ଏମ୍ଏସ ପିର ଆଇନଗତ ମାନ୍ୟତା ଦାବି ନେଇ ତୀବ୍ର ହେଉଛି ଚାଷୀ ଆନ୍ଦୋଳନ। ପୁଲିସ ଦମନର ସ୍ଥିତି ଏଭଳି ହୋଇଛି ଯେ ପଞ୍ଜାବ-ହରିୟାଣା ସୀମା ଶମ୍ଭୁ ଓ ଖନୌରୀରେ ପୁଲିସର ରବର ବୁଲେଟ ମାଡ଼ରେ ୨୪ ବର୍ଷିୟ ଚାଷୀ ସହିଦ ହୋଇଛନ୍ତି। ଏମଏସପିର ଦିଲ୍ଲୀ ଚଲୋର ଏହି ଦ୍ବିତୀୟ ପର୍ଯ୍ୟାୟ ଲଢେଇରେ ୨ ଜଣ ଚାଷୀ ସାମୁହିକ ସ୍ବାର୍ଥ ପାଇଁ ଜୀବନ ଦେଇ ସାରିଛନ୍ତି। ସଂଯୁକ୍ତ କିସାନ ମୋର୍ଚା ନେତୃତ୍ବରେ ଦିଲ୍ଲୀରେ ଏହି ଆନ୍ଦୋଳନ ଚାଲିଛି। ଏଥିରେ ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ଚାଷୀ ସଂପୃକ୍ତ ରହିଛି। କିନ୍ତୁ ସମଗ୍ର ଦେଶର ୫୦୦ରୁ ଅଧିକ ଚାଷୀ ସଙ୍ଗଠନ କିସାନ ମୋର୍ଚା ଅନ୍ତର୍ଗତରେ ରହିଛନ୍ତି। ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ଦ୍ବିତୀୟ ସର୍ବନିମ୍ନ ଅଟେ ତେଣୁ ଏମଏସପିର ଆଇନଗତ ମାନ୍ୟତାର ଏହି ଲଢେଇ ରାଜ୍ୟ ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ।
ସମଗ୍ର ବିଶ୍ବର ଖାଦ୍ୟ ବ୍ୟବସ୍ଥା ଯେଉଁ ଚାଷ ଏବଂ ଚାଷୀଙ୍କ ଉପରେ ନ୍ୟସ୍ତ ସେମାନେ ସର୍ବାଧିକ ଶୋଷିତ। ଭାରତ ଏବଂ ଓଡ଼ିଶାରେ ଏହା ଆହୁରି ଜଟିଳ। ଆର୍ଥିକ ଏବଂ ସାମାଜିକ ଦୁର୍ବଳ ସ୍ଥିତିର ଫାୟଦା ଉଠାଇ ନାମମାତ୍ର ମୂଲ୍ୟ ଦେଇ କୃଷିଜାତ ଦ୍ରବ୍ୟର କରାଯାଇ ଉଚ୍ଚ ଦରରେ ବିକ୍ରି ହୁଏ। ଆଜିବି ମଲରେ ପ୍ୟାକେଜିଂ କରାଯାଇ ବିକ୍ରି ହେଉଥିବା ପରିବା ଏବଂ ଫଳ ତୁଳନାରେ ସିଧାସଳଖ ଚାଷୀଙ୍କ ଠାରୁ କିଣାଯାଉଥିବା ଉତ୍ପାଦନ କେତେ ଯେ ଶସ୍ତା ସମସ୍ତେ ଅନୁଭବ କରୁଥିବେ। ସବୁଜ ବିପ୍ଳବ କାର୍ଯ୍ୟକାରୀ ହେବା ପର ଠାରୁ ହାଏବ୍ରିଡ ବିହନ, ରସାୟନିକ ସାର ଯୋଗୁଁ ଚାଷ ଆହୁରି ଖର୍ଚ ବହୁଳ ହେବାରେ ଲାଗିଛି। ତେଣୁ ୧୯୬୫ ମସିହାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଷ୍ଟ ଆଣ୍ଡ ପ୍ରାଇସ କମିସନ ଗଠନ କରାଯାଇ ୨୩ଟି ଫସଲରେ ଏମଏସପିର ବ୍ୟବସ୍ଥା କରାଯାଇଛି। ଯେଉଁଠି ପ୍ରାଇସ ଆଣ୍ଡ କଷ୍ଟ କମିସନ ପକ୍ଷରୁ ଫସଲ ଖର୍ଚକୁ ଆକଳନ କରି ପ୍ରତିବର୍ଷ ଏମଏସପି ନିର୍ଧାରଣ କରନ୍ତି। କିନ୍ତୁ ଏମଏସପି ନିର୍ଧାରିତ ୨୩ ଫସଲରୁ କେବଳ ଚାଉଳ ଏବଂ ଗହମହିଁ ସରକାରଙ୍କ ପକ୍ଷରୁ କିଣାଯାଏ। ଓଡ଼ିଶାରେ ୨୦୦୩ ମସିହାରୁ ସରକାର ସିଧାସଳଖ ମଣ୍ଡିରୁ ଚାଷୀଙ୍କ ଠାରୁ କେବଳ ଧାନ କ୍ରୟ କରୁଛନ୍ତି। ଏହା ସତ୍ତ୍ବେ ରାଜ୍ୟର ସବୁ ଧାନ ଚାଷୀ ଏମଏସପି ପାଉ ନାହାନ୍ତି। ଏହାର ପ୍ରଥମ କାରଣ ହେଲା, ମଣ୍ଡିକୁ ଆସିବା ଏତେ ଜଟିଳ ଏବଂ ଖର୍ଚବହୁଳ ଯେ ଛୋଟ ଏବଂ ନାମମାତ୍ର ଚାଷୀ ଏମଏସପି