ପଶ୍ଚିମବଙ୍ଗ ଠାରୁ ୨ଗୁଣରୁ କମ୍ ଦରରେ ପ୍ଲାଜ୍ମା ବିକୁଛି ଓଡ଼ିଶା

ବଳକା ପ୍ଲାଜ୍‌ମା ବିକ୍ରି ପାଇଁ ଅହମଦାବାଦର ମେସର୍ସ ଇଣ୍ଟାସ୍‌ ଫାର୍ମାସ୍ୟୁଟିକାଲ ଲିମିଟେଡକୁ ପୁଣି ଚୟନ କରିଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ୨୦୨୨ ମସିହାରୁ କ୍ରମାଗତ ଚତୁର୍ଥଥର ପାଇଁ ଏହି କମ୍ପାନିକୁ ପ୍ଲାଜ୍‌ମା ବିକ୍ରି ପାଇଁ ଚୟନ କରାଯାଇଛି। ତାହା ପୁଣି ଲିଟର ପିଛା ପ୍ଲାଜ୍‌ମା ଦର ପଡ଼ୋଶୀ ପଶ୍ଚିମବଙ୍ଗ ଠାରୁ ଦୁଇ ଗୁଣରୁ କମ୍‌ ରହିଛି। ସମାନ କାର୍ଯ୍ୟରେ ବ୍ୟବହୃତ ସମାନ ପ୍ଲାଜ୍‌ମା ବିକ୍ରି ଦରରେ ଏଭଳି ତାରତମ୍ୟ ଯୋଗୁଁ ସମୁଦାୟ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ରକ୍ତର ୪ ଉପାଦାନ ହେଲା, ପ୍ଲାଜ୍‌ମା, ଲାଲରକ୍ତ କୋଷ, ଧଳାରକ୍ତ କୋଷ ଏବଂ ପ୍ଲାଟ୍‌ଲେଟ୍। ଓଡ଼ିଶାରେ ଯେତେ ରକ୍ତ ସଂଗୃହୀତ ହୁଏ ସେଥିରୁ ଲାଲରକ୍ତ କୋଷ, ପ୍ଲାଟ୍‌ଲେଟ୍‌ର ଚାହିଦା ରୋଗୀଙ୍କ ପାଖରେ ସର୍ବାଧିକ ରହିଥାଏ। କିନ୍ତୁ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ପ୍ଲାଜ୍‌ମା ବ​ଳକା ପଡ଼ିଯାଏ। ଯାହା ଫାର୍ମାସ୍ୟୁଟିକାଲ୍‌ କମ୍ପାନିଙ୍କ ଔଷଧ ଉତ୍ପାଦନରେ ବ୍ୟବହୃତ ହୋଇଥାଏ। ତେଣୁ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା ପ୍ଲାଜ୍‌ମାକୁ ଫାର୍ମାସ୍ୟୁଟିକାଲ କମ୍ପାନିକୁ ବିକ୍ରି କରାଯାଏ। ଓଡ଼ିଶା ସରକାର ଲିଟର ପିଛା ୧୬୦୦ ଟଙ୍କାରେ ମେସର୍ସ ଇନ୍ଟାସ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌କୁ ବିକ୍ରି କରୁଛନ୍ତି। ପଶ୍ଚିମବଙ୍ଗରେ ଏହି ଦର ୩୩୦୩ ଟଙ୍କା ଅଟେ। ଅଭିଯୋଗ ଅନୁଯାୟୀ, ପ୍ଲାଜ୍‌ମା ବିକ୍ରି ପାଇଁ ପ୍ରତିବର୍ଷ ଟେଣ୍ଡର ହେବା ଉଚିତ। ଏଥି ଅନୁଯାୟୀ, ୨୦୨୨ ମସିହାରେ ପ୍ରଥମ କରି ଓଡ଼ିଶା ସରକାର ମେସର୍ସ ଇଣ୍ଟାସ ଫାର୍ମାସ୍ୟୁଟିକାଲ ଲିମିଟେଡ୍‌କୁ ଟେଣ୍ଡର ଦେଇଥିଲେ। ବର୍ଷକ ପରେ ପୁଣିଥରେ ଟେଣ୍ଡର ହେବା କଥା। ଏହା ନକରି ୩ ମାସ ଓ ୬ ମାସ ଭଳି କାର୍ଯ୍ୟକାଳ ବୃଦ୍ଧି କରି, ଜୁଲାଇ ୨୦୨୪ ଯାଏ କଂପାନିର ଟେଣ୍ଡରର ଅବଧି ବୃଦ୍ଧି ହୋଇଥିଲା। ଚଳିତ ବର୍ଷ ଜୁଲାଇ ୧୦ ତାରିଖରେ ଆଉ ଏକ ବର୍ଷର ଅବଧି ବୃଦ୍ଧି ହୋଇଥିଲା। ଏନେଇ ରାଜ୍ୟ ରକ୍ତ ଟ୍ରାନ୍‌ସଫ୍ୟୁଜନ୍‌ କାଉନସିଲ୍‌ ଜୁନ୍‌ ୨୬ ତାରିଖରେ ଚିଠି ନମ୍ବର ୩୮୧ରେ ରାଜ୍ୟର ସମସ୍ତ ରକ୍ତଭଣ୍ଡାରକୁ ଚିଠି ଲେଖିଥିଲେ ଯେ ଇନ୍ଟାସ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ର ଟେଣ୍ଡର ଅବଧି ଜୁଲାଇ ୧୦ରେ ଶେଷ ହେଉଥିବାରୁ ଏହାକୁ ଆଉ ପ୍ଲାଜ୍‌ମା ବିକ୍ରି କରିବେ ନାହିଁ। କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୁଣିଥରେ ଏହି ଘରୋଇ କଂପାନିର ଚୁକ୍ତି ଅବଧିକୁ ବଢ଼ାଇଛନ୍ତି। ଓଡ଼ିଶା ପ୍ରତିବର୍ଷ ପ୍ରାୟ ୨୦ ହଜାର ଲିଟର ପ୍ଲାଜ୍‌ମା ବିକ୍ରି କରିଥାଏ। ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାର ବିକ୍ରି ଦର କମ୍‌ ଥିବାରୁ ରାଜ୍ୟ ବାର୍ଷିକ ୩.୪୦ କୋଟି ଟଙ୍କାର କ୍ଷତି ସହୁଥିବା ନେଇ ଆକଳନ କରାଯାଉଛି। ରାଜ୍ୟ ରକ୍ତ ସୁରକ୍ଷା ନିର୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ କାଉନ୍‌ସିଲ୍‌ ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ହିଁ ପ୍ଲାଜ୍‌ମା ବିକ୍ରି କରାଯାଏ। ଅଧିକାଂଶ ଅଣବିଜେପି ସରକାର ଥିବା ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଧାରିତ ଦରକୁ ମାନନ୍ତି ନାହିଁ। ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଦରକୁ ନ ମାନି ନିଜ ଇଚ୍ଛାରେ ପ୍ଲାଜ୍‌ମା ବିକ୍ରି କରନ୍ତି। ଓଡ଼ିଶା ସରକାର କେନ୍ଦ୍ର ନିର୍ଦ୍ଧାରିତ ଦରକୁ ପାଳନ କରୁଥିବାରୁ କମ୍‌ ଦରରେ ବିକ୍ରି ହେଉଛି। ଟେଣ୍ଡର ଜରିଆରେ ହିଁ ମେସର୍ସ ଇଣ୍ଟାସ୍‌ ଫାର୍ମାସ୍ୟୁଟିକାଲ୍‌ ଲିମିଟେଡ୍‌କୁ ପ୍ଲାଜମା ବିକ୍ରି ପାଇଁ ଚୟନ କରାଯାଇଛି। ଏଥିପଛରେ କୌଣସି ଅନୁକମ୍ପା ନାହିଁ।
Facebook
Twitter
WhatsApp