୨୦୧୯ ମସିହାରେ ସୁନ୍ଦରଗଡ଼ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ ବିଜେପି ନେତା ତଥା ତତକାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ଏମସିଏଲ ବିସ୍ଥାପିତ ଏବଂ ପ୍ରଦୂଷଣ ସମସ୍ୟା ସମାଧାନର ସ୍ବର ଉଠାଇଥିଲେ। ବିଶେଷକରି ଏମସିଏଲ ଯୋଗୁଁ ବିସ୍ଥାପିତ ସୁନ୍ଦରଗଡ଼ ଜିଲ୍ଲାର ୧୪ରୁ ୪ ଗାଁ ତୁମଲିଆ, ଝୁପୁଡୁଙ୍ଗା, ରତନସରା, କିରିପସିରାରେ ନୂତନ ଜମି ଅଧିଗ୍ରହଣ ଆଇନ ଅନୁସାରେ କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। ଏହି ନିର୍ବାଚନରେ ସୁନ୍ଦରଗଡ଼ ବିଧାନସଭାରେ କୁସୁମ ଟେଟେ ଏବଂ ଲୋକସଭାରେ ଜୁଏଲ ଓରାମ ବିଜୟୀ ମଧ୍ୟ ହୋଇଥିଲେ। ନିର୍ବାଚନ ପରେ ପ୍ରତିଶ୍ରୁତି ପାଳନ ପାଇଁ ବିସ୍ଥାପିତଙ୍କ ପ୍ରତିନିଧି ମଣ୍ଡଳ ବିଧାୟିକା କୁସୁମ ଟେଟେଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ ତତକାଳୀନ କୋଇଲା ମନ୍ତ୍ରୀଙ୍କୁ ଭେଟିଥିଲେ। ଏମସିଏଲ ସହିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ। କିନ୍ତୁ କିଛି ଦିନ ପରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚିଠି ଆସିଲା ଯେ ଏମଏସିଏଲ ଅଧିଗ୍ରହଣ କରିଥିବା ସୁନ୍ଦରଗଡ଼ ଜିଲ୍ଲାର କୌଣସି ଗାଁକୁ ନୂତନ ଆଇନ ଅନୁସାରେ କ୍ଷତିପୂରଣ ଦିଆଯିବା ସମ୍ଭବ ନୁହେଁ। ଅନ୍ୟଦିଗରେ ବିସ୍ଥାପିତଙ୍କ ଯୁକ୍ତି ଥିଲା ଯେ କୋଇଲା ଅଞ୍ଚଳରେ ନୂତନ ଜମି ଅଧିଗ୍ରହଣ ଆଇନ ୨୦୧୫ ମସିହାରୁ କାର୍ଯ୍ୟକାରୀ ହୋଇଛି। ଏମଏସିଏଲ ଅଧିଗ୍ରହଣ କରିଥିବା ଏହି ୪ଟି ଗାଁ ସେହି ସମୟ ବେଳକୁ କ୍ଷତିପୂରଣ ପାଇନଥିବାରୁ ଏଠାରେ ନୂତନ ଆଇନ କାର୍ଯ୍ୟକାରୀ ପାଇଁ ସରକାର ବାଧ୍ୟ ଅଟନ୍ତି। ତେଣୁ କୋଇଲା ମନ୍ତ୍ରଣାଳୟ ଏବଂ ଏମସିଏଲକୁ ଚ୍ୟାଲେଞ୍ଜ କରି ସୁନ୍ଦରଗଡ଼ ଜିଲ୍ଲା ରତନପୁର ହେମଲେଟର ରାଜେନ୍ଦ୍ର ନାଏକ ଏବଂ ତୁମୁଳିଆର ନାରାୟଣ ପଟେଲ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ୨୦୨୨ ମସିହାରେ ନଭେମ୍ବର ୩ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ ଏମସିଏଲ ଅଧିଗ୍ରହଣ କରିଥିବା ସୁନ୍ଦରଗଡ଼ ଜିଲ୍ଲାର ଏହି ୪ଟି ଗାଁ ନୂତନ ଜମି ଅଧିଗ୍ରହଣ ଆଇନରେ କ୍ଷତିପୂରଣ ପାଇଁ ଯୋଗ୍ୟ ଅଟନ୍ତି। ଏହି ଅବସରରେ ନ୍ୟାୟାଳୟ ପକ୍ଷରୁ ବିସ୍ଥାପିତଙ୍କ ଉନ୍ନତି ଏବଂ ଉଚିତ କ୍ଷତିପୂରଣ ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦେଶମାନ ମଧ୍ୟ ଦିଆଯାଇ ଥିଲା।
ଏହି ମାମଲାର ମୁଖ୍ୟ ଆବେଦକ ରାଜେନ୍ଦ୍ର ନାଏକ କହନ୍ତି, ଯଦି ଜନସମସ୍ୟା ନେଇ ସରକାର, ମନ୍ତ୍ରୀ ଏବଂ ଜନପ୍ରତିନିଧିମାନେ ଠିକ ବିଚାର କରିଥାଆନ୍ତେ ସାଧାରଣ ଲୋକଙ୍କୁ ଏତେ ଖର୍ଚାନ୍ତ ଏବଂ ନିର୍ଯାତନା ସହି ନ୍ୟାୟାଳୟକୁ ଯିବାକୁ ପଡ଼ନ୍ତା ନାହିଁ। କେବଳ ଭୋଟ ପାଇଁ ଆସୁଥିବା ଏହି ନେତାମାନଙ୍କୁ ରିଜେକ୍ଟ କରିବାର ସମୟ ଆସିଯାଇଛି। ଏହା ଉପଲବ୍ଧ କରି ସେ ଚଳିତ ବିଧାନସଭା ନିର୍ବାଚନରେ ସିପିଆଇ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଗୋପାଳପୁର ଗ୍ରାମ ପଞ୍ଚାୟତର ବିଜୁଳି ମରାମତି ସହାୟକଙ୍କ ପୁଅ ରାଜେନ୍ଦ୍ର ଚାଷ ସହିତ ୨୦୦୪ ମସିହାରୁ ସାମାଜିକ ସଙ୍ଗଠନ ଆଦିବାସୀ ଏକତା ମଞ୍ଚ ଜରିଆରେ ଆଦିବାସୀଙ୍କୁ ଜଙ୍ଗଲ ଜମି ଆଇନ ଅନୁସାରେ ପଟ୍ଟା ପାଇଁ କାର୍ଯ୍ୟ କରି ଆସୁଛନ୍ତି। ସେ କହନ୍ତି, ଦୀର୍ଘ ବର୍ଷ ଧରି ରାଜନୀତି ଏବଂ ନିର୍ବାଚନକୁ ଅସ୍ପୃଶ୍ୟ ନଜରରେ ଦେଖୁଥିଲେ। ସମସ୍ୟା ବହୁଳ ସୁନ୍ଦରଗଡ଼ର ସ୍ଥିତି ଏବଂ ୨୦୧୧ ମସିହାରେ ଅଂଶଗ୍ରହଣ କରିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମହିଁ ନିର୍ବାଚନ ପ୍ରତି ତାଙ୍କର ଆଭିମୁଖ୍ୟ ବଦଳାଇ ଦେଇଥିଲା। ଜଣେ ଉପଯୁକ୍ତ ଜନପ୍ରତିନିଧି ବ୍ୟବସ୍ଥାକୁ ବଦଳାଇବାର କ୍ଷମତା ରଖୁଥିବା ଅନୁଭବ କରିଥିଲେ। ରାଜେନ୍ଦ୍ର ବିଧାୟକ ଭାବରେ ପ୍ରଥମ କରି ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ୨୦ ବର୍ଷର ଲଢେଇହିଁ କହୁଛି, ଏମସିଏଲ, ଭୂଷଣ, ବେଦାନ୍ତ ଭଳି ବଡ଼ କାରଖାନାର ଖଣି ଥିବା ସୁନ୍ଦରଗଡ଼ ଆଜି କିଭଳି ବିସ୍ଥାପନ ଏବଂ ପ୍ରଦୂଷଣର ନର୍କକୁଣ଼୍ଡରେ ଘାଣ୍ଟି ହେଉଛି। ପ୍ରଥମତଃ ୧୫ ବର୍ଷ ପରେ ମଧ୍ୟ ଜଙ୍ଗଲ ଜମି ଅଧିକାର ଆଇନ ସୁନ୍ଦରଗଡ଼ରେ ଠିକ ଭାବରେ କାର୍ଯ୍ୟକାରୀ ହେଉ ନାହିଁ। ପରିଣାମସ୍ବରୂପ କୋଇଲା ଖଣି