ବିଜୁଳି ବିନା ଜଳସେଚନ ଅସମ୍ଭବ। ଚାଷୀଙ୍କ ଠାରୁ ବିଜୁଳି ଟିକସ ଅର୍ଥ ଜଳସେଚନ ଟିକସ ବୋଲି କୁହାଯାଇପାରେ। ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାର ଅମ୍ଭାବୋନାର ଚାଷୀ ଯେତେବେଳେ ମାତ୍ରାଧିକ ବିଜୁଳି ବିଲ ବିରୋଧରେ ସ୍ମାର୍ଟ ମିଟର ଫେରାଇ ଦେଲେ ବିଜେପି ନିଜ ଆଡ଼ୁ ସାମ୍ବାଦିକ ସମ୍ମିଳନୀ କରି ସମର୍ଥନ କରିଥିଲା। ଆଜି କିନ୍ତୁ ସେ ଚୁପ ବସିଛି। ବରଗଡ଼ ଜିଲ୍ଲାର ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନର ଆଉ କିଛି ବିନ୍ଦୂ ଉପରେ କହିଛନ୍ତି ଚାଷୀ ରମେଶ ମହାପାତ୍ର
ବିଜୁଳିକୁ ନେଇ ଆନ୍ଦୋଳନ କେମିତି ଆରମ୍ଭ ହେଲା
-୨୦୧୬ ମସିହା ଫେବ୍ରୁଆରି ମାସରେ କେନ୍ଦୁପାଲି ଚାଷୀ ଖଇନୁ ବଗର୍ତ୍ତି ଆତ୍ମହତ୍ୟା କରିଥିଲେ। ଯାହା ସେତେବେଳେ ସମଗ୍ର ରାଜ୍ୟରେ ଚର୍ଚିତ ହୋଇଥିଲା। ଘଟଣାଟି ଥିଲା, ଖଇନୁଙ୍କ ଗାଁରେ ଲୋ ଭୋଲଟେଜ ବଡ଼ ସମସ୍ୟା ଥିଲା। ତେଣୁ ଜଳସେଚନ ସମ୍ଭବ ନଥିଲା। ପାଣି ଅଭାବରୁ ଖଇନୁଙ୍କ ଫସଲ ମରିଗଲା। ଋଣ ପରିଶୋଧ ଚିନ୍ତାରେ ଜୀବନ ହାରିଲେ। ଏହାକୁ ନେଇ ଲଢେଇ ପରେ କେନ୍ଦୁପାଲିର ଲୋ ଭୋଲଟେଜ ସମସ୍ୟା ସମାଧାନ ହେଲା। ବିଜୁଳି ସମସ୍ୟାର ଭୟଙ୍କର ଚିତ୍ର ପଦାକୁ ଆସିଥିଲା। ଚାଷୀ ସଙ୍ଗଠନର ପ୍ରସଙ୍ଗରେ ବିଜୁଳି ସମସ୍ୟା ମଧ୍ୟ ସାମିଲ ହେଲା। ଜଳସେଚନ ସହିତ ବିଜୁଳିର ସମ୍ପର୍କ ଥିବାରୁ ବଢୁଥିବା ବିଲ, ବିଜୁଳି ବିଭ୍ରାଟ ନେଇ ପ୍ରତିବର୍ଷ ଆଲୋଚନା ହେଲା। ଚାଷୀ ନେତା ହର ବଣିଆଁଙ୍କ ନେତୃତ୍ବରେ ମଧ୍ୟ ଏହାକୁ ନେଇ ଆନ୍ଦୋଳନ ଚାଲିଛି। ବିଜୁଳି ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଜିଲ୍ଲାପାଳମାନଙ୍କୁ ବିଭିନ୍ନ ସମୟରେ ଭେଟି ଏଥିସଂକ୍ରାନ୍ତରେ ଆଲୋଚନା କରିଛୁଁ।
ନିର୍ବାଚନ ସମୟରେ ବିଜୁଳିକୁ ଚାଷୀ ସଙ୍ଗଠନ ପ୍ରସଙ୍ଗ କରିଥିଲା କି
ନିର୍ବାଚନ ସମୟରେ ସମସ୍ତ ରାଜନୈତିକ ଦଳକୁ ଚାଷୀ ସଙ୍ଗଠ ଆହ୍ବାନ କରିଥିଲା ଯେ ମଦ, ମାଂସ ଦିଆନ ଯାଉ କିନ୍ତୁ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯାଉ, ଚାଷ କ୍ଷେତ୍ରରେ ବିଜୁଳି ଛାଡ଼ କରାଯାଉ। ଏହାପରେ କଂଗ୍ରେସ ୨୦୦ ୟୁନିଟ, ବିଜେଡ଼ି ୧୦୦ ୟୁନିଟ ଏବଂ ବିଜେପି ୩୦୦ ୟୁନିଟ ମାଗଣା ଦେବ ବୋଲି କହିଥିଲା। ଏହାପରେ ଆମ ମନୋବଳ ମଧ୍ୟ ବଢିଲା।
ବିଜୁଳି ଆନ୍ଦୋଳନଟି ଟାଟା ସ୍ମାଟ ମିଟର ବିରୋଧୀ ଆନ୍ଦୋଳନ କେମିତି ହେଲା
