ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ବ ସନ୍ତାନ ଜନ୍ମ ଏକ ପ୍ରାଥମିକ ଅଧିକାର ଅଟେ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ଓଡ଼ିଶାରେ ଦମ୍ପତିଙ୍କ ଯେଉଁଭଳି ପ୍ରଜନନ କ୍ଷମତା ହ୍ରାସ ପାଉଛନ୍ତି ଅନେକଙ୍କ ଅଭିଭାବକ ହେବାର ସ୍ବପ୍ନକୁ ଧୁଳିସାତ କରୁଛି। ୧୯୯୨-୯୩ (ଏନଏଫଏଚଏସ-୧)ରେ ପ୍ରଜନନ ହାର ଯାହା ୨.୯ % ଥିଲା, ୨୦୧୯-୨୧ (ଏନଏଫଏଚଏସ-୫)ରେ ଏହା ୧.୮ %ରେ ପହଞ୍ଚିଛି। । ୧୯୯୮-୯୯ରେ ୨.୫%, ୨୦୦୫-୦୬ରେ ୨.୪%, ୨୦୧୫-୧୬ରେ ୨.୧% ଥିଲା। ବର୍ତ୍ତମାନ ଯେଉଁଭଳି ଅବସ୍ଥା ରହିଛି ଆଗାମୀ ଦିନରେ ପ୍ରଜନନ କ୍ଷମତା ହ୍ରାସ ପାଇବାର ଆଶଙ୍କା କରାଯାଉଛି। ଏଥିପାଇଁ କେବଳ ମହିଳାଙ୍କ ବିଳମ୍ବରେ ବିବାହ, ଦୀର୍ଘ ଦିନ ଧରି ପ୍ରୋଟେକ୍ସନର ବ୍ୟବହାର ନୁହେଁ ବରଂ ପୁରୁଷଙ୍କ ଶୁକ୍ରାଣୁ ହ୍ରାସ ମଧ୍ୟ ସମାନ ପରିମାଣରେ ଦାୟୀ। ମହିଳା ଏବଂ ପ୍ରସୂତି ବିଭାଗ ଡାକ୍ତର ସୁଜାତା କରଙ୍କ ଅନୁସାରେ, ଗବେଷଣା ରିପୋର୍ଟ ଅନୁଯାୟୀ, ୭୦ ବର୍ଷ ମଧ୍ୟରେ ପୁରୁଷଙ୍କ ଶୁକ୍ରାଣୁ ୫୦ ପ୍ରତିଶତ ହ୍ରାସ ପାଇଛି। ପରିବେଶ ଏବଂ ଜୀବନ ଶୈଳୀ ସହିତ ମାତ୍ରାଧିକ ଫାଷ୍ଟଫୁ଼ଡ ଖାଇବା, ନିଶାଦ୍ରବ୍ୟ ସେବନ, ଆବଶ୍ୟକ ପରିମାଣର ଶୋଇବାର ଅଭାବ, କମ୍ପ୍ୟୁଟର ଏବଂ ମୋବାଇଲର ମାତ୍ରାଧିକ ବ୍ୟବହାର ଯୋଗୁଁ ଏଭଳି ହେଉଛି। ଓଡ଼ିଶା ପରିପ୍ରେକ୍ଷୀରେ ନିଶା ସହିତ ମଧୁମେହ ଏବଂ ମାତ୍ରାଧିକ ଚିନ୍ତା ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାକୁ କମାଇବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ପ୍ରଜନନ କ୍ଷମତା ଉପରେ ପଡ଼ୁଛି। ଆହୁରି ମଧ୍ୟ ବର୍ତ୍ତମାନ ଛାଡ଼ପତ୍ର ଅଧିକ ହେବା ସହିତ ଦ୍ବିତୀୟ ବିବାହ ମଧ୍ୟ ବଢୁଛି। ସେତେବେଳକୁ ଉଭୟ ମହିଳା ଏବଂ ପୁରୁଷଙ୍କ ବୟସ ଅଧିକ ହୋଇଯାଉଛି। ସେମାନେ ସନ୍ତାନ କରିବା ପାଇଁ ଚାହିଁଲେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆଇଭିଏଫ ପ୍ରତି ମହିଳାଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି। କିନ୍ତୁ ଦେଶରେ ଏମସ ଦିଲ୍ଲୀ ସମେତ ସୀମିତ ସଂଖ୍ୟକ ବଡ଼ ଡାକ୍ତରଖାନା ବ୍ୟତୀତ କୌଣସି ସ୍ଥାନରେ ମଧ୍ୟ ଆଇଭିଏଫ କେନ୍ଦ୍ର ନାହିଁ। ରାଜ୍ୟରେ ଏମସ ଭୁବନେଶ୍ବର, କଟକ ଏସସିବି ଭଳି ଡାକ୍ତରଖାନା ଥିବା ସତ୍ତ୍ବେ ଏଠାରେ ସେହି ସୁବିଧା ନାହିଁ। ଏମସ, ଭିମସାର ସମେତ କିଛି ସରକାରୀ ଡାକ୍ତରଖାନାରେ ଆଇଭିଏଫ କେନ୍ଦ୍ର ଖୋଲିବା ପାଇଁ ଯୋଜନା ରହିଥିଲେ ମଧ୍ୟ ଏହା ପ୍ରାଥମିକ ସ୍ତରରେ ରହିଛି। ଘରୋଇ ଡାକ୍ତରଖାନାଗୁଡ଼ିକରେ ଆଇଭିଏଫ ଜରିଆରେ ଅଭିଭାବକ ହେବା ଅନେକ ଦମ୍ପତିଙ୍କ ପାଇଁ ଖର୍ଚ ବହୁଳ ହେଉଛି। ଗରିବ ଦମ୍ପତିଙ୍କ ଅଭିଭାବକ ସ୍ବପ୍ନ ପୂରଣ ପାଇଁ ସରକାର ଏଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ବିଶେଷଜ୍ଞଙ୍କ ଅନୁସାରେ ବିଶ୍ବବ୍ୟାପୀ ଆଇଭିଏଫର ସଫଳତା ହାର ମାତ୍ର ୩୦ରୁ ୪୦ ପ୍ରତିଶତ ରହିଛି। ଡାକ୍ତର କରଙ୍କ ଅନୁସାରେ, ମହିଳାଙ୍କ ବୟସ ୩୦ ଏବଂ ପୁରୁଷଙ୍କ ଶୁକ୍ରାଣୁ ୫୦ ପ୍ରତିଶତ ରହିଥିଲେ ଆଇଭିଏଫର ପ୍ରଥମ ଚକ୍ରରେ ଦମ୍ପତି ଗର୍ଭବତୀ ହେବାର ୫୦ ପ୍ରତିଶତ ସମ୍ଭାବନା ଥାଏ। ଦ୍ବିତୀୟ ଏବଂ ତୃତୀୟ ଚକ୍ରରେ ଏହି ସମ୍ଭାବନା ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ। ଏଠାରେ ମଧ୍ୟ ମହିଳାଙ୍କ ବୟସ ଏବଂ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ଉପରେ ନିର୍ଭରଶୀଳ। ମହିଳାଙ୍କ ବୟସ ୩୦ରୁ ଅଧିକ ଥିଲେ ଆଇଭିଏଫ ଜରିଆରେ ସେ ମା ହୋଇ ପାରିବେ କିନ୍ତୁ ସଫଳତା ହାର ହ୍ରାସ ପାଇଯାଏ। ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାର ନିୟନ୍ତ୍ରଣ ପାଇଁ ସେମାନେ ନିଜ ପକ୍ଷରୁ ପଦକ୍ଷେପ ନେବା ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି।
ଅଣ୍ଡା ଫ୍ରିଜ କରୁଛନ୍ତି ମହିଳା–
ବିଳମ୍ବରେ ମା ହେବା ପାଇଁ ଚାହୁଁଥିବା ମହିଳା ବର୍ତ୍ତମାନ ଅଣ୍ଡା ଫ୍ରିଜ ପ୍ରକ୍ରିୟାକୁ ଆପଣେଇଛନ୍ତି। ଏଥିରେ ନିର୍ଦିଷ୍ଟ ପଦ୍ଧତିରେ ମହିଳାଙ୍କ ଅଣ୍ଡାକୁ ଫ୍ରିଜ କରାଯାଇ ପାରେ। ଯେକୌଣସି ବୟସର ମହିଳାଙ୍କ ଅଣ୍ଡା ୬ ମାସରୁ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅଣ୍ଡାକୁ ଫ୍ରିଜ କରିପାରିବେ। ଏହା ଫଳରେ ମହିଳାଙ୍କ ବୟସ ବଢିଲେ ମଧ୍ୟ ତାଙ୍କ ଅଣ୍ଡାର ବୟସ ବଢିବ ନାହିଁ। ବିଳମ୍ବରେ ମା ହେବାକୁ ଚାହିଁଲେ ମଧ୍ୟ ସମସ୍ୟା ହେବ ନାହିଁ। ପରବର୍ତ୍ତୀ ଜୀବନରେ ପୁରୁଷଙ୍କ ଶୁକ୍ରାଣୁ ସହିତ ମିଶାଇ ଫ୍ରିଜ ହୋଇଥିବା ଅଣ୍ଡା ଜରିଆରେ ଗର୍ଭବତୀ ହୋଇ ପାରିବେ। ଏଥିପାଇଁ ଅନେକ ଟଙ୍କା ଖର୍ଚ କରିବାକୁ ପଡ଼େ। ଦେଶରେ ମେଟ୍ରୋ ସିଟିମାନଙ୍କରେ ଏହା ଲୋକପ୍ରିୟ ହେଉଥିଲେ ମଧ୍ୟ ଓଡ଼ିଶାରେ ଏହା ସେତେଟା ଲୋକଙ୍କ ପାଖକୁ ପହଞ୍ଚି ନାହିଁ। ଡାକ୍ତର ସୁଜାତା କରଙ୍କ ଅନୁସାରେ, ଓଡ଼ିଶାରେ କର୍କଟ ରୋଗରେ ପୀଡ଼ିତ ଜଣେ ମହିଳା ପ୍ରଜନନ କ୍ଷମତା ମରିଯିବା ଆଶଙ୍କାରେ କର୍କଟ ଚିକିତ୍ସା ପୂର୍ବରୁ ନିଜ ଅଣ୍ଡାକୁ ଫ୍ରିଜ କରାଇଥିଲେ। ତେଣୁ ଏହା ଦୂରାରୋଗ୍ୟରେ ପୀଡ଼ିତଙ୍କ ପାଇଁ ମଧ୍ୟ ବରଦାନ ହେଉଛି।