ପର ପିଣ୍ଡାରେ କଟୁଥିଲା ଜୀବନ ଆଜି ସାମ୍ବାଦିକ ହୋଇ ଜୀବନ ବଦଳାଉଛନ୍ତି

ପର ପିଣ୍ଡାରେ କଟୁଥିଲା ଜୀବନ ଆଜି ସାମ୍ବାଦିକ ହୋଇ ଜୀବନ ବଦଳାଉଛନ୍ତି

୨୦୨୩ ମସିହାର କଥା। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଏବଂ ବଣେଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ୧୦୨ ମହିଳାଙ୍କ ନାମରେ ଏକ ଠକ ଅର୍ଥଲଗାଣକାରୀ ସଂସ୍ଥା ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣର ପ୍ରଲୋଭନ ଦେଖାଇ ରାଉରକେଲା ନେଇଗଲା। ସେଠାରେ ଦସ୍ତାବେଜରେ ହସ୍ତାକ୍ଷର କରାଇ ଅଜାଣତରେ ସେମାନଙ୍କ ନାମରେ ଋଣ କରାଇ ନେଲା। ଫଳସ୍ବରୂପ ଋଣ ପରିଶୋଧର ବୋଝ ସହିତ ପ୍ରତି ମାସରେ ସେମାନଙ୍କ ଜମା ଖାତାରୁ ସୁଧ ଟଙ୍କା କଟିବାକୁ ଲାଗିଲା। ଅର୍ଥାତ ଯେଉଁ ଋଣ ସେମାନେ କରିନଥିଲେ ତାର ସୁଧ ଟଙ୍କା ସେମାନଙ୍କୁ ଦେବାକୁ ପଡ଼ୁଥିଲା। ପରିବାର ଏହି ସମ୍ପର୍କରେ ଜାଣିବା ପରେ ପରିସ୍ଥିତି ବିଷମ ହୋଇ ପଡ଼ିଥିଲା। ଏଣେ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ଲାଭ ହୋଇନଥିଲା। ସୁନ୍ଦରଗଡ଼ କୁନ୍ତୁରାରେ ରହୁଥିବା ସାମ୍ବାଦିକ ବିଦେଶିନୀ ଯେତେବେଳେ ଏହି କଥା ଜାଣିଲେ କେବଳ ନ୍ୟୁଜ କରି ଦେଇ ଚୁପ ବସିଲେ ନାହିଁ। ମହିଳାଙ୍କୁ ଏକାଠି କରି ପ୍ରଥମେ ଉପଜିଲ୍ଲାପାଳ ଏବଂ ସୁନ୍ଦରଗଡ଼ ଏସପିଙ୍କ କାର୍ଯ୍ୟାଳୟରେ ଘେରାଓ କରିଥିଲେ। ଅନ୍ୟ ମୁଖ୍ୟଧାରାର ସାମ୍ବାଦିକଙ୍କୁ ଏହି ପ୍ରକ୍ରିୟାରେ ଯୋଡ଼ି ସୁନ୍ଦରଗଡ଼ର ବଡ଼ ପ୍ରସଙ୍ଗ କରି ଦେଲେ। ଫଳସ୍ବରୂପ ସୁନ୍ଦରଗଡ଼ ପୁଲିସ ଏଥିସଂକ୍ରାନ୍ତରେ ମାମଲା ରୁଜ୍ଜୁ କରିବା ସହିତ ଠକମାନଙ୍କୁ ଗିରଫ କରିଥିଲା। କ୍ରମାଗତ ଲଢେଇ ପରେ ମହିଳାମାନଙ୍କ ଉପରେ ଥିବା ମିଛ ଋଣରୁ ମୁକ୍ତି ମିଳିଥିଲା। ଏହା ପୂର୍ବରୁ ସେ ୨୦୨୧ ମସିହାରେ ପୋଇ ଗାଁ ଝରା ସାହିର ଭୂମିହୀନ ୨୨ ଧିବର ଜାତିର ମତ୍ସ୍ୟଜୀବୀଙ୍କ ସ୍ଥିତିକୁ ନେଇ ରିପୋର୍ଟ ପ୍ରସ୍ତୁତ ପରେ ବସୁନ୍ଧରା ଯୋଜନା ଅନ୍ତର୍ଗତରେ ସେମାନଙ୍କୁ ପଟ୍ଟା ମିଳିଥିଲା। ଏହା ତାଙ୍କୁ ଚର୍ଚିତ କରିଥିଲା। ଭିଡିଓ ଭଲେଣ୍ଟିୟର ଭାବରେ କମ୍ୟୁନିଟି ସାମ୍ବାଦିକତା ଆରମ୍ଭର ମାତ୍ର ସାଢେ ୯ ବର୍ଷ ମଧ୍ୟରେ ଲୋକ ସମସ୍ୟାକୁ ନେଇ ସେ ୩୦୦ରୁ ଅଧିକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେଥିରେ ୨୦୦ଟି ରିପୋର୍ଟ ପରେ ଖବର ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ହୋଇଛି।



