ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କ ୨.୫୮ ଲକ୍ଷର ଔଷଧ ଖର୍ଚ ବହନ କରିବ ସ୍ବାସ୍ଥ୍ୟ ବିଭାଗ

ଭିଜିଲାନ୍ସ ଜାଲରେ ଧରିପଡ଼ିଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପୁରସ୍କାର। ସମସ୍ତ ପ୍ରକାର ନିୟମ ଉଲ୍ଲଂଘନ କରାଯାଇ ଚିକିତ୍ସା ଖର୍ଚ ନାମରେ  ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମମତା ବାରିକଙ୍କୁ ୨.୫୮ ଲକ୍ଷ ଟଙ୍କା ପ୍ରଦାନ କରିବ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ବିଭାଗର ବୈଷୟିକ କମିଟିର ସର୍ବସମ୍ମତି କ୍ରମେ ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବର୍ତ୍ତମାନର ଡ୍ରଗ୍ସ କଣ୍ଟ୍ରୋଲର ଏବଂ ମେଡିକାଲ ଆଟାଣ୍ଡାଣ୍ଟ ବିଭାଗର ଅଧିକାରୀ ମମତା ବାରିକ ତହସିଲଦାର ଥିବା ସମୟରେ ଆଦାୟ କରିଥିବା ରାଜସ୍ବ ଜମା କରିନଥିବା ନେଇ ଅଭିଯୋଗ ହୋଇଥିଲା। ଏଥିସଂକ୍ରାନ୍ତରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜ୍ଜୁ କରିଛି। ହାଇକୋର୍ଟରୁ ଜାମିନ ପାଇ ୨୦୧୮ ମସିହାରୁ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଗତବର୍ଷ ଅଗଷ୍ଟ ୩୦ ତାରିଖରେ ତାଙ୍କ ବାପା ସମ ଅଲ୍ଟିମେଟ ମେଡିକେୟାରରେ ୩ ଦିନ ଭର୍ତ୍ତି ହୋଇଥିଲେ। ଏହି  ସମୟରେ ତାଙ୍କର  ଚିକିତ୍ସା ଖର୍ଚ ୨.୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏଥିରୁ ୨.୫୮ ଲକ୍ଷ ଟଙ୍କା ବିଭାଗ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଡିଏମଇଟି ଓଡ଼ିଶା, ଡିଏଚଏସ ଓଡ଼ିଶାଙ୍କ ମିଳିତ ନିଷ୍ପତ୍ତି ଅନୁସାରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏହି ଟଙ୍କା ପ୍ରଦାନର ପ୍ରସ୍ତାବ ଅନୁମୋଦିତ ହୋଇଛି। ସରକାରୀ ନିୟମ ଅନୁଯାୟୀ, ସରକାରୀ କର୍ମଚାରୀ ଏବଂ ତାଙ୍କ ଉପରେ ନିର୍ଭରଶୀଳଙ୍କ ସ୍ବାସ୍ଥ୍ୟ ଖର୍ଚ ସରକାର ବହନ କରିଥାଆନ୍ତି। ମମତା ବାରିକଙ୍କ ପିତା ନିଜ ଝିଅ ଉପରେ ନିର୍ଭରଶୀଳ ନଥିବା ନେଇ ଅଭିଯୋଗ ହୋଇଛି। ଏହା ସତ୍ତ୍ବେ ତାଙ୍କ ଝିଅଙ୍କୁ ପିତାଙ୍କ ନାମରେ କିଭଳି ସ୍ବାସ୍ଥ୍ୟ ଖର୍ଚ ଟଙ୍କା ପ୍ରଦାନ ପାଇଁ ବିଭାଗ ନିଷ୍ପତ୍ତି ନେଇଛି ତାକୁ ନେଇ ପ୍ରଶ୍ନ କରାଯାଉଛି। ଯୁଗ୍ମ ସଚିବ ମମତା ବାରିକ ଯେଉଁ ସେକ୍ସନର ଦାୟିତ୍ବରେ ଅଛନ୍ତି, ସେହି ସେକ୍ସନହିଁ ସ୍ବାସ୍ଥ୍ୟ ଖର୍ଚ ନାମରେ କେଉଁ କର୍ମଚାରୀଙ୍କୁ କେତେ ଦିଆଯିବ ତାହା ନିଷ୍ପତ୍ତି କରିଥାଏ।
Facebook
Twitter
LinkedIn
WhatsApp