ସ୍ବତନ୍ତ୍ର ମା, ବାପାଙ୍କ ସ୍ବତନ୍ତ୍ର ପୁଅ: ଭୋଲୁ

୨୦୧୩ ମସିହା କଥା। ସମ୍ବଲପୁର ଅଧିବାସୀ ତଥା ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ଏବଂ ଶିକ୍ଷୟିତ୍ରୀ ମଞ୍ଜରୀଙ୍କ ୧୦ ବର୍ଷିୟ ଭୋଲୁର ଅବସ୍ଥା ଗୁରୁତର ହେବାରୁ ସମ୍ବଲପୁର ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ପ୍ରାୟତଃ ଆଶା ଛାଡ଼ି ଦେଇଥିଲେ। ଭୋଲୁ ସେରିବ୍ରଲ ପାଲସି ରୋଗରେ ପୀଡ଼ିତ। ସ୍ନାୟବିକ ସମସ୍ୟା କାରଣରୁ ଅନ୍ୟ ଶିଶୁଙ୍କ ଭଳି ତାର ଜୀବନ ସ୍ବାଭାବିକ ନଥିଲା। ୧୦ ବର୍ଷରେ ୩ ମାସ ଶିଶୁ ଭଳି ତାର ମସ୍ତିଷ୍କ। ବୟସ ଅନୁସାରେ ଶରୀର ବଢି ଯାଇଥିଲେ ମଧ୍ୟ ଚାଲିପାରେ ନାହିଁ କି କଥା କହି ପାରୁନଥିଲା। ଏପରିକି ସବୁ ସମୟରେ ତା ପାଖରେ ରହି ଯତ୍ନ ନେଉଥିବା ମା, ବାପା କି ତା ବଡ଼ ଭଉଣୀ, ଜେଜେ ମା କାହାକୁ ଚିହ୍ନି ପାରୁନଥାଏ। ଜେଜେ ବାପା ଘଣ୍ଟା-ଘଣ୍ଟା କୋଳରେ ଧରି ସାଇ କହି ଅଜତ୍ସ ସ୍ନେହ ଢାଳି ପକାଉଥିଲେ ମଧ୍ୟ ବୁଝି ପାରୁନଥିଲା। ଭୋଲୁର ଏଭଳି ଅବସ୍ଥା ଯୋଗୁଁ ତାର ଉଚ୍ଚତର ଚିକିତ୍ସା ନ କରି ଘରେ ତାର ଉପଯୁକ୍ତ ଯତ୍ନ ପାଇଁ ଶୁଭେଚ୍ଛୁଙ୍କ ସ୍ବାଭାବିକ ପରାମର୍ଶ ଥିଲା। କିନ୍ତୁ ମା, ବାପାଙ୍କ ହୃଦୟତ ସର୍ବଦା ଭିନ୍ନ ଥାଏ। ସେ ନିଜର ଦୁର୍ବଳ ଶିଶୁ ପ୍ରତିହିଁ ବେଶି ଦୁର୍ବଳ ଥାଏ। ଯେଉଁ ଶିଶୁର ଯତ୍ନରେ ସେମାନଙ୍କ ସର୍ବାଧିକ ସମୟ ଚାଲି ଯାଉଥିଲା। ଯାହାକୁ ଘରେ ଏକୁଟିଆ ଛାଡ଼ି ଯିବା ସମ୍ଭବ ନଥିବାରୁ ବର୍ଷା ଧିକ ସମୟ ଧରି କୁଆଡ଼େ ବୁଲି ଯାଇ ପାରୁନଥିଲେ, ରିଲାକ୍ସ କରୁନଥିଲେ। ଅତି ଜରୁରୀ କାର୍ଯ୍ୟ ପାଇଁ ଯିବାକୁ ହେଲେ ଭାରାକ୍ରାନ୍ତ ହୋଇ ପଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ପାଖରେ ଛାଡ଼ୁଥିଲେ। ଏହା ସତ୍ତ୍ବେ ମା ହୃଦୟ ଡାକୁଥିଲା ତାଙ୍କ ପୁଅ ଯଦି ସିପି ଆକ୍ରାନ୍ତ ନ ହୋଇ ସ୍ବାଭାବିକ ମଣିଷ ହୋଇଥିଲେ କଣ ଏମିତି ଛାଡ଼ି ଦିଅନ୍ତେ? ତେଣୁ ବାପା, ମା ପୁଅକୁ ନେଇ ଛୁଟି ଯାଇଥିଲେ କଟକ ଶିଶୁ ଭବନ। ସେଠାରେ ଯମ ମୁହଁରୁ ପୁଅକୁ ଫେରାଇ ଆଣିବାରେ ସଫଳ ହୋଇଥିଲେ ସତ କିନ୍ତୁ ଜୀବନର ସବୁଠାରୁ କଠିନ ସମୟରେ ନିଜ ଚାକିରି ହରାଇଥିଲେ ଶିବ। ପଶ୍ଚିମଓଡ଼ିଶାରେ ସାମ୍ବାଦିକତା ଜଗତରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଶିବ ନନ୍ଦଙ୍କ ଜୀବନରେ ଯେ ଏଭଳି ଦିନ ଆସିବ କେହି ଚିନ୍ତା ମଧ୍ୟ କରିନଥିଲେ। ନିଜ ସମ୍ପାଦକୀୟରେ ଆଦର୍ଶର ବଡ଼ କଥା କହୁଥିବା ଖବରକାଗଜ ସମ୍ପାଦକମାନେ ଯେ କେତେ ଏକଛତ୍ରବାଦୀ ଏବଂ ଛଳନାକାରୀ ଏହି ଗୋଟିଏ ଘଟଣା ପ୍ରମାଣିତ କରୁଥିଲା। ଏହି ଖବରକାଗଜ ମାଲିକମାନେ ନିଜର ନିଯୁକ୍ତି ବ୍ୟବସ୍ଥା ଏଭଳି କରନ୍ତି ଯେ ଶ୍ରମ ନୀତିର ଖୋଲା ଉଲ୍ଲଂଘନ ସତ୍ତ୍ବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ।