ମେ ମାସ ୧୮ ତାରିଖରେ ବରଗଡ଼ ଜିଲ୍ଲା ଅମ୍ବାଭୋନାରେ ସମସ୍ୟା ହେଲା। ବିଲକୁ ନେଇ ଟାଟା ପାଓ୍ବାର ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବାକୁ ଲାଗିଲା। ଏହା ବିରୋଧରେ ନିର୍ବାଚନ ଠିକ ପୂର୍ବରୁ ବାରପାହାଡ଼ କୃଷକ ସଙ୍ଗଠନ ୬୦୦ଟି ସ୍ମାର୍ଟ ମିଟର ଏବଂ ନଳକୂଅରେ ଲାଗିଥିବା ମିଟରକୁ କାଢି ଫିଙ୍ଗି ଦେଇଥିଲେ। ପରବର୍ତ୍ତୀ ସମୟରେ ଭଟଲିରେ ଏହି କାର୍ଯ୍ୟକ୍ରମ କରିବାକୁ ଉଦ୍ୟମ କରୁଥିବାବେଳେ ବିଜୁଳି ସମସ୍ୟା ସମାଧାନ ନେଇ ଜିଲ୍ଲା ପ୍ରଶାସନ ସମୟ ମାଗିଥିଲା। ସ୍ମାର୍ଟମିଟର ବିରୋଧୀ ଆନ୍ଦୋଳନ ସ୍ଥଗିତ ରହିଲା। ସେତେବେଳେ ଏହା ଓଡ଼ିଶାରେ ଚର୍ଚା ହେଲା ଏବଂ ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଏହାକୁ ସମର୍ଥନ କରିଥିଲା।
ବର୍ତ୍ତମାନ ପୁଣି ଏତେ ଦୁର୍ବାର କେମିତି ହେଲା
କେନ୍ଦପାଲିରେ ବକେୟା ମାଗିବା ପାଇଁ ଯାଇଥିବା କର୍ମଚାରୀମାନେ କିଛି ଗ୍ରାମବାସୀଙ୍କୁ ଖରାପ ବ୍ୟବହାର କରିଥିଲେ। ଏହାକୁ ନେଇ ଗାଁରେ ଏଭଳି ଅସନ୍ତୋଷ ହେଲା ଯେ କର୍ମଚାରୀଙ୍କୁ ବାନ୍ଧି ଦିଆଯାଇଥିଲା। ଏହାପରେ ସ୍ମାର୍ଟମିଟର ବିରୋଧୀ ଆନ୍ଦୋଳନ ଆରମ୍ଭ ହେଲା। ଲୋକେ ମିଟର ଫିଙ୍ଗିବା ଆରମ୍ଭ କରିଥିଲେ। କେନ୍ଦପାଲି ପରେ ବୁଧିଆପାଲି, ଝାଙ୍କରପାଲି, ତୁରା, ବିଶିପାଲି, ଭଟଲି, କଟାପାଲି, ଘେଁସ, ଦଶମାଇଲଛକ, ସୋହେଲା ସମେତ ସବୁଠି ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନ ବ୍ୟାପିଥିଲା। ବର୍ତ୍ତମାନ ଆମେ ଜାଣିବାରେ ବରଗଡ଼ ଜିଲ୍ଲାରେ ୧୦ ହଜାରରୁ ଅଧିକ ସ୍ମାର୍ଟମିଟର ଫେରାଯାଇଛି। ୧୦ ଦିନ ଧରି ଆନ୍ଦୋଳନ ଜାରି ରହିଲା। ଶନିବାର ଦିନ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି।
ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନ ପ୍ରତି ଅନ୍ୟ ଜିଲ୍ଲାର କେମିତି ସମର୍ଥନ ରହିଛି
ବର୍ତ୍ତମାନ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବିରୋଧୀ ଲଢେଇ ବରଗଡ଼ ଜିଲ୍ଲାର ୧୨ ବ୍ଲକରେ ବ୍ୟାପିସାରିଛି। ଅନ୍ୟ ଜିଲ୍ଲାର ଲୋକମାନେ ଫୋନ ଜରିଆରେ ନୈତିକ ସମର୍ଥନ ଦେଉଛନ୍ତି। ସଂଯୁକ୍ତ କୃଷକ ସଙ୍ଗଠନର ବ୍ୟାନର ତଳେ ୧୪ଟି ଚାଷୀ ସଙ୍ଗଠନ ଏଥିରେ ସାମିଲ ଅଛନ୍ତି। ବରଗଡ଼ ବାର ଆସୋସିଏସନ ଏହାକୁ ଲିଖିତ ଭାବରେ ସମର୍ଥନ ଦେଇଛନ୍ତି।
ଜନପ୍ରତିନିଧି ଏବଂ ପୂର୍ବତନ ଜନ ପ୍ରତିନିଧିଙ୍କ କଣ ଆଭିମୁଖ୍ୟ ରହିଛି।
-ଏହି ପ୍ରସଙ୍ଗକୁ ନେଇ ଜନପ୍ରତିନିଧି କିମ୍ବା ପୂର୍ବତନ ଜନପ୍ରତିନିଧି କେହି ସମର୍ଥନ କରି ନାହାନ୍ତି କିମ୍ବା ଖୋଲାଖୋଲି କିଛି କହୁ ନାହାନ୍ତି। ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ଲିଖିତ ଭାବରେ ଅବଗତ କରାଯାଇଛି।