ଠାରୁ କମ ଦରରେ ବ୍ୟବସାୟୀ ବିକ୍ରି କରି ଦିଅନ୍ତି। ଚାଷୀଙ୍କ ଠାରେ ଆବଶ୍ୟକ ଗୋଦାମ ଅଭାବରୁ ଅନେକ ସମୟରେ ଫସଲ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମଣ୍ଡି ଖୋଲି ନଥିଲେ ବ୍ୟବସାୟୀଙ୍କ ପାଖକୁ ଚାଲି ଯାଏ। ଧାନ ପରେ ଏକମାତ୍ର ମାଣ୍ଡିଆହିଁ ସବୁ ଜିଲ୍ଲାରେ ମଣ୍ଡିରେ ବିକ୍ରି ହେଉଛି। କପା, ମକା ନିର୍ଦିଷ୍ଟ ସ୍ଥାନରେ ବିକ୍ରି ହେଉଛି। ସବୁ ସରକାରୀ ବ୍ୟବସ୍ଥା ଲାଭ ବ୍ୟବସାୟୀଙ୍କୁ ମିଳୁଛି। ତେଣୁ ଏମଏସପିର ଆଇନଗତ ମାନ୍ୟତା ଅତି ଜରୁରୀ ହୋଇ ପଡ଼ିଛି। ଦ୍ବିତୀୟତଃ ବର୍ତ୍ତମାନ ଏମଏସପିର ଯେଉଁ ଦର ନିର୍ଧାରଣ କରାଯାଉଛି ଏହା ଚାଷୀଙ୍କ ପାଇଁ ଲାଭଜନକ ହେଉ ନାହିଁ। ତେଣୁ ୮୦ ଦଶକୁ ଏହାକୁ ନେଇ ଆନ୍ଦୋଳନ ହେଉଛି। ୟୁପିଏ ସରକାରଙ୍କ ସମୟରେ ଏମଏସ ସ୍ବାମୀନାଥନ ନେତୃତ୍ବରେ ଗଠିତ କମିସନ ଏମଏସପି ନିର୍ଧାରଣ କରିଥିଲେ। ଏଥିରେ ଚାଷୀ ଖର୍ଚର ଦେଢ ଗୁଣ ଅଧିକ ପ୍ରାପ୍ୟ ପାଇଁ ସୁପାରିସ କରାଯାଇ ଥିଲା। କିନ୍ତୁ ଏହାକୁ ସେତେବେଳର ୟୁପିଏ ସରକାର କିମ୍ବା ସ୍ବାମୀନାଥନ କମିସନ ସୁପାରିସ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଏନଡିଏ ସରକାର ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଇତିମଧ୍ୟରେ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦିଆଯାଇଛି କିନ୍ତୁ ତାଙ୍କ ସୁପାରିସ କାର୍ଯ୍ୟକାରୀ କରାଯାଉ ନାହିଁ। ଯେଉଁଠି ଧାନ ଭଳି ଫସଲ ସରକାର ସିଧାସଳଖ କ୍ରୟ କରି ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିଲା ନାହିଁ ଅନ୍ୟ ଫସଲର ଅବସ୍ଥା କଣ ଥିବ ଅନୁମାନ କରାଯାଇ ପାରେ।
ଚାଷ ଏତେ ଖର୍ଚ ବହୁଳ କାହିଁକି- ପ୍ରାକୃତିକ ବିପର୍ଯ୍ୟୟ, କୃଷି ପାଇଁ ବ୍ୟବହୃତ ଉପାଦାନ ଚାଷକୁ ଖର୍ଚ ବହୁଳ କରି ଦିଏ। ଅନ୍ୟଦିଗରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶତପ୍ରତିଶତ ଜଳସେଚନ ବ୍ୟବସ୍ଥା ନକରିବାରୁ ଉତ୍ପାଦନ ମଧ୍ୟ ସେତେ ହୋଇ ପାରୁ ନାହିଁ।
ରାଜ୍ୟ କୃଷି ବିଭାଗ ଅନୁସାରେ ଚାଷ ଖର୍ଚ
ଫସଲ ୨୦୧୮ ୨୦୧୯ ୨୦୨୦ ୨୦୨୧ ୨୦୨୨ ଏମଏସପି(୨୦୨୩)
ଧାନ ୧୩୮୨ ୧୪୪୪ ୧୫୦୦ ୧୫୪୮ ୧୯୬୮ ୨୧୮୩
ମାଣ୍ଡିଆ ୩୦୩୪ ୩୯୯୮ ୩୮୪୬
ହରଡ଼ ୪୩୦୪ ୪୬୩୮ ୫୦୬୨ ୫୨୪୬ ୬୯୮୬ ୭୦୦୦
ମୁଗ ୪୪୯୭ ୪୮୧୦ ୫୧୧୧ ୫୩୭୬ ୭୩୬୭ ୮୫୫୮
ବିରି ୪୭୦୦ ୫୦୫୨ ୫୨୯୩ ୫୫୩୮ ୭୩୭୪ ୬୯୫୯
ଚିନାବାଦାମ ୩୫୪୩ ୩୯୪୦ ୪୩୫୭ ୪୬୯୫ ୬୩୮୭ ୬୩୭୭
ରାଶି ୫୪୨୭ ୪୯୪୮ ୪୬୮୧ ୬୭୪୩ ୮୬୩୫
କପା ୪୦୫୬ ୪୨୦୧ ୪୩୬୦ ୪୫୬୪ ୫୯୪୮ ୬୬୨୦