ପରିସ୍ଥିତି ଯେତେ କଠିନ ହେଲେ ମଧ୍ୟ ଆଗକୁ ବଢିବାକୁ ହୁଏ। ସ୍ବତନ୍ତ୍ର ଶିଶୁଙ୍କ ମା, ବାପାଙ୍କ ପାଖରେ ଏଭଳି ଶକ୍ତି ସ୍ବାଭାବିକ ଆସିଯାଏ। ଭୋଲୁର ଜନ୍ମ ସହିତ ହିଁ ଶିବ ଏବଂ ମଞ୍ଜରୀଙ୍କ ଜୀବନରେ ତାହାହିଁ ହୋଇଥିଲା। ଜନ୍ମରୁହିଁ ଭୋଲୁ ବିଳମ୍ବରେ କାନ୍ଦିବାରୁ ତାର ଏବଂ ପରିବାର ଜୀବନ ସ୍ବାଭାବିକ ହେବ ନାହିଁ ବୋଲି ସମସ୍ତେ ଅନୁମାନ କରିଥିଲେ। ଏହା ସତ୍ତ୍ବେ ପୁଅକୁ ନେଇ ଶିବ ଏବଂ ମଞ୍ଜରୀ ବାଙ୍ଗାଲୋରର ନିମହାଂସ ଠାରୁ ଆରମ୍ଭ କରି ଅନେକ ଡାକ୍ତରଙ୍କୁ ଦେଖାଇଥିଲେ। ପୁଅର ସ୍ବାସ୍ଥ୍ୟବସ୍ଥାର ସାମାନ୍ୟତମ ଉନ୍ନତି ଏପରିକି କିଛି ନ ହେଲେ ମୁଣ୍ଡ ରଖି ନିଜ କାମ ନିଜ କରିପାରୁ ଏହି ଲକ୍ଷ୍ୟ ନେଇ ଯିଏ ଯାହା ପରାମର୍ଶ ଦେଲା ସେମାନେ ପାଳନ କରିଛନ୍ତି। ସେଥିପାଇଁ ଯେତେ ଖର୍ଚ ହେଉ ପଛରେ ନିମ୍ନମଧ୍ୟବିତ୍ତ ପରିବାର ହଟି ଯାଇ ନାହିଁ। କେତେ ଯେ ବର୍ଷ ପର୍ଯ୍ୟନ୍ତ ନିୟମିତ ତାର ଫିଜିଓଥେରାପି ହୋଇଛି ଠିକଣା ନାହିଁ। ଭୋଲୁ ଯେତେ ଦିନ ପର୍ଯ୍ୟନ୍ତ ଛୋଟ ଥିଲା ମା ପାଇଁ ଗୋଡ଼ରେ ରଖି ଖୁଆଇବା କି ଦୈନନ୍ଦିନ କାର୍ଯ୍ୟ କରାଇବା ସହଜ ଥିଲା। ଜେଜେ ବାପା, ବଡ଼ ଭଉଣୀ କି ପରିବାରର ଯେକୌଣସି ସଦସ୍ୟ ଯେତେବେଳେ ଇଚ୍ଛା କରୁଥିଲେ ବୁଲାଇ ନେଉଥିଲେ। କିନ୍ତୁ ସମୟକ୍ରମରେ ଭୋଲୁ ବଡ଼ ହେବା ପରେ ଏହା ସମ୍ଭବ ହେଲା ନାହିଁ। ଏହା ସତ୍ତ୍ବେ ଏଭଳି କୌଣସି ଦିନ ନାହିଁ ଯେଉଁ ଦିନ ବାପା ତାକୁ କାନ୍ଧରେ ଧରି ବୁଲାଇ ନାହାନ୍ତି। କଲେଜ ପିଲାଙ୍କୁ ପଢାଇବା ଭଳି ଚାପଗ୍ରସ୍ତ କାର୍ଯ୍ୟ ସହିତ ଘରର ସବୁ କାର୍ଯ୍ୟ ପରେବି ପୁଅକୁ ଖୁଆଇବା, ସଫା କରାଇବା କିମ୍ବା ଶୌଚ କରାଇବା କାର୍ଯ୍ୟ ଭଳି ଦୈନନ୍ଦିନ କାର୍ଯ୍ୟରେ ତ ହେଳା କରି ନାହାନ୍ତି ବରଂ ପୁଅ ସହିତ ନିଶ୍ଚିତ କିଛି ସମୟ କଥା ହୁଅନ୍ତି। ଭୋଲୁକୁ ନେଇହିଁ ଚତୁପାର୍ଶ୍ବରେ ଜୀବନ ଗତିଶୀଳ ହୋଇଛି। ଭୋଲୁକୁ ନେଇ ସେମାନଙ୍କ ରୁଟିନ ନିର୍ଧାରିତ ହୋଇଥିଲା। ଭାଇ ପାଇଁ କୌଣସି ପ୍ରକାର ଖର୍ଚକୁ ନେଇ ବଡ଼ ଭଉଣୀ ବିପସା ଅସନ୍ତୋଷ ପ୍ରକାଶ କରି ନାହିଁ। ବରଂ ସେ ମଧ୍ୟ ନିଜ ଭବିଷ୍ୟତକୁ ନିଜ ଭାଇ ସହିତ ଯୋଡ଼ି ଦେଖିଛି। ସେହି ଭଉଣୀର ନିର୍ମଳ ମାତୃସୁଲଭ ସ୍ନେହ ଯୋଗୁଁ ବୋଧହୁଏ ସେ ଠିକ ପାଣି ପିଆଉଥିବାବେଳେ ଭୋଲୁ ଶେଷ ନିଶ୍ବାସ ନେଇଥିଲା। ଭୋଲୁ ବିଭିନ୍ନ ସମୟରେ ଅସୁସ୍ଥ ହୁଏ, ଖାଇବା ବନ୍ଦ କରି ଦିଏ। ଔଷଧ ଖାଇବା ପରେ କିଛି ଦିନରେ ଠିକ ହୋଇଯାଏ। ଭୋଲୁ ବୋଧହୁଏ ଜାଣିଥିଲା, ଏଥର ଯଦି ତାର ଦେହ ବେଶି ଖରାପ ହୋଇଗଲେ ବାପା, ମା ସବୁ ପ୍ରକାର ବାଜି ଲଗାଇ ତାକୁ ଠିକ କରି ଦେବେ ତେଣୁ ସେ ଚୁପ ହୋଇ ଚାଲି ଯାଇଥିଲା। ଯେଉଁ ପୁଅକୁ ନେଇ ଶିବ, ମଞ୍ଜରୀଙ୍କ ଜୀବନର ଗତିପଥ ବଦଳିଥିଲା ଅଚାନକ ଚାଲିଯିବାର କଷ୍ଟ ଲେଖିବାର ଆବଶ୍ୟକତା ନାହିଁ ବରଂ ପ୍ରତ୍ୟେକ ମଣିଷ ଏହା ବୁଝି ପାରିଥିବେ। ଏହା ସତ୍ତ୍ବେ ବାପା, ମା ତାର ଆଖି ଦାନ କରିଥିଲେ। ଯେଉଁଠି ତାର ଆଖିରେ ଆଉ ଦୁଇ ଜଣ ସଂସାର ଦେଖିବେ। ଏପରିକି ସେମାନେ ଭୋଲୁର କିଡନି ଦାନ ପାଇଁ ଚାହିଁଥିଲେ ମଧ୍ୟ ସମ୍ଭବ ହୋଇଥିଲା। ଶେଷରେ ରାଜଘାଟରେ ଭୋଲୁର ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ କରାନଯାଇ ଡାକ୍ତରୀ ବିଦ୍ୟାର୍ଥୀଙ୍କ ପାଠପଢା ପାଇଁ ତାର ଶରୀରକୁ ଟେକି ଦେଇଥିଲେ ମା, ବାପା ଏବଂ ପରିବାର।

