(ଭାରତରେ ମହିଳାଙ୍କ ସ୍ଥିତି କଣ? ଏ ନେଇ ଚିତ୍ର ଛୋଟ ବେଳର ପାଠ୍ୟପୁସ୍ତକ ଠାରୁ ବିଭିନ୍ନ ବହି ଏବଂ ଲେଖାରେ ଯାହା କୁହାଯାଏ, ବୈଦିକ ଯୁଗରେ ନାରୀର ସ୍ଥାନ ଖୁବ ଉଚ୍ଚରେ ଥିଲା । ନାରୀ ଦେବୀ ଭଳି ପୂଜା ପାଉଥିଲେ । ଏଠାରେ ଗାର୍ଗୀ, ମୈତ୍ରୀ, ଲୋପାମୁଦ୍ରା, ବିଶ୍ୱବାରା, ଲୀଳାବତୀ ଭଳି ବିଦୁଷୀ ନାରୀ ରହିଥିଲେ। ଯେଉଁ ମାନେ ବେଦରେ ଦକ୍ଷ ଥିଲେ। ଅର୍ଥାତ ଶିକ୍ଷାରେ ନାରୀର ପୁରୁଷ ଭଳି ସମାନ ଅଧିକାର ଥିଲା । କିନ୍ତୁ ଧର୍ମ, ସତିତ୍ୱ ଏବଂ କର୍ତ୍ତବ୍ୟ ନାଁରେ ନାରୀର ପାଦରେ ବନ୍ଧା ବେଡିକୁ ଧର୍ମର ଠିକାଦାରମାନେ ଯେତେବେଳେ ମଝବୁତ କରନ୍ତି ନାରୀ ସ୍ଥିତି ସମ୍ପର୍କରେ ଏହି ଉକ୍ତି ନେଇ ସନ୍ଦେହ ସୃଷ୍ଟି ହୁଏ। ଧର୍ମ ଏବଂ ସଂସ୍କାର ଆଳରେ ଅନ୍ଧକାର ଏବଂ ବେଡିରେ ବାନ୍ଧି ହୋଇଥିବା ମହିଳାଙ୍କ ଅବସ୍ଥା ସୁଧାର ପାଇଁ କାର୍ଯ୍ୟ କରିଥିବା ଜ୍ୟୋତିବା ଫୁଲେ, ସାବିତ୍ରୀ ବାଇ ଫୁଲେ, ସାମାଜିକ ବେଡି ଭାଙ୍ଗିଥିବା ରମାବାଇ ସରିଖେଙ୍କୁ ସାମାଜିକ ବାସନ୍ଦ ଏବଂ ଅତ୍ୟାଚାରର ଶିକାର ହେବାକୁ ପଡିଥିଲା । କୁହାଯାଏ, ସାବିତ୍ରୀ ବାଇ ଯେତେବେଳେ ବାଳିକା ସ୍କୁଲକୁ ପଢାଇବା ପାଇଁ ଯାଉଥିଲେ ରାସ୍ତା ତାଙ୍କ ଉପରେ ଗୋବର, କାଦୁଅ, ପଥର ଫିଙ୍ଗା ଯାଉଥିଲା। ତେଣୁ ସେ ନିଜ ସହିତ ଆଉ ଏକ ଶାଢୀ ନେଉଥିଲୋ ସ୍କୁଲରେ ପହଞ୍ଚିବା ପରେ ମଇଳା ଶାଢିକୁ ବଦଳାଇ ଦେଉଥିଲେ।୧୮୯୦ରେ ପ୍ରଥମ ମହିଳା ଡାକ୍ତର ଆନନ୍ଦୀବାଇ ଜୋଷୀ ବାନ୍ଧବୀ କାଶୀବାଇ କାନିତକରଙ୍କ ସହିତ ସାଧାରଣ ଚପଲ ପିନ୍ଧି ଛତା ଧରି ବାହାରିଥିଲେ, ସେମାନଙ୍କ ଉପରେ ଯେଉଁଭଳି ପଥର ମାଡ ହୋଇଥିଲା ଏହା ତାର ଉଦାହରଣ ମାତ୍ର । ମହିଳା ବିରୋଧୀ ସାମାଜିକ ବିଚାରକୁ ଦୁର୍ବଳ କରିବା ସହିତ ସମ୍ବିଧାନରେ ସମାନ ଅଧିକାରର ବ୍ୟବସ୍ଥା ପାଇଁ ମହିଳାଙ୍କ ରାସ୍ତା ଏତେ ସହଜ ନଥିଲା । ଏ ନେଇ ଅନେକ ସମାଜ ସଂସ୍କାରକଙ୍କ ଆନ୍ଦୋଳନ ସହିତ ମହିଳାଙ୍କ ବ୍ୟକ୍ତିଗତ ବିଦ୍ରୋହ ଯୋଗୁଁ ଆଜି ଏକ ପ୍ରକାର ସ୍ଥିତିରେ ସୁଧାର ହୋଇଛି। ଆଇନଗତ ଦୃଷ୍ଟିରୁ ମହିଳାଙ୍କ ସମାନ ଅଧିକାର ରହିଥିଲେ ମଧ୍ୟ ମର୍ଯ୍ୟଦାଜନକ ଜୀବନ ବଞ୍ଚିବା ପାଇଁ ସାମାଜିକ ବ୍ୟବସ୍ଥା ଏବଂ ବିଚାରରେ ପରିବର୍ତ୍ତନର ଆବଶ୍ୟକତା ବର୍ତ୍ତମାନ ମଧ୍ୟ ରହିଛି । ସେଥିପାଇଁ ୧୯ଶ ଶତାବ୍ଦୀରେ ପୁରୁଷତନ୍ତ୍ର ବେଡିକୁ ଦୁର୍ବଳ କରିବା ପଦକ୍ଷେପ ନେଇ ଜାଣିବା ଜରୁରି ହୋଇ ପଡିଛି । ସତୀଦାହ ପ୍ରଥା ଠାରୁ ବାଳିକା ଶିକ୍ଷା ଅଭିଯାନ ନେଇ କିଛି ଅଂଶ ଆଲୋଚନା ହୋଇଛି । )
୧୯ ଶତାବ୍ଦୀକୁ ମହିଳାଙ୍କ ଶତାବ୍ଦୀ କହିଲେ ଭୁଲ ହେବ ନାହଁ। ଏହି ସମୟରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ମହିଳାଙ୍କ ସ୍ଥିତି ନେଇ ଆଲୋଡନ ହେଉଥିଲା। ସେମାନଙ୍କ ଭଲ-ଖରାପ, ପ୍ରକୃତି, କ୍ଷମତା ଆଦି ସମସ୍ତ ଦିଗ ଉପରେ ଚର୍ଚା ହୋଇଛି। ଫ୍ରାନ୍ସ ବିପ୍ଳବପରେ ୟୁରୋପରେ ନାରୀ ଜାଗରଣର ସୃଷ୍ଟି ହୋଇଥିଲା। ଏହି ଶତାବ୍ଦୀର ଶେଷ ସମୟରେ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ନାରୀବାଦୀ ଅଭିବ୍ୟକ୍ତି ପ୍ରସାର ହୋଇଥିଲା। ଭାରତର ମହାରାଷ୍ଟ୍ର ଏବଂ ବଙ୍ଗାଳରେ ସମାଜ ସୁଧାରକମାନେ ସ୍ତ୍ରୀମାନଙ୍କ ବିରୋଧରେ ଥିବା ଅତ୍ୟାଚାର ଏବଂ କୁରୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ଦୁଇ ରାଜ୍ୟ ପ୍ରଥମେ ଇଂରେଜ ଦ୍ୱାରା ଶାସିତ ହୋଇଥିଲେ। ପଶ୍ଚିମ ସଭ୍ୟତାର ପ୍ରଭାବରେ ଭାରତରେ ଏକ ଭିନ୍ନ ଶ୍ରେଣୀର ସୃଷ୍ଟି ହେଲା। ସେହି ବୁର୍ଜୁଆ ଶ୍ରେଣୀ ଜାତିପ୍ରଥା, ମୂର୍ତ୍ତୀ ପୂଜା, ପର୍ଦା ପ୍ରଥା, ବାଲ୍ୟ ବିବାହ ଏବଂ ସତି ପ୍ରଥାକୁ ନିକୃଷ୍ଟ ଅନୁଭବ କରିବା ସହିତ ଏହା ସଂଶୋଧନ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଇଂରେଜମାନେ କେବଳ ମାନବୀୟ ସମାଜ ଗଠନ ପାଇଁ ସମାଜ ସୁଧାରର ପଦକ୍ଷେପ ନେଇନଥିଲେ ସେମାନେ ବିଭିନ୍ନ ଆଳରେ ଦେଶକୁ ନିୟନ୍ତ୍ରିତ କରିବା ପାଇଁ ଚାହୁଁଥିଲୋ ଉଦାହରଣ, ୧୮ଶ ଶତାବ୍ଦୀରୁ ମହାରାଷ୍ଟ୍ରରେ ଜାତି ବିରୋଧୀ ସଂଘର୍ଷର ଆରମ୍ଭ ହୋଇଥିଲା। ବ୍ରାହ୍ମଣଙ୍କ ନିୟନ୍ତ୍ରଣରେ ଥିବା ପେଶୱା ଶାସନର ଦୁର୍ବଳ ହେବା ପରେ ଜାତି ବିରୋଧୀ ଆନ୍ଦୋଳନ ଶକ୍ତିଶାଳି ହୋଇଥିଲା। ମାତ୍ର ଇଂରେଜ ଶାସନ ସମୟରେ ବ୍ରାହ୍ମଣମାନେ ପୁଣି ଶକ୍ତିଶାଳି ହୋଇଥିଲେ। ଅନ୍ୟଦିଗରେ ସମାଜ ସୁଧାରକ ରାମ ମୋହନ ରାୟ ଉଭୟ ସୁଫିବାଦୀ ଏବଂ ଇଂରେଜ ତର୍କବାଦୀଙ୍କ ସହିତ ସମାନ ଭାବରେ ପ୍ରଭାବିତ ଥିଲେ ।
