କେମିତିଆ ମୁଖ୍ୟମନ୍ତ୍ରୀ ହେବେ ଭିକେ ପାଣ୍ଡିଆନ

ନିର୍ବାଚନ ପରେ ଭିକେ ପାଣ୍ଡିଆନଙ୍କ ଭୂମିକା କଣ ରହିବ? ବିଜେଡ଼ି କ୍ଷମତା ଆସିଲେ ସେ ପ୍ରଚ୍ଛଦ ପଟର ମୁଖ୍ୟମନ୍ତ୍ରୀ ହେବେ କି ଉପମୁଖ୍ୟମନ୍ତ୍ରୀ ହୋଇ ସର୍ବସ୍ବ କ୍ଷମତା ଭୋଗ କରିବେ? ବିଜେଡ଼ି ପରାଜିତ ହେଲେ କଣ ବିରୋଧୀ ଦଳରେ ରହି ୫ ବର୍ଷ ତମାମ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପକାଇବେ? ଏକକ ସଂଖ୍ୟାଗରିଷ୍ଠତା ହାସଲ କଲେ ବିଜେପି ସହିତ ମିଶି ସରକାର କରିବେ ନା ବିଜେପିର କିଣାବିକା ରାଜନୀତିରୁ ନିଜ ଦଳକୁ ରକ୍ଷା କରିବେ। ଏହାକୁ ନେଇ ବର୍ତ୍ତମାନ ଓଡ଼ିଶା ଏବଂ ଦେଶର ବିଭିନ୍ନ ସ୍ଥାନରେ ଚର୍ଚା ହେଉଛି। ନିଜେ ପ୍ରତ୍ୟକ୍ଷ ନିର୍ବାଚନ ନଲଢି ମଧ୍ୟ ଓଡ଼ିଶାର ୨୦୨୪ ନିର୍ବାଚନ ଯାହାଙ୍କୁ କେନ୍ଦ୍ର କରି ଲଢାଯାଉଛି ସେ ହେଲେ ଭିକେ ପାଣ୍ଡିଆନ। ୪୦ ଷ୍ଟାର ପ୍ରଚାରକ ଥାଇ ମଧ୍ୟ ବିଜେଡ଼ିରେ ସେ ଏକମାତ୍ର ବ୍ୟକ୍ତି ଭାବରେ ପ୍ରଚାର କରୁଛନ୍ତି ଏବଂ ବିରୋଧୀ ବିଜେପିର ଅସ୍ମିତା ରାଜନୀତି ଏବଂ ତାମିଲ ଶାସନ ଭଳି ଶବ୍ଦ ପାଣ୍ଡିଆନଙ୍କୁ କେନ୍ଦ୍ର କରିହିଁ ପରିକଳ୍ପନା କରାଯାଇଛି। ଆଶ୍ଚର୍ଯ୍ୟଜନକ ହେଲା, ସେ ଆଇଏଏସ ଥିବାବେଳେ ଏବଂ ସ୍ବେଚ୍ଛାକୃତ ଅବସର ନେବା ପରେ କ୍ଷମତାର ଅପବ୍ୟବହାର ନେଇ ତାଙ୍କ ବିରୋଧରେ ଯଦି କେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଥାଆନ୍ତେ ସେ ଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରୀ ସେତେବେଳେ ପାଣ୍ଡିଆନଙ୍କ ବିରୋଧରେ କୌଣସି ପଦକ୍ଷେପତ ଗ୍ରହଣ କଲେ ନାହିଁ ବରଂ ଯେତେ ଥର ଓଡ଼ିଶା ଆସୁଥିଲେ କୌଣସି ମନ୍ତ୍ରୀଙ୍କ ବଦଳରେ ପାଣ୍ଡିଆନଙ୍କ ସହିତ ଆଲୋଚନା କରୁଥିଲେ। ଅନେକ ସମୟରେ ବିଜେପିର ଏହି ଶୀର୍ଷ ନେତୃତ୍ବମାନେ ପାଣ୍ଡିଆନଙ୍କୁ ସମର୍ଥନ କରିବାକୁ ଯାଇ ଓଡ଼ିଶାର ନେତା ଏବଂ କର୍ମକର୍ତ୍ତାଙ୍କୁ ଉପେକ୍ଷା କରୁଥିଲେ। ଖାସ ସେଥିପାଇଁ ନିର୍ବାଚନ ତାରିଖ ଘୋଷଣା ପୂର୍ବ ପର୍ଯ୍ୟନ୍ତ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ କିମ୍ବା ପାଣ୍ଡିଆନଙ୍କ ବିରୋଧରେ ପଦ ଟିଏ କଥା ମଧ୍ୟ କହିନଥିଲେ।

 

