କେଉଁ କମ୍ପାନି ଠାରୁ କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ନେଇଛି ବିଜେଡ଼ି

କମ୍ପାନିମାନେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦିଅନ୍ତି। ଏଥିରେ କିଛି ନୂଆଁ କଥା ନାହିଁ। କର୍ପୋରେଟ ଡୋନେସନ ବ୍ୟବସ୍ଥା ଥାଇ ମଧ୍ୟ କାହିଁକି ଏହାକୁ ଅଣାଗଲା ଏବଂ କାହିଁକି ଏହାକୁ ଏକ ଅପରାଧ ବୋଲି ବିବେଚନା କରାଯାଉଛି। ଜାତୀୟ ସ୍ତରରେ ବିଜେପି ସର୍ବାଧିକ ଇଲେକ୍ଟୋରାଲ ବଣ୍ଡ ପାଇଛି କିନ୍ତୁ ଆଞ୍ଚଳିକ ଦଳ ଭାବରେ ବିଜେଡି ରାଜ୍ୟର କେଉଁ କମ୍ପାନି ଠାରୁ କେତେ ଇଲେକ୍ଟୋରାଲ ବଣ୍ଡ ପାଇଛି, ଏହା ସାଧାରଣ ମଣିଷଙ୍କୁ କିଭଳି ପ୍ରଭାବିତ କରୁଛି ଏହି ଉତ୍ତର ଦେଇଛନ୍ତି ସମଦୃଷ୍ଟିର ସମ୍ପାଦକ ସୁଧୀର ପଟନାୟକ। କେଉଁ କମ୍ପାନି ଠାରୁ ବିଜେଡି କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ପାଇଛି ଶ୍ରୀ ପଟନାୟକ ତାର ଏକ ନକଲ ମଧ୍ୟ ଦେଇଛନ୍ତି।  

୧. ଇଲେକ୍ଟୋରାଲ ବଣ୍ଡଟି କଣ

-ଇଲେକ୍ଟୋରାଲ ବଣ୍ଡ ପୂର୍ବରୁ ଆମ ଦେଶରେ ନଥିଲା। କିନ୍ତୁ କର୍ପୋରେଟ ଡୋନେସନ ଅର୍ଥାତ କମ୍ପାନି ଅନୁଦାନ ବ୍ୟବସ୍ଥାଟି ରହିଛି। ଏଥିପାଇଁ କିଛି ମାନଦଣ୍ଡ ରହିଥିଲା। ଅର୍ଥାତ କମ୍ପାନିଟି ୩ ବର୍ଷ ପୁରୁଣା ହୋଇଥିବ ଏବଂ ୩ ବର୍ଷର ନେଟ ପ୍ରଫିଟର ୭.୫% ସେମାନେ ଦେଇ ପାରିବେ। ଯାହା ସେମାନଙ୍କ ଅଡିଟ୍ ରିପୋର୍ଟରେ ଦେଖାଇବେ। କିନ୍ତୁ ୨୦୧୭ ମସିହାରେ ଇଲେକ୍ଟୋରାଲ ବଣ୍ଡକୁ ଫାଇନାନ୍ସ ବିଲ ଭାବରେ ଅତି ଚାଲାକି ଭାବରେ ଲୋକସଭାକୁ ଅଣାଯାଇ ଥିଲା। ସଂଖ୍ୟାଗରିଷ୍ଠତା ଆଧାରରେ ଏହା ଅନୁମୋଦିତ ମଧ୍ୟ ହୋଇଥିଲା। ଫାଇନାନ୍ସ ବିଲର ନିୟମ ଅନୁସାରେ ଏହା କେବଳ ଲୋକସଭାରେ ଗୃହୀତ ହୋଇ ପାରିବ। ରାଜ୍ୟସଭାକୁ ଆସିବାର ଆବଶ୍ୟକତା ନଥିଲା।  ଏହି ବଣ୍ଡ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ପୂର୍ବଭଳି ଏହାକୁ ଇସୁ କରିବାର ଆବଶ୍ୟକତା ନଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ରିଜର୍ଭ ବ୍ୟାଙ୍କ ଆପତ୍ତି ମଧ୍ୟ କରିଥିଲା। କିନ୍ତୁ ସରକାର ଏହାକୁ ଚାପି ଦେଲେ। ଇଲେକ୍ଟୋରାଲ ଏବଂ କର୍ପୋରେଟ ଡୋନେସନର ଫରକ ହେଲା, ଏଥିରେ ଯେଉଁମାନେ କେଓ୍ବାଇସି ପୂରଣ କରି ବଣ୍ଡ କିଣିବେ ଏବଂ ଯେଉଁ ଦଳକୁ ଦେବେ କେବଳ ନିର୍ବାଚନ କମିସନଙ୍କୁ ଜଣାଇବେ। ସାଧାରଣ ଜନତା ଜାଣିବାର ବ୍ୟବସ୍ଥା ନାହିଁ। ନିର୍ବାଚନ କମିସନ ମଧ୍ୟ ଏତିକି ଜାଣିବେ ଯେ କେଉଁ ଦଳ କେତେ ଇଲେକ୍ଟୋରାଲ ବଣ୍ଡ ପାଇଛନ୍ତି କିନ୍ତୁ କିଏ କାହାକୁ କେତେ ଟଙ୍କାର ବଣ୍ଡ ଦେଇଛନ୍ତି ତାହା ନିର୍ବାଚନ କମିସନ ମଧ୍ୟ ଜାଣିପାରିବେ ନାହିଁ।

୨. ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖକୁ କେମିତି ପହଞ୍ଚିଲା।

 ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ଇଲେକ୍ଟୋରାଲ ବଣ୍ଡ ଅଣାଗଲା। କିନ୍ତୁ ଏଥିରେ ସ୍ବଚ୍ଛତା ବଦଳରେ ଆହୁରି ଗୋପନୀୟତା ରହିଲା। ଏପରିକି କମ୍ପାନି ସେୟାର ହୋଲଡର ମଧ୍ୟ ଜାଣିଲେ ନାହିଁ ଯେ କେଉଁ ଦଳକୁ କେତେ ଟଙ୍କା ଦିଆଯାଇଛି। କେବଳ ବୋର୍ଡ ବୈଠକରେ ଏତିକି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ଦିଆଯାଉଥିବା ନେଇ ପ୍ରସ୍ତାବକୁ ଗୃହୀତ କରାଯାଉଥିଲା। ସୂଚନା ଅଧିକାର ଆଇନ ମଧ୍ୟ ଏଥିରେ କାର୍ଯ୍ୟକାରୀ ହେଲା ନାହିଁ। ଫଳରେ କିଏ କାହାକୁ କେତେ ଟଙ୍କା ଦେଲେ ତାହା ଜଣାପଡ଼ିଲା ନାହିଁ। ତେଣୁ ଏହାକୁ ନେଇ ଆପତ୍ତି ଉଠାଯାଇଥିଲା। ଆସୋସିଏସନ ଅଫ ଡେମୋକ୍ରୋଟିକ ରାଇଟ, ସିପିଆଇ(ଏମ) ଅନେକ ପୂର୍ବରୁ ଆପତ୍ତି କରିଥିଲା। କଂଗ୍ରେସ ମଧ୍ୟ ବିରୋଧ କରିଥିଲା। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହାକୁ ହିସାବକୁହିଁ ନେଇନଥିଲେ। ଅନେକ ବାରର ଶୁଣାଣି ପରେ ଚଳିତ ବର୍ଷ ଫେବ୍ରୁଆରି ୧୫ ତାରିଖ ରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଏହାକୁ ଅବୈଧ ବୋଲି ରାୟ ଦିଆଗଲା। ଏହା ସହିତ ଏହାକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା ସହିତ ଇଲେକ୍ଟୋରାଲ ବଣ୍ଡ ଇସୁକୁ ତୁରନ୍ତ ବନ୍ଦ ପାଇଁ କହିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ରାୟର କିଛି ଦିନ ପୂର୍ବରୁହିଁ ୧୦ ହଜାର କୋଟିର ଇଲେକ୍ଟୋରାଲ ବଣ୍ଡ ପ୍ରିଣ୍ଟ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଦେଶ ଦେଇ ସାରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କ କିଛି ବିଗାଡ଼ି ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପୂରା ନିଶ୍ଚିତ ଥିଲେ।  