ସମାଜ ସୁଧାର ଅଭିଯାନ ପ୍ରଥମେ ବଙ୍ଗାଳରେ ଆରମ୍ଭ ହୋଇଥିଲା । ଯେଉଁଠି କିଛି ଉଚ୍ଚ ବର୍ଗର ତଥାକଥିତ ଭଦ୍ର ବ୍ୟକ୍ତି ବୁର୍ଜୁଆରେ ପରିଣତ ହୋଇ ସାରିଥିଲେ। ସେମାନେ ନିଜ ସୁବିଧା ପାଇଁ ସମାଜ ସୁଧାରକ ଭାବରେ କାର୍ଯ୍ୟ କରୁଥିବା ଦେଖାଉଥିଲେ। ପ୍ରକୃତ ପକ୍ଷରେ ଇଂରେଜମାନଙ୍କୁ ଭୂମି ସୁଧାର (ସ୍ଥାୟୀ ବନ୍ଦୋବସ୍ତ)ରେ ସହଯୋଗ କରୁଥିଲୋ ଏଥିରେ ନିଜେ ଲାଭ ନ୍ୱିତ ହୋଇଥିଲେ। (ସ୍ଥାୟୀ ବନ୍ଦୋବସ୍ତରେ କୃଷକଙ୍କ ଏକ ବଡ ଧରଣର ବର୍ଗକୁ କାଙ୍ଗାଳ କରି ଦେଇଥିଲା। ଠିକ ସମୟରେ ଇଂରେଜମାନେ ସ୍ୱତନ୍ତ୍ର ଶିକ୍ଷା ନୀତି ଜରିଆରେ ବିଶ୍ୱସ୍ତ ଗୋଷ୍ଠୀ ତିଆରି କଲେ । ଏଥିରେ ବର୍ଣବାଦ, ଉତ୍ଥାନବାଦ, ଉପଯୋଗିତାବାଦ ଉପରେ ଆଲୋଚନା ହେଲା । ଏହି ଆଲୋଚନା ୧୯ ଶତାବ୍ଦୀ ପୂର୍ବରୁ ନାରୀ ଆନ୍ଦୋଳନର ଆଧାର ହେଲା । ଏଥିରେ ମୁଖ୍ୟ ଥିଲା ସ୍ତ୍ରୀ ଶିକ୍ଷା । ଉଦାହରଣ ସ୍ୱରୂପ ସ୍ତ୍ରୀମାନଙ୍କୁ ଶିକ୍ଷିତ କରାଇବା ପାଇଁ ପ୍ରଥମେ ରାମ ମୋହନ ରାୟ ୧୮୧୫ ମସିହାରେ ଆତ୍ମୀୟ ସଭା ଜରିଆରେ ବଙ୍ଗାଳରେ ଆହ୍ୱାନ କରିଥିଲେ। ସେହି ବର୍ଷ ସେ ସତି ପ୍ରଥା ଉପରେ ମଧ୍ୟ ଆକ୍ରମଣ କରିଥିଲେ। ବଙ୍ଗାଳରେ ଏକ ପ୍ରବନ୍ଧ ଲେଖିଥିଲେ। ସତି ଉନ୍ମୁଲନ ଅଭିଯାନ ବ୍ରିଟିଶ ସମର୍ଥନରେ ଆଧାରିତ ଥିଲା ଏବଂ ଅଳ୍ପଜୀବୀ ଥିଲା। ଶିକ୍ଷା ଆନ୍ଦୋଳନ ଶତାବ୍ଦୀର ଅନ୍ତିମ ସମୟ ପର୍ଯ୍ୟନ୍ତ ଚାଲିଥିଲା । ରାଜା ରାମ ମୋହନ ରାୟହିଁ ପ୍ରଥମ ବ୍ୟକ୍ତିଭାବରେ ସତି ପ୍ରଥା ବିରୋଧରେ ଆନ୍ଦୋଳନ କରିଥିଲେ। ୧୯ଶ ଶତାବ୍ଦୀରେ ଆମେରିକୀୟ ମିସନାରୀମାନେ ଏହାକୁ ହିନ୍ଦୁ ପଶୁତାର ସଂଜ୍ଞା ଦେଇଥିଲେ। ଇଂରେଜ ଶାସକମାନେ ଏହାକୁ ଭାରତକୁ ଶାସନ କରିବାର କାରଣ ଦର୍ଶାଇ ଥିଲେ। ପ୍ରଥମ କିଛି ବର୍ଷ ବ୍ରିଟିଶ ସଂସଦରେ ସତି ପ୍ରଥା ବିରୋଧରେ ଆଇନ ତିଆରି କରାଯାଇ ନଥିଲା। ଏଭଳି ଆଇନ ତିଆରିକୁ ହିନ୍ଦୁ ଧର୍ମରେ ହସ୍ତକ୍ଷେପ ବୋଲି ଧରାଯିବ ବୋଲି ସେମାନେ ବିଶ୍ୱାସ କରୁଥିଲେ। ଏହା ସେମାନଙ୍କ ପାଇଁ ଶୁଭଙ୍କର ହେବ ନାହିଁ ବୋଲି କୁହାଯାଉ ଥିଲା। ଏହାପରେ ସେମାନେ ସତିକୁ ନେଇ ଯେଉଁ ଆଇନ ପ୍ରଣୟନ କଲେ, ଏଥିରେ ସ୍ୱେଚ୍ଛାରେ ସତି ଏବଂ ଜବରଦସ୍ତୀ ସତିକୁ ନେଇ ଭିନ୍ନ ଆଇନ ଥିଲା। ଏଭଳି ଆଇନ ଅନେକ ବର୍ଷ ପୂର୍ବରୁ ମୋଗଲ ଶାସନରେ ମଧ୍ୟ ପ୍ରଣୟନ କରାଯାଇ ଥିଲା । ସ୍ୱେଚ୍ଛାରେ ସତି ଏବଂ ଜବରଦସ୍ତୀ ସତି ନେଇ ଭିନ୍ନ ଆଇନ ପ୍ରଣୟନ ସତୀ ବିରୋଧୀ ଜନଜାଗରଣ ପ୍ରତି ଶକ୍ତ ଧକ୍କା ଥିଲା । ଏହା ସତି ପ୍ରଥାକୁ ଆଇନ ପୋଷାକ ପିନ୍ଧାଇବା ଭଳି ଥିଲା। ସତି ପ୍ରଥାକୁ ବ୍ରିଟେନର ବିଭିନ୍ନ ଗୋଷ୍ଠୀ ନିଜ ଭାବରେ ଦେଖୁଥିଲେ। କଂଜରଭେଟିଭ, ଏ ନେଇ କୌଣସି ପ୍ରକାର ହସ୍ତକ୍ଷେପକୁ ବିରୋଧ କରୁଥିଲେ। ଲିବରାଲ ଡେମୋକ୍ରେଟିଭ ଏହା ବିରୋଧରେ ଆଇନଗତ ପଦକ୍ଷେପ ପାଇଁ ଗୁରୁତ୍ୱ ଦେଉଥିଲେ। ପାଦ୍ରୀମାନେ ସତି ପ୍ରଥାର କ୍ରୁରତାର ସ୍ୱରୂପ କହି ଏଥିରୁ ରକ୍ଷା ପାଇଁ ଇସାଇହିଁ ବିକଳ୍ପ ଭାବରେ ଦର୍ଶାଉ ଥିଲେ। ସମୟ ସହିତ ହିନ୍ଦୁ ସମାଜ ସୁଧାରକ ସତି ପ୍ରଥାକୁ ବିରୋଧ କରିବାକୁ ଲାଗିଲେ। ୧୮୧୭ ମସିହାରେ ଉଚ୍ଚତମ ନ୍ୟାୟଳୟର ମୁଖ୍ୟ ପଣ୍ଡିତ ମୃତ୍ୟୁଂଜୟ ବିଦ୍ୟାଲଙ୍କର ଘୋଷଣା କରିଥିଲେ କି, ସତି ପ୍ରଥାର ଶାସ୍ତ୍ରୀୟ ମାନ୍ୟତା ନାହିଁ। ୧୮୧୮ରେ ବଙ୍ଗାଳର ତତକାଳୀନ ଗଭର୍ଣର ୱିଲିୟମ ବେଣ୍ଟିଙ୍ଗ ସତି ପ୍ରଥା ଉପରେ ନିଷେଧାଦେଶ ଜାରି କଲେ। ସଂପୂର୍ଣ ଭାରତରେ ଏହା ଲାଗୁ କରିବାକୁ ୧୧ ବର୍ଷ ଲାଗି ଥିଲା। ଏ ନେଇ ହିନ୍ଦୁ ରୁଢୀବାଦୀଙ୍କ ଠାରୁ ଯେଉଁଭଳି ଭୟଙ୍କର ବିରୋଧର ଆଶଙ୍କା ଥିଲା, ସେହି ଭଳି ହୋଇନଥିଲା। ୧୮୩୦ ମସିହାରେ ହିନ୍ଦୁ ରୁଢିବାଦୀମାନେ କଲିକାତାରେ ଆୟୋଜିତ ଧର୍ମ ସଭାରେ ସତୀ ବିରୋଧୀ ଆଇନ ସମାପ୍ତ ପାଇଁ ଦାବିପତ୍ର ରାଜ୍ୟପାଳ ଏବଂ ବ୍ରିଟେନ ସଂସଦକୁ ଦିଆଗଲା। ରୁଢିବାଦୀମାନଙ୍କ ଲଗାତାର ବିରୋଧ ଯୋଗୁଁ ୧୦ ବର୍ଷ ପରେ ସତି ଆଇନରେ ଆଂଶିକ ସଂଶୋଧନ କରାଗଲା ସ୍ୱେଚ୍ଛା ଏବଂ ଜବରଦସ୍ତୀ ସତୀର ପ୍ରଭେଦ କରାଯାଇ ପୁନଃ ସତୀ ଆଇନକୁ ଆଇନର ପୋଷାକ ପିନ୍ଧା ହେଲା। ଏହାକୁ କିଛି ଇଂରେଜ ପ୍ରତିନିଧିମାନେ ନିଜର ଅପମାନ ଭାବରେ ଗ୍ରହଣ କରିଥିଲେ। ସତି ଘଟଣାକୁ ଜବରଦସ୍ତୀ ନିୟନ୍ତ୍ରଣ ପାଇଁ ଇଂରେଜ ସୈନିକମାନଙ୍କୁ ଆଦେଶ ଦେଇଥିଲେ। ଏଥିଯୋଗୁଁ ଇଂରେଜ ସୈନିକମାନଙ୍କ ବିରୋଧରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା। କିଛି ଐତିହାସିକଙ୍କ ମତ ଅନୁସାରେ, ଦେଶରେ ସତି ଦାହ ପ୍ରଥା ରହିଥିଲେ ମଧ୍ୟ ଏହା ଏତେଟା ବ୍ୟାପକ ନଥିଲା। ୧୯ଶତାବ୍ଦୀରେ ବ୍ୟାପକ ଭାବରେ ସତୀ ହେବା ଘଟଣା ଘଟିବାକୁ ଲାଗିଥିଲା। ସେହି ସମୟରେ ବଙ୍ଗାଳରେ ପ୍ରତିଦିନ ଜଣେ ସତୀ ହେଉଥିଲେ। ୱାରେନ ହେଷ୍ଟିଙ୍ଗ ଯେଉଁଠି ରାଜ୍ୟପାଳ ଥିଲେ, ସେଠି ଏଭଳି ଘଟଣା ବେଶି ହେଉଥିଲା। ଏଥିପଛରେ ଆଉ ଏକ ତର୍କ ଥିଲା, ଇଂରେଜମାନଙ୍କୁ ବିରୋଧ କରିବା ପାଇଁ ସତିକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉ ଥିଲା। ଏଥିସହିତ ଆଉ ଏକ କାରଣ ଯାହା କୁହାଯାଏ, ବଙ୍ଗାଳରେ ସତି ଲୋକପ୍ରିୟତା ଏଥିପାଇଁ ଥିଲା ଯେ, କାରଣ ସେହି ସମୟରେ ବଙ୍ଗାଳି ପରିବାରରେ ବିଧବାମାନଙ୍କ ମଧ୍ୟ ସମ୍ପତ୍ତି ଉପରେ ଅଧିକାର ଥିଲା । ଏଥିସହିତ ବଙ୍ଗଳାରେ ଦୁର୍ଭିକ୍ଷ ଲାଗି ରହୁଥିଲା। ତେଣୁ ବିଧବାମାନଙ୍କ ସମ୍ପତ୍ତି ଅଧିକାରକୁ ପରିବାର ଗ୍ରହଣ କରିପାରୁ ନଥିଲା। ସତି ପ୍ରଥା ଜରିଆରେ ବିଧବାମାନଙ୍କୁ ଏକ ପ୍ରକାର ହତ୍ୟା କରୁଥିଲେ। ଅନ୍ୟଦିଗରେ ନିଜକୁ ସ୍ତ୍ରୀ ସପକ୍ଷବାଦୀ କହୁଥିବା ଇଂରେଜମାନେ ସ୍ଥାୟୀ ବନ୍ଦୋବସ୍ତ ଜରିଆରେ ସମ୍ପତ୍ତିରେ ବିଧବା ଅଧିକାରକୁ ହ୍ରାସ କରାଗଲା। ଭାରତରେ ନୁହେଁ ବ୍ରିଟେନରେ ମଧ୍ୟ ମହିଳାମାନଙ୍କ ସମ୍ପତ୍ତି ଅଧିକାର ନଥିଲା। ବିବାହିତ ମହିଳାଙ୍କ ସଂଘର୍ଷ ୧୯ଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହୋଇ ୨୦ ବର୍ଷ ପରେ ସଫଳ ହୋଇଥିଲା। ସତି ପ୍ରଥା ଧାର୍ମିକ ପ୍ରଥା ଉପରେ ପର୍ଯ୍ୟବେସିତ ନୁହେଁ ଏହା ଦେଖାଇବା ପାଇଁ ଅନେକ ଧାର୍ମିକ ଉଦାହରଣ ଦିଆଯାଇଛି। ଏ ନେଇ ରାମମୋହନ ରାୟ ପୁସ୍ତକରେ ନିଜ ପରିବାରର ଉଦାହରଣ ଦେଇଥିଲେ। ତାଙ୍କ ଭାଇଙ୍କ ମୃତ୍ୟୁ ପରେ ଭାଉଜଙ୍କୁ କିଭଳି ଜବରଦସ୍ତୀ ଭାଇଙ୍କ ଚିତାରେ ଠେଲି ଦିଆଯାଇ ଥିଲା, ଏହା ଲେଖି ଥିଲେ। ୧୮୧୫ ମସିହାରେ ତାଙ୍କ ଲିଖିତ ଏହି ପୁସ୍ତକ ୧୮୧୮ ମସିହାରେ ଇଂରାଜୀରେ ଅନୁବାଦ ହୋଇଥିଲା। ଏହା ବିରୋଧରେ ୧୨୮ଜଣ ପଣ୍ଡିତ ଦଲିଲ ଦେଇଥିଲେ। ଯେଉଁଠି ପଶ୍ଚିମ ଦେଶରେ ଆତ୍ମହତ୍ୟାକୁ ଏକ ପାପ ଭାବରେ ବିବେଚନା କରାଯାଉଥିଲା, ପ୍ରାଚ୍ୟ ଦେଶରେ ପବିତ୍ରତା ଏବଂ ପଶ୍ଚିମ ଦେଶ ତୁଳନାରେ ପ୍ରାଚ୍ୟ ଦେଶର ମହିଳାଙ୍କୁ ମହାନ ଦର୍ଶାଇବାକୁ ଯାଇ ପତିବ୍ରତାଗୁଣକୁ ଗୁରୁତ୍ୱ ଦିଆଯାଉଥିଲା, ସତୀ ପ୍ରଥାକୁ ସମର୍ଥନ କରାଯାଉ ଥିଲା। ପାଠ୍ୟପୁସ୍ତକରେ ସତୀ ପ୍ରଥା ଉଚ୍ଛେଦର ଶ୍ରେୟ କେବଳ ଇଂରେଜମାନଙ୍କୁ ଦିଆଯାଏ, ମାତ୍ର ରାଜା ରାମମୋହନ ରାୟଙ୍କ ଭଳି ସମାଜ ସଂସ୍କାରକଙ୍କ ଏ ନେଇ ବ୍ୟାପକ ଜନଜାଗରଣ ଅଭିଯାନ ଯୋଗୁଁହିଁ ଏହା ବହୁତ କଷ୍ଟରେ ଉଚ୍ଛେଦ ହେଲା ।
୧୮୫୦ ମସିହାରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବିଧବା ବିବାହ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ଅଭିଯାନ ଚଳାଇଥିଲେ। ବଙ୍ଗାଳୀରେ ପ୍ରକାଶିତ ତାଙ୍କ ପୁସ୍ତକ ଅନୁସାରେ, ବିଧବା ବିବାହ ଶାସ୍ତ୍ର ସମ୍ମତ ବୋଲି କୁହାଯାଇ ଥିଲା । ଏନେଇ ହିନ୍ଦୁ ପଣ୍ଡିତମାନଙ୍କ ସହିତ ତର୍କ ମଧ୍ୟ କରିଥିଲେ। ଏହାର ସମର୍ଥନ ଏବଂ ବିପକ୍ଷରେ ଲୋକ ବାହାରି ଗୀତ ମଧ୍ୟ ରଚନା କରିଥିଲେ। ଏଥିମଧ୍ୟରେ ଅନେକ ଗୀତ ବିଧବାମାନଙ୍କ କଣ୍ଠରେ ରହିଥିଲା। ୧୮୫୫ ମସିହାରେ ବିଦ୍ୟାସାଗର ଗଭର୍ନର ଜେନରାଲଙ୍କୁ ବିଧବା ବିବାହ ନେଇ ଆଇନ ପ୍ରସ୍ତୁତ ପାଇଁ ଦାବିପତ୍ର ଦେଇଥିଲେ। ସେହି ବର୍ଷ ବିଦ୍ୟାସାଗରଙ୍କ ଦାବି ଅନୁସାରେ, ମସୌଦା ବିଧାନ ପରିଷଦରେ ଜେପି ଗ୍ରାଣ୍ଟ ଦ୍ୱାରା ଆଇନ ପ୍ରସ୍ତୁତ ହୋଇଥିଲା। ମାତ୍ର ଏହି ଆଇନରେ ଇଂରେଜମାନେ ହିନ୍ଦୁ ଆଇନକୁ ବ୍ରାହ୍ମଣକରଣ କରିଥିଲେ। ସମୁଦାୟ ବ୍ୟବସ୍ଥାକୁ ଅତି ଜଟିଳ କରିଥିଲୋ ବିଧବା ବିବାହ ପରେ ତାଙ୍କ ସ୍ୱାମୀର ସମ୍ପତ୍ତିରୁ ବଞ୍ଚିତ କରିଥିଲେ। ଏପରିକି ତାଙ୍କ ସନ୍ତାନ ଉପରେ ଅଧିକାର ପ୍ରାଥମିକତା ଭିତ୍ତିରେ ମୃତ ସ୍ୱାମୀର ବାପା କିମ୍ବା ଜେଜେ ବାପା, ମା କିମ୍ବା ଜେଜେ ମା, କିମ୍ବା କୌଣସି ପୁରୁଷ ସମ୍ପର୍କୀୟଙ୍କୁ ଅଧିକାର ଦିଆଯାଉ ଥିଲା। ଶିଶୁ ବିହୀନ ବିଧବାମାନଙ୍କୁ ସ୍ୱାମୀର ସମ୍ପତ୍ତିରୁ ବଞ୍ଚିତ କରାଗଲା। ପୁର୍ନବିବାହ କରୁଥିବା ବିଧବା ନାବାଳିକା ଥିଲେ, ସେ ତାଙ୍କ ପୁରୁଷ ସମ୍ପର୍କୀୟଙ୍କ ସହମତି ବିନା ବିବାହ କରିପାରିବେ ନାହିଁ ବୋଲି ନିୟମ କରାଗଲା। ଏଥିରେ ଦୁଇ ପ୍ରକାର ଜଟିଳ ସ୍ଥିତି ହୋଇଥିଲା। ପ୍ରଥମତଃ ବ୍ରାହ୍ମଣବାଦୀ ମାନେ ଏହାକୁ ହିନ୍ଦୁମାମଲାରେ ତାଙ୍କ ଅଧିକାର ଉପରେ ହସ୍ତକ୍ଷେପ ଭାବରେ ଦେଖିଥିଲେ। ହିନ୍ଦୁ ଧର୍ମ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରେ ସ୍ୱୟଂସ୍ୱରୂପ ବିଧବା ବିବାହ ବ୍ୟବସ୍ଥା ଥିଲା। ଏହି ଆଇନ ଦ୍ୱାରା ବିଧବା ବିବାହକୁ ଜଟିଳ କରି ଦିଆଗଲା । ନୂଆ ଆଇନରେ ବିଧବା ବିବାହ ସହିତ ସମ୍ପତ୍ତି ଅଧିକାର ଜୋଡା ଗଲ।। ଅନେକ ଅଂଚଳରେ ବିଧବା ବିବାହ ପରେ ମଧ୍ୟ ପ୍ରଥମ ସ୍ୱାମୀଙ୍କ ସମ୍ପତ୍ତି ଉପରେ ଅଧିକାର ଥିଲା। ଏହି ଆଇନ ଆଳରେ ଅନେକ ସମ୍ପର୍କୀୟମାନେ ମହିଳାମାନଙ୍କୁ ଏଥିରେ ବଞ୍ଚିତ କଲେ। ଏହି ସମୟରେ ଦେଶରେ ବିଧବାମାନଙ୍କ ସ୍ଥିତି ଅତି ଶୋଚନୀୟ। ଏପରିକି ତଥାକଥିତ ଉଚ୍ଚଜାତିର ଅନେକ ବିଧବା ବେଶ୍ୟା ବୃତ୍ତି ପାଇଁ ବାଧ୍ୟ ହେଉଥିଲୋ ପରିବାରରେ ସେମାନେ ବ୍ୟାପକ ଶୋଷଣର ଶିକାର ହେଉଥିଲେ। ବିଧବା ପୁର୍ନବିବାହକୁ ଉଚ୍ଚ ବର୍ଗର ପ୍ରାୟ ୮୦୦୦ ହିନ୍ଦୁ ବିରୋଧ କରି ଦାବିପତ୍ର ଦେଇଥିଲୋ ବିଧବା ପୁର୍ନବିବାହକୁ ଚରିତ୍ରହୀନତା ବଢିବ ବୋଲି ହିନ୍ଦୁ ଧାର୍ମିକ ଗୋଷ୍ଠୀ କହିବାକୁ ଲାଗିଲେ। ଏଭଳି ଆଇନ ଗତ ହସ୍ତକ୍ଷେପର ଲାଭ ମିଳିବ ନାହିଁ ବୋଲି ହିନ୍ଦୁ ରୁଢୀବାଦୀମାନେ କହୁଥିଲେ । କାରଣ ଏଥି ଯୋଗୁଁ ସାମାଜିକ ବିଚାରରେ ପରିବର୍ତ୍ତନ ହେବ ନାହିଁ। ଏହାହିଁ ବାସ୍ତବତା ଥିଲା, ୧୮୫୬ ମସିହାରେ ଏହି ଆଇନ କାର୍ଯ୍ୟକାରୀ ହେବା ସତ୍ତ୍ୱ ବିଧବା ପୁର୍ନବିବାହ ହାର ନଗଣ୍ୟ ଥିଲା। ଆଜି ଏତେ ବର୍ଷ ପରେ ମଧ୍ୟ ସମାଜରେ ବିଧବାମାନଙ୍କ ସ୍ଥିତିରେ ଆଖିଦୃଶିଆ ସୁଧାର ହୋଇ ନାହିାଁ ତଥାକଥିତ ଉଚ୍ଚ ଜାତିମାନଙ୍କରେ ବିଧବା ବିବାହକୁ ଭଲ ନଜରରେ ଦେଖାଯାଏ ନାହିଁ । ତେଣୁ ଏହାର ସଂଖ୍ୟା ଅଧିକ ନୁହୋଁ ପତିଙ୍କ ମୃତ୍ୟୁ ପରେ ମହିଳାଙ୍କ ଦେହରୁ ଅଳଙ୍କାର କାଢିବା, ଧଳା ଶାଢୀ ପିନ୍ଧାଇବା ଆମ ବ୍ୟବସ୍ଥାର ଏକ କଳଙ୍କ।
୧୮୮୧ ମସିହାରେ ଭାରତରେ ଫେକ୍ଟ୍ରି ଆଇନ କାର୍ଯ୍ୟକାରୀ ହୋଇଥିଲା। ଏଥିରେ ମହିଳାଙ୍କ ପାଇଁ ବ୍ୟବସ୍ଥା ନଥିଲା। ୧୮୯୦ରେ ବର୍ଲିନରେ ଅନ୍ତରାଷ୍ଟ୍ରୀୟ ଶ୍ରମ ସମ୍ମିଳନୀ ହୋଇଥିଲା। ଏଥିରେ ମହିଳା ଏବଂ ଶିଶୁଙ୍କ ଅବସ୍ଥା ନେଇ ଆଲୋଚନା ହୋଇଥିଲା। ଏହାପରେ ଶ୍ରମ କମିଶନ ଗଠିତ ହୋଇ ମହିଳାଙ୍କ କାର୍ଯ୍ୟ ଅବଧି ୧୧ ଘଣ୍ଟା ରଖାଯାଇ ଥିଲା, ଏଥିରେ ଦେଢ ଘଣ୍ଟାର ଅବକାଶ ସାମିଲ ଥିଲା । ଏଥିସହିତ ସେମାନଙ୍କ କାର୍ଯ୍ୟ ସମୟ ୫ରୁ ରାତି ୮ ପର୍ଯ୍ୟନ୍ତ ନିର୍ଧାରିତ କରାଯାଇ ଥିଲା । ଏହି ସମୟରେ ଶିଶୁ ଶ୍ରମିକଙ୍କ ନ୍ୟୁନତମ ଆୟୁଶ ୭ରୁ ୯ ବର୍ଷ କରି ଦିଆଯାଇ ଥିଲା। ଏହି ସମୟରେ ବାଲ୍ୟ ବିବାହକୁ ଗୁରୁତ୍ୱର ସହିତ ବିଚାର କରାଯାଉ ଥିଲା। ବାଲ୍ୟ ବିବାହ ସମୁଦାୟ ସମ୍ପ୍ରଦାୟକୁ ନଷ୍ଟ କରି ଦେଉଥିବା ଅନୁଭବ ହେଉଥିଲା। ୧୮୬୦ ମସିହାରେ ବିବାହ ପାଇଁ ନ୍ୟୁନତମ ବୟସ ୧୦ନିର୍ଧାରିତ କରାଯାଇ ଥିଲା। ୧୯ ଶତାବ୍ଦୀର ଅନ୍ତିମ ବର୍ଷରେ ବହମ ମାଲବାରୀ ଏହି ପ୍ରସଙ୍ଗ ଉଠାଯିବା ପୂର୍ବରୁ ଏ ନେଇ ଆନ୍ଦୋଳନ କରାଯାଇ ନଥିଲା। ମାଲାବାରୀ ନିଜେ ହିନ୍ଦୁ ହୋଇନଥିଲେ ମଧ୍ୟ ଏହି ବ୍ୟବସ୍ଥାକୁ ନେଇ ହିନ୍ଦୁ ଧର୍ମର ଏକ ବଡ ସମ୍ପ୍ରଦାୟର ସମର୍ଥନ ପ୍ରାପ୍ତ କରିବାରେ ସମର୍ଥ ହୋଇଥିଲୋ ଏଥିରେ ମୁଖ୍ୟ ଯୁକ୍ତି ଥିଲା, ବାଲ୍ୟ ବିବାହ ଯୋଗୁଁ ଭାରତ ଭୌତିକ ପତନ ହେଉଛି। ଜିଏଚ ଦେଶମୁଖଙ୍କ ଅନୁସାରେ, ବାଲ୍ୟ ବିବାହ ଯୋଗୁଁ ଦେଶ ଦୁର୍ବଳ ହେଉଛି। ଏଥିଯୋଗୁଁ ଜଣେ ଭାରତୀୟ ବିଦେଶ ଯାଇ ଭଲ ବ୍ୟବସାୟୀ ହେବା ଦୂରର କଥା ଭଲ କୃଷକ କିମ୍ବା ସୈନିକ ମଧ୍ୟ ହୋଇ ପାରୁ ନାହାନ୍ତି। ଏଥିସହିତ ପୁଅ-ଝିଅଙ୍କ ମଧ୍ୟରେ ଶିଘ୍ର ଶାରୀରିକ ସମ୍ପର୍କ ହେଉଥିବାରୁ ଝିଅମାନଙ୍କ ପ୍ରଜନନ ଶକ୍ତି ଠିକ ଭାବରେ ବିକଶିତ ନହୋଇ ଗର୍ଭବତୀ ହେଉଛନ୍ତି । ଦୁର୍ବଳ ଏବଂ ଭିନ୍ନକ୍ଷମ ସନ୍ତାନର ଜନ୍ମ ହେଉଛି । ବିବାହର ଆୟୁ ବଢାଇବାର ଅଧିକାଂଶ ଯୁକ୍ତିକୁ ଗ୍ରହଣ କରାଗଲା ନାହିାଁ ସାମାଜିକ ବ୍ୟବସ୍ଥା ପାଇଁ ତଥା ଝିଅକୁ ସ୍ୱାମୀ ପରିବାର ସହିତ ଖାପଖୁଆଇବାକୁ ହେଲେ ଶିଘ୍ର ବିବାହ ଜରୁରି ବୋଲି କୁହାଗଲା। ଆୟୁ ବଢାଇବାର ସମାଜ ସୁଧାରକଙ୍କ ପ୍ରସ୍ତାବକୁ କଲିକତାର ମହିଳା ଚିକିତ୍ସକ ଗ୍ରହଣ କରିଥିଲେ । ୧୬୦୦ ମହିଳା ଏହି ଆଇନରେ ପରିବର୍ତ୍ତନ ପାଇଁ ୧୮୯୦ ମସିହାରେ ମହାରାଣୀ ଭିକ୍ଟୋରିଆଙ୍କୁ ଦାବିପତ୍ର ଦେଇଥିଲେ । ଏହି ସମୟରେ ବମ୍ବେର ବାଲ୍ୟ ବିବାହ ପ୍ରଥାର ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସମାଜ ସୁଧାରକ ମାନଙ୍କ ବିରୋଧରେ ମଧ୍ୟ ଅଭିଯାନ ତୀବ୍ର ହୋଇଥିଲା । ଏହାର ପରିଣାମସ୍ୱରୂପ ଅନେକ ସମାଜ ସୁଧାରକ ଅସ୍ତ୍ର ତ୍ୟାଗ କରି ମୂଳ ତ୍ସୋତ ଭଳି କାର୍ଯ୍ୟ କରିଥିଲେ । ୧୮୭୦ ମସିହାରେ ବମ୍ବେ ସମାଜ ସୁଧାରକ ଆନ୍ଦୋଳନ ବିଭାଜିତ ହେଲା। କିଛି ପ୍ରଗତିଶୀଳ ବ୍ରାହ୍ମଣ କେବଳ ନିଜ ସମ୍ପ୍ରଦାୟର ସୁରକ୍ଷା ନେଇ କାର୍ଯ୍ୟ କଲୋ। ଜ୍ୟୋତିବା ଫୁଲେଙ୍କ ଭଳି ସମାଜ ସଂସ୍କାର ବ୍ରାହ୍ମଣବାଦୀ ସମାଜିକ ବ୍ୟବସ୍ଥାକୁ ବିରୋଧ କଲେ। ବିଧବା ବିବାହ, ଅଂତର୍ଜାତୀୟ ବିବାହ ଉପରେ ଗୁରୁତ୍ୱ ଦେଉଥିଲେ। ଏହି ବିବାହଗୁଡିକ ଅତ୍ୟନ୍ତ ସରଳ ଏବଂ ଅଣବ୍ରାହ୍ମଣଙ୍କ ଦ୍ୱାରା ହେଉଥିଲା। ପଣ୍ଡିତା ରମା ବାଇଙ୍କ ମହିଳା ସୁଧାର ଅଭିଯାନରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛନ୍ତି । ମହିଳା ସୁଧାର ଦିଗରେ ତାଙ୍କ ବ୍ୟକ୍ତିଗତ ବିଦ୍ରୋହ ଏକ ମାଇଲଖୁଣ୍ଟ। ରମାବାଇ ଅତିବାଦୀ ହିନ୍ଦୁ ସଙ୍ଗଠନ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇଛନ୍ତି। ଏହି ସମୟରେ ଦୀନବନ୍ଧୁ ନାମକ ଜଣେ ଯୁବକ ବିଧବା ମହିଳାଙ୍କୁ ଲଣ୍ଡା କରିବା ପ୍ରଥାକୁ ବିରୋଧ କରିଥିଲେ। ଏହି କାର୍ଯ୍ୟ ନକରିବା ପାଇଁ ନାପିତମାନଙ୍କୁ ଆହ୍ୱାନ କରିଥିଲେ । ସମାଜ ସୁଧାରବାଦୀ ଲଗାତାର ଆନ୍ଦୋଳନ ଏବଂ ଚାପ ଫଳରେ ଇଂରେଜମାନେ ମହିଳା ସପକ୍ଷବାଦୀ ଆଇନ ପ୍ରସ୍ତୁତ କରିଥିଲେ। ୧୮୯୦ ମସିହାରେ ବିବାହର ସର୍ବନିମ୍ନ ବୟସ ୧୨ କରାଯାଇ ଥିଲା। ବ୍ରିଟିଶମାନେ ଦେଶରେ ଇସାଇ ଧର୍ମର ପ୍ରଭାବ ପାଇଁ ହିନ୍ଦୁ ଧର୍ମଧାରୀ ଲୋକଙ୍କ ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ କରୁଥିବା କୁହାଗଲା। ସମାଜ ସୁଧାରକମାନଙ୍କୁ ମଧ୍ୟ ସେମାନେ ସେହି ଭଳି ଦୃଷ୍ଟିରେ ଦେଖୁଥିଲେ। ଇଂରେଜମାନଙ୍କୁ ବିରୋଧ କରିବାକୁ ଯାଇ କିଛି ସ୍ୱାଧୀନତା ସଂଗ୍ରାମୀ ମହିଳା ସୁଧାରର ବିପକ୍ଷରେ ଠିଆ ହେଉଥିଲେ। ଏହି ସମୟରେ ଲିଖିତ ଅନେକ ସାହିତ୍ୟରେ ସତୀ ଏବଂ ବାଲ୍ୟ ବିବାହକୁ ମହିମା ମଣ୍ଡିତ କରାଯାଇ ଥିଲା। ମହିଳାଙ୍କ ବ୍ୟକ୍ତିଗତ ବିକାଶ ବଦଳରେ ପତି ଏବଂ ସନ୍ତାନ ପ୍ରତି କର୍ତ୍ତବ୍ୟ, ତ୍ୟାଗ, ସତିତ୍ୱକୁ ଗୁରୁତ୍ୱ ଦେବା ଥିଲା ଏହି ସାହିତ୍ୟର ମୂଳ ।
ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା, ପଥ ନଥିଲା ସହଜ-
ଉଦ୍ଦେଶ୍ୟ ଯାହାବି ଥାଉ ସତୀ ଉନ୍ମୁଳନ ଆନ୍ଦୋଳନ ଫଳରେ ମହିଳାଙ୍କ ଅବସ୍ଥାରେ ସୁଧାର ହୋଇଥିଲା। ମହିଳା ଶିକ୍ଷା ପ୍ରଚଳନ ଏକ ଅଧ୍ୟାୟ ଯୋଡ଼ି ହୋଇଥିଲା । ୧୮୧୦ ମସିହାରେ ଇଂରେଜ ମିସନାରୀମାନେ ବାଳିକମାନଙ୍କ ପାଇଁ ସ୍କୁଲ ଖୋଲି ଥିଲେ। ବାଳିକା ଶିକ୍ଷା ସମ୍ବନ୍ଧୀତ ପ୍ରଥମ ପୁସ୍ତକ ବଙ୍ଗାଳିରେ ୧୮୧୯ ମସିହାରେ ଗୁରୁ ମୋହନ ବିଦ୍ୟାଲ ଲେଖିଥିଲେ । ୧୮୨୦ ମସିହାରେ ଏହାକୁ କଲିକତାର କନ୍ୟା ବାଳ ସମିତି ପ୍ରକାଶିତ କରିଥିଲା। ୧୮୨୭ ମସିହା ପର୍ଯ୍ୟନ୍ତ ହୁଗୁଳି ଜିଲ୍ଲାରେ ୧୨ଟି କନ୍ୟା ପାଠଶାଳା ତିଆରି ହେଲା । ଏକ ବର୍ଷ ପରେ ଲେଡିଜ ସୋସାଇଟି ଫର ନେଟିଭ ଫିମେଲ ଏଜୁକେସନ ଇନ କୋଲକାତା ଏଣ୍ଡ ଇଟ୍ସ ବିସିନିଟି ଦ୍ୱାରା ସ୍କୁଲ ଖୋଲା ଗଲା । ଗରିବ ଅଞ୍ଚଳରେ ପ୍ରତିଷ୍ଠିତ ଏହି ସ୍କୁଲଗୁଡିକ ବିଷୟରେ ଜାଣିବା ପାଇଁ ମୁସଲମାନ ମହିଳାଙ୍କ ଆଗ୍ରହ ରହୁଥିଲା । ୧୯ଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳା ବିଶେଷକରି କଲିକତାରେ ମହିଳା ଶିକ୍ଷାର ପ୍ରସଙ୍ଗକୁ ଉଦାର ହିନ୍ଦୁ, ବ୍ରାହ୍ମଣ ଏବଂ ପ୍ରଗତିଶୀଳ ଛାତ୍ରଙ୍କ ମୁଖ୍ୟ ପ୍ରସଙ୍ଗ ଥିଲା । ଏହି ବାଳିକା ସ୍କୁଲମାନଙ୍କରେ ଇସାଇ ଧର୍ମ ସଂପ୍ରସାରିତ ହେବା ଭୟରେ ହିନ୍ଦୁ ଏବଂ ବ୍ରାହ୍ମଣ ଝିଅମାନଙ୍କ ପାଇଁ ପାଠଶାଳା ନିର୍ମିତ ହେଲା। ମିଶନାରି ସ୍କୁଲରେ ଯେଉଁଠି ଗରିବ ପରିବାରର ଝିଅମାନେ ଥିଲେ, ହିନ୍ଦୁ ସ୍କୁଲରେ ଉଚ୍ଚଜାତି ଝିଅମାନେ ମଧ୍ୟ ପଢିବାକୁ ଲାଗିଲେ। ବଙ୍ଗାଳରେ ସେହି ସମୟରେ ଅନ୍ତମହଲ କୁହାଯାଉଥିବା ସ୍ଥାନରେ ମଧ୍ୟ ସ୍ତ୍ରୀ ଏବଂ ପ୍ରୌଢ ଶିକ୍ଷା ପ୍ରସାର ପାଇଁ ଲକ୍ଷ୍ୟ ରଖାଯାଇ ଥିଲା। ଇଂରେଜ, ସ୍କଟଲାଣ୍ଡ ଏବଂ ଉତ୍ତର ଆମେରିକାର ମିଶନାରିମାନେ ଗୃହ ଶିକ୍ଷା ନାମରେ ବିଖ୍ୟାତ ଏହି ଆନ୍ଦୋଳନରେ ଉଚ୍ଚଜାତିର ଲୋକମାନେ ସାମିଲ ହୋଇଥିଲେ। କିଛି ସମୟରେ ଉଚ୍ଚ ଜାତିର ବ୍ୟକ୍ତିମାନେ ବଙ୍ଗାଳୀଙ୍କ ଆବଶ୍ୟକତା ଅନୁସାରେ ବହି ପ୍ରସ୍ତୁତ କରିଥିଲେ । ଦେଶରେ ସୃଷ୍ଟି ହେଉଥିବା ନୂଆ ବର୍ଗ ସ୍ତ୍ରୀମାନଙ୍କୁ ପାଶ୍ଚାତ୍ୟ ପ୍ରଣାଳୀରେ ଢାଳିବା ଉଦ୍ଦେଶ୍ୟ ରଖି ଏହା ପ୍ରସ୍ତୁତ ହୋଇଥିଲା। ୧୮୪୮ ମସିହାରେ ମୁମ୍ବାଇ ଏବଂ ପୁନା ସହରର ବ୍ରାହ୍ମଣମାନେ ହିନ୍ଦୁ ସୁଧାର ପାଇଁ ଆଗେଇ ଆସିଲେ। ୧୮୪୮ ମସିହାରେ ବମ୍ବେର ବ୍ରାହ୍ମଣ ରଇସ ଜିଏଚ ଦେଶମୁଖ ହିନ୍ଦୁ ପୂଜାରୀମାନଙ୍କ କାରନାମାକୁ ଉଜାଗର କରିବା ପାଇଁ ଅନେକ ପର୍ଚା ପ୍ରକାଶିତ କରୁଥିଲେ। ଜ୍ୟୋତିରାଓ ଫୁଲେ ପୁନାରେ ଝିଅମାନଙ୍କ ସ୍ୱତନ୍ତ୍ର ସ୍କୁଲ ଖୋଲି ଥିଲେ। ତାଙ୍କୁ ବାଳିକା ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ବ୍ୟକ୍ତି ଭାବରେ ବ୍ୟକ୍ତ କରାଯାଏ । ୧୮୫୨ ମସିହା ପର୍ଯ୍ୟନ୍ତ ତିନୋଟି ପାଠଶାଳା ଦଳିତ ଏବଂ ଝିଅମାନଙ୍କ ପାଇଁ ଖୋଲିଥିଲେ। ତାଙ୍କୁ ଏଥିରେ ତାଙ୍କ ସ୍ତ୍ରୀ ସାବିତ୍ରୀ ବାଇ ଫୁଲେ ସହଯୋଗ କରିଥିଲେ । ସେହି ବର୍ଷ ଏଲ୍ଫିସ୍ନେଟନ କଲେଜ ବମ୍ବେ ଛାତ୍ରମାନେ କନ୍ୟା ପାଠଶାଳା ଆରମ୍ଭ କରିଥିଲେ ତଥା ସ୍ତ୍ରୀମାନଙ୍କ ପାଇଁ ମାସିକ ପତ୍ରିକା ବାହାର କରିଥିଲେ । ସ୍ତ୍ରୀ ଶିକ୍ଷାର ଏହି ଗତିବିଧି ବିରୋଧରେ ରୁଢୀବାଦୀମାନଙ୍କ ଅଭିଯାନ ପ୍ରବଳ ଥିଲା। ଏପରିକି କିଛି ସ୍ଥାନମାନଙ୍କରେ ସମାଜ ସୁଧାରକମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡିଥିଲା। ପୁନାରେ ରହୁଥିବା ଫୁଲେଙ୍କୁ ଜାତିବାଦୀ ହିନ୍ଦୁମାନେ ଅସହ୍ୟ ନିର୍ଯାତନା ଦେଇଥିଲେ। ଏପରିକି ପୁରାତନପନ୍ଥୀ ହିନ୍ଦୁମାନଙ୍କ ଚାପରେ ପଡି ତାଙ୍କ ବାପା ଜ୍ୟୋତିବାଙ୍କୁ ନିଜ ଘରୁ ବାହାର କରି ଦେଇଥିଲେ । ସେ ନିଜ ଘର ଲୋକଙ୍କ ଦ୍ୱାରା ବହିଷ୍କୃତ ହୋଇଥିଲେ। ୧୮୫୦ରେ ସମାଜ ସୁଧାରକ ମାନଙ୍କ ବିରୋଧରେ ରୁଢିବାଦୀଙ୍କ ପ୍ରତିକ୍ରିୟାରେ ଜୋର ଦାର ହୋଇଥିଲା । ହିନ୍ଦୁ ଧର୍ମକୁ ଅପମାନିତ କରିବା ପାଇଁ ଇଂରେଜମାନେ ଜାଣିଶୁଣି ଏଭଳି କରୁଥିବା ଋଢୀବାଦୀମାନେ ଅନୁଭବ କରୁଥିଲେ । ରବିନ୍ଦ୍ରନାଥ ଟେଗୋରଙ୍କ ଝିଅ ସ୍ୱର୍ଣ କୁମାରୀ ଦେବୀବିଧବାମାନଙ୍କୁ ପଢାଇବା ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ସ୍ଥାପନ କରିଥିଲେ ।
୧୮୬୦ ମସିହାରେ ସମାଜ ସୁଧାରରେ ଭିନ୍ନ ଦିଗ ଦେଖିବାକୁ ମିଳିଥିଲା। ସ୍ତ୍ରୀଙ୍କୁ ଶିକ୍ଷିତ କାହିଁକି କରାଯିବ ଏବଂ ତାଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ ସେ ନେଇ ଆଲୋଚନା ହେଲା। ପାର୍ସି ଫ୍ରାମଜୀ ବୋମନଜୀ ଘୋଷଣା କରିଥିଲେ ଯେ ମହିଳାମାନଙ୍କୁ ଇଂରାଜୀ ଶିକ୍ଷା ପ୍ରଦାନ ନେଇ ଗୁରୁତ୍ୱ ଦେଇଥିଲେ। କେସି ସେନ ଇସାଇ ସହିତ ସଂଘର୍ଷକୁ ସର୍ବୋଚ୍ଚ ଭାବରେ ଗ୍ରହଣ କରିଥିଲେ। ତାଙ୍କ କନ୍ୟା ପାଠଶାଳାରେ ବଙ୍ଗାଳୀ ସାହିତ୍ୟ ଏବଂ ବ୍ରାହ୍ମ ଧର୍ମ ଶିକ୍ଷା ପ୍ରଦାନ କରାଯାଇ ଥିଲା। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଧାର୍ମିକ ଶିକ୍ଷା ଦେଉନଥିଲେ ମଧ୍ୟ ସେ କନ୍ୟା ପାଠଶାଳାରେ ସଂସ୍କୃତ ଏବଂ ବଙ୍ଗାଳୀ ସାହିତ୍ୟ ପଢାଉ ଥିଲେ। ମୁସଲମାନ ସୁଧାରକ ସୟଦ ଅହମଦ ଖାଁଙ୍କ ଅନୁସାରେ, ମହିଳାମାନେ ନିଶ୍ଚିତ ଶିକ୍ଷା ଗ୍ରହଣ କରିବା ଉଚିତ ମାତ୍ର ଏହା ଘରେ ଦିଆଯିବା ଉଚିତ। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମତରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମ ମହିଳାଙ୍କ ଅବନତି ପାଇଁ ଦାୟୀ । ଉଭୟ ଧର୍ମ ମହିଳାମାନଙ୍କୁ ଫମ୍ପା କରି ଦେଉଛି। ଧର୍ମ ନିରପେକ୍ଷତାର ସିଦ୍ଧାନ୍ତରେ ସେମାନେ ଶିକ୍ଷା ଗ୍ରହଣ କରିବା ଉଚିତ। ଏହି ସମୟରେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଦୟାନନ୍ଦ ସରସ୍ୱତୀ ସ୍ତ୍ରୀ ପ୍ରସଙ୍ଗ ନେଇ ବିଦ୍ୟାସାଗରଙ୍କ କଥାରେ ପ୍ରଭାବିତ ଥିଲେ। ତାଙ୍କ ମତରେ, ବୈଦିକ ଯୁଗରେ ଶିକ୍ଷିତ ସ୍ତ୍ରୀ ଏବଂ ପୁରୁଷଙ୍କ ସ୍ଥିତି ସମାନ ଥିଲ।। ବାଳକ ଏବଂ ବାଳିକା ପାଞ୍ଚ ବର୍ଷରେ ସଂସ୍କୃତ, ହିନ୍ଦୀ ଏବଂ ଅନ୍ୟ ଭାଷାର ଶିକ୍ଷା ଆରମ୍ଭ କରିବେ। ୮ ବର୍ଷ ପରେ ଉଭୟଙ୍କ ଶିକ୍ଷା ଭିନ୍ନ ହେବା ଉଚିତ । କିଛି ବର୍ଷ ପର୍ଯ୍ୟନ୍ତ ଉଭୟ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ ବୋଲି କହୁଥିଲେ। ସରସ୍ୱତୀଙ୍କ ଅନୁସାରେ, ଝିଅଙ୍କ ବିବାହର ସର୍ବନିମ୍ନ ଆୟୁ ୧୬ ଏବଂ ପୁଅମାନଙ୍କ ୨୫ ବର୍ଷ ହେବା ଉଚିତ। ମା ଭୂମିକା ସ୍ତ୍ରୀ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ, ସ୍ତ୍ରୀ ଏବଂ ମା ଭୂମିକା ଶିକ୍ଷାର ମାନଦଣ୍ଡ ଗୁରୁତ୍ୱପୂର୍ଣ କିନ୍ତୁ କେବଳ ଏହି ଭୂମିକା ନିର୍ବାହ ପାଇଁ ସେ ଶିକ୍ଷିତ ହେବା ଉଚିତ ଏହା ଉଚିତ ନୁହେଁ । ସେତେବେଳେ ଏ ନେଇ ମତଭେଦ ଥିଲା, କିଛି ସ୍ତ୍ରୀ ଶିକ୍ଷାକୁ ସମର୍ଥନ କରୁଥିବାବେଳେ ଧାର୍ମିକ ରୁଢିବାଦୀମାନେ, ସ୍ତ୍ରୀମାନଙ୍କୁ ଗୃହସ୍ଥ ଜୀବନରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଉଥିଲେ । ଏଥିରେ ସେମାନଙ୍କ ସ୍ୱାମୀ ଏବଂ ପୁଅ ଲାଭାନ୍ୱିତ ହେବେ ବୋଲି ପରାମର୍ଶ ଦେଉଥିଲେ । ସେତେବେଳେ କେଶବ ଚନ୍ଦ୍ର ସେନଙ୍କ ସ୍ଥାପିତ କନ୍ୟା ପାଠଶାଳାରେ ଝିଅମାନଙ୍କୁ ରାନ୍ଧିବା, ସିଲେଇ, ସେବା ଆଦିର ଶିକ୍ଷା ଦିଆଯାଉ ଥିଲା। ସମସମିୟକ ବ୍ୟକ୍ତି ତୁଳନାରେ ମହିଳମାନଙ୍କୁ ନେଇ ଜ୍ୟୋତିବା ଫୁଲେଙ୍କ ବିଚାର ଅତ୍ୟନ୍ତ ପ୍ରଗତିଶୀଳ ଥିଲା। ସ୍ତ୍ରୀ ଶିକ୍ଷା ସହିତ, ଠକେଇ କିମ୍ବା ନିର୍ଯାତନାର ଶିକାର ଅବିବାହିତ ଏବଂ ବିଧବା ମହିଳାଙ୍କ ଗୁପ୍ତ ପ୍ରସବ ପାଇଁ ଗୃହର ବ୍ୟବସ୍ଥା କରିଥିଲେ । ଏଭଳି ବ୍ୟବସ୍ଥା ମଧ୍ୟ କରୁଥିଲେ, ଯେଉଁଭଳି ଭାବରେ ପରବର୍ତ୍ତୀ ସମୟରେ ମହିଳାମାନେ ସେହି ସନ୍ତାନକୁ ପୌଷ୍ୟ କରି ପାରିବେ। ଜ୍ୟୋତିବାଙ୍କ ଏହି ଗୃହର ବ୍ୟବହାର ସବର୍ଣ ମହିଳାମାନେ ସର୍ବାଧିକ କରୁଥିଲେ। ଏହି ସମୟରେ ସମାଜ ସୁଧାର ଏଥିପାଇଁ ବୃଦ୍ଧି ପାଇଥିଲା, କାରଣ ମହିଳାଙ୍କ ଅବସ୍ଥା ସୁଧାର ହେବା ଉପରେ ସାଥୀ ଏବଂ ପୁଅମାନଙ୍କ ବିକାଶ ନିର୍ଭର ଥିଲା। ଭାରତରେ ଯେଉଁଭଳି ଭାବରେ ମହିଳାଙ୍କ ସ୍ଥିତି ଥିଲା, ଯେଉଁଭଳି ଭାବରେ ସେମାନେ ସନ୍ତାନ ପ୍ରସବ କରୁଥିଲେ,ଏଥିଯୋଗୁଁ ତାଙ୍କର ରୁଗ୍ଣ ଶିଶୁର ଜନ୍ମ ହେଉଥିଲା । ପରବର୍ତ୍ତୀ ସମୟରେ ସେହି ଶିଶୁକୁ ଶିଘ୍ର ବାର୍ଧକ୍ୟ ମାଡି ଆସୁଥିଲା। ଶିଶୁମାନଙ୍କ ଅବନତି ପାଇଁ ମାକୁ ଦାୟୀ କରାଯାଉ ଥିଲା। ଏଥିଯୋଗୁଁ ୧୮୮୦ରେ ସ୍ତ୍ରୀ ସୁଧାର ଆନ୍ଦୋଳନରେ ଅଧିକରୁ ଅଧିକ ଲୋକ ଜୋଡି ହେଲେ । ୧୮୮୨ ମସିହାରେ ତାରାବାଇ ସିନ୍ଦେଙ୍କ ଲିଖିତ ପୁସ୍ତକ ସ୍ତ୍ରୀ ପୁରୁଷ ତୁଳନା ପ୍ରଥମ ନାରୀବାଦୀ ପୁସ୍ତକ ଥିଲା। ବିଶ୍ୱାସଘାତକତା, ସଂଦିଗ୍ଧ ଚରିତ୍ର, ଷଡଯନ୍ତ୍ରକାରୀ ଆଦି ଯେଉଁ ଗୁଣ ସ୍ତ୍ରୀଙ୍କ ରିହିଥିବା ସେହି ସମାନ ଗୁଣ ପୁରୁଷମାନଙ୍କ ମଧ୍ୟରେବି ରହିଛିା ବରଂ ଏହି ପୁସ୍ତକରେ ପ୍ରଥମ ଥର ପାଇଁ ସ୍ତ୍ରୀ ପକ୍ଷ ରଖାଯାଇ ଉପସ୍ଥାପିତ ହୋଇଥିଲା ।
