ନିର୍ବାଚନ ଫଳାଫଳ ଘୋଷଣାର ମାତ୍ର ଗୋଟିଏ ଦିନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀର ବକ୍ତବ୍ୟ ଅନେକ ରୋଗୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କାରଣ ସଭାପତିଙ୍କ ଏହି ବକ୍ତବ୍ୟ ପରେ ସୁଯୋଗ ଉଣ୍ଡୁଥିବା ଭଳି ଅନେକ ଘରୋଇ ଡାକ୍ତରଖାନାଗୁଡ଼ିକ ରୋଗୀଙ୍କ ଠାରୁ କାର୍ଡ ଗ୍ରହଣ ପାଇଁ ମନା କରି ଦେଇଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ ରାଜ୍ୟପାଳ ଏହି ଘଟଣା ନେଇ ହସ୍ତକ୍ଷେପ ପରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଳବତ୍ତର ରହିବା ନେଇ ମୁଖ୍ୟ ଶାସନ ସଚିବ ଏବଂ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦେଶ ପରେ ରୋଗୀ ଆଶ୍ବସ୍ତ ହୋଇଥିଲେ।
ରୋଗୀଙ୍କ କଥା ସାମାନ୍ୟତମ ଚିନ୍ତା ନ କରି ମୁଖ୍ୟମନ୍ତ୍ରୀ ଚୟନ, ସରକାର ଗଠନ ପୂର୍ବରୁ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କିଭଳି ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେଇ ପାରିଲେ ତାହା ପ୍ରଶ୍ନବାଚୀ। ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ ଖୁବ ମନେ ପଡିଲେ। ଅପେକ୍ଷା ଥିଲା, ବିରୋଧୀ ଦଳର କେହି ବଡ଼ ନେତା ମନମୋହନଙ୍କ ମନ୍ତବ୍ୟ ପାଇଁ ପ୍ରଶ୍ନ କରିବେ। ଶାସକ ଦଳର ସଭାପତି ଭାବରେ ତାଗିଦ କରିବେ କିନ୍ତୁ ତାହା ହେଲା ନାହିଁ। ଆଜି ବିଜେପି ସଂଖ୍ୟାଗରିଷ୍ଠତା ହାସଲ ନକରି ବିରୋଧୀରେ ଥାଆନ୍ତା ତେବେ ବିରୋଧୀ କାର୍ଯ୍ୟ କରନ୍ତି ତାହା ଶିଖାଇ ଦେଇଥାଆନ୍ତା। ପ୍ରଥମରେ ତ ଖୁବ ହଟ୍ଟଗୋଳ ସୃଷ୍ଟି କରିଥାଆନ୍ତା। ସାମାଜିକ ଗଣମାଧ୍ୟମରେ ଏଭଳି ଖଳନାୟକ ଭାବରେ ଚିତ୍ରଣ ହୋଇଥାଆନ୍ତା ଯେ ସଭାପତିଙ୍କ ମନ୍ତବ୍ୟ ସରକାରଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରି ଥାଆନ୍ତା। ୨୦୦୦ରୁ ୨୦୦୯ ମସିହା ମେଣ୍ଟ ସରକାରଙ୍କ କାର୍ଯ୍ୟକାଳ ସମୟରେ ବିଜେପିର ଭୂମିକା ସର୍ବଦା ପ୍ରଶ୍ନ ଘେରରେ ରହିଛି। ଏଥିରେ କେବଳ କନ୍ଧମାଳ ଦଙ୍ଗାରେ ବିଜେପିର ସନ୍ଦିଗ୍ଧ ଭୂମିକା ନାହିଁ ବରଂ ନଗର ଉନ୍ନୟନ ମନ୍ତ୍ରୀ କେଭି ସିଂହଦେଓଙ୍କ କାର୍ଯ୍ୟକାଳ ସମୟରେ ହାଉସିଂ ବୋର୍ଡ ଦୁର୍ନୀତି ଭଳି ଘଟଣା ମଧ୍ୟ ରହିଛି। ଭୁବନେଶ୍ବରର ହାଇପ୍ରୋଫାଇଲ ଦେହ ବ୍ୟବସାୟୀ ଅର୍ଚନା ନାଗଙ୍କ ଗିରଫ ବେଳେ ତାଙ୍କ ସହିତ ସମ୍ପର୍କରେ ଥିବା ରାଜନେତାଙ୍କ ମଧ୍ୟରେ କେଭି ସିଂହଦେଓ ଥିବା ନେଇ ତତକାଳୀନ ଅନେକ ରାଜନେତା ଅଭିଯୋଗ କରିଥିଲେ। ସେହି କନକ ବର୍ଧନ ସିଂହଦେଓଙ୍କୁ ବର୍ତ୍ତମାନ ନୂତନ ବିଜେପି ସରକାରଙ୍କ ସମୟରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ଦିଆଯାଇଛି। ତାଙ୍କ କାର୍ଯ୍ୟକାଳରେ ଯେ ଏତେ ବଡ଼ ଦୁର୍ନୀତି ଘଟିଥିଲା ଏପରିକି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଦଳ ମେଣ୍ଟ ସରକାର ଥିବା ସମୟରେ ୨୦୦୦ ମସିହାରେ ମାଇକଞ୍ଚ ଗୁଳିକାଣ୍ଡ, ୨୦୦୧ ଏବଂ ୨୦୦୨ ମସିହାରେ ରାଇଘର ଗୁଳିକାଣ୍ଡ, ୨୦୦୬ ମସିହାରେ କଳିଙ୍ଗନଗର ଗୁଳିକାଣ୍ଡରେ ଅନେକ ଜନଜାତିଙ୍କ ଅମୂଲ୍ୟ ଜୀବନ ଯାଇଛି। ସେହି ସମୟରେ ସେ ନିରବ ରହିଥିବା କୁହାଯାଏ। ଏହି ସମୁଦାୟ ପ୍ରସଙ୍ଗକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କଂଗ୍ରେସ କିମ୍ବା ବିଜେଡ଼ି ନେତାତ ଉଠାଇ ନାହାନ୍ତି। ସାମାଜିକ ଗଣମାଧ୍ୟମରେ ତାକୁ ନେଇ ପ୍ରଶ୍ନ ନାହିଁ। ବିରୋଧୀ ଦଳ କେମିତି ହୁଅନ୍ତି ତାହା ବିଜେପି ଠାରୁ ସମସ୍ତେ ଶିଖିବା ଉଚିତ। ଏହା କେବଳ ଉଦାହରଣ ଆଗକୁ ବିରୋଧୀ ଦଳ ଭୂମିକାରେ ବିଜେଡ଼ି ଏବଂ କଂଗ୍ରେସ କଣ କରୁଛନ୍ତି ତାକୁ ନେଇ ସମସ୍ତଙ୍କ ନଜର ରହିଛି।