ମାର୍ଚ ୧୪ ସୁଦ୍ଧ ଇଲେକ୍ଟୋରାଲ ବଣ୍ଡର ବିସ୍ତୃତ ତଥ୍ୟ ଦେବା ପାଇଁ ନିର୍ବାଚନ କମିସନଙ୍କୁ କୁହାଗଲା। ଏହା ପୂର୍ବରୁ ମାର୍ଚ ୬ ତାରିଖ ସୁଦ୍ଧା ଏସବିଆଇକୁ ବିସ୍ତୃତ ତଥ୍ୟ ଦେବା ପାଇଁ କୁହାଗଲା। । ୧୮ ଦିନ ପରେ ମଧ୍ୟ ଏସବିଆଇ କିଛି କହିଲେ ନାହିଁ। ୧୮ ଦିନ ପରେ ତଥ୍ୟ ଦେବା ପାଇଁ ଜୁନ ୩୦ ତାରିଖ ପର୍ଯ୍ୟନ୍ତର ମହଲତ ମାଗିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦ ପରେ ଏସବିଆଇ ତଥ୍ୟ ଦେବାକୁ ବାଧ୍ୟ ହେଲେ। ପ୍ରଥମେ ଟଙ୍କା କେତେ ଦେଇଛନ୍ତି ତାହା ଜଣାପଡ଼ିଲା। ୟୁନିକ ନମ୍ବର ଦେବା ପରେ କିଏ କେହାକୁ କେତେ ଟଙ୍କା ଦେଇଛନ୍ତି ସବୁ ଜଣା ପଡ଼ିଥିଲା। ଏହାକୁ ସ୍ବାଧୀନ ଭାରତର ସବୁଠାରୁ ଘୋଟାଲା କୁହାଯାଉଛି। କିନ୍ତୁ ଏହା ଘୋଟାଲା ନୁହେଁ ବରଂ ଅପରାଧ ଅଟେ। ଲୋକଙ୍କୁ ଭ୍ରମରେ ରଖି ଏଭଳି କାର୍ଯ୍ୟ କେବେ ହୋଇ ନାହିଁ।

୩. ବିଜେଡି କେଉଁ କମ୍ପାନି ଠାରୁ କେତେ ଇଲେକ୍ଟୋରାଲ ବଣ୍ଡ ପାଇଛି

ବିଜେପି ସବୁଠାରୁ ଅଧିକ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ପାଇଛି। ଏଥିମଧ୍ୟରୁ ଅନେକ କମ୍ପାନିଙ୍କୁ ଚଢାଉ କରାଯିବା ପରେ ଏହା ପାଇଛନ୍ତି। କିନ୍ତୁ ବିଜେଡି ବି କମ ନୁହେଁ। ସେମାନେବି ୯୪୦ କୋଟି ଟଙ୍କା ପାଇଛନ୍ତି। ଯେଉଁମାନେ ବିଜେଡିକୁ ଏତେ ଟଙ୍କା ଦେଇଛନ୍ତି ସେମାନେ ମଧ୍ୟ ୧୦ ବର୍ଷ ହେଲା ବିଜେଡି ଠାରୁ ଲାଭ ମଧ୍ୟ ପାଇଛନ୍ତି। ମାଳି ପର୍ବତରେ ସକ୍ରିୟ ଥିବା ବିର୍ଲା ଗ୍ରୁପ, ସିଜିମାଳିରେ ସକ୍ରିୟ ଥିବା ବେଦାନ୍ତ ଗ୍ରୁପ, ରାୟଗଡ଼ର ଉତ୍କଳ ଆଲୁମିନା, ଏସଏଲ କମ୍ପାନି, ଜିନ୍ଦଲ ଷ୍ଟିଲ, ଜିନ୍ଦଲ ପାଓ୍ବାର ଆଦି ଅନେକ ରହିଛି। ଜିନ୍ଦଲ ଗ୍ରୁପ କେବଳ ୧୩୦ କୋଟି ଟଙ୍କା ଦେଇଛି। ରୁଙ୍ଗଟା ମଧ୍ୟ ୫୦ କୋଟି ଦେଇଛନ୍ତି।