ସମାଜ ସଂସ୍କାର ପାଇଁ ଦୟାନନ୍ଦ ସରସ୍ୱତୀ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ। ୧୮୮୦ପରେ ଏହା ଖିପ୍ର ଗତିରେ ଆଗକୁ ବଢି ମହିଳା ଶିକ୍ଷା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲା । କନ୍ୟା ପାଠଶାଳା ମଧ୍ୟ ସ୍ଥାପିତ କରିଥିଲେ । ୧୮୯୦ ମସିହାରେ ଜାଳଂଧରର ଆର୍ଯ୍ୟ ସମାଜଙ୍କ ପ୍ରତିଷ୍ଠିତ କନ୍ୟା ପାଠଶାଳାରେ ଅବିବାହିତ ଝିଅ ଏବଂ ପରେ ମହିଳାମାନେ ସାମିଲ ହୋଇଥିଲେ । ଏକ ବର୍ଷ ପରେ କନ୍ୟା ମହାବିଦ୍ୟାଳୟ ଗଠନ ପାଇଁ ଘୋଷଣା କରିଥିଲେ । ଆର୍ଯ୍ୟ ସମାଜର ଏକ ସମୂହ ଝିଅମାନଙ୍କ କଲେଜ ଶିକ୍ଷାକୁ ବିରୋଧ କରୁଥିଲେ । ଗୁରୁକୂଳ ସମୂହ ମହିଳାଙ୍କ ଉଚ୍ଚ ଶିକ୍ଷା ନେଇ ସଂକଳ୍ପ ରତ ଥିଲେ । ଲାଲା ଲଜପତ ରାୟ ଭଳି ସଂଗ୍ରାମୀ ବାଳିକାଙ୍କ ଉଚ୍ଚ ଶିକ୍ଷାକୁ ବିରୋଧ କରୁଥିଲେ । ମହାବିଦ୍ୟାଳୟ ଖୋଲିଲେ ଝିଅମାନଙ୍କ ଚରିତ୍ର ବିଗିଡିଯିବ ବୋଲି କୁହାଯାଉ ଥିଲା । ଏହା ସତ୍ତ୍ୱେ ମଧ୍ୟ ମହିଳା ମହାବିଦ୍ୟାଳୟ ଖୋଲିଲା । ଏହା କେବଳ କନ୍ୟା ପାଠଶାଳାର ବିସ୍ତାରିତ ରୂପ ଥିଲା । ଝିଅମାନଙ୍କୁ କେବଳ ସାହିତ୍ୟ, ସିଲେଇ ଏବଂ ରନ୍ଧାବଢା ଶିଖା ଯାଉଥିଲା । ବ୍ରାହ୍ମ ସମାଜ ପକ୍ଷରୁ ସାମୁହିକ ଭାବରେ ମହିଳାମାନଙ୍କ ଦ୍ୱାରା ପର୍ଦା ପ୍ରଥା ବିରୋଧରେ ଅଭିଯାନ ଆରମ୍ଭ କରାଯାଇ ଥିଲା । ଏହି ସମୟରେ କଲିକାତାରେ କିଛି ମହିଳା ଗୀତ ଗାଇ ବାହାରୁଥିଲେ । ଯେଉଁ ଲୋକଙ୍କ ସମାଗମ ହେଉଥିଲା, ପର୍ଦାପ୍ରଥା ବିରୋଧରେ କହୁଥିଲେ । ଏହି ସମୟରେ କଂଗ୍ରେସରେ ମହିଳାମାନେ ଭାଗ ନେବାକୁ ଆରମ୍ଭ କଲୋ ୧୮୮୯ କଂଗ୍ରେସର ବମ୍ବେଇ ଅଧିବେଶନରେ ଅତି କମରେ ୧୦ଜଣ ମହିଳାଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁମତି ଥିଲା । ଏମାନଙ୍କ ମଧ୍ୟରେ ଜଣେ ୟୁରୋପୀୟ, ଜଣେ ଭାରତୀୟ ଇସାଇ, ଜଣେ ପାରସୀ, ଜଣେ ରୁଢିବାଦୀ ହିନ୍ଦୁ ଏବଂ ୩ଜଣ ବ୍ରାହ୍ମଣ ଥିଲା । ଜଣଙ୍କ ଚୟନ ଅଧିବେଶନର ପୁରୁଷମାନଙ୍କ ଦ୍ୱାରା ହୋଇଥିଲା । ପ୍ରକୃତରେ ରମାବାଇଙ୍କ ପ୍ରୟାସରୁହିଁ ମହିଳାମାନେ ଅଧିବେଶନରେ ସାମିଲ ହେବା ସମ୍ଭବ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରୁହିଁ ମହିଳାମାନେ କଂଗ୍ରେସରେ ସାମିଲ ହୋଇଥିଲେ। ସ୍ୱାଧୀନ ଭାରତରେ ମହିଳାଙ୍କ ପାଇଁ ସ୍ଥାନ ରହିବ । ଏହି ଦୂରଦୃଷ୍ଟି ନେଇ ୮ଜଣ ମହିଳାଙ୍କୁ କଂଗ୍ରେସ ଅଧିବେଶନରେ ସାମିଲ କରାଇ ଥିଲେ । ଏହି ଅଧିବେଶନରେ ମହିଳାଙ୍କୁ ବସିବା ପାଇଁ ଦରିଟିଏ ମିଳି ଥିଲା। ୧୮୯୦ କଂଗ୍ରେସ ଅଧିବେଶନରେ ୪ଜଣ ମହିଳା ସାମିଲ ଥିଲେ, କହିବାର ଅଧିକାର ଅର୍ଥ ଜଣେ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଲେ। ଏହି ସମୟରେ ଇଂରେଜ ସିପାହୀମାନେ ମହିଳାଙ୍କୁ ଦୁଷ୍କର୍ମ ନେଇ ରାଷ୍ଟ୍ରବାଦୀମାନେ ଆପତ୍ତି କରିଥିଲେ । ମାତ୍ର ବୟସ୍କ ବ୍ୟକ୍ତିଙ୍କ ଦୁଷ୍କର୍ମ ଯୋଗୁଁ ନାବାଳିକା ପତ୍ନୀ ମୃତ୍ୟୁ କିନ୍ତୁ ରାଷ୍ଟ୍ରବାଦୀଙ୍କ ପାଇଁ ପ୍ରସଙ୍ଗ ନଥିଲା। ରାଷ୍ଟ୍ରବାଦୀ ସଙ୍ଗଠନ ଏବଂ ଆନ୍ଦୋଳନରେ ମହିଳାଙ୍କ ସକ୍ରିୟତା ଏବଂ ପ୍ରଗତିଶୀଳ ବିଚାର ନୂଆ ପିଢୀ ପାଇଁ ସମାନ ସୁଯୋଗର ଅବସର ଦେଇଛି ।
୧୯ଶ ଶତାବ୍ଦୀର ଅନ୍ତିମ ସମୟରେ ଦକ୍ଷିଣ ଭାରତରେ ସମାଜ ସୁଧାର ଆନ୍ଦୋଳନ ହୋଇଥିଲେ ମଧ୍ୟ ପରେ ଦୁର୍ବଳ ହୋଇ ଯାଇଥିଲା । ୧୮୭୧ରେ ମଦ୍ରାସରେ ବିଧବା ବିବାହ ସଙ୍ଗଠନର ଗଠନ ହୋଇଥିଲେ ମଧ୍ୟ ଏହା ଅଳ୍ପାୟୁ ଥିଲା । ୧୮୭୮ରେ ବୀର ସାଲିଙ୍ଗମ ରାଜାମୁଂଦ୍ରୀ ସମାଜ ସୁଧାର ସଙ୍ଗଠନ ଗଠନ କରିଥିଲେ । ବିଧବା ପୁର୍ନବିବାହ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ । ୧୮୯୦ରେ ପ୍ରକାଶିତ ଇଣ୍ଡିଆନ ସୋସିଆଲ ରିଫର୍ମର ସମାଜ ସୁଧାରକୁ ଗୁରୁତ୍ୱ ଦେଇ ଆଲେଖ୍ୟଗୁଡିକ ପ୍ରକାଶିତ କରୁଥିଲେ । ୧୮୯୨ରେ ହିନ୍ଦୁ ସମାଜ ସୁଧାର ଏସୋସିଏଶନର ଗଠନ ହୋଇଥିଲା । ଏମାନେ ବହୁବିବାହ, ବାଲ୍ୟବିବାହ, ଯୌତୁକ ପ୍ରଥା ଏବଂ ଦେବଦାସୀ ପ୍ରଥାକୁ ବିରୋଧ କରୁଥିଲେ ।
୧୯ଶ ଶତାବ୍ଦୀରେ ଦେଶରେ ବିଭିନ୍ନ ସ୍ଥାନରେ ନାରୀ ବିରୋଧୀ ପ୍ରଥାକୁ ଭାଙ୍ଗିବା ଅଭିଯାନ ପରବର୍ତ୍ତୀ ସମୟରେ ମଧ୍ୟ ଜାରି ରହିଲ।। ଏହାର ଲାଭ ଆଜିର ପିଢିକୁ ମିଳୁଛି । ଭେଦଭାବଶୂନ୍ୟ ଭାରତ ବର୍ଷ ପାଇଁ ଆହୁରି ଅପେକ୍ଷା ରହିଛି ।
(ଏହି ଲେଖାଟି ରାଧା କୁମାରଙ୍କ ଲିଖିତ ହିନ୍ଦୀ ପୁସ୍ତକ ‘ସ୍ତ୍ରୀ ସଂଘର୍ଷ କା ଇତିହାସ’ର କିଛି ଭାଗକୁ ଅନୁବାଦ କରି ଲେଖାଯାଇଛି ଏଥିସହିତ ଅନ୍ୟ କିଛି ସୂତ୍ର ମଧ୍ୟ ସାମିଲ ଅଛି । )