ପ୍ରଭାବିତ ଏହି ଅଞ୍ଚଳର ବିସ୍ଥାପିତ ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି। ଏପରିକି ସାମୁହିକ ଜଙ୍ଗଲ ପଟ୍ଟା ନଥିବାରୁ ସର୍ବନିମ୍ନ ସୁବିଧା ମଧ୍ୟ ପାଉ ନାହାନ୍ତି। ରାଜେନ୍ଦ୍ର କହନ୍ତି ସେଥିରେ ପୁଣି କୋଇଲା ନେଇ ଯାଉଥିବା ଭାରିଯାନ ପରିବହନ ଯୋଗୁଁ ରାସ୍ତାର ସ୍ଥିତି ଏଭଳି ଯେ ସାମାନ୍ୟ ଯାଦାୟାତ ପାଇଁ ଅନୁପଯୋଗୀ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଦୀର୍ଘ ବର୍ଷ ଧରି ବାଙ୍କେବାହାଲ-ଟପରିଆ ରାସ୍ତା ଗାତ ରେ ଭରି ଯାଇଥିଲା। ଏହା ବିରୋଧରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଗଠିତ ଜନଶକ୍ତି ବିକାଶ ପରିଷଦ ପକ୍ଷରୁ ୩ ମାସ ଧରି ଆନ୍ଦୋଳନ ସହିତ ଛତିଶଗଡ଼କୁ କୋଇଲା ଯୋଗାଣ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ଅନେକ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ସହିତ ସେମାନେ ଜେଲ ଯାଇଛନ୍ତି। ଏପରିକି ୧୭ ଜଣ ନାବାଳକଙ୍କୁ ୩୦ ଘଣ୍ଟା ଧରି ଅଟକ ରଖାଯାଇଥିବା ରାଜେନ୍ଦ୍ର ଅଭିଯୋଗ କରନ୍ତି। ଅଟକ ନେଇ ମଧ୍ୟ ବିଜେପି ବିଧାୟିକା କି ଶାସକ ଦଳ ବିଜେଡ଼ିର ପୂର୍ବତନ ବିଧାୟକ କେହି ମଧ୍ୟ ସ୍ବର ଉତ୍ତୋଳନ କରିନଥିଲେ। ଶେଷରେ ସ୍ଥିତି ଏଭଳି ହେଲା ଯେ ସରକାର ଡିଏମଏଫ ପାଣ୍ଠିରେ ଏହି
ରାସ୍ତା ମରାମତି ପାଇଁ ବାଧ୍ୟ ହୋଇଥିଲେ।
ଦ୍ବିତୀୟତଃ ହିମଗିରି ବ୍ଲକର ଜାମକାନିରେ ଭୂଷଣ କୋଲବ୍ଲକ ପାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟର ରାୟ ଆଧାରରେ ଏହା ବାତିଲ ହେବାରୁ ସେହି ଅଞ୍ଚଳରେ ଲୋକେ ଚାଷ ଆରମ୍ଭ କରିଦେଇଥିଲେ। ୧୫ ବର୍ଷ ପରେ ବେଦାନ୍ତ ସେହି ଅଞ୍ଚଳର କୋଲବ୍ଲକ ପାଇଥିଲା। ଏଠାରେ ବିସ୍ଥାପିତଙ୍କୁ ଏକର ପିଛା ମାତ୍ର ୬ ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଥିଲା। ଲୋକେ ଏହାର ବିରୋଧ କରି ୨୦୨୨ ମସିହାରେ ୯୮ ଦିନ ଧରି ଆନ୍ଦୋଳନ କରିଥିଲେ। ଶେଷରେ ୧୫ ଲକ୍ଷ କ୍ଷତିପୂରଣର ଘୋଷଣା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ହିମଗିରିରେ ଏମସିଏଲର ୪, ବେଦାନ୍ତ, ଏନଟିପିସି, ଓପିସିଏଲ ପ୍ରତ୍ୟେକର ଗୋଟିଏ ଲେଖାଏଁକୁ ମିଶାଇ ୭ଟି ଖଣି ରହିଛି। ସେଥିରେ ପୁଣି ଏହି ଅନୁସୂଚିତ ଅଞ୍ଚଳରେ ବିନା ଗ୍ରାମସଭାରେ ଆଦାନି ପକ୍ଷରୁ ଆଉ ଗୋଟିଏ ଖଣି ଉତ୍ତୋଳନ ପାଇଁ ପ୍ରସ୍ତୁତ ହୋଇ ସାରିଛି। କିନ୍ତୁ ଏଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ସ୍କୁଲର ଶିକ୍ଷକ ପଦ ଖାଲି ରହିଛି। ୨୫ ବର୍ଷ ଧରି ଖଣି ଥିବା ଗୋପାଳପୁର ପଞ୍ଚାୟତର ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସ୍ଥିତି ଜଟିଳ। ଏହା ଡାକ୍ତରଶୂନ୍ୟ ହୋଇ ପଡ଼ିଛି।। ସେତୁଟିଏ ନଥିବାରୁ ତେଲେନଡିହି ଖଣି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯାଇ ପାରୁ ନାହିଁ। କିନ୍ତୁ ଡିଏମଏଫ ପାଣ୍ଠି ଖର୍ଚ ଖଣି ପ୍ରଭାବିତ ଅଞ୍ଚଳରେ ନ ହୋଇ ବାହାରେ କରାଯାଉଥିବା ନେଇ ଅଭିଯୋଗ ହୁଏ। ଡିଏମଏଫ ପାଣ୍ଠିର ଦୁରୂପଯୋଗ ନେଇ ରାଜେନ୍ଦ୍ର ଏସଟି କମିସନଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ। ଏହାପରେ ୨୦୨୨ ମସିହାରେ ତତକାଳୀନ ଜିଲ୍ଲାପାଳ ଏହି ଅଂଚଳର ବିକାଶ ପାଇଁ ୧୫୦-୨୦୦ କୋଟିର ପ୍ରକଳ୍ପ ଘୋଷଣା କରିଥିଲେ। କଲେଜ ଯାତାୟାତ ପାଇଁ ବସ ବ୍ୟବସ୍ଥା କରିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ବଦଳି ହୋଇଯିବାରୁ ଶିକ୍ଷା ସ୍ବେଚ୍ଛାସେବୀ ନିଯୁକ୍ତି, ଆମ୍ବୁଲାନ୍ସ, ଚେକଡ୍ୟାମ ନିର୍ମାଣ ଭଳି ଅନୁମୋଦିତ ପ୍ରକଳ୍ପ ଝୁଲି ରହିଛି। ଏତେ ଖଣି ଥାଇ ମଧ୍ୟ ଲୋକେ ରୋଜଗାର ପାଇଁ ବାହାରକୁ ଯାଉଛନ୍ତି। ସୁନ୍ଦରଗଡ଼ ପାଇଁ ଏହା କେବଳ ସମସ୍ୟାର ଉଦାହରଣ ମାତ୍ର। ପରିସ୍ଥିତି ଆହୁରି ବିକଟ ରହିଛି। କିନ୍ତୁ ଜନସମ୍ପର୍କ ଏବଂ ଜନସମସ୍ୟା ସମାଧାନ ନାଁରେ ପ୍ରତିନିଧିମାନେ କେବଳ ବିବାହ, ବ୍ରତ ଏବଂ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ତେଣୁ ସମସ୍ୟା ବିରୋଧରେ ଯେଉଁମାନେ ଲଢୁଛନ୍ତି ତାଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହେବା ଉଚିତ ଦର୍ଶାଇ ଆଦିବାସୀ ଯୁବକ ରାଜେନ୍ଦ୍ର ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅବତିର୍ଣ୍ଣ ହୋଇଥିବା କହନ୍ତି।