୪. ଆଦିତ୍ୟ ବିର୍ଲା ଗ୍ରୁପ, ଜିନ୍ଦଲ, ଉତ୍କଳ ଆଲୁମିନା, ବେଦାନ୍ତ, ରୁଙ୍ଗଟା ଭଳି କାରଖାନା ଏବଂ ଖଣି ବିରୋଧରେ ସ୍ଥାନୀୟ ସ୍ତରରେ ତୀବ୍ର ଆନ୍ଦୋଳନ ଚାଲିଛି। ଏହି ଇଲେକ୍ଟୋରାଲ ବଣ୍ଡ ଯୋଗୁଁ ଆନ୍ଦୋଳନ, ଆନ୍ଦୋଳନକାରୀ ଏବଂ ସାଧାରଣ କମ୍ପାନି କିଭଳି ପ୍ରଭାବିତ ହେଉଛି।

କମ୍ପାନିମାନଙ୍କ ଠାରୁ ଏତେ କୋଟିର ଇଲେକ୍ଟୋରାଲ ବଣ୍ଡ ପାଇବା ଯୋଗୁଁ ପ୍ରତିରୋଧକାରୀଙ୍କ ପ୍ରତି ନିର୍ଯାତନା ବଢିଛି। ଇଲେକ୍ଟୋରାଲ ବଣ୍ଡ ଏକ ଲାଞ୍ଚ। ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ଦେଖନ୍ତୁ ଆଜିବି ଗିରଫଦାରୀ ଲାଗି ରହିଛି। ସିଜିମାଳି ଏବଂ ମାଳି ପର୍ବତ ଅଞ୍ଚଳରେ ଏକାସହିତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଗଲା। ଏଥିଯୋଗୁଁ ସମଦୃଷ୍ଟିର ଏହି ସଂଖ୍ୟାରେ ଇଲେକ୍ଟୋରାଲ ବଣ୍ଡ ଯୋଗୁଁ ଖଣି ପ୍ରଭାବିତ ଅଞ୍ଚଳରେ କିଭଳି ଅତ୍ୟାଚାର ହେଉଛି ତାର ବିସ୍ତୃତ ତଥ୍ୟ ସହିତ ସଂଖ୍ୟା ବାହାରୁଛି।

୫. ରାଜ୍ୟ ସ୍ତରରେ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ ସାଧାରଣ ଜନତାଙ୍କ ପାଖକୁ କେତେ ପହଞ୍ଚିଛି-

