ପାଣ୍ଡିଆନ କେନ୍ଦ୍ରୀଭୂତ ବିଜେଡ଼ି ପ୍ରଚାର, ନେତୃତ୍ବ ମାରିବାର ଷଡଯନ୍ତ୍ର

କିଛି ଦିନ ପୂର୍ବରୁ ସମ୍ବଲପୁରରେ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ସମାବେଶ। ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବାରୁ ଏହି ସମାବେଶର ଗୁରୁତ୍ବ ଅଧିକ ରହିଥିଲା। ଆଶା ଥିଲା, ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପ୍ରଣବ ପ୍ରକାଶଙ୍କ ସିଧା ମୁକାବିଲା ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କ ବକ୍ତବ୍ୟର ଗୁରୁତ୍ବ ରହିବ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ପରେ ମଧ୍ୟ ସମ୍ବଲପୁରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦ ମାନ୍ୟତା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାଣୁତାଙ୍କ ଠାରୁ ଆରମ୍ଭ କରି ବୁଣାକାରଙ୍କ ପାଇଁ କାହିଁକି ଟେକ୍ସଟାଇଲ ପାର୍କ ହେଲା ନାହିଁ,  ଓଡ଼ିଆଙ୍କୁ ପ୍ରଦୂଷଣ ଦେଇ ରାଜସ୍ବ ବାବଦରେ ଏମସିଏଲ ଠାରୁ ୨୭ ହଜାର କୋଟି ନେଇ ଓଡ଼ିଶାକୁ କାହିଁକି ୪ ହଜାର କୋଟି ଦେଉଛନ୍ତି ବୋଲି ପ୍ରଶ୍ନ ପଚାରି ଥାଆନ୍ତେ। ବଡ଼ କମ୍ପାନିମାନଙ୍କୁ ଋଣ ଛାଡ଼ କରାଯାଉଛି କେନ୍ଦୁପତ୍ର ତୋଳାଳିଙ୍କ ଠାରୁ ଜିଏସଟି ଆଦାୟ କରାଯାଉଛି ବୋଲି କହି ଥାଆନ୍ତେ। ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ଉଜ୍ଜଳା ଯୋଜନା କାର୍ଯ୍ୟକାରୀ ହୋଇଥିଲା କିନ୍ତୁ ସେ ଲଢୁଥିବା ନିର୍ବାଚନ ମଣ୍ଡଳୀରେ ଉଜ୍ଜାଳାର କେତେ ସଫଳତା ଦେଖାଇ ପାରିବେ ସେ ନେଇ ପ୍ରଶ୍ନ ପଚାରିବେ ବୋଲି ଆଶା ଥିଲା। କିନ୍ତୁ ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ, ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ କି ରେଙ୍ଗାଲି ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କ ସମ୍ମୁଖରେ ସାମ୍ନା ପଟରେ ହଜାର-ହଜାର ଭୋଟରଙ୍କ ଜନସମାବେଶ ଥିଲା। ଟେଲିଭିଜନ ଜରିଆରେ କାର୍ଯ୍ୟକ୍ରମର ଲାଇଭ ପ୍ରସାରଣ ହେଉଥିଲା। କିନ୍ତୁ ସେମାନଙ୍କୁ ବିଶେଷ କିଛି କହିବାର ସୁଯୋଗ ନଥିଲା। ପ୍ରାର୍ଥୀମାନେ ଗୋଟିଏ-ଦୁଇ ଧାଡ଼ି କହିବା ପରେ ବିରୋଧୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ଦଳକୁ ସବୁ ପ୍ରଶ୍ନ କରିଥିଲେ ବିଜେଡ଼ି ନେତା ଭି.କେ. ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଣ୍ଡିଆନଙ୍କ ପ୍ରଚାର ପାଲଟିଥିଲା। ଯେଉଁଠି ଅନ୍ୟ କୌଣସି ନେତାଙ୍କ ଅସ୍ତିତ୍ବ ନଥିଲା। ୨୦୧୯ ପର୍ଯ୍ୟନ୍ତ ବିଜେଡ଼ିର ନିର୍ବାଚନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏହିଭଳି ନିର୍ବାଚନ ସମାବେଶରେ ସ୍ଥାନୀୟ ନେତା, ପୁରୁଖା ନେତା ଏବଂ ଯୁବ, ଛାତ୍ର, ମହିଳା ବିଜେଡ଼ିର ଅନ୍ୟୁନ ଜଣଙ୍କୁ ବକ୍ତବ୍ୟ ମିଳୁଥିଲା। ସବୁ ରାଜନୈତିକ ଦଳରେ ଏହି ବ୍ୟବସ୍ଥା ରହିଛି। ଏହା ଦ୍ବାରା ରାଜନୈତିକ ଦଳ କେବଳ ଜଣଙ୍କର ନୁହେଁ ଏହା ସ୍ପଷ୍ଟ ହୁଏ। ବିରୋଧୀ ପ୍ରାର୍ଥୀଙ୍କୁ ଅଧିକ ଏବଂ ବିବିଧ ପ୍ରକାର ପ୍ରଶ୍ନର ସୁଯୋଗ ସୃଷ୍ଟି ହୁଏ। ସେହି ଅନୁଯାୟୀ ପ୍ରାର୍ଥୀମାନେ ଉପକୃତ ହୁଅନ୍ତି। ବିଜେଡ଼ିର ଏହି ନିର୍ବାଚନ ସମାବେଶ ଖଣ୍ଡି ସମ୍ବଲପୁରୀ କହୁଥିବା ଆଙ୍କରମାନେ ପରିଚାଳନା କରୁଥିଲେ। ଯାହା ସମାବେଶର ଗାମ୍ଭିର୍ଯ୍ୟକୁ ହାଲୁକା କରୁଥିଲେ। ସମ୍ବଲପୁର ବିଜେଡ଼ିରେ ସେଦିନ ପ୍ରାର୍ଥୀମାନଙ୍କ ବ୍ୟତୀତ ବରିଷ୍ଠ ନେତା ସିଦ୍ଧାର୍ଥ ଦାସ, ପୂର୍ବତନ ସାଂସଦ ପ୍ରମିଳା ବହିଦାର, ବିଜେଡ଼ି ନେତା ତଥା ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟି ସଂଜୟ ବାବୁଙ୍କ ସମେତ ଅନେକ ଯୁବ ବିଜେଡ଼ିର ନେତାମାନେ ଉପସ୍ଥିତ ଥିଲେ। ସମାବେଶ ଦାୟିତ୍ବରେ ଥିବା ଲେଲିନ ମହାନ୍ତି ମଧ୍ୟ ପ୍ରବକ୍ତା। ସେ ମଧ୍ୟ ଅନେକ କଥା କହିପାରି ଥାଆନ୍ତେ। କିନ୍ତୁ କାହାକୁ କହିବାକୁ ସୁଯୋଗ ନ ଦେଇ ସମାବେଶକୁ ଭିକେ ପାଣ୍ଡିଆନ କେନ୍ଦ୍ରୀଭୂତ କରି ଦିଆଗଲା। କେବଳ ଏହି ସମାବେଶ ନୁହେଁ ବିଜେଡ଼ିର ସମୁଦାୟ ନିର୍ବାଚନ ପ୍ରଚାର ସମାବେଶହିଁ ଭି.କେ ପାଣ୍ଡିଆନଙ୍କ କେନ୍ଦ୍ରୀଭୂତ ହୋଇ ରହୁଛି। ବିଜେଡ଼ିର ୪୦ ଷ୍ଟାର ପ୍ରଚାରକ ଥିଲେ ମଧ୍ୟ ରାଜ୍ୟ କି ସ୍ଥାନୀୟ କୌଣସି ନେତାଙ୍କ ଦେଖା ନାହିଁ। ବିଜେଡ଼ି ନେତୃତ୍ବଙ୍କୁ ମାରି ଦେବାର ଷଡ଼ଯନ୍ତ୍ର କରାଯାଉଥିବା ଅନୁଭବ ହେଉଥିବା କୁହାଯାଉଛି। ରାଜନେତାଙ୍କୁ ନେଇ ରାଜନୈତିକ ଦଳ। ରାଜନେତା ନ ରହିଲେ ରାଜନୈତିକ ଦଳ ଦୁର୍ବଳ ହୋଇଯିବ। ଏଭଳି ରଣନୀତି ପାଣ୍ଡିଆନ ବିଜେଡ଼ିକୁ କେତେ ସଶକ୍ତ କରିବ ତାକୁ ନେଇ ପ୍ରଶ୍ନବାଚୀ ରହିଛି।