ସାମାଜିକ ଗଣମାଧ୍ୟମରେ ରାଜନୈତିକ ଦଳ କେମିତି କରନ୍ତି ମିଛ ବିକ୍ରି

ଫେସବୁକ୍ ଖୋଲିଲେ ଆପଣ ନିୟମିତ ଦେଖୁଥିବେ ଜଣେ ବ୍ୟକ୍ତି ଗୋଟିଏ ଦଳ ବିରୋଧରେ ଏବଂ ଆଉ ଏକ ଦଳ ସପକ୍ଷରେ ପିଟୁସି ଦେଉଥିବେ କିମ୍ବା ଲୋକଙ୍କ ଠାରୁ ମତାମତ ସଂଗ୍ରହ କରୁଥିବେ। ଆଉ ଏକ ଭିଡିଓରେ ଅନ୍ୟ ଜଣେ ସରକାରୀ ଯୋଜନାର ଗୁଣଗାନ କରୁଥିବେ। ନିର୍ବାଚନ ପାଖେଇ ଆସିବା ସହିତ ଫେସବୁକ, ହ୍ବାଟ୍ସଆପ, ଟ୍ବିଟର, ଇନଷ୍ଟାଗ୍ରାମ କିମ୍ବା ଯେକୌଣସି ସାମାଜିକ ଗଣମାଧ୍ୟମରେ ରାଜନୈତିକ ଏବଂ ନିର୍ବାଚନ ପ୍ରଚାର ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରୁ ଅନେକ ଘୃଣା ସୃଷ୍ଟିକାରୀ ବାର୍ତ୍ତା ମଧ୍ୟ ରହୁଛି। ନିର୍ବାଚନ ପ୍ରଚାର ପାଇଁ ରାଜନୈତିକ ଦଳଗୁଡ଼ିକ ଏଥିପାଇଁ ଖର୍ଚ୍ଚ କରୁଛନ୍ତି। ଏକ ଆକଳନ ଅନୁସାରେ, କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇଁ ଖର୍ଚ୍ଚ କରୁଛନ୍ତି। ଏହାସହିତ ପ୍ରାର୍ଥୀମାନେ ବ୍ୟକ୍ତିଗତ ଭାବରେ ମଧ୍ୟ ଏଥିପାଇଁ ଖର୍ଚ୍ଚ କରୁଛନ୍ତି। 

ଘରକୁ ଘର ବୁଲି କିମ୍ବା ଜନସଭାରେ କେବଳ ନିର୍ବାଚନ ପ୍ରଚାର ହେଉ ନାହିଁ। ଲୋକଙ୍କ ମତକୁ ପ୍ରଭାବିତ କରିବାରେ ସାମାଜିକ ଗଣମାଧ୍ୟମ ପ୍ରମୁଖ ଭୂମିକା ନେଉଛି। ୨୦୧୪ ସାଧାରଣ ନିର୍ବାଚନରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ବର୍ତ୍ତମାନ ଏଭଳି ପ୍ରଚାର ଶୀର୍ଷରେ ପହଞ୍ଚିଛି। ଜାତୀୟ ସ୍ତରରେ ପ୍ରାୟ ୩୦୦ରୁ ୪୦୦ ରାଜନୈତିକ ପରାମର୍ଶଦାତା ସଂସ୍ଥା କର୍ପୋରେଟ ଶୈଳୀରେ କାର୍ଯ୍ୟ କରୁଛନ୍ତି। ରାଜ୍ୟର ଦୁଇ ପ୍ରମୁଖ ଦଳ ଦିଲ୍ଲୀ ଏବଂ ଗୁଜରାଟର ୮ରୁ ୧୦ଟି ଲେଖାଏଁ ରାଜନୈତିକ ପରାମର୍ଶଦାତା ସଂସ୍ଥାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏଥିମଧ୍ୟରୁ କିଛି ଭୁବନେଶ୍ବର ଏବଂ ଆଉ କିଛି ଦିଲ୍ଲୀ, ଅହମଦାବାଦରୁ ପରିଚାଳନା କରୁଛନ୍ତି। ଏଥିରେ ସଂସ୍ଥାମାନେ କେବଳ ସାମାଜିକ ଗଣମାଧ୍ୟମରେ ପ୍ରଚାର କରନ୍ତି ନାହିଁ। ନିର୍ବାଚନର ପ୍ରାୟ ୮ ମାସ ପୂର୍ବରୁ ସଂସ୍ଥାମାନଙ୍କ ପକ୍ଷରୁ ପୃଥକ ଭାବରେ ପ୍ରତ୍ୟେକ ଆସନ ପାଇଁ ସର୍ଭେ କରିଛନ୍ତି। ଯେଉଁଥିରେ ୫୦ରୁ ୫୪ ପର୍ଯ୍ୟନ୍ତ ପ୍ରଶ୍ନ ପଚାଯାଇଥିଲା। ଏ ସଂକ୍ରାନ୍ତରେ ରିପୋର୍ଟ ନିଯୁକ୍ତିଦାତା ରାଜନୈତିକ ସଂସ୍ଥାକୁ ଦିଆଯାଇଥିଲା। ସର୍ଭେ କେବଳ ପ୍ରାର୍ଥୀଙ୍କ ଜନପ୍ରିୟତା ବିଷୟରେ କୁହେ ନାହିଁ ବରଂ ପ୍ରସଙ୍ଗ ସମ୍ପର୍କରେ ସଂସ୍ଥାଗୁଡ଼ିକ ଅବଗତ ହୁଅନ୍ତି। ସେହି ଅନୁଯାୟୀ ପ୍ରଚାର ପାଇଁ ବିଷୟ ସହିତ ରିଲ୍ସ, ଗ୍ରାଫିକ ଏବଂ ଭିଡିଓ ପ୍ରସ୍ତୁତ କରନ୍ତି। ଯାହାକୁ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଏ। ଡିସେମ୍ବର ମାସରେ ବିଜ୍ଞାପନ ଜରିଆରେ ଯେଉଁ ଫେସବୁକ ପୋଷ୍ଟର ବୁଷ୍ଟ ପାଇଁ ୨୦୦ ରୁ ୨୫୦ ଟଙ୍କା ଦେବାକୁ ପଡ଼ୁଥିଲା ବର୍ତ୍ତମାନ ଏହା ୫ରୁ ୭ ହଜାର ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଗୋଟିଏ ସଂସ୍ଥା ପକ୍ଷରୁ ଗୋଟିଏ ପେଜରେ ୬୦ରୁ ୭୦ଟି ପୋଷ୍ଟ କରାଯାଉଛି। ଯେଉଁଥିରେ ସାଢ଼େ ୩ରୁ ୪ ଲକ୍ଷ ଟଙ୍କା କେବଳ ଫେସବୁକ ପୋଷ୍ଟର ବୁଷ୍ଟ କରିବାରେ ଖର୍ଚ୍ଚ କରୁଛନ୍ତି। ସବୁ ସଂସ୍ଥାଙ୍କ ପ୍ରତିଦିନର ଫେସବୁକ ପୋଷ୍ଟ ବୁଷ୍ଟ ଖର୍ଚ୍ଚର ହିସାବକୁ ଆକଳନ କଲେ ଏହା ୭୦ରୁ ୮୦ ଲକ୍ଷ ଟଙ୍କା। ପୋଷ୍ଟ ସେୟାର କିମ୍ବା କମେଣ୍ଟ ପାଇଁ ସଂସ୍ଥା ପକ୍ଷରୁ ମାସକୁ ୭ରୁ ୩୦ ହଜାର ଟଙ୍କାରେ ସ୍ବତନ୍ତ୍ର ଭାବରେ ଲୋକମାନଙ୍କୁ ନିଯୁକ୍ତି କରାଯାଇଛି। ଇନଷ୍ଟାଗ୍ରାମରେ ୧୦ ହଜାରରୁ ଅଧିକ ଫଲୋଅର୍‌ସ ଥିବା ଅଧିକାଂଶ ଇନଫ୍ଲୁଏନ୍ସର ବର୍ତ୍ତମାନ କୌଣସି ନା କୌଣସି ରାଜନୈତିକ ଦଳଙ୍କ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ସେମାନେ ଟଙ୍କା ପାଉଛନ୍ତି।  ଏହା ସହିତ ଗ୍ରାଉଣ୍ଡର ଭିଡିଓ ଟିମ୍‌ କାର୍ଯ୍ୟ କରୁଛନ୍ତି। ଆଇଭିଆର ବା ଟେଲିଫୋନ ଜରିଆରେ ମଧ୍ୟ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି। ଶହ ଶହ କୋଟିର ଏହି ନିବେଶରେ ୧୦୦ରୁ ଊର୍ଦ୍ଧ୍ବ ବେତନଯୁକ୍ତ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ନିର୍ବାଚନ ବହୁରାଷ୍ଟ୍ରୀୟ କମ୍ପାନିର ପ୍ରବନ୍ଧନ ଭଳି ହେଲାଣି। ଯେଉଁଠି ବଡ଼ ନିବେଶ ଥାଏ। ଏହାର ପରିଚାଳନା ମଧ୍ୟ ଖୁବ୍‌ ଜଟିଳ।

Facebook
Twitter
LinkedIn