ହୀରାକୁଦ ଜଳଭଣ୍ଡାର ନିର୍ମାଣ ବେଳେ ଯେତେବେଳେ ଗାଁକୁ ପାଣି ମାଡ଼ି ଆସିଲା, ଯିଏ ଯେଉଁ ଠିକୁ ପାରିଲେ ଚାଲିଗଲେ। ଆମ ଗାଁର ଅନେକ ଲୋକ ଏହି ସ୍ଥାନକୁ ସୁରକ୍ଷିତ ଭାବରେ ବାଛିନେଲେ, ଯେଉଁଠି ଚାରି ପଟରେ ଗଭୀର ପାଣି ଥିଲେ ମଧ୍ୟ ମଝି କିଛି ସ୍ଥାନ ସ୍ଥଳ ଭାଗ ରହିଥିଲା। ଜଳଭଣ୍ଡାର ନିର୍ମାଣ ପରେ ଏହି ଦ୍ବୀପର ଜନ୍ମ ହୋଇଥିଲା । ସେତେବେଳେ ଏଠିକୁ ଆସିଥିବା ବ୍ୟକ୍ତିମାନେ ଭିନ୍ନ ଜାତିର ଥିଲେ, ବିଭିନ୍ନ ପ୍ରକାର ପେଶା ଥିଲା। କିନ୍ତୁ ଏଠିକୁ ଆସିବା ପରେ ସମସ୍ତେ ମାଛ ମାରିବା ଯେଉଁ ବେଉସା ଆରମ୍ଭ କରିଥିଲେ। ଆଜିବି ଅନେକ ସେ କାର୍ଯ୍ୟ କରୁଥିବା କହିଛନ୍ତି ସ୍ଥାନୀୟ ଅଧିବାସୀ ଭାସ୍କର ପଟେଲ। ହୀରାକୁଦ ଜଳଭଣ୍ଡାର ନିର୍ମାଣର ୬୭ ବର୍ଷ ପରେ ମଧ୍ୟ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଏବଂ ଗଭୀର ଜଳରାଶି ମଧ୍ୟରେ ସ୍ଥିତ ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଏହି ଛୋଟ ଦ୍ବୀପରେ ଆଜି ମଧ୍ୟ ୭ଟି ପରିବାର ଅଛନ୍ତି। ଏହି ଗାଁକୁ ଲୋକେ ହାଡ଼ଖାଇ ନାମରେ ଜାଣନ୍ତି କିନ୍ତୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହାକୁ ବାଦୁଡ଼ି ଦ୍ବୀପ ବା ବେଟ୍ ଆଇଲାଣ୍ଡ ଭାବରେ ପରିଚିତ କରାଯାଇଛି। ଯାହାକୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପର୍ଯ୍ୟଟନ ସ୍ଥଳ ଭାବରେ ପରିଣତ କରିଛି।
ଦ୍ବୀପରେ କେମିତି ରୁହଁନ୍ତି ମତ୍ସ୍ୟଜୀବୀ–
ଜନବସତି ଠାରୁ ଦୂରରେ ପାଣି ଭିତରେ ଦ୍ବୀପରେ କେମିତି ରୁହନ୍ତି ଭାସ୍କର ପଟେଲ, ପଙ୍କଜ ଧରୁଆ, ରଞ୍ଜିତ ପଧାନ, ବୃନ୍ଦାବନ ମହାନ୍ତି, କାହ୍ନୁ ଜାଲ, ଶ୍ରୀକାନ୍ତ ପଟେଲ ଏବଂ ବିଜୟ ମହାନ୍ତିଙ୍କ ପରିବାର? ଏଠାରେ ଥିବା ଅନେକ ଗୁଡ଼ିଏ କୁଡ଼ିଆ ଘର, ବୁଲୁଥିବା ଶିଶୁ, ଶୁଖୁଥିବା ମାଛ, ଫୁଟୁଥିବା ଭାତ ସମସ୍ତଙ୍କ ଆଶ୍ଚର୍ଯ୍ୟ କରି ଦିଏ। ବର୍ଷାରେ କିମ୍ବା ହୀରାକୁଦ ଜଳଭଣ୍ଡାରର ଗେଟ ଖୋଲିବା ପରେ ସମ୍ବଲପୁର ସହର ପାଣି ଘେରରେ ରହିଯାଏ। ଏହି ଛୋଟ ଦ୍ବୀପକୁ ପାଣି ମାଡ଼ିଯାଏ ନାହିଁ କି? ଏହିଭଳି ଅନେକ ପ୍ରଶ୍ନ ଏଠିକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ ଏହି ମତ୍ସ୍ୟଜୀବୀଙ୍କୁ ପ୍ରତିଦିନ ପଚାରନ୍ତି। ରଞ୍ଜିତ ପ୍ରଧାନଙ୍କ ଠାରୁ ପଙ୍କଜ ଧରୁଆ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଉତ୍ତର, ଯେଉଁ ଦିନ ଏହି ଦ୍ବୀପକୁ ପାଣି ଆସିବ ଜାଣିବେ ହୀରାକୁଦ ଜଳଭଣ୍ଡାର ଭାଙ୍ଗିଗଲା ବୋଲି ଜାଣିବ। ଆଜି ପର୍ଯ୍ୟନ୍ତ ଯେତେ ବଡ଼ ବନ୍ୟା ହେଉ, ହୀରାକୁଦ ଜଳଭଣ୍ଡାରର ଯେତେ ଗେଟ୍ ଖୋଲିଲେ ମଧ୍ୟ ହୀରାକୁଦ ଜଳଭଣ୍ଡାରର କୌଣସି ଦ୍ବୀପକୁ ପାଣି ପଶି ନାହିଁ। ସେମାନଙ୍କ ଅନୁସାରେ, ପୂର୍ବରୁ ଏହି ଅଞ୍ଚଳକୁ ବିଜୁଳି ଯୋଗାଯୋଗ ନଥିଲା। ତେଣୁ ଲଣ୍ଠନ ବତିରେ ଅନ୍ଧାରରେ ରହୁଥିଲେ। ବର୍ତ୍ତମାନ କିନ୍ତୁ ସେହି ଅବସ୍ଥା ନାହିଁ। ସୌର ବଲ ଲାଗିଛି। ମୋବାଇଲ ମଧ୍ୟ ସମସ୍ତଙ୍କ ପାଖରେ ଅଛି। ସମୁଦାୟ ଅଞ୍ଚଳକୁ ନେଟଓ୍ବାର୍କ ଆସେ ନାହିଁ ସତ କିନ୍ତୁ ନିର୍ଦିଷ୍ଟ ସ୍ଥାନରେ ସ୍ଥିତ ଗଛ ଉପରେ ଚଢିଲେ ନେଟଓ୍ବାର୍କ ଆସିଯାଏ। ଯେଉଁଠି ସେମାନେ ଇଚ୍ଛା କଲେ କାହା ସହିତ କଥା ହୋଇ ପାରନ୍ତି। ହୀରାକୁଦ ଜଳଭଣ୍ଡାରର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ରବିନ୍ଦ୍ର ପଣ୍ଡା କହନ୍ତି, ହୀରାକୁଦ ଜଳଭଣ୍ଡାର ନିର୍ମାଣ ସମୟରେ ସୃଷ୍ଟି ହୋଇଥିବା ଏହି ଦ୍ବୀପ ଗୁଡ଼ିକ ଝଳଭଣ୍ଡାର ଠାରୁ ବେଶ୍ ଉଚ୍ଚରେ ରହିଛି। ତେଣୁ ହୀରାକୁଦ ଜଳଭଣ୍ଡାର ଗେଟ ଖୋଲିବା ପରେ କିମ୍ବା ବର୍ଷା ପାଣି ଏଠିକୁ ପଶି ପାରେ ନାହିଁ। ଏପରିକି ଯଦି କେବେ ମଧ୍ୟ ହୀରାକୁଦ ଜଳଭଣ୍ଡାର ଭାଙ୍ଗେ ତେବେ ମଧ୍ୟ ଏହି ଦ୍ବୀପଗୁଡ଼ିକ ସୁରକ୍ଷିତ ରହିବ। ପାଣି ପଶି ପାରିବ ନାହିଁ।
ଘରେ ତାଲା ପଡ଼େନି-
