ଅବିଭକ୍ତ କଳାହାଣ୍ଡି ଆଉ ଆଜିର ନୁଆପଡ଼ା ଜିଲ୍ଲା ମାନିଗୁଡ଼ାର ଅଟନ୍ତି ବିଶିଷ୍ଟ ସାହିତ୍ୟିକ ବାସୁଦେବ ସୁନାନୀ। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଏବଂ ପଶୁପାଳନ ବିଭାଗର ବରିଷ୍ଠ ଅଧିକାରୀ। ତାଙ୍କ ଜନ୍ମ ଏଭଳି ଏକ ଗାଁରେ ହୋଇଥିଲା ଯେଉଁଠି ୭୦ ପ୍ରତିଶତଙ୍କ ଘରେ ସଂଧ୍ୟାରେ ଚୁଲି ଜଳୁନଥିଲା। କିନ୍ତୁ ଆଜି ତାଙ୍କ ସାହିତ୍ୟକୁ ନେଇ ଲୋକେ ପିଏଚଡି କରୁଛନ୍ତି।
୧. ଆପଣଙ୍କର ଛୁଆ ବେଳ ଏବଂ ଗାଁ ବିଷୟରେ କୁହନ୍ତୁ
– ଛୁଆ ବେଳଟା ଭୋକର ଗୋଟିଏ ଭୟଙ୍କର ତାଡ଼ନା ଭିତରେ କଟିଥିଲା। ଖାଲି ଆମ ଘର ନୁହେଁ ଆମର ଗାଁର ବୋଧେ ୭୦ ଶତକଡ଼ା ଙ୍କର ଘରେ ସଞ୍ଜ ବେଲେ ନିଆଁ ଜଳୁ ନଥିଲା। ଅଜା ଚୌକିଦାର ଥିଲେ। ଇଂରେଜ ଅମଳରେ ରାୟପୁରରୁ ସେଥିପାଇଁ ପ୍ରଶିକ୍ଷଣ ନେଇଥିଲେ। ବାପା ଗୁରୁବାରୀ ସୁନାନୀ ମଧ୍ୟ ଛୋଟ ଚାଷୀ ହେବା ସହିତ ଚୌକିଦାର ଥିଲେ। ଭଲ ମହୁରି ବଜାଉଥିବାରୁ ତାଙ୍କ ନାଁ ମହୁରିଆ ଭାବରେ ଗଣା ଯାଉଥିଲା। ମା ଜାଇଫୁଲ ଦେଇ ନିରକ୍ଷର ଥିଲେ। ଗାଁରେ ଖାଲି ଜଣଙ୍କୁ ଛାଡ଼ି ଦେଲେ ସମସ୍ତଙ୍କ ଖପର ଘର ଥିଲା। ସେତେବେଳେ କୌଣସି ଘରର ମହିଳା ଯଦି ଅନ୍ୟ ଘରକୁ ନିଆଁ ମାଗିବା ପାଇଁ ଯାଉଥିଲା ତ ଆମେ ବୁଝୁଥିଲୁଁ ତାଙ୍କର ଘରେ ଚୁଲି ଜଳିଲା। । ଅଧିକାଂଶ ବ୍ୟକ୍ତି ଜଙ୍ଗଲରୁ ବାଉଁଶ ଆଣି ସିଝେଇ କି ଖାଉଥିଲେ। ମହୁଲ, ମାଣ୍ଡିଆ, ପେଜ, ଗୁର୍ଜି ଆଦି ଖାଉଥିଲେ। ଜମି ଅସମତଳ ଥିଲା। ଜଳସେଚନରତ ପ୍ରଶ୍ନହିଁ ନଥିଲା। ଆମ ଘର ନିକଟରେ ଗୋଟିଏ ବନ୍ଧ ଥିଲା। ଗଣାପଡ଼ାର ଲୋକମାନେ ସେହି ବନ୍ଧ ପାଣିରେ ଚଳୁଥିଲେ। ଯେଉଁ ପାଣି ପିଉଥିଲେ ସେଥିରେ ଶୌଚ ହେଉଥିଲେ। ପଶୁ, ମଣିଷ ଏକାକାର ହୋଇ ସ୍ନାନ କରୁଥିଲେ। ପଡ଼ାର ଅନ୍ୟ ଜାତିର ଲୋକମାନଙ୍କ ପାଖରେ ଚୁଆଁ ଥିଲା। ଛୁଆଁ-ଅଛୁଆଁ ଭେଦଭାବ ଥିବାରୁ ସେହି ଚୁଆଁ ପାଣିକୁ ଗଣାପଡ଼ାର ଲୋକମାନେ ପିଇ ପାରୁନଥିଲେ। ଗଣାପଡ଼ାର ଆଉ ଗୁଟେ ସମସ୍ୟା ଥିଲା, ଖରା ଦିନେ ଆମ ବନ୍ଧ ପାଣି ଶୁଖିଗଲେ ଗାଁର ଅନ୍ୟ ଲୋକମାନେ ସେଠୁ ମାଛ ଧରୁଥିଲେ। ସେଥିପାଇଁ ବନ୍ଧ ପାଣି ପ୍ରଦୂଷିତ ହୋଇ ଯାଉଥିଲା। ପାଣିକୁ ଠିକ ହେବା ପାଇଁ ଦିନେ-ଦୁଇ ଦିନ ଲାଗି ଯାଉଥିଲା।
୨. ଏଭଳି ସ୍ଥିତିରେ ପାଠ କେମିତି ପଢିଲେ
ମୋ ବାପା ପାଠ ପଢିନଥିଲେ କିନ୍ତୁ ଗୁହାଳ ପାଠ ପଢିଥିଲେ। ରାମାୟଣ, ମହାଭାରତ ପଢିପାରୁଥିଲେ। ପଢାକୁ ନେଇ ତାଙ୍କ ମଧ୍ୟରେ ଏମିତି ଚେତନା ଥିଲା ଯେ ଗାଁର ଅନ୍ୟମାନଙ୍କୁବି ପଢାଉଥିଲେ। ସେଥିପାଇଁ ଆମେ ସବୁ ଭାଇ, ଭଉଣୀ ପଢିଲୁ। ୟୁପି ସ୍କୁଲରେ ପଢିବା ପାଇଁ ଖାଲି ଗୋଡ଼ରେ ଜଙ୍ଗଲ ବାଟ ଦେଇ ଅନ୍ୟ ପିଲା ମାନଙ୍କର ସହିତ ତରବୋଡ଼ ସ୍କୁଲକୁ ଯିବାକୁ ପଡ଼ୁଥିଲା। କିନ୍ତୁ ଦୁଇ ବର୍ଷ ମଧ୍ୟରେ ସମସ୍ତେ ପାଠ ଛାଡ଼ିଦେଲେ କେବଳ ମୁଁ ଏକୁଟିଆ ପଢିଲି। ସଂଧ୍ୟାରେ ଘରକୁ ଫେରିବା ପରେ ପେଜ, ତୋରାଣି ପିଉଥିଲୁଁ। ଘଞ୍ଚ ଅରଣ୍ୟ ଦେଇ ଆସିବା ବେଳକୁ ମାଙ୍କଡ଼, କୋକିସିଆଳି ସହିତ ଭେଟ ହେଉଥିଲା। ଆଜି ସେ ଜଙ୍ଗଲ ପଦା ହେଇ ଗଲାଣି। ଏହାପରେ ୯୦ କିଲୋମିଟର ଦୂର ଖରିଆରର ବୋଡ଼େନ ସ୍ଥିତ ଏସସିଏସଟି ଓ୍ବେଲ ଫେୟାର ସ୍କୁଲ ହଷ୍ଟେଲ ରେ ରହିକି ୧୧ କ୍ଲାସ ପର୍ଯ୍ୟନ୍ତ ପଢିଥିଲି। ସେଠି ରହିବା ଏବଂ ଖାଇବା ଅତି ଭୟଙ୍କର ଥିଲା। ପେଜୁଆ ଭାତ, ହଳଦିଆ ପାଣିର ଡାଲି ଦିଆଯାଉ ଥିଲା। ମାସ-ମାସ ଧରି ମସିଣା ସଫା ହେଉ ନଥିଲା। ହଷ୍ଟେଲ ପାଖ ବନ୍ଧ ରେ ପିଲା ଗାଧାଉଥିବାରୁ ପିଲାଙ୍କୁ କାଛୁ, କୁଣ୍ଡିଆ ହେଉଥିଲା। ଭିଟାମିନ ଅଭାବ ଯୋଗୁଁ ଅନେକ ପିଲା ଅନ୍ଧାରକଣା ରୋଗର ଶିକାର ହଉଥିଲେ। ମତେବି ଅନ୍ଧାରକଣା ହୋଇଥିଲା। ସେତେବେଳେ ମେଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୫ ଜଣ ଏସସି, ଏସଟି ପିଲାଙ୍କୁ ବୃତ୍ତି ଦିଆଯାଉ ଥିଲା। ୧୯୮୧ ମସିହାରେ ମତେ ୫ ହଜାର ଟଙ୍କା ମିଲିଥିଲା। ତା ପରେ ଭବାନୀପାଟନା କଲେଜରେ ପଢିଲି। ସେଠି ଗଣିତ ପଢାଇବା ପାଇଁ ଅଧ୍ୟାପକ ନଥିଲେ। ସେଥିପାଇଁ ଆମେ ସବୁ ଜୀବ ବିଜ୍ଞାନ ପଢିଲୁଁ। ପ୍ଲସ ଟୁ ପଢିବା ବେଳେ ଓୟୁଏଟି ପରୀକ୍ଷା ଦେଇଥିଲେ ମଧ୍ୟ ଡାକ୍ତର ହେବା ପାଇଁ ପ୍ରସ୍ତୁତ ହଉଥିଲି। ଯୁକ୍ତ ଦୁଇ ସରିବା ପରେ ଗାଁକୁ ଚାଲି ଆସିଲି। ଆମ ଗାଁକୁ ପେପର ଆସୁନଥିଲା କି କମ୍ୟୁନିକେସନ ସୁବିଧା ନଥିଲା। ତେଣୁ କେତେବେଳେ ମେଡିକାଲ ପ୍ରବେଶିକା ପରୀକ୍ଷା ହୋଇଗଲା ଯେ ଜଣା ପଡ଼ିଲା ନାହିଁ। ଯେତେ ବେଳକୁ ଜାଣିଲି ବହୁତ ଡେରି ହୋଇ ଯାଇଥିଲା। ଆଜିବି ସେହି କଥା ସବୁ ମନେ ପକାଇଲେ ଦୁଃଖ ଲାଗେ। ତେଣୁ ଭୁବନେଶ୍ବର ଓୟୁଏଟିରେ ଆଡମିସନ କଲି। ମୋର ବଡ଼ ଭାଇ ସେତେବେଳେ ତହସିଲ ଅଫିସରେ ପିଅନ ଥିଲେ, ତାଙ୍କରି ଯୋଗୁଁହିଁ ପଢି ପାରିଛି। ମୋ ବାପା କିନ୍ତୁ ଗୋଟିଏ କଥା କହୁଥିଲେ, ତୁମେ ଯାହାବି କରୁଛ ସବୁ କାମ ଠିକ ଠିକ କର। ଆଜି ପର୍ଯ୍ୟନ୍ତ ବାପାଙ୍କ ସେହି ପରାମର୍ଶକୁ ମାନିଛି।
୩. ଏତେ ଛୋଟ ଗାଁ ରୁ ଆସି ଏତେ ବଡ଼ ସାହିତ୍ୟିକ କେମିତି ହେଲେ। ଆପଣଙ୍କର ସାହିତ୍ୟର ଚରିତ୍ର ସବୁ ସାଧାରଣ ମଣିଷ।
– ମୋର ଗୋଟିଏ ବହିର ନାଁ ‘ଭାତ୍ ଖୋଜୁଖୋଜୁ’। ତାର ନାୟକ ଅନାଟନ ଧାନ ଚୋରି କରି ଯିବା ବେଳକୁ ଧରା ପଡ଼ିଥିଲେ। ମୋର ସାହିତ୍ୟର ସବୁ ଚରିତ୍ର ପ୍ରତ୍ୟକ୍ଷ ଅଟନ୍ତି। ନାଁ ବଦଳିଯାଇପାରେ କିନ୍ତୁ ସବୁ ଚରିତ୍ରମାନଙ୍କର ସହିତ ମୁଁ ଖେଳିଛି ଏବଂ କଥା ହେଇଛି। ମୋ ସମ୍ମୁଖରେ ଏତେ ଘଟଣା ଘଟିଛି ଯେ ସବୁକୁ ମୁଁ ଲେଖି ପାରେ ନାହିଁ। ଆଉ ଅଧିକ କଣ କଳ୍ପନା କରିବି। ପ୍ରକୃତରେ ଆମ ଗାଁ ଏବଂ ଅଞ୍ଚଳରେ ଯେଉଁଭଳି ଭୋକର ତାଡ଼ନା ଥିଲା, ତାର ପ୍ରଭାବ ମୋର ସାହିତ୍ୟରେ ଆପଣମାନେ ଦେଖିବେ। ଛୁଆ ବେଳେ କବି କହିଲେ କେହି ଜଣେ ଅଦ୍ଭୁତ ପ୍ରାଣୀ ବୋଲି ଭାବୁଥିଲି। ବୋର୍ଡନ ହାଇସ୍କୁଲରେ ନବମ ପଢିବା ବେଳେହିଁ ଶିକ୍ଷକ ତପନ ପଟନାୟକ କବିର ପ୍ରକୃତ ସଜ୍ଞା କହିଥିଲେ। ଦିନେ ସେ ଆମ କ୍ଲାସରେ ଆସିକି ଘୋଷଣା କଲେ ଯେ ‘ବାର୍ଷିକ ଉତ୍ସବ ପାଇଁ ପତ୍ରିକା ପ୍ରକାଶିତ ହେବ ତେଣୁ ସମସ୍ତେ ଗୀତ ଏବଂ କବିତା ଦେବେ। ସେହି ସମୟରେ ମୁଁ ତତକ୍ଷଣାତ ଛିଡ଼ା ହୋଇ କହିଲି ଯଦି ଆମର ମାଗାଜିନ ବାହାରିବ ତେବେ ଆମକୁ ଜଣେ କବିଙ୍କୁ ଠାବ କରିବାକୁ ହେବ ଏବଂ ତାଙ୍କ ଠାରୁ ଲେଖା ଆଣିବାକୁ ହେବ। ଏହା ଶୁଣି ସାଙ୍ଗ, ସାଥୀ ସମସ୍ତେ ଖୁବ ହସିଥିଲେ କିନ୍ତୁ ଶିକ୍ଷକ ବୁଝାଇ ଦେଇଥିଲେ ଯେ କବି କେହି ବାହାରିଆ ବ୍ୟକ୍ତି ନୁହନ୍ତି, ସମସ୍ତଙ୍କ ଭିତରେହିଁ କବି ଥାଆନ୍ତି। ସେଦିନ ପ୍ରଥମ ଥର ପାଇଁ ରାତି ସାରା କବିତା ଲେଖିଥିଲି। ମାଟ୍ରିକରୁ ଓୟୁଏଟି ପଢିବା ମଧ୍ୟରେ ଭଜନ, କବିତା, ଉପନ୍ୟାସ ସମେତ ଅନେକ ଗପ, କବିତା ଏବଂ ସାହିତ୍ୟ ରଚନା କଲି। ଆଜି ଦେଖଲେ ଲାଗୁଛି ଯେ ଟିକେ ଗାଇଡେନ୍ସର ଅଭାବ ଯୋଗୁଁ ତାର ମାନ ଏତେ ଉନ୍ନତ ନଥିଲା। ମୋର ପ୍ରଥମ କବିତା ସମ୍ବାଦରେ ପ୍ରକାଶିତ ହୋଇଥିଲା। ୧୯୮୫ ମସିହାରେ ଫାନସ ଫୁଂଜି, ବନିତା ଆଦି ପ୍ରସଙ୍ଗ କୁ ମିଶାଇ ୧୯ଟି କବିତା ଲେଖିଥିଲି। ଆଉ ତାର ନାଁ ଦେଇଥିଲି କଳାହାଣ୍ଡି। ସମ୍ବଲପୁରରୁ ପ୍ରକାଶିତ ସମ୍ବାଦପତ୍ର ହୀରାଖଣ୍ଡରେ କଳାହାଣ୍ଡିର ଅନ୍ଧାରୀ ବଳୟ ନାଁରେ ପ୍ରକାଶିତ ହେଇଥିଲା। ଜଣେ ଅନାମଧେୟ ବ୍ୟକ୍ତିଙ୍କ ନାଁରେ ଗୋଟିଏ ପୃଷ୍ଠା କବିତା ପ୍ରକାଶିତ ହେବା