ଭିକ ମାଗୁଥିବା ଝିଅ ଅନ୍ୟର ଜୀବନକୁ ବଦଳାଉଛନ୍ତି କେମିତି

ଲୋକଙ୍କ ଜୀବନ ପରିବର୍ତ୍ତନ କରୁଥିବା ଏହି ସାମ୍ବାଦିକାଙ୍କ ଶୈଶବ ଯେ ଭିଗ ମାଗି କଟିଥିଲା ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଏହାକୁ ନେଇ ବିଦେଶିନୀ କହନ୍ତି, ତାଙ୍କ ଜନ୍ମ ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଛତିଶଗଡ଼ର ଏକ ଗାଁରେ ହୋଇଥିଲା। ତାଙ୍କୁ ପ୍ରାୟ ବର୍ଷେ କି ଦୁଇ ବର୍ଷ ହୋଇଥିବା ବେଳେ ବାପା-ମାଙ୍କ ମଧ୍ୟରେ ଝଗଡ଼ା ହୋଇ ମା ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ସମ୍ପର୍କୀୟ ଭାଇଙ୍କ ଘରକୁ ଚାଲି ଆସିଲେ। କିନ୍ତୁ ସେହି ଭାଇ ତାଙ୍କୁ ରଖିଲେ ନାହିଁ। ତେଣୁ ବାଧ୍ୟ ହୋଇ ଗର୍ଭବତୀ ଅବସ୍ଥାରେ ମା ଏବଂ ସେ ନିଜେ ଭିକ ମାଗିବାକୁ ବାଧ୍ୟ ହେଲେ। ବୁଲାବୁଲି ମଧ୍ୟରେ କୁଚିଣ୍ଡା ବ୍ଲକ ଭୋଜପୁର ଗାଁରେ ରହିଲେ। ସେଠି ଏଣେ ତେଣେ କାହା ପିଣ୍ଡାରେ ରହୁଥିଲେତ ଯେଉଁଠି ସୁବିଧା ହେଲା ଖୋଲା ଆକାଶ ତଳେ ଶୋଇ ପଡ଼ୁଥିଲେ। କିଛି ମାସ ପରେ ତାଙ୍କର ଏକ ସାନଭଉଣୀର ଜନ୍ମ ହେଲା। ବିଦେଶିନୀ କହନ୍ତି, ଛୋଟ ପିଲାମାନେ ଭିକ ମାଗିଲେ ଅଧିକ ପଇସା ମିଳେ ବୋଲି ମା ନିଜେ କାମ ନକରି ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ଏହି କାର୍ଯ୍ୟରେ ଲଗାଉଥିଲେ। ଉଭୟ ଭଉଣୀଙ୍କ ଏହି ଅବସ୍ଥା ଦେଖି ସ୍କୁଲରେ ନାମ ଲେଖାଇ ଦେଲେ ଅତି କମରେ ଦୁଇ ଝିଅ ଛୁଆଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ ବୋଲି ଗ୍ରାମବାସୀ ସେମାନଙ୍କୁ ୫ ବର୍ଷ ପୂର୍ବରୁ ଗୋଟିଏ ସରକାରୀ ସ୍କୁଲରେ ନାମ ଲେଖାଇ ଦେଇଥିଲେ। ଏହାପରେ ଉଭୟ କିଛି ବର୍ଷ ପରେ ଭିକ ମାଗିବା ବନ୍ଦ କରି ଘରେ ବାସନ ମାଜିବା କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ପାଠପଢାର ପ୍ରତିଭା ଥିବା ଦେଖି