ଅତୀତରେ ଓଡ଼ିଶାର ନିର୍ବାଚନ ଏବଂ କ୍ଷମତା ରାଜନୀତିକୁ ନିୟନ୍ତ୍ରତ କରିଥିଲେ ହରେକୃଷ୍ଣ ମହତାବ, ବିଜୁ ପଟନାୟକ, ନନ୍ଦିନୀ ଶତପଥୀ, ଜାନକୀ ପଟନାୟକ, ନବୀନ ପଟନାୟକ ଏବଂ ପ୍ୟାରୀମୋହନ ମହାପାତ୍ର। ସେମାନେ କିଏ? ସେମାନଙ୍କ ଆଭିମୁଖ୍ୟ ଏବଂ ବିଚାରଧାରା କଣ? ସମସ୍ତେ ସେମାନଙ୍କ ସମ୍ପର୍କରେ ଅବଗତ ଥିଲେ। ସମସ୍ତ ପ୍ରକାର ସକରାତ୍ମକ ଏବଂ ନକରାତ୍ମକ ଗୁଣ ସତ୍ତ୍ବେ ଏକମାତ୍ର ନବୀନ ପଟନାୟକଙ୍କ ବ୍ୟତୀତ ଅନ୍ୟ ସମସ୍ତ ଶୀର୍ଷ ରାଜନେତାଙ୍କ ପାଖକୁ ଲୋକଙ୍କ ଯାତାୟାତ ମଧ୍ୟ ସମ୍ଭବ ଥିଲା। କିନ୍ତୁ ଚଳିତ ନିର୍ବାଚନକୁ ନିୟନ୍ତ୍ରଣରେ ରଖିଥିବା ଭିକେ ପାଣ୍ଡିଆନଙ୍କୁ ପ୍ରକୃତରେ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଭଲ ଭାବରେ ଜାଣି ନାହାନ୍ତି। ସେ ଦକ୍ଷିଣପନ୍ଥୀ, କେନ୍ଦ୍ରପନ୍ଥୀ, ରକ୍ଷଣଶୀଳ କି ଧର୍ମନିରପେକ୍ଷ, ଏକଛତ୍ରବାଦୀ କି ଗଣତାନ୍ତ୍ରିକ କେହି ଠିକ ଭାବରେ କହି ପାରିବେ ନାହିଁ। ଗଣମାଧ୍ୟମକୁ ଦେଇଥିବା ନିଜର କୌଣସି ସାକ୍ଷାତକାରରେ ବିଜୁ ପଟନାୟକ ଏବଂ ନବୀନ ପଟନାୟକଙ୍କ ବ୍ୟତୀତ ଓଡ଼ିଶା କିମ୍ବା ଦେଶ ବା ଅନ୍ୟ ରାଜ୍ୟ କି ନିଜ ରାଜ୍ୟର କୌଣସି ରାଜନେତାଙ୍କ ନାମ ଉଲ୍ଲେଖ କରନ୍ତି ନାହିଁ।  ଠିକ ନିର୍ବାଚନ ପୂର୍ବରୁ ଏଏନଆଇ ସହିତ ସାକ୍ଷାତକାର ବେଳେ ବୈଜୟନ୍ତ ପଣ୍ଡାଙ୍କ ନାମ ଉଲ୍ଲେଖ କରିଥିଲେ ମଧ୍ୟ ଏହା ସମାଲୋଚନା ମୂଳକ ଥିଲା। ବିଜେଡ଼ିର ଅନ୍ୟ ସବୁ ନେତାଙ୍କୁ ସେ ଲୋକାଲ ନେତା ଭାବରେ ଚିତ୍ରଣ କରି ସେମାନଙ୍କୁ ଏକପ୍ରକାର ଗୌଣ କରନ୍ତି। ଉଭୟ ଜାତୀୟ, ରାଜ୍ୟ ଗଣମାଧ୍ୟମ ପକ୍ଷରୁ ତାଙ୍କ ଠାରୁ ନିଆଯାଇଥିବା କୌଣସି ସାକ୍ଷାତକାର ଚାପମୁକ୍ତ ଏବଂ ନିରପେକ୍ଷ ନୁହେଁ। ସାମାଜିକ ଗଣମାଧ୍ୟମରେ ତାଙ୍କ ବିଷୟରେ ଯାହା ଉଲ୍ଲେଖ ରହିଛି ତାହା ନାୟକ କିମ୍ବା ଖଳନାୟକର ଚିତ୍ରଣ ଅଟେ। ତେଣୁ କୌଣସି ଓଡ଼ିଆଙ୍କୁ ପାଣ୍ଡିଆନଙ୍କ ବିଷୟରେ ଜାଣିବାର ସୁଯୋଗ ମିଳି ନାହିଁ।

 

ନବୀନ ପଟନାୟକ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବା ପର ଠାରୁହିଁ ଶାସନତନ୍ତ୍ର ତାଙ୍କ ହାତରେ ଥିଲେ ମଧ୍ୟ ସର୍ବଦା ଜଣେ ସୁପର ଚିଫ ମିନିଷ୍ଟର ରହୁଥିଲେ। ପ୍ୟାରିମୋହନ ମହାପାତ୍ରଙ୍କ ବିଦ୍ରୋହ ପରେ ଏହି ପଦ ଖାଲି ଥିଲା। ୨୦୧୧ ମସିହାରେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ପାଇବା ପରେ ରଣନୀତି ସହିତ ସୁପର ଚିଫମିନିଷ୍ଟର ହେବାକୁ ଲାଗିଲେ। ଏହା ସତ୍ତ୍ବେ ମଧ୍ୟ ଅନ୍ତିମ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ରହୁଥିଲା। ତେଣୁ ବିଜେଡ଼ିର ଚରିତ୍ର ଭିନ୍ନ ଥିଲା। ୨୦୨୦ ମସିହାବେଳକୁ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ବାସ୍ଥ୍ୟବସ୍ଥା ଯୋଗୁଁ ସରକାର ଏବଂ ବିଜେଡ଼ି ଦଳର କ୍ଷମତାର କେନ୍ଦ୍ରରେ ରହିଲେ ଭିକେ ପାଣ୍ଡିଆନ। କୋଭିଡ଼ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ସମୀକ୍ଷା ବୈଠକ ଯେତେବେଳେ ନବୀନ ନିବାସରେ ହେଉଥିଲା। ପାଣ୍ଡିଆନହିଁ ତାଙ୍କ ପାଖରେ ରହୁଥିଲେ। ଅନେକ ଅଧିକାରୀଙ୍କ ମତରେ, ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି କେବଳ ଔପଚାରିକତା ହୋଇ ରହୁଥିଲା କିନ୍ତୁ ବୈଠକର ପ୍ରକୃତ ସମୀକ୍ଷା ଭିକେ ପାଣ୍ଡିଆନହିଁ କରୁଥିଲେ। କ୍ରମଶଃ ରାଜ୍ୟର ସମୁଦାୟ ଶାସନ ବ୍ୟବସ୍ଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି କାର୍ଯ୍ୟ କରିବାରେ ଲାଗିଛି। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଜିଲ୍ଲାପାଳ, ଅନ୍ୟ ବରିଷ୍ଠ ଶାସନ ସଚିବମାନେ କେବଳ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାରର ଭୂମିକା ନିର୍ବାହ କରୁଛନ୍ତି। କିନ୍ତୁ କୋଟେ, କୋଚେ, ଭିନିଲ କ୍ରିଷ୍ଣା, ବାଲକ୍ରିଷ୍ଣା ମନ୍ତ୍ରୀ କିମ୍ବା ପରାମର୍ଶ ମଣ୍ଡଳୀ ଭଳି କାର୍ଯ୍ୟ କରୁଛନ୍ତି। ଚଳିତ ନିର୍ବାଚନର ପ୍ରାୟ ଦେଢ ବର୍ଷ ଏବଂ ସ୍ବେଚ୍ଛାକୃତ ଅବସର ନେବାର କିଛି ମାସ ପୂର୍ବରୁ ପାଣ୍ଡିଆନ କୌଣସି ମନ୍ତ୍ରୀ ଏବଂ ବିଧାୟକଙ୍କୁ ସାଙ୍ଗରେ ନଥାଇ ପ୍ରତି ଜିଲ୍ଲା ବୁଲିବା ସହିତ ଶାସନ ବ୍ୟବସ୍ଥାରେ ସେ ହିଁ ଏକମାତ୍ର ବ୍ୟକ୍ତି ଭାବରେ ସଙ୍କେତ ଦେଇଥିଲେ। ଲୋକଙ୍କ ସମସ୍ୟା ଶୁଣିବା ଆଳରେ ନିଜ ଜନସମର୍ଥନ ବଢାଉଥିଲେ।  ରାଜ୍ୟର ସେ ଏକମାତ୍ର ଆଇଏଏସ ଯାହାଙ୍କ ନାମରେ ସାମାଜିକ ଗଣମାଧ୍ୟମରେ ଫେନ କ୍ଲବ ସାଇଟ ରହିଛି। ଏହା ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ନାମରେ ଫେନକ୍ଲବ ପେଜ ଥିଲା।

 

ପାଣ୍ଡିଆନ ବିଜେଡ଼ିକୁ ଆହୁରି କ୍ଷମତାଶାଳୀ କରିବା ପାଇଁ କାର୍ଯ୍ୟପାଳିକାକୁ ନିଜ ନିୟନ୍ତ୍ରଣରେ ଆଣିବା ସହିତ ବ୍ୟବସ୍ଥାପିକା ବା ବିଧାନସଭାକୁ ତାଙ୍କ କାର୍ଯ୍ୟକାଳ ସମୟରେ ଦୁର୍ବଳ କରିବାର ପ୍ରକ୍ରିୟା ଆରମ୍ଭ କରି ଦିଆଯାଇଥିଲା। ବିଧାନସଭା ଆରମ୍ଭ ହେବା କ୍ଷଣି ଯେକୌଣସି ପ୍ରସଙ୍ଗ କିମ୍ବା ଅପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରି କିଛି ସମୟ ପରେ ବନ୍ଦ କରି ଦିଆଯାଏ। ସ୍ଥିତି ଏଭଳି ହୋଇଛି ଯେ ୬୦ ଦିନର ଅଧିବେଶନକୁ ବର୍ତ୍ତମାନ ୨୦ ଆଗାମୀ ଦିନରେ ୫ ଦିନରେ ସୀମିତ କରାଯିବାର ଆଶଙ୍କା ରହିଛି। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ନାମମାତ୍ର ହୋଇ ରହୁଥିଲା। ସେଥିରେ ପୁଣି ତାରକା ପ୍ରଶ୍ନ ଯାହା ମୁଖ୍ୟମନ୍ତ୍ରୀ ସିଧାସଳଖ ଦେବା ଉଚିତ ତାହା ଏଭଳି କରାଯାଉଥିଲା ଯେପରି କେବଳ ଶାସକ ଦଳର ବିଧାୟକହିଁ ପ୍ରଶ୍ନ ପଚାରି ପାରୁଥିଲେ। ପରବର୍ତ୍ତୀ ସମୟରେ ଯେଉଁ ନିର୍ଧାରିତ ଦିନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ଉଚିତ ସେହି ଦିନ ପ୍ରଶ୍ନ ପଚାରିଥିବା ଶାସକ ଦଳର ବିଧାୟକ ଅନୁପସ୍ଥିତ ରୁହନ୍ତି। ଫଳରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ତର ଦେବା ପାଇଁ ପଡ଼େ ନାହିଁ। ବର୍ତ୍ତମାନ ଏଭଳି ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏକମାତ୍ର ବ୍ୟକ୍ତି ଭାବରେ ଭିକେ ପାଣ୍ଡିଆନ ହିଁ ରହୁଛନ୍ତି। ବ୍ୟକ୍ତିଗତ ସଚିବ ଭାବରେ ତାଙ୍କର ସ୍ବେଚ୍ଛାକୃତ ଅବସର ନେବା ପର ଠାରୁ ନବୀନ ନିବାସରୁ ତାଙ୍କର ଶାସନ ପରିଚାଳନା ଆହୁରି ମଝବୁତ ହୋଇଛି। କୌଣସି ପଦ ଏବଂ ଗୋପନୀୟତାର ଶପଥ ନ ନେଇ ସେ ଏହି କାର୍ଯ୍ୟ କରୁଛନ୍ତି। ଆଶ୍ଚର୍ଯ୍ୟଜନକ ଭାବରେ ପାଣ୍ଡିଆନଙ୍କ ଶାସନ ପରିଚାଳନା ମୋଦିଙ୍କ ଭଳି ଅଟେ। ମୋଦିଙ୍କ ଭଳି ନବୀନ ଏବଂ ପାଣ୍ଡିଆନ କେବେ ମଧ୍ୟ ସିଧାସଳଖ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରନ୍ତି ନାହିଁ। ତଥାକଥିତ ସେଲିବ୍ରିଟି ସାମ୍ବାଦିକମାନେ ସେମାନଙ୍କର ସାକ୍ଷାତକାର ନିଅନ୍ତି। ବିଜେପି ଯେଉଁଭଳି ଭାବରେ ନିଜ ବିରୋଧୀଙ୍କୁ ଦେଶଦ୍ରୋହୀ ଭାବରେ ଚିତ୍ରଣ କରେ ପାଣ୍ଡିଆନଙ୍କ ବିଜେଡ଼ି ଦଳ ମଧ୍ୟ ବିରୋଧୀଙ୍କୁ ରାଜ୍ୟ ଦ୍ରୋହୀ ବା ରାଜ୍ୟର ବିକାଶ ପ୍ରତି ଅସହିଷ୍ଣୁ ଭାବରେ ଚିତ୍ରିତ କରୁଛି। ପୂର୍ବରୁ ଯେଉଁ ଚରିତ୍ର ବିଜେଡ଼ିର ନଥିଲା ଏବେ ମଝବୁତ ହେଉଛି। ନରେନ୍ଦ୍ର ମୋଦୀଙ୍କୁ ଆଦାନିଙ୍କୁ ନେଇ ଅଡ଼ୁଆ ପ୍ରଶ୍ନ ଅସହ୍ୟ ହୁଏ, ପାଣ୍ଡିଆନଙ୍କ କ୍ଷେତ୍ରରେ ତାହା ହେଉଛି। ବର୍ତ୍ତମାନର ପାଣ୍ଡିଆନ ପରିଚାଳିତ ସରକାର ବିଜେପିର ବି ଟିମ ହୋଇ ସାରିଛି। ସେଥିପାଇଁ ମଣିପୁର ଭଳି ଘଟଣାରେ ଏହାର ସାଂସଦ ପିନାକୀ ମିଶ୍ର କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାକୁ ଯାଇ ଯେଉଁଭଳି ବକ୍ତବ୍ୟ ଦେଇଥିଲେ ଏଭଳି ବକ୍ତବ୍ୟ ଖୋଦ ବିଜେପି ମନ୍ତ୍ରୀ କି ସାଂସଦମାନେ ମଧ୍ୟ ଦେଇ ନାହାନ୍ତି। କୃଷି ବିଲ, ସାକ୍ଷୀ ମଲ୍ଲିକ, ଖଣି ଲିଜ ପ୍ରତ୍ୟେକରେ ତାଙ୍କର ଆଭିମୁଖ୍ୟ ବିଜେପି ସପକ୍ଷବାଦୀ ହୋଇ ରହିଛି। ମୋଦୀଙ୍କ ଭଳି ପାଣ୍ଡିଆନ ମଧ୍ୟ ଛଳନା ଜୀବନ ପସନ୍ଦ କରନ୍ତି। ଖାସ ସେଥିପାଇଁ ବୋଧ ହୁଏ ବିଜେଡ଼ିରେ ଯୋଗଦାନ ପରେ ନିଜ ନାମକୁ କାର୍ତ୍ତିକେୟନ ବଦଳରେ କାର୍ତ୍ତିକ କରି ଦେଲେ।

Facebook
Twitter
LinkedIn
WhatsApp