ନେଇ ସହସମ୍ପାଦକ ଆଉ କବି କୁମାର ହସନଙ୍କୁ ଆକ୍ରୋଶର ଶିକାର ହେବା ପଡ଼ିଥିଲା। ସେତେବେଳେ ମୁଁ କୁମାର ହସନଙ୍କୁ ଚିହ୍ନି ନଥିଲି କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଚିନ୍ତନ ମତେ ପରିପୃଷ୍ଟ କରିଥିଲା।
୪. ଆପଣ ଦୁଇଟି ଉପନ୍ୟାସ ପଡ଼ା ପୋଡ଼ି ଏବଂ ମଶାଣି ସହର ଦିଲ୍ଲୀ କାହିଁକି ଲେଖିଲେ। ବାକି ଚର୍ଚିତ କବିତା ବିଷୟରେ କୁହନ୍ତୁ।
– ୨୦୧୨ ମସିହା ଜାନୁଆରି ୨୧ ତାରିଖ। ସମଗ୍ର ଓଡ଼ିଶାରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଚାଲିଥିଲା। ସେହି ସମୟରେ ସାଧାରଣ ଗେଞ୍ଜି କିଣାକୁ ନେଇ ବଲାଙ୍ଗୀର ଜିଲ୍ଲା ଲାଠୋରର ୩୮ ଅନୁସୂଚିତ ଜାତି ଘରକୁ ଜାଳି ଦିଆଯାଇ ଥିଲା। ବୁଢିଆଣୀ ଜାଲକୁ ମଧ୍ୟ ସଫା କରିବା ପାଇଁ ଖରାପ ଲାଗେ କିନ୍ତୁ ଗୋଟିଏ ନିର୍ଦିଷ୍ଟ ଜାତିର ହୋଇଥିବାରୁ ନିଜ ପଡ଼ୋଶୀଙ୍କ ଘର କେମିତି ଜାଳି ଦେଲେ ତାହା ଭାବୁଥିଲି। ଜାତି ସତରେ କେତେ ଭୟଙ୍କର ଜିନିଷ। ମୁଁ ବାରମ୍ବାର ସେ ଗାଁକୁ ଯାଇଛି, ବୁଲିଛି, କଥା ହୋଇଛି ଏବଂ ଦୁଃଖିତ ମଧ୍ୟ ହୋଇଛି। ସେହି ଘଟଣାର ସୋସିଓଲୋଜି, ଆନ୍ଥ୍ରୋପୋଲୋଜି, ରାଜନୈତିକ ଦଷ୍ଟିଭଙ୍ଗୀ, ଜାତିବାଦ କଥାକୁ ନେଇ ପଡ଼ା ପୋଡ଼ି ଲେଖା ଯାଇଛି। ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଦିଲ୍ଲୀରେ କାର୍ଯ୍ୟ କଲାବେଲକେ ପ୍ରତି ଶନିବାର, ରବିବାର ବସ୍ତି ଅଞ୍ଚଳ ବୁଲୁଥିଲି। ଯୌନ ନିର୍ଯାତନାର ଶିକାର ହେଇଥିବା ଘରୋଇ କର୍ମଚାରୀ, ମହିଳା ସଫେଇ କର୍ମଚାରୀ, ସେଲ୍ସ ମେନ, ଅଟୋରିକ୍ସା ଚାଳକ ସମେତ ଅନେକ ଲୋକଙ୍କୁ ଭେଟିଛି, ତାଙ୍କ ଜୀବନକୁ ନେଇ ୬-୭ ମାସ ଧରି ଆଲୋଚନା କରିଛି। ଥରେ ଜୋତା ସଜାଡ଼ି ବା ବେଳେ ରାଏବରେଲିରୁ ଆସିଥିବା ଜଣେ ଚମାରଙ୍କ ସହିତ ଭେଟ ପଡ଼ିଥିଲି। ଜାତିଗତ କାରଣରୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇ ଥିବା କହିଥିଲି। ସେଇ ସବୁ କାହାଣୀକୁ ନେଇ ଲେଖା ହେଲା ‘ମଶାଣିର ସହର ଦିଲ୍ଲୀ’। ମୋର ଗୋଟିଏ କବିତା ଅଛି ସେଠି ଲେଖା ଅଛି ସାଙ୍ଗିଆ ନ ରହୁ। ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଜାମିଆମିଲିୟା, ବେଙ୍ଗାଲୁରୁ, ୟୁନିଭର୍ସିଟି ଅଫ ମୁମ୍ବାଇ ସମେତ ୮-୧୦ଟା ବିଶ୍ବବିଦ୍ୟାଳୟର ପାଠ୍ୟକ୍ରମ ରହିଛି। ପ୍ରକୃତରେ ଜେପି ଦାସ ମୋର ଲେଖାର ଅନୁବାଦ କରିବା ପରେହିଁ ମୋର ଲେଖାଗୁଡ଼ିକ ଲୋକ ଲୋଚନକୁ ଆସିଥିଲା। ତା ପରେ ସବୁ ବଡ଼ ଜାତୀୟ ବିଶ୍ବବିଦ୍ୟାଳୟରେ ମତେ ବକ୍ତବ୍ୟ ପାଇଁ ସୁଯୋଗ ମିଳିଲା। ଅସ୍ପୃଶ୍ୟ କବିତା ବାହାରିବା ପରେ ସମସ୍ତେ ପ୍ରତିକ୍ରିୟାଶୀଳ ହୋଇ ଯାଇଥିଲେ। କହିଥିଲେ, ଆଜି ଆଉ କଣ ଜାତି ଅଛି କି। କିନ୍ତୁ ମୋର ପ୍ରଶ୍ନ ଆମ ଦେଶରେ ଏଭଳି କେଉଁ ବ୍ୟକ୍ତି ଅଛନ୍ତି ଯିଏ ଜାତି ଧରି ବଞ୍ଚୁ ନାହାନ୍ତି।
୫. ଦଳିତ ସଂସ୍କୃତିର ଇତିହାସ ବହି କାହିଁକି ଲେଖିଲେ।
– ୧୯୯୬ ମସିହାରୁ ଦଳିତ ସଂସ୍କୃତିର ଇତିହାସ ବହି ଲେଖିବା ଆରମ୍ଭ କରିଥିଲି ଯାହା ୨୦୦୮ ମସିହାରେ ସରିଥିଲା। ପ୍ରକୃତରେ ମତେ କୁହାଯାଇଥିଲା କି ଦଳିତମାନଙ୍କ କୌଣସି ସଂସ୍କୃତି ନ ଥାଏ। ମତେ ଏଭଳି ଅନୁଭବ ହେଲା ଯେମିତି କି ଏହା ଏକ ବଡ଼ ରାଜନୀତି। ଜୀବନ ଚର୍ଯ୍ୟାହିଁତ ସଂସ୍କୃତି। ହଜାର-ହଜାର ବର୍ଷ ଧରି ରହୁଥିବା ଗୋଟିଏ ଗୋଷ୍ଠୀର ନିଜସ୍ବ ସଂସ୍କୃତି କେମିତି ନଥିବ। ପୁରାଣରୁ ଆଜି ପର୍ଯ୍ୟନ୍ତ ଯେଉଁ ଗୋଷ୍ଠୀକୁ ଅଛୁଆଁ କରି ଶିକ୍ଷାରୁ ବଞ୍ଚିତ କରାଗଲା, ସେ କେମିତି ନିଜ ସଂସ୍କୃତିକୁ ଡକ୍ୟୁମେଣ୍ଟ କରିବ। ମୁଁ ସେହି କାର୍ଯ୍ୟ ଆରମ୍ଭ କରିଥିଲି।
ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡର ଗଣା, ଗଉଡ଼, କନ୍ଧ, ଚମାର ସମେତ ବିଭିନ୍ନ ଲୋକଙ୍କୁ ଭେଟିଲି। ୭-୮ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ରାତି ୩ରୁ୪ ଟା ପର୍ଯ୍ୟନ୍ତ ପଢୁଥିଲି କିମ୍ବା ଲେଖୁଥିଲି। ଦଳିତ ସଂସ୍କୃତି ଇତିହାସ ବହି ସାରିବାକୁ ୧୧ ବର୍ଷ ଲାଗି ଯାଇଥିଲା। ସେତେବେଳେ ଏଭଳି ସ୍ଥିତି ହେଲା ଯେ ମୁଁ ହାର୍ଟ ପେସେଣ୍ଟ ହେଇ ଯାଇଥିଲି। ଅବସ୍ଥା ଏତେ ଗୁରୁତର ହେଲା ଯେ ହାଇଦ୍ରାବାଦନ ଚିକିତ୍ସା କରିବାକୁ ପଡ଼ିଥିଲା। ଦଳିତ ସଂସ୍କୃତି କହିଲେ କଙ୍ଗ, ଗାଦରମ, ଯଦୁ, କଦମ। ଏସସି, ଏସଟି, ଓବିସି। ମୋ ବହିରେ ସବୁ ପ୍ରମାଣିତ କରିଛି, ସାଂସ୍କୃତିକ ଭାବରେ ଏମାନେ ସବୁ ଗୋଟିଏ ଅଟନ୍ତି। ଯାହାକୁ ଘୃଣା କରବାକୁ ଅଛେ ତାକୁ ଇଗନୋର କରି ଦିଅ ସେହି ହିସାବେ ଓଡ଼ିଶାରେ କେହିଭି ଦଳିତ ସଂସ୍କୃତିର ଇତିହାସ ବହି କୁ ନେଇ ଆଲୋଚନାବି କଲେ ନାହିଁ। ପଜିଟିଭତ ଦୂରର କଥା ନେଗେଟିଭ କମେଣ୍ଟ ବି ଆସିଲା ନାହିଁ। କିନ୍ତୁ ବାହାରେ ଏହି ବହିକୁ ନେଇ ବଡ଼-ବଡ଼ ବିଶ୍ବବିଦ୍ୟାଳୟ ଜାମିଆ-ମିଲିଆ, ଶାନ୍ତିନିକେତନ, ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ସମେତ ଅନେକ ବିଶ୍ବବିଦ୍ୟାଳୟର ୮ ଜଣ ପିଏଚଡି କରିସାରିଛନ୍ତି। ବହିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ଦେବୀ, ଦେବତା, ଗଣାମାନଙ୍କର ତନ୍ତ ଏହି ଜାତିବାଦ ଯୋଗୁଁ କେମିତି ଧୂଳିସାତ ହେଲା ସବୁ ଲେଖା ଯାଇଛି। ବିଶ୍ବରେ ଧାନର ଆବିଷ୍କାର କୋରାପୁଟରେ ହୋଇଛି। ଏହା କେଉଁ ଡମ କି ପରଜା କରିଥିବ। ତା ହେଲେ ଦଳିତ ସଂସ୍କୃତି କେମିତି ନାହିଁ।
୬. ଓଡ଼ିଆ ସାହିତ୍ୟରେ ଦଳିତ ପ୍ରସଙ୍ଗ ଆସୁଛି କି ?