ସ୍କୁଲ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ ଏବଂ ସୁଯୋଗ ମିଳୁଥିଲା। ଏଣେ କିନ୍ତୁ ପରିବାରରେ ଅଶାନ୍ତି ବଢିବାକୁ ଲାଗିଥିଲା। ବିଭିନ୍ନ ସମୟରେ ବାପା ଆସି ତାଙ୍କ ମାଙ୍କ ସହିତ ଗାଳିଗଲୋଜ କରୁଥିଲେ। ଏହାକୁ ନେଇ ବିତୁସ୍ପୃହ ହୋଇ ମାଟ୍ରିକ ପାସ ପରେ ବିଦେଶିନୀ ଘର ଛାଡ଼ି ସମ୍ବଲପୁରରେ ପହଞ୍ଚିଥିଲେ। ସେଠାରେ ଏକ ସାମାଜିକ ସଙ୍ଗଠନରେ କାର୍ଯ୍ୟ କରିଥିଲେ। ସେହି ସାମାଜିକ ସଙ୍ଗଠନ ପକ୍ଷରୁ ପ୍ରଥମେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଏବଂ ପରେ ସୁନ୍ଦରଗଡ଼ କୁନ୍ତୁରାରେ କାର୍ଯ୍ୟ କଲେ। ସେତେବେଳେ କୁନ୍ତୁରାରେ ଏକ ସ୍ପଞ୍ଜ ଆଇରନ କାରଖାନାର ପଟ୍ଟା ଜମି ଅଧିଗ୍ରହଣ ବିରୋଧରେ ଲୋକଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଜନଆନ୍ଦୋଳନର ସାମିଲ ପ୍ରକ୍ରିୟା ମଧ୍ୟରେ ଥରେ କାରଖାନା ଗୁଣ୍ଡାର ଆକ୍ରମଣ ଶିକାର ହୋଇଥିଲେ। ସ୍ଥିତି ଏଭଳି ହେଲା ଯେ ସେହି ସ୍ଥାନ ଛାଡ଼ି ବଣେଇ ଆସି ଆଉ ଏକ ଏନଜିଓ ସହିତ କାର୍ଯ୍ୟ କଲେ। ଖଣ୍ଡାଧାରା ପ୍ରକଳ୍ପ ବିରୋଧରେ ଜନଆନ୍ଦୋଳନ ସାମିଲ ହୋଇ ଓଡ଼ିଶାର ବିଶିଷ୍ଟ ସାମାଜିକ କର୍ମୀ ସଂସ୍ପର୍ଶରେ ଆସିଥିଲେ। ୨୦୧୪ ମସିହାର ପାଖାପାଖି ଗୋଆ ସ୍ଥିତ ସାମାଜିକ ଅନୁଷ୍ଠାନ ପକ୍ଷରୁ ଗୋଷ୍ଠୀ ଗଣମାଧ୍ୟମ ଭିଡିଓ ଭଲେଣ୍ଟିୟର ଆରମ୍ଭ କରାଯାଇ ଥିଲା। ସେମାନେ ସାମ୍ବାଦିକତାରେ ଶିକ୍ଷାପ୍ରାପ୍ତ ବ୍ୟକ୍ତିଙ୍କ ଅପେକ୍ଷା ଆଭ୍ୟନ୍ତରୀଣ ଗାଁରେ ଲୋକଙ୍କ ପାଇଁ କାମ କରୁଥିବା ସାମାଜିକ କର୍ମକର୍ତ୍ତାଙ୍କୁ ବେତନଭୁକ୍ତ ସାମ୍ବାଦିକ ଭାବରେ ନିଯୁକ୍ତିକୁ ପ୍ରାଧାନ୍ୟ ଦେଉଥିଲେ। ସେମାନଙ୍କ ସଂଗୃହୀତ ରିପୋର୍ଟ ନ୍ୟୁଜ ପୋର୍ଟାଲରେ ପ୍ରସାରିତ ହେଉଥିଲା। ବିଦେଶିନୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କୁ ଭିଡିଓ ଭଲେଣ୍ଟିୟର ଭାବରେ ନିଯୁକ୍ତି କରାଯାଇଥିଲା ଯାହା ତାଙ୍କ ଜୀବନର ଦିଶାକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ ମଧ୍ୟ ତାଙ୍କ ସଂଘର୍ଷ ଜାରି ରହିଛି। ଆଗାମୀ ଦିନରେ ଆହୁରି ଭଲ ନ୍ୟୁଜ ଏବଂ ବୃତ୍ତଚିତ୍ର ପ୍ରସ୍ତୁତର ଲକ୍ଷ୍ୟ ରଖିଛନ୍ତି।