ଭାସ୍କର କହନ୍ତି, ତାଙ୍କ ବାପା ପୂର୍ବରୁ ଏଠାରେ ପରିବାର ସହିତ ରହୁଥିଲେ। ବର୍ତ୍ତମାନ କିନ୍ତୁ ତାଙ୍କ ପରିବାର ପାହାଡ଼ ସିର୍ଗିଡ଼ା ଗାଁରେ ରହୁଛନ୍ତି। ପିଲାମାନେ ସେଠାରେ ପାଠପଢନ୍ତି। ସେ କିନ୍ତୁ ନିୟମିତ ଏଠିକୁ ଆସି ମାଛ ମାରିବା ସହିତ ଶୁଖାଇ ବିକ୍ରି କରନ୍ତି। ଏଠାରେ ତାଙ୍କର ଛୋଟ ଘର ରହିଛି। ଅଧିକାଂଶ ଦିନ ରାତିରେ ଏହି ଘରେହିଁ ରହି ଯାଆନ୍ତି। ଡଙ୍ଗା ମରାମତି ପାଇଁ ଆବଶ୍ୟକ ପଡ଼ିଲେ ବଢେଇଙ୍କୁ ଏଠିକୁ ଡାକି କାମ କରାଇ ନିଅନ୍ତି। କମଗାଁରୁ ଏଠାରେ ଘର ଜ୍ବାଇଁ ହୋଇ ଆସିଥିବା ସୁନୀଲ ପ୍ରଧାନ କିନ୍ତୁ କହନ୍ତି, ଗାଁ, ସହରର କୋଳାହଳରେ ବିରକ୍ତ ହୋଇ ସାରିଛନ୍ତି। ତେଣୁ ଏଠାରେ ପରିବାର ସହିତ ରହିଯାଆନ୍ତି। ଏଠାରେ ଥିବା ମତ୍ସ୍ୟଜୀବୀମାନେ ଦୈନିକ ୮ରୁ୯ କେଜି ମାଛ ମାରନ୍ତି। ସେଥିରୁ କିଛି ଶୁଖାଇ, ନିଆଁରେ ପୋଡ଼ି ଶୁଖୁଆ କରନ୍ତି। ବାହାରୁ ବ୍ୟବସାୟୀ ଆସି ତାଙ୍କ ଠାରୁ କିଣି ନିଅନ୍ତି। ବ୍ୟବସାୟୀ ଅଳ୍ପ ଟଙ୍କା ଏବଂ ବାକି ମାଛ ବଦଳରେ ଡାଲି, ଚାଉଳ, ପରିବା ସମେତ କିଛି ଅତ୍ୟାବଶକୀୟ ସାମଗ୍ରୀ ଦେଇଥାଏ। ଅର୍ଥାତ ଆଜି ମଧ୍ୟ ସେଠାରେ ବାଟର ସିଷ୍ଟମ ଚାଲିଛି। ଡଙ୍ଗା ଠିକ କରିବା କିମ୍ବା ଅନ୍ୟ ସାମଗ୍ରୀ ପାଇଁ ଆବଶ୍ୟକ ସ୍ଥଳରେ ବଢେଇ କିମ୍ବା ମେକାନିକ ଏଠାକୁ ନିୟମିତ ଆସିଥାଆନ୍ତି। ନିୟମିତ ଭାବରେ ଏଠାରେ ରହୁଥିବା ପରିବାର ନିଜ ଗାଁ ଘର ଏବଂ ଏହି ଦ୍ବୀପ ସ୍ଥିତ ଘରେ ମଧ୍ୟରେ ଯାତାୟାତ ଚାଲିଥାଏ। କିନ୍ତୁ କୌଣସି ଘରେ କେବେ ତାଲା ପଡ଼ୁନଥିବା ସ୍ଥାନୀୟ ଅଧିବାସୀ କହନ୍ତି।
କେଫେ ଚାହା–
ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଚଳିତ ବର୍ଷ ଫେବ୍ରୁଆରି ମାସରେ କେଫେ ଉଦଘାଟିତ ହୋଇଛି। ଦ୍ବୀପର ପ୍ୟାକେଜ ସହିତ ଚାହା ଏବଂ ମାଛ ଭଜା ମାଗଣାରେ ଦିଆଯାଏ। ଯାହାର ମଜା ପ୍ରତ୍ୟେକ ପର୍ଯ୍ୟଟକ ନେଇଥାଆନ୍ତି।
ହୀରାକୁଦ ଜଳଭଣ୍ଡାର ଭିତରେ ବୁଡ଼ିଯାଇଥିବା ସଭ୍ୟତା ଏବଂ ପ୍ରକୃତିର ଚିହ୍ନ ଆଜିବି ଏଠାରେ ଦଣ୍ଡାୟମାନ। ଗଛରେ ଝୁଲୁଥିବା ବାଦୁଡ଼ି ବସା ପୁରୁଣା ଦିନର କାହାଣୀ କହୁଛି। ଏହି ଦ୍ବୀପ ରେ ସ୍ଥିତ ବିସ୍ତିର୍ଣ୍ଣ ଜଙ୍ଗଲ ନିଜ ଭିତରେ କେତେ ଯେ କାହାଣୀ ଲୁଚାଇ ରଖିଛି ତାର ଠିକଣା ନାହିଁ।