ଏମିତି ମ୍ୟାନେଜ କଲେ ଯେ ୨୯୬ ମୃତ୍ୟୁ ଯେଉଁ ରେଳ ମନ୍ତ୍ରୀଙ୍କ ରାଜନୀତିକୁ ଚମକାଇ ଦେଲା
ଏଥର ଲଢିବେ କେଉଁ ଆସନରୁ
ଭାରତ ମାତା କୀ ଜୟ, ବନ୍ଦେ ମାତରମ
ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ପରେ ରେଳ ମରାମତି ପରେ ପ୍ରଥମ ଟ୍ରେନ ଯାତ୍ରା ଆରମ୍ଭ ବେଳେ ଏହି ସ୍ଲୋଗାନ ଦେଇଥିଲେ ରେଳ ମନ୍ତ୍ରୀ। କିଛି କ୍ଷଣ ପାଇଁ ଏଭଳି ପରିବେଶ ସୃଷ୍ଟି ହୋଇଥିଲା ସତେ ଯେମିତି ସରକାରୀ ଅବହେଳାର ଦୁଃଖଦ ମୃତ୍ୟୁ ସମୟ ନୁହେଁ ଶତୃକୁ ପରାଜିତ କରିବାର କୌଣସି ଏକ ଗୌରବ ମୁହୂର୍ତ୍ତ ଥିଲା। ରେଳ ବିଭାଗର ଅପରାଧିକ ଅବହେଳା ଯୋଗୁଁ ୨୮୮ ଲୋକଙ୍କ ମୃତ୍ୟୁ ହୋଇଥିଲା, ୧୨୦୦ରୁ ଉର୍ଧ୍ବ ଆହତ ହୋଇଯାଇଥିଲେ କିନ୍ତୁ ସେଦିନି ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ସହାୟତାରେ ଲୋକଙ୍କ ମାନସିକତା ସହିତ ଏଭଳି ଖେଳା ହେଲା ଯେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣାର ଭିଲିୟାନ ନୁହେଁ ବରଂ ହିରୋ ହୋଇ ବାହାରିଲେ। ଦୁର୍ଘଟଣା ପରବର୍ତ୍ତୀ ଦିନ ସମସ୍ତ ପ୍ରମୁଖ ବୈଦୁତିକ ଗଣମାଧ୍ୟମ ଏବଂ ପରେ ଛପା ଗଣମାଧ୍ୟମରେ ରେଳ ମନ୍ତ୍ରୀ ଟ୍ରେନ ଧାରଣା ମଝିରେ ଗଳିକି ଯାତାୟାତ କରୁଥିବା, ରାତିରେ ଛିଡ଼ା ହେବା, ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା, ସାମାଜିକ କର୍ମକର୍ତ୍ତାଙ୍କୁ ବଧେଇ ଦେଉଥିବା ଦୃଶ୍ୟକୁ ଏତେ ଗୁରୁତ୍ବ ଦେଇ ପ୍ରସାରିତ କରାଗଲା ଯେ ମୃତକ, ତାଙ୍କ ପରିଜନ ଏବଂ ଆହତଙ୍କ କଷ୍ଟ ଏହା ସମ୍ମୁଖରେ ଗୌଣ କରି ଦିଆଗଲା। ପରିଣାମ ସ୍ବରୂପ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ଜଣେ ଟାଣୁଆ ନେତା ଥାଇ ମଧ୍ୟ ବାଲେଶ୍ବର ଲୋକସଭା ନିର୍ବାଚନ ପାଇଁ ଅଶ୍ବିନୀ ବୈଷ୍ଣବ ବଡ଼ ଦାବେଦାର ଭାବରେ ଉଭା ହୋଇଥିଲେ। ବାହାନଗା ରେଳ ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି ପବନରେ ମିଳେଇ ଯାଇଥିଲା। ପୂର୍ବରୁ ଏଭଳି ବଡ଼ ରେଳ ଦୁର୍ଘଟଣା ହେଲେ ରେଳ ମନ୍ତ୍ରୀମାନେ ବଦନାମ ହୋଇଯାଉଥିଲେ। ଲାଲବାହାଦୁର ଶାସ୍ତ୍ରୀ ଏବଂ ନିତିଶ କୁମାର ନିଜକୁ ଦାୟୀ କରି ଇସ୍ତଫାହିଁ ଦେଇଥିଲେ। କିନ୍ତୁ ଅଶ୍ବିନୀ ବୈଷ୍ଣବଙ୍କ ପାଇଁ ବାହାନଗା ରେଳ ଦୁର୍ଘଟଣାର ୨୯୬ ଅମୂଲ୍ୟ ଜୀବନ ଯିବା ଆଶୀର୍ବାଦ ଭଳି ହେଲା। ଯେଉଁଠି ତାଙ୍କ ଜନପ୍ରିୟତା ଆହୁରି ବଢିଲା।
