚଳ, କ୍ବାରି ଏବଂ ଖଣି ଶୂନ୍ୟ ସ୍ଥାନ ପୋତିବା ଆଦିର ବ୍ୟବସ୍ଥା ରହିଛି। ଏଥିପାଇଁ ପ୍ରତ୍ୟେକ ଶିଳ୍ପାନୁଷ୍ଠାନକୁ ଆସପଣ୍ଡ ଏବଂ ଆସମଣ୍ଡ କରିବା ପାଇଁ ନିର୍ଦେଶ ରହିଛି। ମାତ୍ର ଜିଲ୍ଲାରେ ସ୍ଥିତ କୌଣସି ପାଓ୍ବାର ପ୍ଲାଣ୍ଟ ଏବଂ କାରଖାନା ପକ୍ଷରୁ ବନ୍ଦ ଖଣି ପୋତିବା କାର୍ଯ୍ୟରେ ଏହି ପାଉଁଶ ବ୍ୟବହୃତ ହେଉ ନାହିଁ। ରେଙ୍ଗାଲିରେ ହୀରାକୁଦ ଜଳଭଣ୍ଡାରରେ ଶ୍ୟାମ ମେଟାଲିକ୍ସର ପାଉଁଶ ପକାଉଛି। ଏହାର ବିରୋଧରେ ସ୍ଥାନୀୟ ଅଧିବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ପରିଷଦ ଏହାକୁ ନେଇ ଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ଏହା ସତ୍ତ୍ବେ କୌଣସି ଲାଭ ହୋଇ ନାହିଁ। ଆହୁରି ମଧ୍ୟ ହିଣ୍ଡାଲକୋର ପାଉଁଶ ପରିଚାଳନା କାର୍ଯ୍ୟ ସମ୍ବଲପୁର ମହାନଗର ନିଗମର କମିସନର କରୁଛନ୍ତି। ମହାନଦୀ ନିକଟରେ ଏସଏମସି ପାଖରେ ଏସଡିଏର ବିକ୍ରି ହୋଇଥିବା ଜମିରେ ଦୁଇ ମାସ ହେଲା ପାଉଁଶ ପକାଇବା କାର୍ଯ୍ୟ ଚାଲିଛି। ୬ ଟି କାରଖାନା ଅନୁମତି ନେଇ ୨୬ଟି ସ୍ଥାନରେ ଅର୍ଥାତ ରେଙ୍ଗାଲିର ନିଶାନଭଙ୍ଗା, ଧରୋପାଣି, ଝାଙ୍କରପାଲି, ଡେରବା, ଗୁମଲୋଇ, ଖିଣ୍ଡା, ବ୍ରାହ୍ମଣିପାଲି, ସମ୍ବଲପୁର ସହରର ବଡ଼ବଜାର, ବରଗଡ଼ ଜିଲ୍ଲା ଭେଡ଼େନ ସ୍ଥିତ ରେମୁଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ, ସମ୍ବଲପୁର ସ୍ଥିତ ଆରଡିସି ଅଫିସ, ହିଣ୍ଡାଲକୋ ଟ୍ରକ ପାର୍କିଂ, ଲପଙ୍ଗା, କୁସୁମଡିହି, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଆରଟିଓ, ରାଣୀବନ୍ଧ, ନୂଆଁ ରମ୍ପେଲା, ହାତୀବାରିରେ ପାଉଁଶ ପକାଯାଉଛି।

ସୁନ୍ଦରଗଡ଼ରେ ମଧ୍ୟ ମନଇଚ୍ଛା ପାଉଁଶ ପଡ଼ୁଛି-

ସୁନ୍ଦରଗଡ଼ରେ ମଧ୍ୟ ପାଉଁଶ ପରିଚାଳନା ସମସ୍ୟା ରହିଛି। ନଦୀ ପୋଖରୀ, ଜଙ୍ଗଲ, ରାସ୍ତା ପାର୍ଶ୍ବ ସବୁଠି ପାଉଁଶ ପଡ଼ୁଛି। ସବଡେଗା, ଦର୍ଲିପାଲିରେ ବେଆଇନ ପାଉଁଶ ପରିଚାଳନାକୁ ବିରୋଧ କରି ଆନ୍ଦୋଳନ ହୋଇଥିଲା। ମାତ୍ର କିଛି ଦିନ ପୂର୍ବରୁ ସବଡେଗାରେ ପାଉଁଶ ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଲୋକଙ୍କ ଅସନ୍ତୋଷ ତୀବ୍ର ରହିଛି।