– ସମାଜ ଯଦି ଗୋଟିଏ ଶରୀର, ତେବେ କିଛି ସାହିତ୍ୟିକ ଅଛନ୍ତି ଯେଉଁମାନେ କେବଳ ମୁହଁ ଏବଂ ଦେହକୁ ନେଇ ଲେଖନ୍ତି। କିନ୍ତୁ ତାର ବାକି ଅଙ୍ଗବି ଅଛି, ତା ବିଷୟରେ ମଧ୍ୟ ଲେଖିବା କଥା। ମରାଠି, ତେଲୁଗୁ ସାହିତ୍ୟ ଭଳି ଓଡ଼ିଆ ସାହିତ୍ୟରେ ମଧ୍ୟ ଦଳିତ ପ୍ରସଙ୍ଗ ଆସୁ ନାହିଁ। ଦଲିତ ସାହିତ୍ୟିକମାନଙ୍କର ସଂଖ୍ୟା କମ ଥିବାରୁ ଏଭଳି ହେଉଛି। କିନ୍ତୁ ଗୋଟିଏ ଭଲ କଥା ହେଲା, ଗତ କିଛି ବର୍ଷ ହେଲା ନୂଆଁ ଲେଖକ, ଲେଖିକା ବାହାରୁଛନ୍ତି ଯେଉଁମାନେ ଏହି ପ୍ରସଙ୍ଗରେ ଲେଖୁଛନ୍ତି। କିନ୍ତୁ ଆମର ସହଲେଖକମାନଙ୍କ ଭିତରେ ଯେଉଁ ଉଦାରତା ରହିବା କଥା ତାହା ଦେଖା ଯାଉ ନାହିଁ। ଦଳିତ ସାହିତ୍ୟ ମାନବିକତାର କଥା କୁହେ, ଏହା ସମସ୍ତଙ୍କୁ ବୁଝିବାକୁ ପଡ଼ିବ।
୭. ଚାକରି ଜୀବନ ବିଷୟରେ କୁହଁନ୍ତୁ
-ଓୟୁଏଟିର ପଶୁ ପାଳନ ଏବଂ ପଶୁ ଚିକିତ୍ସା କଲେଜରୁ ପାସ କରିବା ପରେ ଆମ ଘରର ଆବଶ୍ୟକତା ଅନୁସାରେ ଚାକିରି କଲି। ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଏବଂ ସୁବିଧା ଉଭୟ ବାଧକ ଥିଲା। ସିନାପାଲିରେ ପ୍ରାଣୀ ଚିକିତ୍ସକ ଭାବରେ ଚାକିରି ଆରମ୍ଭ କରିଥିଲି। ଏହାପରେ ବିଭିନ୍ନ ସ୍ଥାନରେ ଚାକିରି ପରେ ଏମବିଏ ଏବଂ କୃଷିରେ ଡିପ୍ଲୋମା ପରେ ଭୁବନେଶ୍ବରର ଯୁଗ୍ମ ନିର୍ଦେଶକ ହେଲି।
ଦିଲ୍ଲୀର ପଶୁ ପାଳନ ବିଭାଗରେଡେପୁଟି କମିସନର ହୋଇଛି। କିନ୍ତୁ ମୋର ସାଙ୍ଗମାନେ ଆହୁରି ଉଚ୍ଚ ଶିକ୍ଷା ଲାଭ କରି ବୈଜ୍ଞାନିକ ହୋଇ ବିଦେଶରେ ଅଛନ୍ତି।