ପୁରୀ ମନ୍ଦିରକୁ ପ୍ରବେଶ କରିପାରିନଥିଲେ ବାବାସାହେବ

ଭୁବନେଶ୍ବର: ଆଜି ଦେଶ ପାଳନ କରୁଛି ସମ୍ବିଧାନ ପ୍ରଣେତା ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ପୁରୋଧା ଡ.ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଓଡ଼ିଶା ସହିତ ତାଙ୍କର ରହିଛି ତିକ୍ତ ଏବଂ ମଧୁର ସମ୍ପର୍କ। ୧୯୪୫ ମସିହା ଜୁଲାଇ ମାସରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିର ଗସ୍ତ ବେଳେ ତାଙ୍କୁ ଅସ୍ପୃଶ୍ୟ କୁହାଯାଇ ମନ୍ଦିର ପ୍ରବେଶ କରାଇ ଦିଆଯାଇନଥିଲା। ତାଙ୍କ ସହିତ ଯାଇଥିବା ବିଦେଶୀ ତଥା ଭିନ୍ନ ଧର୍ମର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ କିନ୍ତୁ ମନ୍ଦିରକୁ ସ୍ବାଗତ କରାଯାଇଥିଲା। ଭାରତରେ ଅନୁସୂଚିତ ଜାତି ମଣିଷଙ୍କ ପ୍ରତି ସେତେବେଳେ ଏଭଳି ଥିଲା ସାମାଜିକ ଏବଂ ଧାର୍ମିକ ଆଭିମୁଖ୍ୟ। ଯାହା ବିରୋଧରେ ଆମ୍ବେଦକର ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। ଆମ୍ବେଦକରବାଦୀ ତରଣୀ ସୁନା କହନ୍ତି, ଉଗ୍ର ଜାତିପ୍ରଥା ଯୋଗୁଁ ପୂର୍ବରୁ ଅନୁସୂଚିତ ଜାତି ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ନେଇ କଟକଣା ରହିଥିଲା। ମନ୍ଦିର ପ୍ରବେଶର ଅଧିକାର ଦାବିରେ ୧୯୩୦ ମସିହାରେ ଆମ୍ବେଦକର ନାସିକ ସ୍ଥିତ କଲାରାମ ମନ୍ଦିର ପ୍ରବେଶ ପାଇଁ ଲଢେଇ କରିଥିଲେ। ୧୯୩୫ ମସିହା ବେଳକୁ ମନ୍ଦିର ପ୍ରବେଶ ଅଧିକାର ଲଢେଇର ଆବଶ୍ୟକତାକୁ ସେ ଗୌଣ କରି ଦେଇଥିଲେ। କିନ୍ତୁ ବିଭିନ୍ନ ରାଜ୍ୟର ପ୍ରମୁଖ ଧର୍ମାନୁଷ୍ଠାନରେ ଅନୁସୂଚିତ ଜାତି ବ୍ୟକ୍ତିଙ୍କ ପ୍ରତି ମନ୍ଦିରରେ ଥିବା ବ୍ୟବସ୍ଥା ସମ୍ପର୍କରେ ଜାଣିବାକୁ ଆଗ୍ରହୀ ଥିଲେ। ଲେଖକ ଅଭିରାମ ମଲ୍ଲିକ କହନ୍ତି, ଆମ୍ବେଦକରଙ୍କ ସହିତ ଆଲୋଚନାବେଳେ ଲର୍ଡ ମାଉଣ୍ଟବ୍ୟାଟେନ ବିଶ୍ବାସହିଁ କରିନଥିଲେ ଯେ ଅନୁସୂଚିତ ଜାତି ବ୍ୟକ୍ତିଙ୍କୁ ମନ୍ଦିରକୁ ପ୍ରବେଶ କରାଇ ଦିଆଯାଏ ନାହିଁ। ତାଙ୍କୁ ଦେଶର ଜାତି ବ୍ୟବସ୍ଥାର ତ୍କୁର ଚିତ୍ର ଦେଖାଇବା ପାଇଁ ଉଭୟ ପୁରୀ ଜଗନ୍ନାଥ ମନ୍ଦିର ଯାଇଥିବାବେଳେ ଆମ୍ବେଦକରଙ୍କୁ ଅଟକା ଯାଇଥିଲା। ପ୍ରଫେସର ବସନ୍ତ ମଲ୍ଲିକ କହନ୍ତି, ୧୯୪୫ ମସିହା ନଭେମ୍ବର ୮ ତାରିଖରେ ବନ୍ୟା ନିୟନ୍ତ୍ରଣ ପାଇଁ କଟକରେ ଆୟୋଜିତ ମହାନଦୀ ରିଭର ଭ୍ୟାଲି କନଫ୍ରେନ୍ସ ହୋଇଥିଲା। ଏଥିରେ ଶ୍ରମ ମନ୍ତ୍ରଣାଳୟ ସଦସ୍ୟ ଭାବରେ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ହୀରାକୁଦ ଜଳଭଣ୍ଡାର ପାଇଁ ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ସେ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଅପପୁଷ୍ଟି, ମ୍ୟାଲେରିଆ ଏବଂ ଦାରିଦ୍ର୍ୟକୁ ଓଡ଼ିଶାର ମୁଖ୍ୟ ଚ୍ୟାଲେଞ୍ଜ ବୋଲି କହିଥିଲେ। ଏଥିପାଇଁ ଜଳଭଣ୍ଡାର ଆବଶ୍ୟକତାର ମତ ଦେଇଥିଲେ। କଟକ ଏବଂ ସମ୍ବଲପୁର ସ୍ଥିତ ବନ୍ଦୋବସ୍ତ କାର୍ଯ୍ୟାଳୟରେ ହୀରାକୁଦ ଜଳଭଣ୍ଡାର ନିର୍ମାଣରେ ବାବାସାହେବଙ୍କ ଭୂମିକା ନେଇ ଉଲ୍ଲେଖ ରହିଥିବା କୁହାଯାଏ। ୧୯୪୨ରୁ ୪୬ ମଧ୍ୟରେ ଜଳସେଚନ ଲକ୍ଷ୍ୟ ନେଇ ଦେଶରେ ଭାକ୍ରାନଙ୍ଗଲ, ଦାମୋଦର ଭ୍ୟାଲି ଭଳି ଜଳଭଣ୍ଡାର ପାଇଁ ମଧ୍ୟ ଆମ୍ବେଦକର ପ୍ରସ୍ତାବ ଦେଇଥିଲେ।