ବରଗଡ଼ ଜିଲ୍ଲାରେ ପ୍ରତି ଗାଁରେ ସ୍ମାର୍ଟ ମିଟର ଫିଙ୍ଗି ଦିଆଯାଉଛି। ଅନୁମାନ ଅନୁସାରେ, ୧୦ ହଜାରରୁ ଅଧିକ ଗ୍ରାହକ ଜବଦସ୍ତି ଲଗା ଯାଇଥିବା ଏହି ମିଟର ଫିଙ୍ଗି ଦେଇଛନ୍ତି। ଖାଉଟିଙ୍କ ବିନା ଅନୁମତିରେ ଖାଉଟିଙ୍କ ଟଙ୍କାରେ ଏହି ମିଟର ଲଗାଇବା ଅଧିକାର ଟାଟା କମ୍ପାନିକୁ କିଏ ଦେଲା ବୋଲି ପ୍ରଶ୍ନ ହେଉଛି। ସେଥିରେ ପୁଣି ଯେଉଁ ବିଲ ଆସୁଛି ସେଥିରେ ପରିବାର ଆର୍ଥିକ ମାନଦଣ୍ଡ ଭାଙ୍ଗି ଯାଉଛି। ଚାଷୀଙ୍କ ନେତୃତ୍ବରେ ବରଗଡ଼ ଜିଲ୍ଲାରେ ଚାଲିଥିବା ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନରେ ସାଧାରଣ ଖାଉଟି ମଧ୍ୟ ଯୋଡ଼ି ହୋଇଛନ୍ତି। ବରଗଡ଼ ବାର ଆସୋସିଏସନ ଏହାକୁ ସମର୍ଥନ କିଛି। ସ୍ମାର୍ଟ ମିଟରକୁ ବିରୋଧ କାହିଁକି ଏବଂ ଚାଷୀ ଏହାକୁ ନେଇ କାହିଁକି ଲଢେଇ କରୁଛି ସେ ବିଷୟରେ କହିଛନ୍ତି ଚାଷୀ ନେତା ରମେଶ ମହାପାତ୍ର।
ସ୍ମାର୍ଟ ମିଟରକୁ ବିରୋଧ କାହିଁକି
-ବିଜୁଳି ବିତରଣ ବ୍ୟବସ୍ଥା ଯେବେ ଠାରୁ ଆରମ୍ଭ ହୋଇଛି ବିଜୁଳି ଖର୍ଚ ଆକଳନ ପାଇଁ ବିଜୁଳି ସଂଯୋଗ ସହିତ ମିଟର ରହିଥାଏ। ବିଜୁଳି ବିତରଣ ସଂସ୍ଥା ବଦଳିଲେ, ମିଟର ବଦଳି ଯାଏ। କିଛି ବର୍ଷ ପୂର୍ବରୁ ଡିଜିଟାଲ ମିଟର ଦିଆଯାଇଥିଲା, ସେତେବେଳେ କୁହାଯାଇଥିଲା, ଏହି ମିଟର ଜରିଆରେ ସଠିକ ବିଜୁଳି ଆକଳନ ହୋଇ ପାରିବ। ନୂଆଁ ସହିତ ଯେତେ ପୁରୁଣା ଗ୍ରାହକ ଥିଲେ, ଯାହାଙ୍କ ପୂର୍ବରୁ ମଧ୍ୟ ମିଟର ଥିଲା, ସେମାନେ ମଧ୍ୟ ଡିଜିଟାଲ ମିଟର ଲଗାଇଲେ। ଏଥିପାଇଁ ମାସକୁ ୪୦ ଟଙ୍କା ୮୦ ମାସ ପର୍ଯ୍ୟନ୍ତ ଦେଇଥିଲୁଁ। ସେହି ମିଟର ଅନୁସାରେ ଟଙ୍କା ନେଲେ। ଏବେ ପୁଣି ନୂଆଁ କମ୍ପାନି ଟାଟା ଆସିଲା। ସେମାନେ ନିଜର ନୂତନ ମିଟର ଆଣିଲେ। ଏମାନେ ଖାଉଟିଙ୍କ ବିନା ଅନୁମତିରେ ଘରେ ସ୍ମାର୍ଟ ମିଟର ଲଗାଇ ଦେଉଛନ୍ତି। ଏଥିପାଇଁ ମଧ୍ୟ ଦେୟ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଛି। ୬୦ ମାସ ପର୍ଯ୍ୟନ୍ତ ୬୦ ଟଙ୍କା ଜବରଦସ୍ତି ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଆହୁରି ପୁଣି କଣ ପାଇଁ ବିରୋଧ
-ସ୍ମାର୍ଟ ମିଟରରେ ୩ ସମସ୍ୟା ରହିଛି। ପ୍ରଥମତଃ ୯୦ ଦିନ ମଧ୍ୟରେ ଏହାର ବକେୟା ବାକି ରହିଲେ, ଗ୍ରାହକଙ୍କୁ ପୂର୍ବ ଚେତାବନୀ ଦିଆନଯାଇ ବିଜୁଳି କାଟି ଦିଆଯାଉଛି। ଗ୍ରାହକ ଏହି ବିଷୟରେ ଜାଣି ମଧ୍ୟ ପାରୁ ନାହାନ୍ତି। ପୂର୍ବରୁ ବିଭିନ୍ନ କାରଣ ପାଇଁ ନିର୍ଦିଷ୍ଟ ସମୟ ମଧ୍ୟରେ ଗ୍ରାହକ ଦେୟ ଦେଇ ପାରୁନଥିଲେ, ତାଙ୍କୁ ଟଙ୍କା ପୈଠ ପାଇଁ କିଛି ସମୟ ମିଳୁଥିଲା। ବର୍ତ୍ତମାନ କୌଣସି ଅବଧି ନାହିଁ। ଅଟୋମେଟିକ ସବୁ କଟି ଯାଉଛି। ବକେୟା ୫ ହଜାର ବାକି ରହିଲେ, ଆପେ କଟିଯିବ। ଯାହା ଜଣାପଡ଼ୁଛି, ଆଗାମୀ ଦିନରେ ଏହି ବିଜୁଳି ମିଟର ପ୍ରି-ପେଡ୍ ହେବ।
ଚାଷୀଙ୍କ ବିରୋଧର ମୁଖ୍ୟ କାରଣ କଣ
- ଚାଷ ବର୍ତ୍ତମାନ ଯାନ୍ତ୍ରୀକରଣ ହେଉଛି। ନିଜେ ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ବିଜୁଳି ଖର୍ଚ ଅଧିକ ହେଉଛି। ପୁରୁଣା ମିଟରରେ ଯେଉଁ ବ୍ୟକ୍ତି ୫୦୦ରୁ ୬୦୦ ଟଙ୍କା ଦେଉଥିଲା, ଡିଜିଟାଲ ମିଟରରେ ୧ ହଜାର ଟଙ୍କା ଦେଲେ। ସ୍ମାର୍ଟ ମିଟରରେ କୌଣସି ଚାଷୀଙ୍କ ବିଲ ୩୦୦୦ ଟଙ୍କାରୁ କମ ଆସୁ ନାହିଁ। ବର୍ତ୍ତମାନ ସ୍ଥିତିରେ ସ୍ମାର୍ଟ ମିଟର ଲଗାଇବା ପରେ ଚାଷୀଙ୍କୁ ଏକର ହିସାବରେ ଜଳସେଚନ ପାଇଁ ୧୫ରୁ ୧୭ ହଜାର ଟଙ୍କା ଦେବାକୁ ପଡ଼ୁଛି। ଜଳସେଚନ ପାଇଁତ ବିଜୁଳି ଆବଶ୍ୟକ ପଡ଼ୁଛି, ପାଣି ପାଇଁ ଏତେ ଖର୍ଚ କଲେ କେଉଁ ଚାଷୀ ଚାଷ କରିପାରିବ। ଏତେ ଟଙ୍କା ଚାଷୀ କେଉଁଠ ଆଣିବେ ବୋଲି ପଚାରୁଛନ୍ତି।
