ଆମ ଲୋକ ମଲେ କିନ୍ତୁ ଆମକୁ ଗିରଫ କରାଗଲା

ମାଇକଞ୍ଚ ଗୁଳିକାଣ୍ଡର ସେଦିନ ଘଟଣା ବିଷୟରେ କଣ କହୁଛନ୍ତି ଗୁଳି ଖାଇଥିବା ଶିବରାମ

ଭୁବନେଶ୍ବର:  ବର୍ଷ ୨୦୦୩, ଡିସେମ୍ବର ୧୮ ତାରିଖ।  ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଆଲୁମିନା ପ୍ରତିଷ୍ଠା ପାଇଁ ୩ ଜଣ ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିଥିଲା ଓଡ଼ିଶା ସରକାର। ଏଥିରେ ୧୨ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଥିଲେ ୧୭ ବର୍ଷିୟ ଶିବରାମ। ପୁଲିସ ଫାଇଲରେ ଥିବା ଆହତ ତାଲିକାରେ ଅବଶ୍ୟ ତାଙ୍କ ନାମ ନାହିଁ। ଆଜି ୨୧ ବର୍ଷ ପରେ ମଧ୍ୟ ସେଦିନର ଗୁଳିକାଣ୍ଡକୁ ଭୁଲି ପାରି ନାହାନ୍ତି। ଶିବରାମ କିଏ ଏବଂ ସେ ଦିନର ଘଟଣା ବିଷୟରେ ଜାଣିବା ତାଙ୍କ ଠାରୁ।   

ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନିୟମ କମ୍ପାନି ବିରୋଧରେ ଆମ ଅଞ୍ଚଳର ଲୋକଙ୍କ ମଧ୍ୟରେ ଥିଲା ଭୟଙ୍କର ରାଗ, ଅସନ୍ତୋଷ ଏବଂ ଅନିଶ୍ଚିତତା। ଯେକୌଣସି ସ୍ଥିତିରେ ମଧ୍ୟ ଜମିକୁ ଛାଡ଼ିବାକୁ କେହି ପ୍ରସ୍ତୁତ ନଥିଲେ। ତେଣୁ ଚାଲିଥିଲା ବଡ଼ ଧରଣର ଆନ୍ଦୋଳନ। ଏହି କ୍ରମରେ ୨୦୦୩ ମସିହା ଡିସେମ୍ବର ୧୮ ତାରିଖରେ, ଅଚାନକ ମାଜିଷ୍ଟେଟ ଗୋଲକ ଚନ୍ଦ୍ର ବଡ ଜେନା, କାଶିପୁର ବିଡିଓଙ୍କ ସହିତ ୨ ପ୍ଲାଟୁନ ପୁଲିସ ଗାଁକୁ ପ୍ରବେଶ କରିଥିଲେ। ସମ୍ପୂର୍ଣ୍ଣ ଅଞ୍ଚଳଟି ପୁଲିସ ଛାଉଣିରେ ପରିଣତ ହୋଇ ସାରିଥିଲା। ସେତେବେଳେ ଗାଁରେ କୌଣସି ପୁରୁଷ ନଥାଆନ୍ତି। ତେଣୁ ପୁଲିସର ରାଗ ମହିଳାଙ୍କ ଉପରେ ପଡ଼ିଲା। ସିଆଇ ସୁବାସ ଚନ୍ଦ୍ର ସ୍ବାଇଁ  ବୟସ୍କ ମହିଳା ଦନାଇ ଝୋଡ଼ିଆଙ୍କୁ ମାଡ଼ ଦେବାରୁ ସେ ଅଚେତ ହୋଇ ଯାଇଥିଲେ। ଏଥିରେ ଆମ ଲୋକଙ୍କୁ ସମ୍ଭାଳେ କିଏ। ଯିଏ ଯେଉଁଠି ଥିଲେ ଚାଲି ଆସିଲେ। ପୁଲିସ ଉପରେ ଟେକା ପଥର ମାଡ଼ ହେଲା। ସେତେବେଳେ ମତେ ମାତ୍ର ୧୭ ବର୍ଷ। କିନ୍ତୁ ମା, ବାପାଙ୍କ ସହିତ କମ୍ପାନି ବିରୋଧୀ ଆନ୍ଦୋଳନରେ ସାମିଲ ଥାଏ। ତେଣୁ ଏହି ସବୁ ଘଟଣା ମୋ ଆଖି ସାମ୍ନାରେ ଘଟୁଥାଏ। ପୁଲିସ ପାଣି କିମ୍ବା ଗ୍ୟାସ ପକାଇ ଲୋକଙ୍କୁ ନିୟନ୍ତ୍ରିତ କରିବା ବଦଳରେ ଆମ ଲୋକଙ୍କ ଉପରେ ଅନବରତ ଗୁଳିମାଡ଼ କରି ଚାଲିଲା। ଦେଖୁଦେଖୁ ଘଟଣା ସ୍ଥଳରେ ବାଗ୍ରିଝଲା ଗାଁର ଦାମୋଦର ଝୋଡିଆ(୪୦), ରଘୁନାଥ ଝୋଡିଆ (୨୮) ଏବଂ ମାଇକଞ୍ଚର ଅଭିଳାଷ ଝୋଡିଆ (୨୫) ସହିଦ ହୋଇଗଲେ। ତାଙ୍କ ସହିତ ଆହୁରି ୧୨ ଜଣ ଆହତ ହେଲେ। ମୋ ଗୋଡ଼ରେ ମଧ୍ୟ ଗୁଳି ବାଜିଲା। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି କଲେ ପୁଲିସ ମତେ ଗିରଫ କରି ନେବ ଏହି ଭୟରେ ବାପା, ମା ମତେ ଆଉ ଡାକ୍ତରଖାନା ଛାଡ଼ିଲେ ନାହିଁ। ଗାଁ ବୈଦ୍ୟ ଚିକିତ୍ସା କଲେ କିନ୍ତୁ ଗୁଳି ଯୋଗୁଁ ଗୋଡ଼ ଏଭଳି ସଂକ୍ରମିତ ହୋଇଗଲା ଯେ ବର୍ଷେ ପରେ କଟକ ସ୍ଥିତ ଘରୋଇ କ୍ଲିନିକ୍ ରେ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। କିନ୍ତୁ ଆଶ୍ଚର୍ଯ୍ୟ ଯେ ଆମ ଲୋକ ମଲେ, ଆମେ ଆହତ ହେଲୁ କିନ୍ତୁ ପୁଲିସ ଆମ ନାମରେ ମାମଲା କଲା। ଗୁଳିକାଣ୍ଡର ପାଞ୍ଚ ବର୍ଷ ପରେ ଅର୍ଥାତ ୨୦୦୫ ମସିହା ଅଗଷ୍ଟ ମାସରେ କୁଚେଇପଦର ,ମାଇକଞ୍ଚର ବାଗ୍ରିଝଲା,କାଳିଆକନା ,ଗୁଘୁପୁଟ ଓ,ସ୍ଥାନୀୟ ଅଧିବାସୀଙ୍କ ସହିତ ସମର୍ଥକ ୬୦ ଜଣଙ୍କୁ ଗିରଫ କରାଗଲା। କିନ୍ତୁ ଆନ୍ଦୋଳନକାରୀ ୩ ଜଣଙ୍କୁ ହତ୍ୟା କରାଯିବା ନେଇ କାହାକୁ ଗିରଫ କିମ୍ବା କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ପି.କେ ମିଶ୍ର କମିଶନ ଗୁଳିକାଣ୍ଡକୁ ନେଇ ତଦନ୍ତ ମଧ୍ୟ କରିଥିଲେ। ଏଣେ ଆମ ମାନଙ୍କ ବିରୋଧରେ ଧାରା ୩୦୭, ଘରପୋଡ଼ି, ଡକାୟତି ଏବଂ ଚୋରି ମାମଲା ଲଗାଯାଇ ୧୩‌ ଟି ମାମଲା ରୁଜ୍ଜୁ କରାଯାଇ ଥିଲା। ୧୮ମାସ ଜେଲ ଯିବାକୁ ପଡ଼ିଲା। ୧୨ ଟି ମାମଲାରେ ନିର୍ଦୋଷରେ ଖଲାସ ହୋଇଥିଲୁଁ। ଧାରା ୩୦୭ ଅନ୍ତର୍ଗତରେ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ଉଚ୍ଚ ନ୍ୟାୟାଳୟରେ ସମସ୍ତଙ୍କୁ ଜମାନତ ମିଳିଥିଲା। ଅର୍ଥ ର ଅଭାବ ଯୋଗୁ ପ୍ରତି ତାରିଖ ରେ କୋର୍ଟ ରେ ଉପସ୍ଥିତି ନହେବାରୁ ୨୦୧୩ ମସିହାରେ ପୁନର୍ବାର ୱାରେଣ୍ଟ ହୋଇ କୋରାପୁଟ ଜେଲକୁ ଯିବାକୁ ପଡ଼ିଥିଲା। ଉଚ୍ଚ ନ୍ୟାୟାଳୟରେ ଅପିଲ କରି ଜେଲ୍ ରୁ ବାହାରି ଥିଲି।

ସେଦିନର ନାବାଳକ ଆନ୍ଦୋଳନକାରୀ ଶିବରାମଙ୍କୁ ଆଜି ୩୮ ବର୍ଷ। ୨୧ ବର୍ଷ ମଧ୍ୟରେ ରାୟଗଡ଼ା ଜିଲ୍ଲା କାଶୀପୁର ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଛି। ଇତି ମଧ୍ୟରେ ଉତ୍କଳ ଆଲୁମିନା ଏଠାରେ କାରଖାନା ସ୍ଥାପନରେ ସଫଳ ହୋଇଛି। କାରଖାନାକୁ ବିରୋଧ କରୁଥିବା ଅନେକ ଗାଁ ବର୍ତ୍ତମାନ ପ୍ରଦୂଷଣ ମଧ୍ୟରେ ଅଛନ୍ତି। ଯୁବକମାନେ ରୋଜଗାର ପାଇଁ ବାହାରକୁ ଚାଲି ଯାଇଛନ୍ତି। ଏଣେ କିନ୍ତୁ ଜଳ, ଜମି ଏବଂ ଜଙ୍ଗଲ ସୁରକ୍ଷା ପାଇଁ ଶିବରାମଙ୍କ ଲଢେଇ ଜାରି ରହିଛି। କିଛି ମାସ ପୂର୍ବରୁ ବାଫଲାମାଳି, କୋଡ଼ିଙ୍ଗାମାଳି ,ତିଜି ମାଳି,କୁଟୁରୁ ମାଳି ଖଣି ଖନନ ବିରୋଧ ଯୋଗୁଁ ପୁଲିସ ତାଙ୍କୁ ଗିରଫ କରିଥିଲା।  ବର୍ତ୍ତମାନ ସେ ଜାମିନ ପାଇଁ ବାହାରକୁ ଆସିଛନ୍ତି। ଜୀବିକାରେ ଚାଷ କରିବା ସହିତ କମ୍ୟୁନିଟି ସାମ୍ବାଦିକ ଅଛନ୍ତି। ଲୋକଙ୍କ ସମସ୍ୟାକୁ ଉତ୍ତୋଳନ କରି ପ୍ରସାରଣ କରୁଛନ୍ତି। ଶିବରାମ କହନ୍ତି, ସରକାର ନିଜେ ଗଛ କାଟ ନାହିଁ, ପରିବେଶ ସୁରକ୍ଷିତ ରଖ ବୋଲି ବିଜ୍ଞାପନ ଦିଅନ୍ତି। ପଥପ୍ରାନ୍ତ ନାଟକ, ଗୀତ କାନ୍ଥ ଲେଖା, ବ୍ୟାନର, ଲିଫଲେଟ ବାଣ୍ଟନ୍ତି। ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ ହୁଏ। ପରୀକ୍ଷାରେ ଏହି ସବୁ କଥା ଲେଖି ମେଧାବୀ ବିଦ୍ୟାର୍ଥୀସବୁ ବଡ଼ ଅଧିକାରୀ ହୋଇଛନ୍ତି। କିନ୍ତୁ ଆଜି ଯେତେବେଳେ ଆମେ ନିସ୍ବାର୍ଥ ଭାବେ ପରିବେଶ ର ସୁରକ୍ଷା ପାଇଁ ଗଛ କାଟିବାକୁ ବିରୋଧ କରୁଛୁଁ। ଆମକୁ ଜେଲରେ ପୁରାଇ ଦିଆଯାଉଛି।