ସମ୍ବଲପୁର ଲୋକସଭାର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ ଶୋଭଯାତ୍ରାରେ ଅଂଶୁଘାତ ଯୋଗୁଁ ଜଣେ ସଞ୍ଚାର କଳାକାରଙ୍କ ମୃତ୍ୟୁ ନେଇ ଗୁରୁତର ଅଭିଯୋଗ ହୋଇଛି। ୪୦ ଡିଗ୍ରିରୁ ଅଧିକ ତାପମାତ୍ରାରେ ଯେତେବେଳେ କି ସକାଳ ୯ଟା ପରେ ବାହାରକୁ ବାହାରିବା ପାଇଁ ବାରଣ କରାଯାଏ। ଏପରିକି ଏହି ସମୟରେ ଯେକୌଣସି ପ୍ରକାର ମଜୁରୀ କାର୍ଯ୍ୟ କରାଇବା ନେଇ କଟକଣା ରହିଛି, ଏତେ ଖରାରେ ଶୋଭାଯାତ୍ରାର ଅନୁମତି କେମିତି ମିଳେ ତାକୁ ନେଇ ପ୍ରଶ୍ନବାଚୀ ରହିଛି। ସେ ଦିନ ଦେଶର ସବୁ ବଡ଼ ଗଣମାଧ୍ୟମ ପ୍ରତିନିଧିମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମଧ୍ୟ ଅଂଶୁଘାତ ମୃତ୍ୟୁକୁ ସ୍ଥାନିତ କରାଯାଇନଥିଲା। ସ୍ଥାନୀୟ ଗଣମାଧ୍ୟମ ଦ୍ବାରା ପ୍ରସଙ୍ଗକୁ ଯଥାସମ୍ଭବ ଗୌଣ କରାଯାଇ ଥିଲା। ବିଜେଡି ପକ୍ଷରୁ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ ପରେ ଘଟଣାଟି ସ୍ଥାନୀୟ ସ୍ତରରେ ଲୋକଲୋଚନକୁ ଆସିଥିଲେ ମଧ୍ୟ ଚର୍ଚିତ ହୋଇନଥିଲା କି ଏତେ ଖରାରେ କାହିଁକି ଏତେ ବଡ଼ ଶୋଭାଯାତ୍ରା ବାହାରୁଛି ତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବିଶେଷ ଉଦବେଳନ ନଥିଲା। କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହେଁ ଏହା ପୂର୍ବରୁ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥିପତ୍ର ଦାଖଲ ବେଲେ ଏହିଭଳି ଏକ ବଡ଼ ଶୋଭାଯାତ୍ରା ବାହାରିଥିଲା। ନିର୍ବାଚନ ପ୍ରଚାର ଆରମ୍ଭ ହେବା ଦିନ ଠାରୁହିଁ ଉଭୟ ପ୍ରାର୍ଥୀ ପରସ୍ପର ବିରୋଧରେ ଶକ୍ତି ପ୍ରଦର୍ଶନ କରୁଛନ୍ତି।
ସମ୍ବଲପୁର ଲୋକସଭା ନିର୍ବାଚନ ଦେଶର ଚର୍ଚିତ ଏବଂ ରାଜ୍ୟର ହାଇପ୍ରୋଫାଇଲ ନିର୍ବାଚନ କ୍ଷେତ୍ର ମଧ୍ୟରୁ ଅନ୍ୟତମ। ଏଠାରେ ବିଜେପି ଲୋକସଭା ପ୍ରାର୍ଥୀ ଭାବରେ ଅନୁଗୁଳ ଜିଲ୍ଲାର ତାଳଚେର ଅଧିବାସୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡ଼ି ଲୋକସଭା ପ୍ରାର୍ଥୀ ତଥା ସାଙ୍ଗଠନିକ ସମ୍ପାଦକ ଯାଜପୁର ଅଧିବାସୀ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ଅଛନ୍ତି। କଂଗ୍ରେସ ସମ୍ବଲପୁରର ଜଣେ କ୍ରୀଡ଼ା ସଙ୍ଗଠକ ଦୁଲାଲ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଠାରୁ ଟିକେଟ ଫେରାଇ ଆଣିଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ନଗେନ୍ଦ୍ର ପ୍ରଧାନ ଏଠାରୁ ପ୍ରାର୍ଥୀ କରାଇଛି। ବର୍ତ୍ତମାନ ଦୁଲାଲ ବିଜେପିରେ ସାମିଲ ହୋଇଛନ୍ତି। ଭାଷା, ସାହିତ୍ୟ ଏବଂ ସଂସ୍କୃତିର ଅସ୍ମିତା ନେଇ ଲଗାତାର ଲଢେଇ କରୁଥିବା ସମ୍ବଲପୁରରେ ସ୍ଥାନୀୟ ଜଣଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇନଥିବା ସତ୍ତ୍ବେ ଏହା ସମ୍ବଲପୁରରେ ବଡ଼ ପ୍ରସଙ୍ଗ ନୁହେଁ। ବରଂ କ୍ଷମତାଶାଳୀ ଦୁଇ ଜଣ ପ୍ରାର୍ଥୀ ହୋଇଥିବାରୁ ଆଗାମୀ ଦିନରେ ସମ୍ବଲପୁରର ବିକାଶର ରାସ୍ତା ଖୋଲିବ ଏବଂ ଅନେକ ବୁଦ୍ଧିଜୀବୀଙ୍କ ବ୍ୟକ୍ତିଗତ ମହତ୍ବକାଂକ୍ଷା ଖୋଲିବ ବୋଲି ସମସ୍ତେ ଆଶା କରିଛନ୍ତି। କାରଣ ଗତ ୫ ବର୍ଷ ଧରି ସମ୍ବଲପୁର ଲୋକସଭା ଏବଂ ବିଧାନସଭା କ୍ଷେତ୍ରରେ ସ୍ଥାନୀୟ ପ୍ରତିନିଧି ହୋଇ ମଧ୍ୟ ଉଭୟ ନିଜ ନିର୍ବାଚନକ୍ଷେତ୍ରକୁ ଧ୍ୟାନ ଦେଉନଥିଲେ। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଏକାସହିତ ହୋଇ ଆସୁଛି। ସମ୍ବଲପୁରରେ ବିଧାନସଭା ନିର୍ବାଚନ ଆକର୍ଷଣର କେନ୍ଦ୍ର ହୋଇଥାଏ। କିନ୍ତୁ ଚଳିତ ଥର ସବୁ ଧ୍ୟାନ ଲୋକସଭା ପ୍ରାର୍ଥୀଙ୍କ ଉପରେହିଁ ରହିଛି। ଦୁଇ ବଡ଼ ଦଳର କ୍ଷମତାଶାଳୀ ବ୍ୟକ୍ତିଙ୍କ ପ୍ରଚାର ପାଇଁ ଉଭୟ ଦଳର ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟକ୍ତିଙ୍କ ସମାଗମ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ ଅନେକ ବଡ଼ ହୋଟେଲ ରୁମ ବୁକ ହୋଇ ରହିଛି। ତାବାଦ ମଧ୍ୟ ଡୁପ୍ଲେକ୍ସମାନଙ୍କରେ ଗତବର୍ଷ ଜାନୁଆରି ମାସ ପର ଠାରୁ ଅନେକ ରଣନୀତିକାର ରହିବା ଆରମ୍ଭ କରିଛନ୍ତି। ସମ୍ବଲପୁର ଆସନ ଅତ୍କିଆର ପାଇଁ ଧର୍ମେନ୍ଦ୍ର ନିଜ ଟିମ ସହିତ ଏକ ବର୍ଷରୁ ଉର୍ଧ୍ବ ସମୟ ହେଲା ନିୟମିତ ରହି ଆସୁଛନ୍ତି ଏବଂ ୨୦୧୯ ପର ଠାରୁ ଏହା ଉପରେ ନଜର ରଖିଛନ୍ତି। ସମ୍ବଲପୁରର ସ୍ଥାନୀୟ କର୍ମୀଙ୍କ ଉପରେ ପ୍ରଚାର ପାଇଁ ଦଳ ନିର୍ଭର କରୁଛି କିନ୍ତୁ ବାହାରର ବଡ଼ ବ୍ୟକ୍ତିମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ରଣନୀତି ଜଣେ ଆଇଏଫଏସ କରୁଥିବା ନେଇ ବିଜେଡ଼ି ଅଭିଯୋଗ କରୁଛି। ସୂତ୍ର ଅନୁସାରେ, ସାମାଜିକ ଗଣମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷ ଏବଂ ବିପକ୍ଷରେ ପ୍ରଚାର ପାଇଁ ସର୍ବାଧିକ ଖର୍ଚ ହେଉଛି। ସାମ୍ପ୍ରଦାୟିକତା ବିଦ୍ବେଷମୂଳକ ଭିଡିଓ ବେଶି ଭାଇରାଲ ହେବାରେ ଲାଗିଛି। ଧର୍ମେନ୍ଦ୍ରଙ୍କ ନିର୍ବାଚନ ପ୍ରଚାରର ରଣନୀତି ଓ୍ବାର୍ଡ ସ୍ତରରୁ ଆରମ୍ଭ ହୋଇଛି। ଉଦାହରଣ ସ୍ବରୂପ, ନିର୍ବାଚନ ଘୋଷଣା ହେବାର କିଛି ମାସ ପୂର୍ବରୁ ସମ୍ବଲପୁର ସହରରେ ସ୍ଥିତ ସର୍ବପୁରାତନ ଷ୍ଟେସନ ପଡ଼ା ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରେଳ ବିଭାଗ ପକ୍ଷରୁ ନୋଟିସ ଜାରି ହେଲା। ଲୋକେ ପ୍ରଥମେ ରୋହିତ ପୂଜାରୀ ଏବଂ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବର୍ତ୍ତମାନ ଏହି ଅଞ୍ଚଳର ଉଚ୍ଛେଦ ସ୍ଥଗିତ ରହିଥିବା ସ୍ଥାନୀୟ ଅଧିବାସୀ ବିଶ୍ବାସ କରନ୍ତି। ଉଚ୍ଛେଦ ନୋଟିସ ଜାରି କରିଥିବା ସରକାର ଧର୍ମେନ୍ଦ୍ରଙ୍କର ଏବଂ ତାଙ୍କ ସହିତ ବିନା ଆଲୋଚନାରେ କୌଣସି ନୋଟିସ ଜାରି ସମ୍ଭବ ନୁହେଁ ଏହା କେହି ଭାବନ୍ତି କି ନାହିଁ ତାକୁ ନେଇ ସନ୍ଦେହ ରହିଛି। ତାଙ୍କ ଲୋକସଭା କ୍ଷେତ୍ରର ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଚୟନ ନିଜ ପସନ୍ଦର ହୋଇଛି। ଅସନ୍ତୋଷ ଏଡ଼ାଇବା ପାଇଁ କୌଣସି ପ୍ରକାର ବଦଳ କରି ନାହାନ୍ତି। ବରଂ ରେଢାଖୋଲ ଆସନରେ ଟିକେଟରୁ ବଞ୍ଚିତ ଗୋବିନ୍ଦ ଅଗ୍ରଓ୍ବାଲଙ୍କୁ ମନେଇ ପାରିଛନ୍ତି। ପ୍ରାର୍ଥୀ ଘୋଷଣାର ଠିକ ପୂର୍ବରୁ ଜୟନାରାୟଣ ଏବଂ ଗିରିଶଙ୍କ ମତାନ୍ତର ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଣଓଡ଼ିଆ ଏବଂ ନକଲି ଜାତି ପ୍ରମାଣପତ୍ରରେ ଫସିଥିବା ଗିରିଶଙ୍କୁ ଜୟନାରାୟଣହିଁ ନଗରପାଳ ଏବଂ ଜିଲ୍ଲା ସଭାପତି କରାଇଥିଲେ। ପ୍ରଚାର ଶୈଳୀ ବିଷୟରେ ଆଲୋଚନା ପୂର୍ବରୁ ବିଜେଡ଼ି ପ୍ରାର୍ଥୀ ପ୍ରଣବ କିଶୋର ଦାସଙ୍କ ବିରୋଧରେ ଆଲୋଚନା କରାଯାଉ। ୨୦୨୨ ମସିହାରେ ପଞ୍ଚାୟତ ନିର୍ବାଚନ ସମୟରେ ସମ୍ବଲପୁର ବିଜେଡ଼ିର ଦାୟିତ୍ବରେ ରହିଥିଲେ ସୁଶାନ୍ତ ସିଂ। ପଞ୍ଚାୟତ ନିର୍ବାଚନରେ ସମ୍ବଲପୁରକୁ ଜିତାଇବାରେ ସୁଶାନ୍ତ ସିଂ ଜରିଆରେ ପ୍ରଣବ ପ୍ରକାଶ ସକ୍ରିୟ ରହିବା ସହିତ ସମ୍ବଲପୁର ରାଜନୀତି ସହିତ ପରିଚିତ ହୋଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ୨୦୨୩ ମସିହାରେ ସମ୍ବଲପୁରରେ ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ବ ପାଇ ଏଠାରେ ସକ୍ରିୟ ହେବା ଆରମ୍ଭ କରିଥିଲେ। ଏହା ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ମଧ୍ୟ ଏଠିକୁ ଆସୁନଥିଲେ। ନବ କିଶୋର ଦାସଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶା ବିଶେଷକରି ସମ୍ବଲପୁର-ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ଖଣି ଅଞ୍ଚଳରେ ବିଜେଡ଼ି ନେତୃତ୍ବ ମଧ୍ୟରେ ଯେଉଁ ଖାଲି ସ୍ଥାନ ସୃଷ୍ଟି ହୋଇଛି ତାହା ପୂରଣ କରିବା ପ୍ରଣବ ପ୍ରକାଶ ଏଠିକୁ ଆସିବାର ଅନ୍ୟତମ କାରଣ ଅଟେ ବୋଲି କୁହାଯାଉଛି। କିନ୍ତୁ ଏଥିଯୋଗୁଁ ସମ୍ବଲପୁର ବିଜେଡ଼ିର କର୍ମକର୍ତ୍ତା ସର୍ବାଧିକ କ୍ଷତିଗ୍ରସ୍ତ ହେଲେ। ଏଠାରେ ଅନେକ ଦକ୍ଷ ନେତା ଥାଇ ମଧ୍ୟ କାହାକୁ ନିର୍ବାଚନର ସୁଯୋଗ ମିଳିଲା ନାହିଁ। ଯାହା ସମ୍ବଲପୁର ଜିଲ୍ଲା ପାଇଁ ମଧ୍ୟ କ୍ଷତିକାରକ ଅଟେ। ତାଙ୍କ ଦଳ ଅନୁସାରେ, ସମ୍ବଲପୁରରେ ବିଜେପିର ବଡ଼ ରାଜନେତାଙ୍କୁ ଚେକ୍ ଦେବା ଉଦେଶ୍ୟରେ ପ୍ରଣବ ଏଠାରେ ପ୍ରାର୍ଥୀ ହୋଇଛନ୍ତି। ସମ୍ବଲପୁର ବିଜେଡ଼ିର ଗୋଷ୍ଠୀ କନ୍ଦଳର ସମାଧାନ ଏହାର ଏକ କାରଣ ବୋଲି କୁହାଯାଉଛି। ବିଜେଡ଼ିରୁ ପୂର୍ବତନ ବିଧାୟକ ରାସେଶ୍ବରୀ ପାଣିଗ୍ରାହୀ ପଦାଧିକାରୀ ଥିବା ନିଜ ୪୧ ସହଯୋଗୀଙ୍କ ଇସ୍ତଫା ଦେବା ଏବଂ ବିଜେପି ସହିତ ଘନିଷ୍ଠ ହେବା ପ୍ରଣବଙ୍କ ବିଫଳତା ଅଟେ। ଦେବଗଡ଼ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ଆଳରେ ଦେବଗଡ଼ ରାଜପରିବାରର ବୋହୂ ଅରୁନ୍ଧତୀ ଦେବୀଙ୍କୁ ଟିକେଟ ଦେଇ ପୁଣି ପ୍ରତ୍ୟାହାର କରାଯିବା ଯୋଗୁଁ ଗୋଳମୋଳିଆ ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଅରୁନ୍ଧତୀ ଦେବୀଙ୍କୁ ଟିକେଟ ଦେଇ ବିଜେଡ଼ି ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ସମର୍ଥନ ପାଇବ ବୋଲି ଆଶା କରିଥିଲା। ମାତ୍ର ନିତେଶ ଗଙ୍ଗଦେବ ବିଜେପିରେ ଅଛନ୍ତି ବୋଲି ଘୋଷଣା ପରେ ସମ୍ଭବତଃ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଛି। ସମ୍ବଲପୁର ରାଜନୀତିରେ ଏହି ଦୁଇ ରାଜନେତାଙ୍କ ଆବିର୍ଭାବ ପରେ ନିର୍ବାଚନ ଖର୍ଚ ଏତେ ବଢିଛି ଯେ ପୂର୍ବରୁ କେବେ ଦେଖାଯାଉନଥିଲା। ଓ୍ବାର୍ଡରେ ବୈଠକ ଠାରୁ ଆରମ୍ଭ କରି ଏଭଳି କୌଣସି ସଙ୍ଗଠନ, କ୍ଲବ ନାହିଁ ଯାହାଙ୍କ ସହିତ ଏମାନେ ଆଲୋଚନା କରୁ ନାହାନ୍ତି। ସାହିତ୍ୟ, ସଂସ୍କୃତି, କଳାକାର ଯେଉଁମାନେ ରାଜନୈତିକ ଦଳ ଠାରୁ ଦୂରତା ଅବଲମ୍ବନ କରନ୍ତି ସେମାନଙ୍କୁ ନେଇ ଉଭୟ ବୈଠକ କରିଛନ୍ତି। ଏପରିକି ଅନେକ ନାଟ୍ୟ କଳାକାର ରାଜନୈତିକ ଦଳରେ ସାମିଲ ହୋଇଛନ୍ତି। କିଛି ପ୍ରଚାରକ ମଧ୍ୟ ହୋଇଛନ୍ତି। ଧର୍ମେନ୍ଦ୍ର ଏଥିରେ ଅନେକ ପାଦ ଆଗକୁ ଯାଇ ସାହିତ୍ୟିକ ସମାବେଶ, ବ୍ୟବସାୟୀ କରାଇ ନିଜେ ଅତିଥି ହୋଇଛନ୍ତି। ଜାତି ଆଧାରରେ ସଙ୍ଗଠନକୁ ଡକାଯାଇ ଭୋଟ ନେବା ପାଇଁ ଚେଷ୍ଟା ହେଉଛି। ବର୍ତ୍ତମାନ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଯାହା ସମସ୍ତେ ଜାଣନ୍ତି କିନ୍ତୁ ଲେଖି ହୁଏ ନାହିଁ ତାହା ହେଲା ଟଙ୍କା ବଣ୍ଟନ। ଉଭୟ ପ୍ରାର୍ଥୀ ନିଜ କର୍ମୀଙ୍କ ଜରିଆରେ ପ୍ରତି ଓ୍ବାର୍ଡରେ ଲୋକଙ୍କ ନିକଟକୁ ଟଙ୍କା ଏବଂ ଶାଢି ପଠାଇବାରେ ଲାଗି ପଡ଼ିଛନ୍ତି। ଉଭୟ ଦଳ ପାଇଁ କର୍ମୀଙ୍କ ସହିତ ଅନେକ ଏସଏଚଜି ମହିଳା କାର୍ଯ୍ୟ କରୁଛନ୍ତି। ପୂର୍ବରୁ ବିଧାନସଭା ପ୍ରାର୍ଥୀ ଲୋକସଭା ପ୍ରାର୍ଥୀଙ୍କୁ ସହଯୋଗ କରୁଥିଲେ। ଧର୍ମେନ୍ଦ୍ରଙ୍କ କ୍ଷେତ୍ରରେ ଏହା ଓଲଟା ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚାରରେ ସମ୍ପ୍ରଦାୟିକତା ବିଷମଞ୍ଜି ବୁଣିବାରେ ପ୍ରୟାସ ଆରମ୍ଭ ହୋଇଛି। ଜୟନାରାୟଣଙ୍କ ଅନେକ ଆପତ୍ତିଜନକ ଭିଡିଓ ଭାଇରାଲ ହେଉଥିଲେ ମଧ୍ୟ ବିଜେଡ଼ି ଏହାକୁ ନେଇ ଏତେ ଅଭିଯୋଗ କରୁ ନାହିଁ। ଆଗାମୀ ଦିନରେ ସ୍ଥିତି କଣ ହେବ କହି ହେବ ନାହିଁ। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଗୁରୁତ୍ବପୂର୍ଣ୍ଣ ଫେକ୍ଟର ହୋଇଛନ୍ତି। ବିଜେଡ଼ି ଅନୁସାରେ ସେ ଚଷା ଭୋଟ କାଟି ଧର୍ମେନ୍ଦ୍ରଙ୍କୁ କ୍ଷତି କରିବେ, ବିଜେପି ସମର୍ଥକଙ୍କ ଆକଳନ ଅନୁସାରେ, ନଗେନ୍ଦ୍ର ଆଠମଲ୍ଲିକ, ଛେଣ୍ଡିପଦାରୁ ବିଜେଡ଼ିର ଭୋଟ କାଟିବେ। କଂଗ୍ରେସ ପ୍ରାର୍ଥୀ ଭାବରେ ଦୁଲାଲ ପ୍ରଧାନ ଛିଡ଼ା ହୋଇଥିଲେ ସମ୍ବଲପୁରରେ ବିଧାୟକ ପ୍ରାର୍ଥୀ ଦୁର୍ଗା ପାଢୀଙ୍କୁ ବଳ ମିଳିଥାଆନ୍ତା। ସେ ସମ୍ବଲପୁରରୁ କିଛି ଭୋଟ ଟାଣିଥାଆନ୍ତେ ବୋଲି କୁହାଯାଉଛି। ଆଠମଲ୍ଲିକରେ ବିଜେଡ଼ି ୫୦ ହଜାର ବ୍ୟବଧାନରେ ଅଧିକ ଭୋଟ ପାଇଥାଏ। ଚଳିତ ବର୍ଷ ବିଜେଡି ନେତା ସଂଜୀବ ସାହୁ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ଏବଂ ପୂର୍ବତନ ବିଧାୟକ ରମେଶ ବିଜେପିର ପ୍ରଚାରକ। ତେଣୁ ଦଳର ଭୋଟ ପ୍ରଭାବିତ ହେବା ନେଇ ଆକଳନ କରାଯାଉଛି। ଉଭୟ ଦଳରେ ଅସନ୍ତୋଷ ରହିଛି। ବିପରୀତ ଦଳକୁ ସୁହାଇବ।
ଏହି ନିର୍ବାଚନର ସକରାତ୍ମକ ଦିଗ ହେଲା, ଦୁଇ ବଡ଼ ପ୍ରାର୍ଥୀ ଛିଡ଼ା ହେବା ଯୋଗୁଁ ମହାନଦୀ, ଏମଏସପି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଯାହା ସେମାନଙ୍କ ଅଘୋଷିତ ବୁଝାମଣା ଯୋଗୁଁ ଚର୍ଚା ହେଉନଥିଲା ତାହା ଆଲୋଚନା ଆରମ୍ଭ ହୋଇଛି। ନିର୍ବାଚନ ପାଇଁ ଆହୁରି ସମୟ ରହିଛି ତେଣୁ ଆଗାମୀ ଦିନରେ ନିର୍ବାଚନ ମୋଡ଼ କେଉଁ ଦିଗକୁ ଯିବ ଦେଖିବାକୁ ବାକି ରହିଲା।