କଣ କୁହନ୍ତି ବରିଷ୍ଠ ସାମ୍ବାଦିକ
ସମ୍ବଲପୁର ଲୋକସଭା ନିର୍ବାଚନରେ ଦୁଇ ବଡ଼ ନେତା ବିଜେପିର ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିର ପ୍ରଣବ ପ୍ରକାଶ ଦାସ ଆମ୍ନା-ସାମ୍ନାରେ ଅଛନ୍ତି। ୨୦୧୯ ମସିହାରେ ଏଠାରେ ବିଜେପିର ନିତେଶ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଯନ୍ତ୍ରୀ ନଳିନୀ ପ୍ରଧାନଙ୍କୁ ପରାଜିତ କରିଥିଲେ। ୨୦୧୪ ମସିହାରେ ବିଜେପି ପକ୍ଷରୁ ସୁରେଶ ପୂଜାରୀ ମୈଦାନକୁ ଆସିଥିଲେ ମଧ୍ୟ ବିଜେଡିର ନଗେନ୍ଦ୍ର ପ୍ରଧାନଙ୍କ ଠାରୁ ହାରି ଯାଇଥିଲେ। ୨୦୦୯ରେ କଂଗ୍ରେସର ଅମର ପ୍ରଧାନ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ପରାଜିତ କରିଥିଲେ। ତୃତୀୟ ସ୍ଥାନରେ ବିଜେପିର ସୁରେନ୍ଦ୍ର ଲାଠ ରହିଥିଲେ। ଚଳିତ ବର୍ଷ ବିଜେଡି ଏବଂ ବିଜେପିର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ମଧ୍ୟରେ ଏହି ଲଢେଇକୁ ନେଇ କଣ କୁହନ୍ତି ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ତାଳଚେରରେ। ଯାହା ଢେଙ୍କାନାଳ ଲୋକସଭା ମଣ୍ଡଳୀ ଅନ୍ତର୍ଗତରେ ରହିଛି। ଏହା ସତ୍ତ୍ବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ସେ ଢେଙ୍କାନାଳ ବଦଳରେ ସମ୍ବଲପୁର ଲୋକସଭା କ୍ଷେତ୍ରକୁ କାହିଁକି ବାଛିଲେ।
ଢେଙ୍କାନାଳ ଲୋକସଭା ନିର୍ବାଚନରେ ଆଜି ପର୍ଯ୍ୟନ୍ତ ବିଜେପି ଜିତି ପାରି ନାହିଁ। ୨୦୦୪ ମସିହାରୁ ଏହା ବିଜେଡିର କବ୍ଜାରେ ରହିଛି। ଏହି ଲୋକସଭା କ୍ଷେତ୍ର ଢେଙ୍କାନାଳ, ହିଣ୍ଡୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର ଏବଂ ଅନୁଗୁଳ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ। ୨୦୧୯ ନିର୍ବାଚନରେ ଏହି ସମସ୍ତ ବିଧାନସଭା ଆସନ ମଧ୍ବିୟ ବିଜେଡି ଖାତାକୁ ଯାଇଥିଲା। ଗୋଟିଏ ସମୟରେ ତାଳଚେର ଏବଂ ପାଲଲହଡ଼ାରେ ବିଜେପି ବିଧାୟକ ଥିଲେ। କିନ୍ତୁ ବର୍ତ୍ତମାନ ତାହା ମଧ୍ୟ ନାହିଁ। କିନ୍ତୁ ସମ୍ବଲପୁର ଲୋକସଭାର ଆସନ ବିଜେପି କବ୍ଜାରେ ରହିଛି। ଏହା ସହିତ ସମ୍ବଲପୁର, ରେଙ୍ଗାଲି, ଦେବଗଡ଼ରେ ତାଙ୍କ ଦଳର ବିଧାୟକ ଅଛନ୍ତି। ୨୦୧୪ରେ କୁଚିଣ୍ଡା ବିଜେପି ହାତରେ ଥିଲା। ରେଢାଖୋଲ ବିଧାନସଭାରେ ମଧ୍ୟ ସେମାନଙ୍କ ୩୦ ହଜାର ଭୋଟ ରହିଛି। ଛେଣ୍ଡିପଦା ଏବଂ ଆଠମଲ୍ଲିକରେ ଯାହା ବିଜେପି ଦୁର୍ବଳ ସ୍ଥିତିରେ ରହିଛି। ତେଣୁ ଢେଙ୍କାନାଳ ଅପେକ୍ଷା ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ଜିତିବାର ସମ୍ଭାବନା ଅଧିକ ଥିବାରୁ ଏଠାରେ ପ୍ରତିଦ୍ବନ୍ଦିତା କରିବା ତାଙ୍କର ସ୍ବାଭାବିକ ନିଷ୍ପତ୍ତି ଅଟେ।
ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ମସିହାରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିିଲେ। ହଠାତ ନିର୍ବାଚନ ଲଢିବା ପାଇଁ କାହିଁକି ଚିନ୍ତା କରିଥିବେ ଏବଂ ଏଥିପାଇଁ ତାଙ୍କ ପ୍ରସ୍ତୁତି କେବେ ଠାରୁ।
ଧର୍ମେନ୍ଦ୍ର ପ୍ରଧାନ ୨୦୦୪ ମସିହାରେ ଦେବଗଡ଼ ସାଂସଦ ଥିଲେ। ଏହା ପୂର୍ବରୁ ଏହି ଆସନରେ ତାଙ୍କ ବାପା ଦେବେନ୍ଦ୍ର ପ୍ରଧାନ ୧୯୯୮ ଏବଂ ୧୯୯୯ ମସିହାରେ ଦୁଇ ଥର ସାଂସଦ ଥିଲେ। ବର୍ତ୍ତମାନ ଦେବଗଡ଼ ସଂସଦୀୟ କ୍ଷେତ୍ର ନାହିଁ। ଦେବଗଡ଼ ବିଧାନସଭା ସମ୍ବଲପୁର ଅଧୀନକୁ ଚାଲି ଆସିଛି। ୨୦୦୯ ମସିହାରେ ସେ ପାଲଲହଡ଼ା ବିଧାନସଭା ଆସନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ତା ପର ଠାରୁ ସେ ପ୍ରତ୍ୟକ୍ଷ ନିର୍ବାଚନ ଲଢି ନାହାନ୍ତି। ତେଣୁ ଏହାକୁ ନେଇ ତାଙ୍କୁ ବିଭିନ୍ନ ସମୟରେ ଆକ୍ଷେପ କରାଯାଏ ଯେ ସେ ଆକାଶରୁ ଉଡ଼ି ଆସିଛନ୍ତି। ସମ୍ଭବତଃ ଏହାର ଜବାବ ଦେବା ପାଇଁ ଚଳିତ ବର୍ଷ ଲୋକସଭା ନିର୍ବାଚନ ଲଢୁଛନ୍ତି। ସମ୍ବଲପୁରରେ ଲଢିବା ନେଇ ତାଙ୍କ ପ୍ରସ୍ତୁତି ଆଜିର ନୁହେଁ ୨୦୧୯ ମସିହା ପରଠାରୁ ଆରମ୍ଭ କରିଛନ୍ତି। ଲୋକଙ୍କ ସହିତ ଲଗାତାର ଜନସମ୍ପର୍କରେ ରହିଛନ୍ତି। ପୂର୍ବରୁ ଦେବଗଡ଼ ସାଂସଦ ହୋଇଥିବାରୁ ଏହା ତାଙ୍କ ପାଇଁ ସୁବିଧାଜନକ ହୋଇଛି।
ଯାଜପୁର ଜିଲ୍ଲାର ପ୍ରଣବ ପ୍ରକାଶ ଦାସ ୨୦୦୯ ମସିହାରୁ ଲଗାତାର ଦୁଇ ଥର ଯାଜପୁର ବିଧାୟକ ଅଛନ୍ତି। ତାଙ୍କୁ ରାଜ୍ୟ ବିଜେଡିର ଅଗ୍ରଣୀ ନେତା ଭାବରେ ବିବେଚନ କରାଯାଏ। ସମ୍ବଲପୁର ସାଂସଦ ଭାବରେ ନିର୍ବାଚନରେ ଛିଡ଼ା କରାଇବା ନେଇ ଦଳର କଣ ରଣନୀତି ରହିଛି
ମୋ ହିସାବରେ ବିଜେଡି ଏଠି କାହାକୁ ଲଢିବା ପାଇଁ ପଠାଇ ନାହିଁ। ଶେଷ ମୁହୂର୍ତ୍ତରେ ଉଭୟ ଦଳର ମେଣ୍ଟ ଭାଙ୍ଗିଗଲା। ତେଣୁ ଯାହାକୁ ହେଲେ ଦଳ ପ୍ରାର୍ଥୀ କରି ଥାଆନ୍ତା। ସେହି ଦୃଷ୍ଟିରୁ ପ୍ରଣବ ପ୍ରକାଶ ଛିଡ଼ା ହୋଇଛନ୍ତି। ତାଙ୍କୁ ଦଳ ପ୍ରାର୍ଥୀ କରିବା କିମ୍ବା ସମ୍ବଲପୁରର ସ୍ଥାନୀୟ ବିଜେଡି ନେତା ଆମେ ଲଢିବୁ ନାହିଁ ଆପଣ ଲଢନ୍ତୁ ଏହା କହିବାର ଅନେକ ପୂର୍ବରୁ ବବି ଦାସ ନିଜେ ଘୋଷଣା କରିଥିଲେ ଯେ ସେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବେ। ତେଣୁ ସେ ଲଢୁଛନ୍ତି।