ଅଶ୍ବିନୀଙ୍କ ପାଇଁ ଅସମ୍ଭବକୁ ସମ୍ଭବ କରିବା ଏହା ପ୍ରଥମ ଘଟଣା ନୁହେଁ। ୨୦୧୯ ମସିହା ଜୁନ ମାସରେ ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟସଭା ସିଟ ପାଇଁ ବିଜେଡ଼ି ପକ୍ଷରୁ ଯେଉଁ ବ୍ୟକ୍ତିଙ୍କ ନାମ ଯାଇଥିଲା ସେଥିରୁ ଜଣେ ଥିଲେ ଅଶ୍ବିନୀ ବୈଷ୍ଣବ। ବିଜେଡି ସମର୍ଥିତ ପ୍ରାର୍ଥୀ ଭାବରେ ସାଂସଦ ହୋଇ ବିଜେପିରେ ଯୋଗଦାନ କରିଥିଲେ। ଓଡ଼ିଶା କ୍ୟାଡରର ଅଶ୍ବିନୀ କେବଳ ବାଲେଶ୍ବର ଏବଂ କଟକ ଜିଲ୍ଲାରେ ଜିଲ୍ଲାପାଳ ରହିବା ଛଡ଼ା ଓଡ଼ିଶା ସହିତ ତାଙ୍କର ବିଶେଷ ସମ୍ପର୍କ ନାହିଁ। ବିଜେଡିରେ ରାଜ୍ୟସଭା ପାଇଁ ଅନେକ ଆଶାୟୀ ଥିବାବେଳେ ପ୍ରତିଦ୍ବନ୍ଦୀ ବିଜେପି ସମର୍ଥିତଙ୍କୁ ବିଜେଡି ସାଂସଦ କରିଥିଲା। ୨୦୨୧ ମସିହା ଜୁନ ମାସରେ ଅଶ୍ବିନୀ ରେଳମନ୍ତ୍ରୀ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳରେ ବାହାନଗା ନୁହେଁ କେବଳ ୨୦୨୩ ମସିହାରେ ୧୮ଟି ରେଳ ଦୁର୍ଘଟଣା ହୋଇଛି। ବାହାନଗା ପରେ ମଧ୍ୟ ୮ ଟି ଦୁର୍ଘଟଣା ଘଟି ଲୋକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଅଶ୍ବିନୀଙ୍କ ରାଜ୍ୟସଭା ସାଂସଦ ପାଇଁ କାର୍ଯ୍ୟକାଳ ସରିବାକୁ ବସୁଛି। ପୁନର୍ବାର ସେ ରାଜ୍ୟସଭା ସାଂସଦ ନ ହୋଇ ଲୋକସଭା ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବା ନେଇ ବେଶି ସମ୍ଭାବନା ଥିବା କୁହାଯାଉଛି। ରାଜସ୍ଥାନ ସାଧାରଣ ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ କିନ୍ତୁ ଏଥିରେ ସଫଳ ହୋଇ ପାରିନଥିଲେ। ଘରୋଇ ରାଜ୍ୟ ହୋଇ ମଧ୍ୟ ସେଠାରେ ତାଙ୍କୁ କେହି ଗ୍ରହଣହିଁ କରିନଥିଲେ। ଗୁଜରାଟରେ ତାଙ୍କ ବ୍ୟବସାୟ, ତାଙ୍କ ପୂର୍ବଜ ଗୁଜୁରାଟରୁ ଆସିଛନ୍ତି। କିନ୍ତୁ ସେଠାରେ ମୋଦୀ-ଶାହାଙ୍କ ପ୍ରଭାବରୁ ପ୍ରବେଶ କରିପାରିବେ ନାହିଁ। ଓଡ଼ିଶା ବିଜେପି ନେତାଙ୍କ ଦୁର୍ବଳ ସ୍ଥିତି ଯୋଗୁଁ ଏଠାରେ ସେ ସହଜରେ ଗ୍ରହଣୀୟ ହୋଇଯାଇଥିବା ଅନୁଭବ ହେଉଛି। ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀଙ୍କ ଦୃଢ ସଙ୍ଗଠନକୁ ଭାଙ୍ଗି ପ୍ରାର୍ଥୀ ହେବା କ୍ଷତିକାରକ ହେବା ଭାବି କଟକକୁ ଟାର୍ଗେଟ କରିଥିଲେ। ସେଠାରେ ତାଙ୍କର ସମର୍ଥକ ଅଶ୍ବିନୀଙ୍କ ବ୍ୟାନର ପୋଷ୍ଟର ମାରୁଛନ୍ତି। ଟ୍ରେନ ଦୁର୍ଘଟଣାକୁ ନିଜ ସପକ୍ଷରେ ଆଣିବାକୁ ସଫଳ ହୋଇଥିବା ଏହି ଆଇଏଏସରୁ ରାଜନେତା ପାଲଟିଥିବା ନେତାଙ୍କ ୨୦୨୪ ନିର୍ବାଚନରେ କଣ ଭୂମିକା ରହିବ ଦେଖିବାକୁ ବାକି ରହିଲା।