ଓଡ଼ିଶାରେ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ତଥ୍ୟ ଓଡ଼ିଶାବାସୀଙ୍କ ପାଖକୁ ନପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଧମକ ଦିଆଯାଉଥିବା ଶୁଣିବାକୁ ମିଳୁଛି।। ଏହି ତଥ୍ୟ ଲୋକଙ୍କ ପାଖକୁ ଯେପରି ନ ପହଞ୍ଚିବ ସରକାର ସବୁ ବ୍ୟବସ୍ଥା କରୁଛନ୍ତି। ତେଣୁ ବିକଳ୍ପ ଗଣମାଧ୍ୟମ ତଥା ବ୍ୟକ୍ତିଗତ ଭାବରେ ସମସ୍ତେ ନିଜ ସ୍ତରରେ ଏହି ବିଷୟରେ ଲୋକଙ୍କୁ ଜଣାଇବା ଉଚିତ। କାରଣ ଆମ ସରକାର କେତେ ଦୁର୍ନୀତିଗ୍ରସ୍ତ ଏଥିସମ୍ପର୍କରେ ପ୍ରତ୍ୟେକ ସାଧାରଣ ଜନତା ଜାଣିବା ନିହାତି ଦରକାର। ନିର୍ବାଚନ ପ୍ରଚାରରେ ଏତେ ଟଙ୍କାର ଯେଉଁ ଖର୍ଚ ହେଉଛି ସେହି ଟଙ୍କା କେଉଁଠୁ ଆସୁଛି ତାହା ପଦାରେ ଆସିବା କଥା।

୬. ନିର୍ବାଚନରେ ଏହା ପ୍ରସଙ୍ଗ ନୁହେଁ

ନିର୍ବାଚନ ପଇସାର ଖେଳ। ଇଲେକ୍ଟୋରାଲ ବଣ୍ଡର ପ୍ରଭାବ ସ୍ବରୂପ ୨୦୧୯ ମସିହାର ନିର୍ବାଚନ ଥିଲା ସବୁଠାରୁ ଖର୍ଚ ବହୁଳ। ଯେକୌଣସି ଦେଶର ନିର୍ବାଚନ ତୁଳନାରେ ଅନେକ ଅଧିକ। ବର୍ତ୍ତମାନ ସ୍ଥିତିରେ ଆହୁରି ୧୦ ହଜାର କୋଟିର ଇଲେକ୍ଟୋରାଲ ବଣ୍ଡକୁ ଲୁଚାଇ ଦିଆଯାଇଛି । ନିର୍ବାଚନ ଏହା ଚର୍ଚା ହେଉ ନାହିଁ ଏହାର ବଡ଼ କାରଣ ହେଲା, ଇଲେକ୍ଟୋରାଲ ବଣ୍ଡର ସବୁଠାରୁ ବଡ଼ ଅପରାଧୀତ ବିଜେପି। ଯିଏ ସବୁଠାରୁ ଅଧିକ ଟଙ୍କା ପାଇଛି। କଂଗ୍ରେସ ମଧ୍ୟ ବେଦାନ୍ତ ଠାରୁ ଟଙ୍କା ପାଇଛି। ଛୋଟ ପ୍ରଗତିଶୀଳ ସଙ୍ଗଠନଙ୍କ ପହଞ୍ଚ କେତେ। ଓଡ଼ିଶାରେ ଆଦିବାସୀ, ଦଳିତଙ୍କ ନିର୍ଯାତନା ଅଧିକ। ପିଲା ଅଧାରୁ ପାଠ ଛାଡ଼ି ସୁରଟ, ଆନ୍ଧ୍ରପ୍ରଦେଶରେ ଦାଦନ କାର୍ଯ୍ୟ କରୁଛନ୍ତି।। କିନ୍ତୁ ଦଳ ଟଙ୍କାର ଖେଳ ଖେଳୁଛନ୍ତି।  

୭. ଗଣତାନ୍ତ୍ରିକ ସରକାରଙ୍କ ପ୍ରସ୍ତୁତ ବ୍ୟବସ୍ଥା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା କେତେ ଠିକ୍–  