ବର୍ଷାଧିକ ସମୟ ଧରି କୋଟି-କୋଟି ଟଙ୍କାର ବ୍ୟବସାୟ କରୁଥିବା କମ୍ପାନି ପାଇଁ ପାଉଁଶ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ ଅଟେ। ଏହି ବୋଝକୁ ସେମାନେ ମୁଣ୍ଡରୁ ଓହ୍ଲାଇ ଲୋକଙ୍କ ଉପରେ ଲଦି ଦେବା ପାଇଁ ସରକାରଙ୍କ ସହିତ ବାହାରର ବଡ଼ ପରିବହନ ସଂସ୍ଥା, ସ୍ଥାନୀୟ ମନ୍ତ୍ରୀ, ବିଧାୟକ, ଛୋଟ-ବଡ଼ ଠିକା ସଂସ୍ଥା, ସାମାଜିକ ସଂସ୍ଥା, ଗଣମାଧ୍ୟମ, ଅସମାଜିକ ଗୋଷ୍ଠୀର ସହଯୋଗ ନିଅନ୍ତି। ଏଥିପାଇଁ କୋଟି-କୋଟି ଟଙ୍କା ଖର୍ଚ କରନ୍ତି। ନିର୍ବାଚନ ପରିଚାଳନା କରନ୍ତି। ଏହି ପ୍ରକ୍ରିୟା ଯୋଗୁଁ କେବଳ ସାଧାରଣ ମଣିଷ ବ୍ୟତୀତ ସବୁ ପ୍ରଭାବଶାଳୀ ଗୋଷ୍ଠୀ ଲାଭାନ୍ବିତ ହୁଅନ୍ତି। ତେଣୁ ପ୍ରକୃତ ପକ୍ଷରେ କେହି ମଧ୍ୟ ଚାହାନ୍ତି ନାହିଁ ଯେ ପାଉଁଶ ସମସ୍ୟାର ସମାଧାନ ହେଉ ।  

ଏହା ସତ୍ତ୍ବେ ଦେଖିବାକୁ ବାକି ରହିଲା ଯେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପଶ୍ଚିମଓଡ଼ିଶାରୁ ପାଉଁଶ ବୋଝ ବଢାଇବ କି ହାଲୁକା କରୁଛି।

ପାଓ୍ବାର ପ୍ଲାଣ୍ଟ କେତେ ଛାଡ଼ୁଛି ପାଉଁଶ

 

ଜିଲ୍ଲା        

ପାଓ୍ବାର ପ୍ଲାଣ୍ଟ

ପ୍ରତିଦିନ ବାହାରୁଛିପାଉଁଶ(ଏମଟି)

ବାର୍ଷିକ ବାହାରୁଛିପାଉଁଶ(ଏମଟି)

ଝାରସୁଗୁଡ଼ା(୪)

ବେଦାନ୍ତ(ଟିପିପି)

୧୬,୭୦୦

୬୦,୯୫,୫୦୦   

ବେଦାନ୍ତ(ପିପି)

୧୦,୧୦୯

୩୬,୮୯,୭୮୫

ଓପିଜିସି  

୧୦,୯୫୮             

୪୦,୦୦,୦୦୦

ଇଣ୍ଡ-ଭାରତ

୩୨୦୦ 

୯,୬୦,୦୦୦

ସୁନ୍ଦରଗଡ଼(୯)

ଏନଟିପିସି

୧୭୩୧ 

୦.୬୩ ନିୟୁତ ଟନ

ଏସଟିପିପି ଦର୍ଲିପାଲି,ଏନଟିପିସି

 

