ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡୁମେରପଦର ଗାଁର ଦାନ ସିଂ ମାଝି। ୫ ବର୍ଷ ହେଲା ତାଙ୍କ ଦେହାନ୍ତ ହୋଇ ସାରିଛି। ଆଜିବି କାହା ମୁହଁରୁ ସେ ନାଁ ଶୁଣିଲେ ତାଙ୍କ ବାପାଙ୍କ ଆଖିରେ ଲୁହ ଚାଲି ଆସେ। ପୁଅ ପାଇଁ ଭାଳି ହୁଅନ୍ତି। କିନ୍ତୁ ମୃତ ପୁଅ ଥରୁଟିଏ ବି ବାପାଙ୍କ ପାଖକୁ ଫେରି ନାହାନ୍ତି। କିନ୍ତୁ ଅଚାନକ ସିଜିମାଳିରେ ବେଦାନ୍ତକୁ ବକ୍ସାଇଟ ଖଣି ପ୍ରଦାନ ପାଇଁ ସେ କିଛି ସମୟ ପାଇଁ ବଞ୍ଚି ଉଠିଥିବା ଅନୁଭବ ହୁଏ। କାରଣ, ଗତ ଡିସେମ୍ବର ମାସରେ ଡୁମେରପଦରର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ ପାଇଁ ଗ୍ରାମସଭାର ସହମତି ପତ୍ରରେ ଦାନ ସିଂଙ୍କ ନାମ ଉଲ୍ଲେଖ ରହିଛି। ପ୍ରକୃତରେ ମୃତ ଦାନ ସିଂ ନିଜେ ହସ୍ତାକ୍ଷର କରିଛନ୍ତି କି ତାଙ୍କ ନାମରେ ଅନ୍ୟ କେହି ମିଛ ହସ୍ତାକ୍ଷର କରିଥିବେ ଏହା ସ୍ପଷ୍ଟ ଅଟେ।ଏହି ଗ୍ରାମସଭା ବୈଠକରେ ଏହି ଗାଁର ଯୁକ୍ତ ଦୁଇ ପଢିଥିବା ଗ୍ରାମସଭା ଅନନ୍ତ ମାଝି ଏବଂ ଦଶମ ଉତ୍ତୀର୍ଣ୍ଣ ହେମନ୍ତ ମାଝିଙ୍କ ହସ୍ତାକ୍ଷର ପରିବର୍ତ୍ତେ ମଧ୍ୟ ଆଙ୍ଗୁଠି ଛାପ ରହିଛି।
ସେହିପରି ମାଳିପଦର ଗାଁର ଶୁକ୍ରୁ ମାଝି। ଡିସେମ୍ବର ମାସରେ ସେ କେରଳରେ ଥିଲେ, କିନ୍ତୁ ସେହି ମାସ ତାଙ୍କ ଗାଁରେ ଆୟୋଜିତ ଗ୍ରାମସଭାରେ ତାଙ୍କ ହସ୍ତାକ୍ଷର ରହିଛି। ପରଦେଶୀ ନାଏକ ସାଗବାରି ଗାଁର ଅଟନ୍ତି। କିନ୍ତୁ ମାଳିପଦରରେ ଆୟୋଜିତ ଗ୍ରାମସଭାରେ ତାଙ୍କ ହସ୍ତାକ୍ଷର ରହିଛି। ଏହା କେବଳ କେତେକ ଉଦାହରଣ ମାତ୍ର। କିନ୍ତୁ କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ବେଦାନ୍ତ ଲିମିଟେଡକୁ ବକ୍ସସାଇଟ ଖଣି ଲିଜ ପାଇଁ ଗ୍ରାମସଭାର ଅନୁମୋଦନ ପତ୍ରରେ ଏଭଳି ଅନେକ ମିଛ ହସ୍ତାକ୍ଷର ରହିଥିବା ନେଇ ନିଜେ ଗ୍ରାମବାସୀ କହିଛନ୍ତି। ଏଥିସହିତ ବେଦାନ୍ତ କମ୍ପାନିକୁ ଖଣି ଲିଜ ଦେବା ପାଇଁ ସବୁ ପ୍ରକାର ନିୟମର ଯେ ଉଲ୍ଲଂଘନ କରାଯାଇଛି, ତାହା ସ୍ପଷ୍ଟ ହୋଇଛି।
ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ବେଦାନ୍ତକୁ ଦିଆଯାଇଥିବା ଖଣି ଲିଜ କ୍ଷେତ୍ର ହେଲା ୧୫୪୦ ହେକ୍ଟର। ଏହା କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଏବଂ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକର ୨ଟି ଗାଁକୁ ସଂପୂର୍ଣ୍ଣ ବିସ୍ଥାପିତ ଓ ଅନ୍ୟାନ୍ୟ ୧୬ଟି ଗାଁକୁ ପ୍ରଭାବିତ କରୁଛି। ଏହି ସବୁ ଅଞ୍ଚଳଗୁଡ଼ିକ ସମ୍ବିଧାନର ପଞ୍ଚମ ଅନୁସୂଚିତ କ୍ଷେତ୍ରର ଅନ୍ତର୍ଭୁକ୍ତ ଅଟେ। ଏହି ଅଞ୍ଚଳର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି କାର୍ଯ୍ୟରେ ବ୍ୟବହାର ପାଇଁ ଗ୍ରାମସଭାଗୁଡ଼ିକର ଅନୁମୋଦନର ଆବଶ୍ୟକତା ରହିଛି। ୧୦ଟି ଗାଁର ଗ୍ରାମସଭାର ଅନୁମତିର ଦସ୍ତାବେଜ ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଛି। ଯାହା ଫଳରେ ବେଦାନ୍ତର ଖଣି ଖନନ ରାସ୍ତା ଆହୁରି ସହଜ ହୋଇଛି। ପ୍ରକୃତରେ ସେଠାରେ ଗ୍ରାମସଭା କରାଯାଇ ହସ୍ତାକ୍ଷର ଅଣାଯାଇଛି ନା କାଗଜପତ୍ରରେ ସବୁ କରାଯାଇଛି ତାକୁ ନେଇ ପିୟୁସିଏଲ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନର ଅନୁଧ୍ୟାନ ଟିମ ସିଜିମାଳିର ପ୍ରସ୍ତାବିତ ବେଦାନ୍ତ ଖଣି ପ୍ରଭାବିତ ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ଗ୍ରାମସଭା ଏବଂ ସ୍ଥାନୀୟ ଅଧିବାସୀଙ୍କ ହସ୍ତାକ୍ଷର ନେଇ ଅନେକ ପ୍ରସଙ୍ଗ ସାମ୍ନାକୁ ଆସିଛି। ଉଦାହରଣସ୍ବରୂପ, ବେଦାନ୍ତ ଖଣି ପ୍ରସ୍ତାବିତ ବିସ୍ଥାପିତ ଗାଁ ତିଜିମାଳିର ଇନ୍ଦ୍ର ମାଝିଙ୍କ ଅନୁସାରେ, ତାଙ୍କ ଅଞ୍ଚଳରେ ଖଣି ଖନନ ହେବ ଏବଂ ତାଙ୍କ ଗାଁ ବିସ୍ଥାପିତ ହେବ, ଏହା ସେମାନେ କୌଣସି ସରକାରୀ ପ୍ରତିନିଧିଙ୍କ ଠାରୁ ଜାଣି ନାହାନ୍ତି। ବରଂ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାଙ୍କ ଠାରୁ ଶୁଣିଛନ୍ତି। ଗତ ବର୍ଷ ଜୁନ ଏବଂ ଜୁଲାଇ ମାସରେ ଅସ୍ବାଭାବିକ ଘଟଣା ଘଟିଥିଲା। କିଛି ବ୍ୟକ୍ତି ନିଜକୁ ଫାଇନାନ୍ସ କମ୍ପାନିର ପ୍ରତିନିଧି ଭାବରେ ପରିଚୟ ଦେଇ ତାଙ୍କ ଗାଁକୁ ଆସିଥିଲେ। ଗାଁରେ ଥିବା ୪୫ ପରିବାରରୁ ୧୬ ପରିବାରକୁ ୫୦୦ରୁ ୧୫୦୦ ଟଙ୍କା ଦେଇଥିଲେ। ଏହା ବଦଳରେ ଆଧାର କାର୍ଡ ଏବଂ ପାସବୁକର ଜେରକ୍ସ ନେଇଥିଲେ। ପ୍ରଥମ ମାସ ବ୍ୟାଙ୍କରେ ଜମା ପରେ ଦ୍ବିତୀୟ ମାସରେ ଟିକିରି ସ୍ଥିତ ମୈତ୍ରୀ କମ୍ପାନି କାର୍ଯ୍ୟାଳୟକୁ ଆସିବାକୁ କୁହାଗଲା। ମଙ୍ଗଳୁ ମାଝି କହନ୍ତି, ତାଙ୍କ ବ୍ୟାଙ୍କ ଜମାଖାତାରେ ୧୫୦୦ ଟଙ୍କା ଜମା ହୋଇଥିବା ଦେଖି ଏହା କାଳିଆ ଟଙ୍କା ବୋଲି ସେ ଭାବୁଥିଲେ । ଡିସେମ୍ବର ମାସ ୮ ତାରିଖରେ ଏଠାରେ କୌଣସି ଗ୍ରାମସଭା ହୋଇ ନାହିଁ। ବରଂ ଗାଁକୁ କମ୍ପାନିର କିଛି ବ୍ୟକ୍ତି ଆସି ‘ଗ୍ରାମସଭା- ସିଜିମାଳି ମାଇନ୍ସ’ ଲେଖାଥିବା ଏକ ବ୍ୟାନର ଲଗାଇ କାଗଜପତ୍ରରେ ହସ୍ତାକ୍ଷର ପାଇଁ କହିଥିଲେ। ମାତ୍ର ଏଥିରେ କେହି ହସ୍ତାକ୍ଷର କରିନଥିଲେ ଏବଂ ବ୍ୟାନର ଚିରିଦେବେ ବୋଲି ସ୍ଥାନୀୟ ଅଧିବାସୀ ଧମକ ଦେବାରୁ କମ୍ପାନୀ ବାଲା ଫେରି ଆସିଥିଲେ। ମାଳିପଦର ଗାଁର କୁମୁଟି ମାଝିଙ୍କ କଥାତ ଆହୁରି ଚାଞ୍ଚଲ୍ୟକର ଥିଲା। ସେ କହନ୍ତି, ଅଣଜଙ୍ଗଲ ଜମି ଅନୁମତି ନେଇ ଗ୍ରାମସଭା ହୋଇ ନାହିଁ। ବରଂ ଗୋଟିଏ ଦିନ ପୁଲିସ ଫୋର୍ସ ସାରା ଗାଁକୁ ଘେରି ଯାଇଥିଲେ। ପୁଲିସଙ୍କ ମଧ୍ୟରୁ କିଛି ଥିଲେ ବନ୍ଧୁକଧାରୀ। ସେମାନଙ୍କ ସହିତ ଥିଲେ କମ୍ପାନି ଏବଂ ସରକାରୀ ପ୍ରତିନିଧି। ଲୋକଙ୍କୁ କାଗଜ ଦେଇ ହସ୍ତାକ୍ଷର ପାଇଁ କହିଥିଲେ। ଡୁମେରପଦର ଗାଁର ଲକ୍ଷ୍ମଣ ନାଏକ କହନ୍ତି, ରାୟଗଡ଼ା ଜିଲ୍ଲା କୁଚେଇପଦରରେ ଆମର ସମ୍ପର୍କୀୟ ଅଛନ୍ତି। ଆମେ ଜାଣିଛୁଁ ସେଠି ଉତ୍କଳ ଆଲୁମିନା କମ୍ପାନି ଆସିବା ପରେ ଝରଣା ଶୁଖିଗଲାଣି। କାଦୁଅ ପାଣି ବାହାରୁଛି। ତେଣୁ ଯେକୌଣସି ସ୍ଥିତିରେ ମଧ୍ୟ ଏହି ବେଦାନ୍ତର ପ୍ରସ୍ତାବିତ ଖଣିକୁ ସମର୍ଥନ କରାଯିବ ନାହିଁ।
ଚାରିପଟରେ ପ୍ରସ୍ତାବିତ ଖଣି କିନ୍ତୁ ପ୍ରଭାବିତ ତାଲିକାରେ ନାହିଁ-
କଳାହାଣ୍ଡି ଜିଲ୍ଲାର ସର୍ଗିପଦର ଗାଁର ଚତୁପାର୍ଶ୍ବରେ ରହିଛି ତିଜିମାଳି, ମାଞ୍ଜିମାଳି ଏବଂ କୁଟ୍ରୁଙ୍ଗମାଳି। ତିଜିମାଳିକୁ ବେଦାନ୍ତ, ମାଞ୍ଜିମାଳିକୁ ଓଏମସି ଏବଂ କୁଟ୍ରୁଙ୍ଗମାଳିକୁ ଅଦାନି କମ୍ପାନି ଉତ୍ତୋଳନ ପାଇଁ ସରକାର ଲିଜ ଦେଇଛନ୍ତି। କିନ୍ତୁ ପ୍ରଭାବିତ ହୋଇଥିବା ଅଞ୍ଚଳରେ ସର୍ଗିପଦର ଗାଁ ନାହିଁ କି ଖଣି ଉତ୍ତୋଳନ ନେଇ ତାଙ୍କ ପାଖକୁ କେହି ଆସି ନାହାନ୍ତି। ଏହି ଗାଁ ନିକଟରେ ଜନଶୁଣାଣି ହୋଇଥିବାରୁ ବ୍ୟାପକ ଗିରଫଦାରୀ ହୋଇଛି। ସେହିଭଳି ଆଉ ଏକ ଗାଁ ହେଲା ତାଡ଼ାଦେଇ। ବର୍ତ୍ତମାନ ସରକାର ଫସଲ ବିବିଧୀକରଣର କଥା କହୁଛନ୍ତି। କଳାହାଣ୍ଡି ଜିଲ୍ଲାର ଏହି ଆଦିବାସୀ ଅଞ୍ଚଳର କୃଷି ସଂସ୍କୃତି ଫସଲ ବିବିଧୀକରଣ ଉପରେ ପର୍ଯ୍ୟବେସିତ। ପୂର୍ବତନ ସରପଞ୍ଚ ବାଲ ସିଂ ମାଝିଙ୍କ ଅନୁସାରେ, ଚାଷୀ ଯେତେ ଫସଲ ଚାହିଁବ ଡଙ୍ଗରରେ ଚାଷ କରିପାରିବ। ଆଜିର ପିଲାମାନେ ଚାଷ ପ୍ରତି ମନ ଦେଉନଥିବାରୁ ପୂର୍ବଭଳି ଚାଷ କରି ପାରୁ ନାହାନ୍ତି। ଏହା ସତ୍ତ୍ବେ ଧାନ ସହିତ ଏଠାରେ ବିରି, କାନ୍ଦୁଳ, ମାଣ୍ଡିଆ, କୋଶଳା (ସୁଆଁ), କାଙ୍ଗୁ, କୋୟା, ଖେଡ଼ଚଣା(ବାଜରା), କନ୍ଦା, ଜଡ଼ା, ଜୁଡ଼ୁମ, ଟମାଟୋ, ଲଙ୍କା, ବାଇଗଣ, ମକା ଏବଂ ଅଳସୀ ଭଳି ୧୨ ପ୍ରକାର ଚାଷ ହୋଇ ପାରୁଛି। ବିଭିନ୍ନ ସମୟରେ ଜଙ୍ଗଲ ଚାଷରେ ରୋଗପୋକ ଏବଂ ମରୁଡ଼ି ଭୟ ଥାଏ। ତେଣୁ ଆଦିବାସୀ ସମାଜ ଧାନ, ମାଣ୍ଡିଆକୁ ୩ ବର୍ଷ ପାଇଁ ସଂରକ୍ଷିତ ରଖନ୍ତି। ଅଳସି, କଟିଂ, ବିରି, ଝୁଡ଼ୁଙ୍ଗ ଏବଂ କାଜୁକୁ ସେମାନେ ବଜାରରେ ବିକ୍ରି କରନ୍ତି। ଏହା ସହିତ ସେହି ଅଞ୍ଚଳରେ କୁଟ୍ରା ଝରନ, ମୁଡ଼ ମୁଚକି ଝରନ, ଇରା ଝରନ ସମେତ ୧୪ଟି ଝରଣା ରହିଛି। ଯାହା ଖଣି ଯୋଗୁଁ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି।
ବେଦାନ୍ତ ପ୍ରତି ଅନୁଗ୍ରହ କାହିଁକି ?
ବର୍ତ୍ତମାନ ସାଧାରଣ ନିର୍ବାଚନ। ସେହି ଦୃଷ୍ଟିରୁ ଦେଖିଲେ କଳାହାଣ୍ଡିର ପ୍ରସ୍ତାବିତ ଖଣି ପ୍ରଭାବିତ ଗାଁ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହେବା କଥା। କିନ୍ତୁ ବାସ୍ତବତା ଭିନ୍ନ। ଅଚାନକ ନିର୍ବାଚନ ଆସିବା ଯୋଗୁଁ ଖଣି ପ୍ରସଙ୍ଗ ଆଉ ଉଠୁ ନାହିଁ। ଖଣି ଯୋଗୁଁ ସରକାର କଣ ବିକାଶ କରିବେ କହୁ ନାହାନ୍ତି କି କେତେ ପ୍ରଭାବିତ କି ବିସ୍ଥାପିତ ହେବେ ସେ ନେଇ ବି ସୂଚନା ଦେଉ ନାହାନ୍ତି। ଏହାର ସମ୍ଭାବିତ କାରଣ ହୋଇ ପାରେ ଯେ ଷ୍ଟେଟ୍ ବ୍ୟାଙ୍କ ନିର୍ବାଚନ ବଣ୍ଡ୍ ସମ୍ପର୍କିତ ରିପୋର୍ଟ ଅନୁଯାୟୀ, ବେଦାନ୍ତ ବିଜେପିକୁ ୨୩୦.୧୫ କୋଟି, କଂଗ୍ରେସକୁ ୧୨୫ କୋଟି ଏବଂ ବିଜେଡିକୁ ୪୦ କୋଟି ଟଙ୍କା ଦେଇଛି।