ଦୁଇ ହେବିଓ୍ବେଟ ଲଢେଇର ପ୍ରଭାବ କଣ ରହିବ। ସମ୍ବଲପୁର ଲୋକସଭାର ମତଦାତା ଲାଭାନ୍ବିତ ହେବେ କି
ଦୁଇ ହେବିଓ୍ବେଟ ଲଢେଇ ଫଳରେ ନିର୍ବାଚନରେ କେବଳ ଖର୍ଚ ଅଧିକ ହେବ। ଆର୍ଥିକ ଦୃଷ୍ଟିରୁ କିଛି ଲୋକ ଏବଂ କାର୍ଯ୍ୟକର୍ତ୍ତା ଲାଭାନ୍ବିତ ହେବେ।
ନିର୍ବାଚନ ପ୍ରସଙ୍ଗ ଭିତ୍ତିକ ହେବ କି
କଣ ପ୍ରସଙ୍ଗ, କିଛି ପ୍ରସଙ୍ଗ ଭିତ୍ତିକ ହେବ ନାହିଁ।
ସମ୍ବଲପୁର ଜିଲ୍ଲାରେ ସମ୍ବଲପୁର ଏବଂ ସମ୍ବଲପୁରୀ ଭାଷାକୁ ଅନେକ କାର୍ଯ୍ୟକ୍ରମ ହୁଏ। ଆଞ୍ଚଳିକତାବାଦ ଏଠାରେ ବଡ଼ ପ୍ରସଙ୍ଗ। ଉଭୟ ଧର୍ମେନ୍ଦ୍ର ପ୍ରଧାନ ଏବଂ ବବି ଦାସ ସମ୍ବଲପୁର କିମ୍ବା ସମ୍ବଲପୁର ନିର୍ବାଚନ ମଣ୍ଡଳୀର କୌଣସି ଅଞ୍ଚଳର ନୁହଁନ୍ତି। ଏହା ସତ୍ତ୍ବେ ପ୍ରଖର ସ୍ବରରେ ବାହାରିଆ ପ୍ରାର୍ଥୀ କଥା ଉଠାଯାଉ ନାହିଁ କାହିଁକି।
-ଏହାର ସିଧା ସରଳ ଉତ୍ତର ହେଲା, କେବଳ ସମ୍ବଲପୁର ନୁହେଁ ସବୁଠି ଲୋକେ କ୍ଷମତା ସହିତ ରହିବାକୁ ଚାହାନ୍ତି। ଦୁଇ ଦଳର କ୍ଷମତାଶାଳୀ ନେତା ଏଠାରୁ ଛିଡ଼ା ହେଉଥିବାରୁ ଆଞ୍ଚଳିକତାବାଦକୁ ନେଇ କେହି ପ୍ରଶ୍ନ କରୁ ନାହାନ୍ତି।
ଲୋକସଭା ଏବଂ ବିଧାନସଭା ଲଢେଇ ପରସ୍ପରକୁ ପ୍ରଭାବିତ କରେ। ତେଣୁ ଏହି ବଡ଼ ଦୁଇ ନେତାଙ୍କ ଲଢେଇ ଅନ୍ୟ ବିଧାନସଭା ନିର୍ବାଚନକୁ କେମିତି ପ୍ରଭାବିତ କରିବ।
ସମ୍ବଲପୁର ଲୋକସଭା ଅନ୍ତର୍ଗତ ବିଧାନସଭା ନିର୍ବାଚନ ଲଢେଇ ପାଇଁ ସରକାରୀ ଦଳ ନିଜର ସବୁ ଶକ୍ତି ଖଟାଇବେ। ସରକାରୀ କଳର ମଧ୍ୟ ସବୁ ପ୍ରକାର ବ୍ୟବହାର ହେବ। କିନ୍ତୁ ସାଂସଦ ନିର୍ବାଚନରେ ସେମିତି ଶକ୍ତି ପ୍ରୟୋଗ ହେବ ନାହିଁ।
ଏହି ଲଢେଇରୁ କଂଗ୍ରେସ କିଛି ଲାଭ ପାଇବ
କଂଗ୍ରେସ କୌଣସି ଲାଭ ପାଇବ ନାହିଁ। ବିଜେଡି ଏବଂ ବିଜେପି ମଧ୍ୟରେ ଥିବା ସମ୍ପର୍କ କାହାକୁ ଅଛପା ନାହିଁ। ସେହି ଦୃଷ୍ଟିରୁ ଯେଉଁ ବିଜେପି ବିରୋଧୀ ବିଜେଡିକୁ ଭୋଟ ଦେଉଥିଲେ ସେଥିରୁ କିଛି ଭୋଟ କଂଗ୍ରେସକୁ ଯିବାର ଆଶା ରହିଛି। ଚଳିତ ନିର୍ବାଚନରେ କଂଗ୍ରେସ ୨୦୧୯ ମସିହା ଅପେକ୍ଷା ଅଧିକ ଭୋଟ ପାଇବାର ଆଶା ରହିଛି।
Nice analysis