-
ପ୍ରଶାସନ ସହିତ ହୋଇଥିବା ଆଲୋଚନାରେ ସଙ୍ଗଠନ ମୁଖ୍ୟତଃ କେଉଁ ବିନ୍ଦୂକୁ ଗୁରୁତ୍ବ ଦେଇଛି।
- ୪ଟି ପ୍ରସଙ୍ଗକୁ ନେଇ ପ୍ରଶାସନ ସହିତ ଆଲୋଚନା କରିଛୁଁ। ପ୍ରଥମତଃ ଜଳସେଚନ ଆଧାରରେ ବିଜୁଳି ବିଲ ନେବା ଉଚିତ। ଦ୍ବିତୀୟତଃ ଓଡ଼ିଶା ଗରିବ ରାଜ୍ୟ ହୋଇଥିବାରୁ ୩୦୦ ୟୁନିଟ ମାଗଣା ଦିଆଯାଉ। ତୃତୀୟତଃ ଓଡ଼ିଶାରେ ବିଜୁଳି ଉପଭୋକ୍ତାମାନେ ଅନେକ ପ୍ରକାରର ଅଟନ୍ତି। ଯଥା ଦିନଦୟାଲ ଉପାଧ୍ୟାୟ ବିଜୁଳି ଉପଭୋକ୍ତା, ବିଜୁ କୁଟିର ଯୋଜନା, ରାଜୀବ ଗାନ୍ଧି ଜ୍ୟୋତି ଯୋଜନା ଯେଉଁଠି ଗରିବଙ୍କୁ ୮୦ ଟଙ୍କାରେ ପଙ୍ଖା ଏବଂ ବିଜୁଳି ଦେଉଥିଲେ। ଗରିବମାନଙ୍କୁ ରିହାତି ଏବଂ କିଛି ଲୋକଙ୍କୁ ମାଗଣା ଦିଆଯାଉଥିଲା। ବର୍ତ୍ତମାନ ସମସ୍ତଙ୍କ ଘରେ ମିଟର ଲଗାଇ ସେହି ଅନୁଯାୟୀ ମାତ୍ରାଧିକ ବିଲ ଆଦାୟ ହେଉଛି। ଏହା ବନ୍ଦ ହେଉ। ଅନ୍ତୋଦୟ, ଅନ୍ନପୂର୍ଣ୍ଣା କି ବିପିଏଲ ଯିଏବି ହୋଇଥାଆନ୍ତୁ ଯେତେବି ଗରିବ ହୋଇଥାଆନ୍ତୁ ମାଗଣା କି ୮୦ ଟଙ୍କା ଦେଉଥିଲେ ସମସ୍ତେ ସର୍ବନିମ୍ନ ୫୦୦ ଟଙ୍କା ଦେଉଛନ୍ତି। ଯେଉଁ ଗରିବଙ୍କୁ ଗରିବ ବୋଲି ମାଗଣାରେ ଚାଉଳ ଦେଉଛ ସେ ୫୦୦ ଟଙ୍କାର ବିଜୁଳି ବିଲ କେଉଁଠୁ ଦେବ। ସେହି ବିଲ ପୁଣି ବିଜୁଳି ଡ୍ୟୁଟି, ମ୍ୟାନେଜମେଣ୍ଟ ଡ୍ୟୁଟି, ମିଟର ଡ୍ୟୁଟି ଅଧିକାଂଶ ବିଜୁଳି ଖର୍ଚ ହୋଇନଥିବା ଦେୟ ଅଟେ। ଚତୁର୍ଥ ବିଜୁଳି କର୍ମଚାରୀ ବ୍ୟବହାରରେ ସୁଧାର କରନ୍ତୁ।
ପୂର୍ବରୁ ୮୦ ଟଙ୍କା ଦେଉଥିଲେ ଏବେ କେତେ ଦେଉଛନ୍ତି।
- ହଜାର-ହଜାର ଗ୍ରାହକ ଅଛନ୍ତି। କେନପାଲିର ଜଣେ ଚାଷୀ ପୂର୍ବରୁ ୮୦ ଟଙ୍କା ଦେଉଥିଲେ। ଏବେ ପ୍ରଥମରେ ଗୋଟିଏ ମାସ ୧୭ ହଜାର, ଦ୍ବିତୀୟ ମାସରେ ୩୪ ହଜାର ବିଲ ଆସିଛି। – କ୍ରମଶଃ