ଝିଅଙ୍କୁ ମଶାଣି ମନା
ନର୍ସ, ଗୃହିଣୀ, ସାମ୍ବାଦିକା ଏବଂ ବ୍ୟାଙ୍କ କର୍ମଚାରୀ। ଦିନ ହେଉକି ରାତି। ଯେ କୌଣସି ସମୟ କି ସ୍ଥାନ। କେଉଁ ପରିତ୍ୟକ୍ତ ଜମିରେ ଅନେକ ଦିନର ପୁରୁଣା ଶବ ପଡ଼ି ପଚିଯାଇଛି। ରେଳ ଧାରଣାରେ କ୍ଷତ ବିକ୍ଷତ ମରଶରୀର ବିକ୍ଷିପ୍ତ ହୋଇ ଯାଇଛି। ଯେଉଁଠିକି କେହି ଯାଆନ୍ତି ନାହିଁ ଥରୁଟିଏ ଡାକରାରେ ଏମାନେ ପହଞ୍ଚି ଯାଆନ୍ତି। ବିକଳ୍ପ ରୋଜଗାର ନାହିଁ ବୋଲି ନୁହେଁ ପ୍ରତି ଶବର ସମ୍ମାନ ପାଇବାର ଅଧିକାର ରହିଛି ଏହି ମାନସିକତା ନେଇ। ଏମାନେ ହେଲେ ଜିଏନଏମ ପାଠ ପଢି କୋଲକାତାରେ ଏକଦା ଷ୍ଟାଫ ନର୍ସ ଥିବା ମଧୁସ୍ମିତା ପୃଷ୍ଟି(୩୭), ସ୍ନାତକ ପରେ ବିବାହ କରି ସଂସାର କରିବା ସହିତ ଦୋକାନ କରିଥିବା ସ୍ମିତା ମହାନ୍ତି(୪୩), ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ସ୍ବାଗତିକା ରାଓ(୩୪) ଏବଂ ମହକ ଟିଭିରେ ସାମ୍ବାଦିକ ଭାବରେ କାର୍ଯ୍ୟରତ ସ୍ନେହାଞ୍ଜଳି ସେଠି(୨୮)। ଏହି ମହତ କିମ୍ବା ସାହସିକ କାର୍ଯ୍ୟର ପୁରୋଧାରେ ଅଛନ୍ତି ମଧୁସ୍ମିତା ପୃଷ୍ଟି। କୋଭିଡ ସମୟରେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ହରିଶ୍ଚନ୍ଦ୍ର ସମ୍ମାନ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ ପର ଠାରୁ ରାଜଧାନୀର ଚର୍ଚିତ ଚେହେରା ପାଲଟି ଯାଇଛନ୍ତି।
ସ୍ବାମୀଙ୍କ ସହଯୋଗପାଇଁ ଛାଡ଼ିଲେ ନର୍ସ ଚାକିରି–
ମଧୁସ୍ମିତା କହନ୍ତି, ତାଙ୍କ ସ୍ବାମୀ ପ୍ରଦୀପ ପୃଷ୍ଟି ପ୍ରଦୀପ ସେବା ଟ୍ରଷ୍ଟ ଗଠନ କରି ଶବ ଉଦ୍ଧାର କାର୍ଯ୍ୟ କରନ୍ତି। ଯାହାଙ୍କ କାର୍ଯ୍ୟକୁ ନେଇ ସେ ଆରମ୍ଭରୁହିଁ ଗର୍ବ କରନ୍ତି। ପ୍ରଦୀପ ଟ୍ରଷ୍ଟଟି ନିଜ ଦିବଙ୍ଗତ ସାନ ଭଉଣୀଙ୍କ ସହିତ ଆରମ୍ଭ କରିଥିଲେ। ପ୍ରଥମେ ଅଟୋରିକ୍ସା ଜରିଆରେ ଉଭୟ ଭାଇ, ଭଉଣୀ ମିଶି ଅଚିହ୍ନା ଶବ ଉଦ୍ଧାର ଏବଂ ଅନ୍ତିମ ସଂସ୍କାର କାର୍ଯ୍ୟ କରୁଥିଲେ। ଭଉଣୀଙ୍କ ବିବାହ ପରେ ପ୍ରଦୀପ ଏକୁଟିଆ ସମସ୍ତ କାର୍ଯ୍ୟ କରିବାକୁ ଲାଗିଲେ। ସବୁ ଠିକ ଏବଂ ସ୍ବାଭାବିକ ଚାଲୁଥିଲା। ଅଚାନକ ପ୍ରଦୀପ ଏକ ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ତାଙ୍କୁ ଜଣେ ସହଯୋଗୀଙ୍କ ଆବଶ୍ୟକତା ପଡ଼ିଲା। ବାହାରୁ କାହାକୁ ନିଯୁକ୍ତି କଲେ ଦରକାର ସମୟରେ ଶୀଘ୍ର କେହି ଆସନ୍ତି ନାହିଁ ଏବଂ ହଇରାଣ ମଧ୍ୟ କରନ୍ତି। ତେଣୁ ମଧୁସ୍ମିତା ନିଜ ନିଷ୍ପତ୍ତି ଅନୁସାରେ କୋଲାକାତା ସ୍ଥିତ ଡାକ୍ତରଖାନାରେ କରୁଥିବା ନର୍ସ ଚାକିରି ଛାଡ଼ି ସ୍ବାମୀଙ୍କ ସହଯୋଗୀ ହେଲେ। ଶବ ଉଦ୍ଧାର କାର୍ଯ୍ୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଆରମ୍ଭ ପୂର୍ବରୁ ପ୍ରଦୀପ ତାଙ୍କୁ ଗୁରୁ ଭଳି ଶବ ପ୍ୟାକେକିଂ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଚଳାଇବା ପର୍ଯ୍ୟନ୍ତ ସବୁ ଛୋଟ ବଡ଼ କାର୍ଯ୍ୟର ପ୍ରଶିକ୍ଷଣ ଦେଇଥିଲେ। ମଧୁସ୍ମିତା କହନ୍ତି, ମରଶରୀର ଉଦ୍ଧାର କାର୍ଯ୍ୟ ଭାବିଲେ ଯେତେ ମହତ ଅନୁଭବ ହୁଏ, ବାସ୍ତବିକତା କିନ୍ତୁ ଭିନ୍ନ। ୨୦୧୯ ମସିହାରେ ଦମକଳ ବାହିନୀ ଏବଂ ପ୍ରଦୀପଙ୍କ ସହିତ ପ୍ରଥମେ ଯେତେବେଳେ ଚକେଇସିଆଣି ନିକଟସ୍ଥ କେନାଲର ୩୦ ଫୁଟ ତଳକୁ ଯାଇ ଶବ ଉଦ୍ଧାର କରିବା ବେଳେ ଯେଉଁ କଷ୍ଟ ଅନୁଭବ କରିଥିଲେ ତାର ଯେମିତି ଭାଷା ନାହିଁ। ଶବଟି ପାଣିରେ ପଡ଼ି ଫୁଲି ଯାଇଥିଲା। ତେଣୁ ଟାଣିବା ବହୁତ କଷ୍ଟକର ଥିଲା। ଏଣେ ଦୁର୍ଗନ୍ଧ ସହିତ ଦେହାସାରା ପୋକ ସାଲୁବାଲୁ ହେଉଥିଲା। ଗ୍ଲୋବ୍ସ, ମାସ୍କ ପିନ୍ଧିଥିଲେ ମଧ୍ୟ ପୋକ ଦେହ ଭିତରକୁ ପଶି ଯାଉଥିଲା। ମଧୁସ୍ମିତା କହନ୍ତି, ସେଦିନ ସେ ଶବ ଠାରୁ ଏତେ ଦୁର୍ଗନ୍ଧ ବାହାରୁଥିଲା ଯେ ସେ ସେହି କ୍ଷଣିହିଁ ନିଷ୍ପତ୍ତି ନେଇଯାଇଥିଲେ ଯେ ଏହି କାର୍ଯ୍ୟ ଆଉ କେବେ ମଧ୍ୟ କରିବେ ନାହିଁ। କିନ୍ତୁ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶବ ଉଦ୍ଧାର କରିବା ସହିତ ତାଙ୍କୁ ବାନ୍ଧି ବ୍ୟବଚ୍ଛେଦ କେନ୍ଦ୍ରକୁ ନେବା ସହିତ ଅନ୍ତିମ ସଂସ୍କାର କରିବା ପରେ ଯେଉଁ ପ୍ରଶଂସା ମିଳିଥିଲା ତାପରେ ଯେମିତି ମନୋବଳ କାହିଁରେକେତେ ବଢି ଯାଇଥିଲା। ଏହାପରେ ଯେତେ ଥର ପାର୍ଥିବ ଶରୀର ଉଦ୍ଧାର ବେଳକୁ ଏହି କାର୍ଯ୍ୟ ଛାଡ଼ି ଦେବାର ଭାବନା ଆସେ ପାଣିରେ ଦେହ ଧୋଇବା ସହିତ ସେହି ଭାବନା ମଧ୍ୟ ଧୋଇ ହୋଇଯାଏ। ସେହି ଦିନ ଠାରୁ ୨୦୨୧ ମସିହା ଅର୍ଥାତ ୨ ବର୍ଷ ମଧ୍ୟରେ ମଧୁସ୍ମିତା ୩୦୦ ପରିତ୍ୟକ୍ତ ଶବ ଉଦ୍ଧାର ସହିତ ତାର ଅନ୍ତିମ ସଂସ୍କାର କରିଛନ୍ତି। ଏହି ସମୟରେ କେତେବେଳେ ଏକୁଟିଆତ କେତେବେଳେ ସ୍ବାମୀଙ୍କ ସହିତ ମିଶି କାର୍ଯ୍ୟ କରିଛନ୍ତି। ଆମ୍ବୁଲାନ୍ସ ଚଳାଇ ନିଜେ ଶବମାନଙ୍କୁ ଡାକ୍ତରଖାନା, ମଶାଣି କି ସେମାନଙ୍କ ପରିବାର ପାଖକୁ ନେଇଛନ୍ତି। ୨୦୨୧ ମସିହା କୋଭିଡ ସମୟରେ ସେମାନଙ୍କୁ ଭରତପୁର ମଶାଣି ପରିଚାଳନା ଦାୟିତ୍ବ ମିଳିଥିଲା। ମେ, ଜୁନ ମାସର ଖରାରେ ପିପିକିଟ ପିନ୍ଧି ମରଶରୀରଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ଖୁବ ଚ୍ୟାଲେଞ୍ଜିଂ ଥିବା କହନ୍ତି ମଧୁସ୍ମିତା। ପ୍ରତିଦିନ ଅନେକ ସଂଖ୍ୟାରେ ମୃତଶରୀର ମଶାଣି ଆସୁଥିଲା। ସେହି ସମୟରେ ସେ ସମ୍ପର୍କର ଅନେକ ଦିଗ ଦେଖିଛନ୍ତି। ଯେଉଁଠି ସେମାନେ କୋଭିଡ ମରଶରୀର ଅନ୍ତିମସଂସ୍କାର ବେଳକୁ ମାନବିକତାର ପ୍ରାଧାନ୍ୟ ଦେଉଥିଲେ ଅନେକ ପରିଜନ ପିପିକିଟ ପିନ୍ଧି ମଧ୍ୟ ମୁଖାଗ୍ନି ଦେବାକୁ ଭୟ କରୁଥିଲେ। ଅନେକ ମୁହଁ ମଧ୍ୟ ଦେଖୁନଥିଲେ। ଲେଖକ ଅଜିତ ବୀରଙ୍କ ମରଶରୀର ଉଦ୍ଧାର କିନ୍ତୁ ତାଙ୍କ ପାଇଁ ସ୍ମରଣୀୟ ଘଟଣା ବୋଲି କହନ୍ତି ମଧୁସ୍ମିତା। ଭୀମ ଟାଙ୍ଗିରେ ରହୁଥିବା ଅଜିତ ବୀର ଅନେକ ପ୍ରସିଦ୍ଧି ବହିର ଲେଖକ। ସେ ଅବିବାହିତ ଥିବାରୁ ଏକୁଟିଆ ରହୁଥିଲେ। ତାଙ୍କ ଘର ନିକଟସ୍ଥ କୂଆଁରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ଦେଖି ଜାଣିବାକୁ ପାଇଥିଲେ ଯେ କାହାର ମୃତ ଦେହ ପଡ଼ିଛି। ସେ ୪୦ ଫୁଟ ତଳକୁ ଯାଇ ଉଠାଇବା ବେଳକୁ ଜାଣିଲେ ଏହା ଜଣେ ସାଧାରଣ ବ୍ୟକ୍ତି ନୁହେଁ ବରଂ ଜଣେ ବହୁତ ବଡ଼ ଲେଖକଙ୍କ ମରଶରୀର। ପରିବାରଙ୍କୁ ତାଙ୍କ ମୃତ୍ୟୁ ଖବର ଦିଆଯିବା ପରେ ତାଙ୍କ ଭଉଣୀ, ଭିଣେଇ ଆସିଥିଲେ।
ହାତମିଳାଇଲେଆଉ୩–
ମଧୁସ୍ମିତାଙ୍କ ଜୀବନର ଆଉ ଏକ ସକରାତ୍ମକ ଦିଗ ହେଲା, ଶବଙ୍କୁ ସମ୍ମାନର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଯେତେବେଳେ ସହଯୋଗୀଙ୍କ ଆବଶ୍ୟକ ହେଲା ସେ ନିଜ ଭଳି ଆଉ ୩ ଜଣ ମହିଳାଙ୍କୁହିଁ ବାଛିଥିଲେ। ଟିମର ସ୍ମିତା ମହାନ୍ତି କହନ୍ତି, ତାଙ୍କ ଭାଇ ବାହାରକୁ ଯାଇଥିବାବେଳେ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଖବର ପାଇ ଗଲାବେଳକୁ ଭାଇଙ୍କ ଅନ୍ତିମ ସଂସ୍କାର ହୋଇ ସାରିଥିଲା। ଅସମୟରେ ଭାଇର ମୃତ୍ୟୁର ଦୁଃଖତ ସବୁବେଳେ ରହିବ କିନ୍ତୁ ତାଙ୍କର ଅନ୍ତିମ ଦର୍ଶନ ନକରିବାର ଅବଶୋଷ ଆଜି ପର୍ଯ୍ୟନ୍ତ ରହି ଆସିଛି। ତେଣୁ ଯେତେବେଳେ ମଧୁସ୍ମିତା ତାଙ୍କ ସହିତ ଯୋଡ଼ି ହେବାକୁ କହିଥିଲେ ସେ ମନା କରିପାରିନଥିବା କହନ୍ତି ସ୍ମିତା। ସେ ଗୃହିଣୀ ହେବା ସହିତ ଦୋକାନ ରହିଛି। ତେଣୁ କାର୍ଯ୍ୟ ଏତେ ସହଜ ନୁହେଁ ସତ କିନ୍ତୁ ସ୍ବାମୀ ଏବଂ ପରିବାରର ସହଯୋଗ ଯୋଗୁଁ ସବୁ କିଛି ସମ୍ଭବ ହୋଇ ପାରିଛି। ସ୍ବାଗତିକାଙ୍କ କାହାଣୀ ଏମାନଙ୍କ ଠାରୁ ଭିନ୍ନ। ତାଙ୍କ ଜେଜେମା ଏବଂ କକେଇଙ୍କ ମୃତ୍ୟୁ ବେଳକୁ ଅନ୍ତିମ ବିଦାୟ ଦେବା ପାଇଁ ଯେତେ ଥର ମଶାଣି ଯାଇଛନ୍ତି ଫେରିବା ପରେ ତାଙ୍କୁ ଜ୍ବର ହୋଇଯାଏ। ସେ ଭୟ ପାଇଯାଆନ୍ତି। କିନ୍ତୁ ସେ ଭୟକୁ ଜୟ କରି ସ୍ବାଗତିକା ବର୍ତ୍ତମାନ ଅନେକ ପରିତ୍ୟକ୍ତ ମୃତଶରୀର ଉଦ୍ଧାର ସହିତ ଅନ୍ତିମ ସଂସ୍କାର କରୁଛନ୍ତି। ଦିନେ ଯେଉଁ ମଶାଣିକୁ ଥରେ ଗଲେ ତାଙ୍କୁ ଜ୍ବର ହେଉଥିଲା ଆଜି ମାସର ଅଧିକାଂଶ ଦିନ ମଶାଣିରେ ତାଙ୍କ ଦିନ କଟୁଛି। ଏହି ଟିମର ସର୍ବକନିଷ୍ଠ ସଦସ୍ୟ ସ୍ନେହାଞ୍ଜଳି ବ୍ୟକ୍ତିଗତ ଜୀବନର ସଂଘର୍ଷକୁ ଅତିକ୍ରମ କରି ସମାଜ ପାଇଁ କିଛି କରିବା ଉଦେଶ୍ୟରେ ଏହି ଟିମ ସହିତ ଯୋଡ଼ି ହୋଇଥିବା କହନ୍ତି। ତମାଣ୍ଡୋ ସ୍ଥିତ ଜମିରୁ ୩୫ ବର୍ଷିୟ ଯୁବକଙ୍କ ମରଶରୀର ଉଦ୍ଧାର ପାଇଁ ନଦୀ ଅତିକ୍ରମ ସହିତ ୭ କିଲୋମିଟର ଚାଲିକି ଯିବା ପରେ ଯେଉଁ ଅବସ୍ଥାରେ ସେ ପାର୍ଥିବ ଶରୀର ଦେଖିଥିଲେ କେମିତି ଜୀବନ ପ୍ରତି ମୋହ ସମାପ୍ତ ହୋଇଯାଇଥିବା ଭଳି ମନେ ହୋଇଥିବା କହନ୍ତି ସ୍ନହାଞ୍ଜଳି।
ବାହାନଗାରେଳଦୁର୍ଘଟଣାଉଦ୍ଧାରକାର୍ଯ୍ୟରେସାମିଲ–
ସ୍ନେହାଞ୍ଜଳି କହନ୍ତି, ୬ ମାସ ହେଲା ଅଧିକାଂଶ ଦିନ ମରଶରୀର ଉଦ୍ଧାର କାର୍ଯ୍ୟ କରୁଛନ୍ତି। କିନ୍ତୁ ବାହାନଗା ରେଳ ଦୁର୍ଘଟଣା ମୃତକ ଏବଂ ଆହତଙ୍କ ଉଦ୍ଧାର କରିବା ମନକୁ ଭାରାକ୍ରାନ୍ତ କରି ଦେଇଥିଲା। ଶୁକ୍ରବାର ସଂଧ୍ୟାରେ ଯେତେବେଳେ ବାହାନଗା ରେଳ ଦୁର୍ଘଟଣା ଖବର ଶୁଣିଲେ ଭୁବନେଶ୍ବରରୁ ଏହି ମହିଳା ଦଳ ବାହାରି ଯାଇଥିଲେ ବାଲେଶ୍ବର। ଯେତେବେଳେ ସେମାନେ ବାହାନଗା ପହଞ୍ଚିଥିଲେ ଚତୁପାର୍ଶ୍ବରେ ଖଣ୍ଡବିଖଣ୍ଡିତ ଶରୀର। ଲୋକଙ୍କ ଆର୍ତ ଚିତ୍କାର ଭିତରେ ସେ ଯେମିତି ନିଜ ଭିତରେ ଶୂନ୍ୟତାର ଅନୁଭବ କରିଥିଲେ। କେମିତି ଉଦ୍ଧାର କରିବେ କଣ କରିବେ ଜାଣି ପାରୁନଥିଲେ। କିନ୍ତୁ କେମିତି କେଜାଣି ସମସ୍ତେ ଏକାଠି ଜଣେ ପରେ ଜଣେ ମୃତ ଏବଂ ଆହତଙ୍କୁ ଉଦ୍ଧାର କରିବାକୁ ଲାଗିଲେ। ଏହି ସମୟରେ ଏଭଳି ଜଣେ ମହିଳାଙ୍କୁ ଦେଖିଲେ ଯାହାଙ୍କ ଶରୀରର ଅଧା ଅଂଶ ବାହାରେ ଏବଂ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ରେଳ ବଗି ତଳେ ଥିଲା। ସେମାନେ ଦେଖିପାରି ତାଙ୍କୁ ଉଦ୍ଧାର କରିବା ପାଇଁ ବାହାରିବାରୁ ସମ୍ଭବ ହେଲା ନାହିଁ। ଅନ୍ୟ ଲୋକଙ୍କ ସହଯୋଗରେ ପ୍ରାୟ ୧ଘଣ୍ଟା ୪୫ ମିନିଟ ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ଶବ ବାହାର କରୁ କରୁ ଉଷୁମ ହାତର ଅନୁଭବ କରିଥିଲେ। ଦେଖିବା ବେଳକୁ ଥିଲେ ୧୨ ବର୍ଷିୟ ଦେବାଶିଷ ପାତ୍ର। ୭ଟି ଶବ ତଳେ ସେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ପରେ ଟ୍ରେନର ରୋଷେଇୟାଙ୍କ ଶରୀରରେ ଗରମ ତେଲ ପଡ଼ି ଯାଇଥିଲା। ସେମାନଙ୍କ ଟିମ ଏହି ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥିତ ବଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ।
ମଧୁସ୍ମିତା, ସ୍ମିତା, ସ୍ବାଗତିକା ଏବଂ ସ୍ନେହାଞ୍ଜଳି। କେବଳ ୪ଟି ନାଁ ନୁହଁନ୍ତି ମହିଳାଙ୍କୁ ପ୍ରତି ରହିଥିବା ସମାଜର ଭ୍ରାନ୍ତ ଧାରଣାର ଏକ ପ୍ରମାଣ। ଏହା ସତ୍ତ୍ବେ ସମାଜର ମହିଳା ବିରୋଧୀ ଋଢିବାଦୀ ବିଚାରର ସେଭଳି ପରିବର୍ତ୍ତନ ହେଉ ନାହିଁ ଯେଉଁଭଳି ହେବା ଉଚିତ। ପ୍ରତିଦିନ ସମାଜ ନୂତନ ସଂଘର୍ଷ ଏବଂ ପ୍ରତିବନ୍ଧକକୁ ମହିଳା ବିରୋଧରେ ଛିଡ଼ା କରାଇ ଦେଉଛନ୍ତି। କେବେ ଏକ ଲିଙ୍ଗ ଭେଦମୁକ୍ତ ସମାଜ ହେବ ତାକୁହିଁ ଅପେକ୍ଷା।
ଜେଜେ ମାଙ୍କ ଅଚାନକ ମୃତ୍ୟୁରେ ୧୧ ବର୍ଷିୟା କୁନି ମଧୁସ୍ମିତା ଯେତେବେଳେ ଶବ ପଛେ ଯିବା ଆରମ୍ଭ କଲେ ଏହିଭଳି କିଛି ତାଗିଦ କରି ତାଙ୍କୁ ଅଟକାଇ ଦେଇଥିଲେ ପରିବାର। ଝିଅ ବୋଲି ନିଜ ଜେଜେ ମାଙ୍କ ସହିତ ମଶାଣି ଯାଇ ପାରିନଥିବା ମଧୁସ୍ମିତା ପ୍ରତିଦିନ ମଶାଣିରେ କେତେ ଯେ ଅସହାୟ ଶବଙ୍କ ଆତ୍ମୀୟ ହେଉଛନ୍ତି ତାର ହିସାବ ନାହିଁ। କେବଳ ଅନ୍ତିମ ସଂସ୍କାର କରି ସମ୍ପର୍କୀୟ ହେଉ ନାହାନ୍ତି