ଗୋଟିଏ ଦଳ ସବୁଠାରୁ ଅଧିକ ଏମପି ଅଛନ୍ତି ବୋଲି ସେମାନେ ସମ୍ବିଧାନକୁ ଭାଙ୍ଗି ପାରିବେ ନାହିଁ। ସାମ୍ବିଧାନିକ ମୂଲ୍ୟବୋଧର ହତ୍ୟା କରିପାରିବେ ନାହିଁ। ସଂଖ୍ୟାକମ ଯୋଗୁଁ ବିରୋଧୀ ଦଳତ କିଛି କରିପାରିବ ନାହିଁ। କିନ୍ତୁ ଯେତେବେଳେ ସମ୍ବିଧାନର ବିରୁଦ୍ଧାଚରଣ ହେବ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବା ସେମାନଙ୍କ ଦାୟିତ୍ବ। କାରଣ ସାମ୍ବିଧାନିକ ଆଇନକୁ ସୁରକ୍ଷା ଦେବାହିଁ ଅଦାଲତର ଦାୟିତ୍ବ ଅଟେ। ଯଦି କେଉଁଠି ସମ୍ବିଧାନର ଅବମାନନା ହେଉଛି ଉଲ୍ଲଂଘନ ହେଉଛି ଅଦାଲତ ଏହାର ହସ୍ତକ୍ଷେପ କରିବା ଉଚିତ। ବରଂ ଯେଉଁଠି ଅଦାଲତ ଏହା ନ କଲା ମାନିବାକୁ ପଡ଼ିବ ଯେ ସେମାନେ ସଂଖ୍ୟାଗରିଷ୍ଠ ଶାସକଙ୍କ ସପକ୍ଷରେ ଯାଉଛନ୍ତି। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ତାହା ଅନେକ ବର୍ଷ ଆଗରୁ ଦେବାର ଥିଲା। ବିଳମ୍ବରେ ହେଲେ ସୁଦ୍ଧା ସେମାନେ ଉଚିତ ରାୟ ଦେଇଛନ୍ତି। ୩ ଜଣ ବିଚାରପତି ସର୍ବସମ୍ମତିକ୍ରମରେ ଏଭଳି ରାୟ ଦେବା ଐତିହାସିକ ଅଟେ। ଅର୍ଥାତ ସମସ୍ତେ ଅନୁଭବ କରିଛନ୍ତି ଏଥିରେ କୌଣସି ସ୍ବଚ୍ଛତା ନାହିଁ ଏବଂ ସମ୍ବିଧାନର ଉଲ୍ଲଂଘନ ହୋଇଛି। ଏଥିପାଇଁ ଆଇନଜୀବୀଙ୍କୁ ଲଗାଇ ଶାସକ ଦଳ ହାଲୁକା ଧମକ ମଧ୍ୟ ଦେଇଛନ୍ତି। ଏଭଳି ରାୟ ନ ଦେବା ପାଇଁ କୁହାଯାଉଛି। ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ମାଧ୍ୟମରେ ନିମ୍ନ ଅଦାଲତ ନିକଟରେ ଉଦାହରଣ ହୋଇଛନ୍ତି।

୮. ବିଜେପି ସର୍ବାଧିକ ଟଙ୍କାର ଇଲେକ୍ଟୋରାଲ ବଣ୍ଡ ପାଇଛି? କେନ୍ଦ୍ରରେ ଶାସନ କରିବା ସହିତ ଓଡ଼ିଶାରେ ଏହା ମୁଖ୍ୟ ବିରୋଧୀ ଦଳ। ତେଣୁ ଓଡ଼ିଶାର କମ୍ପାନିମାନଙ୍କ ଠାରୁ କେତେ ପାଇଛି-

ବିଜେପି ସର୍ବଭାରତୀୟ ସ୍ତରର ଦଳ। ଓଡ଼ିଶାରେ ବିଜେଡିକୁ ଯେଉଁ କମ୍ପାନିମାନେ ଇଲେକ୍ଟୋରାଲ ବଣ୍ଡ ଦେଇଛନ୍ତି, ପ୍ରାୟ ଅଧିକାଂଶ ଜାତୀୟ ସ୍ତରରେ ବିଜେପିକୁ ମଧ୍ୟ ଦେଇଛନ୍ତି।