କେବଳ ଶିବ-ମଞ୍ଜରୀ ନୁହଁନ୍ତି ସ୍ବତନ୍ତ୍ର ଶିଶୁଙ୍କ ପ୍ରତ୍ୟେକ ଅଭିଭାବକ ଏହିଭଳି ନିଜ ପିଲାଙ୍କ ପାଇଁ ଶକ୍ତି, ସାମର୍ଥ ଅଜାଡ଼ି ଦିଅନ୍ତି।

 

Facebook
Twitter
WhatsApp

2 thoughts on “ସ୍ବତନ୍ତ୍ର ମା, ବାପାଙ୍କ ସ୍ବତନ୍ତ୍ର ପୁଅ: ଭୋଲୁ”

  1. ଡମ୍ବରୁଧର ବେହେରା

    ଭୋଲୁର ଜୀବନ ସମସ୍ତଙ୍କର ଆଦର୍ଶ ହେଉ ! ବଞ୍ଚିରହି କାହାର ଉପକାର କରିନପାରିଲେ ମଧ୍ୟ ମରିଯାଇ ଅନେକ ଅନେକ ଲୋକଙ୍କର ଉପକାର କରିପାରିଛି। ସେ ମରି ମଧ୍ୟ ଅନେକ ହୃଦୟରେ ବଞ୍ଚି ରହିଛି। ତାକୁ ଅଜସ୍ର ପ୍ରଣାମ। ତା’ର ବାପାମାଆଙ୍କ ମଧ୍ୟ ଅଜସ୍ର ପ୍ରଣାମ, କାରଣ ପୁଅର ଅଙ୍ଗ ଦାନ କରି ସେମାନେ ମହାପୂଣ୍ୟ କରିଛନ୍ତି ଯାହା ସଚରାଚର ଦେଖାଯାଏ ନାହିଁ !

Comments are closed.