୧୩୫୦୦

୪.୫ ନିୟୁତ ମିଲିୟନଟନ

କମାଣ୍ଡ ଷ୍ଟିଲ ପ୍ଲାଣ୍ଟ   

୩୬୦.୬୭

୧୨୮୦୪୧

ରୁଙ୍ଗଟା ଖଣି

 

 

ମହାବୀର ଫେରୋ 

୧୮୦

୬୪୮୦୦

ଭାସ୍କର ଷ୍ଟିଲ

୨୨୦     

୭୭୦୦୦

ସୁରଜ ପ୍ରଡକ୍ଟ

୮୦

୨୮୮୦୦

ଗଣେଶ ମେଟାଲିକ୍ସ

୩୦୦     

୧୦୫୦୦୦

ସ୍କାନ ଷ୍ଟିଲ

୧୮୦

୬୪୮୦୦

ସୁରେନ୍ଦ୍ର ମାଇନିଂ

୧୫୦

୫୨୫୦୦

ସମ୍ବଲପୁର(୭)

ଶ୍ୟାମ ମେଟାଲିକ୍ସ     –

 

୧,୬୩,୮୦୮ ଟିପିଏ

ଜେଏସଡବ୍ଲୁ ଭୂଷଣ  –

୪୧୦୦ପିପିଡି

୧୨,୦୪,୫୦୦ଟିପିଏ

ହିଣ୍ଡାଲକୋ

 

 

ଆଦିତ୍ୟ ଆଲୁମିନିୟମ

୫୦୦୦ପିପିଡି

 

ଆର୍ୟନ ଇସ୍ପାତ          –

 

୨୦,୭୩୬ଟିପିଏ

ବିରାଜ ଷ୍ଟିଲ ଆଣ୍ଡ ଏନେର୍ଜି

୨୧୦ପିପିଡି           

 

ବିଆର ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ

୧୦୦ପିପିଡି

 

ଅନୁଗୁଳ(୬)

ନାଲକୋ

୮୧୦୫.୧୯

୨୯୧୭୮୬୯

ଜିନ୍ଦଲ

୪୯୩୭.୮୭

୧୭୭୭୬୩୫

ଜଲାନ କାର୍ବନ ଆଣ୍ଡ କେମିକାଲ

୧.୫୮   

୫୬୯.୬୬

ଜିନ୍ଦଲ ଇଣ୍ଡିଆ ଥର୍ମାଲ

୬୩୮୪.୪୩

୨୨୯୮୩୯୬

ଏନଟିପିସି                

୧୯୦୮୭.୪

୬୮୭୧୪୪୯

ଅନୁଗୁଳ ଏନେର୍ଜି

୨୧୪୮.୪୭

୭୭୩୪୫୦

 

ପାଉଁଶକୁ କଞ୍ଚାମାଲ ଭାବରେ ବ୍ୟବହାର କରୁଥିବା କମ୍ପାନି

 

ଜିଲ୍ଲା

ପ୍ଲାଣ୍ଟ

ପ୍ରତିଦିନ( ମେଟ୍ରିକ ଟନ)

ବାର୍ଷିକ (ମେଟ୍ରିକ ଟନ)

ଝାରସୁଗୁଡ଼ା

ଅଲଟ୍ରା ଟେକ ସିମେଣ୍ଟ

୪୮୯୦

୧୭,୮୫୦୦୦

ସୁନ୍ଦରଗଡ଼

ଡାଲମିଆ ସିମେଣ୍ଟ  

୧୯୩୪ 

୭୦୬୦୪୬

ଜେଏସଡବ୍ଲୁ ଶିବା ସିମେଣ୍ଟ

୬୫୦

୨୨୭୫୦୦

ଚେରୋଏଟ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ

 

୫୦

୧୮୦୦୦

ସୀତା ସିମେଣ୍ଟ

୯୦୦

୩୧୫୦୦୦

ସମ୍ବଲପୁର

ଏସିସି ଲିମିଟେଡ

୧୮୦୦ଟିପିଡି

 

ଅନୁଗୁଳ  

ଇଟା ୟୁନିଟ

୫୫୮୮.୫୬୯

୨୦୧୧୮୮୪.୯୪

 

                                                                       

 

Facebook
Twitter
LinkedIn
WhatsApp