ଓଡ଼ିଶାରେ ସ୍ବତନ୍ତ୍ର ଭାବରେ ଅନୁସୂଚିତ ଜାତି, ଜନଜାତି, ସଫେଇ କର୍ମଚାରୀ ଏବଂ ସଂଖ୍ୟା ଲଘୁ କମିସନ ଗଠନ ଦାବି ଉଠିବାରେ ଲାଗିଛି। ଫେବ୍ରୁଆରି ୨୮ ତାରିଖ ଏବଂ ମାର୍ଚ ୬ ତାରିଖରେ ଏହାକୁ ନେଇ ରାଜ୍ୟର ବିଭିନ୍ନ ବର୍ଗର ଲୋକେ ଏହି ଅବସରରେ ସାମାଜିକ ନ୍ୟାୟ ପାଇଁ ସ୍ବର ତୀବ୍ର କରିଛନ୍ତି। ସାମାଜିକ ଅମାନବୀୟ ରୀତି ଯୋଗୁଁ ଐତିହାସିକ ଭାବରେ ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଯେଉଁଭଳି ଅତ୍ୟାଚାର ହୋଇଛି ଏହାର ପରିଣାମ ସ୍ବରୂପ ସେମାନଙ୍କ ସ୍ତର ଆଜିବି ଆର୍ଥିକ ଏବଂ ସାମାଜିକ ଭାବରେ ଦୁର୍ବଳ। ସେମାନଙ୍କ ଅଧିକାର ପାଇଁ ସରକାରଙ୍କ ଯେକୌଣସି ପ୍ରୟାସ ଏବଂ ଲଢେଇ ନିଶ୍ଚିତ କମ ଅଟେ। ଆଜିର ଏହି ଆଲୋଚନା ଆର୍ଥିକ ସ୍ତରରେ ସେମାନଙ୍କ ସ୍ଥିତିକୁ ନେଇ ନୁହେଁ। ବରଂ ଏହାଠାରୁ ଆଉ ବଡ଼ ପ୍ରସଙ୍ଗ ଅସ୍ପୃଶ୍ୟତା ଏବଂ ଜାତିଭେଦକୁ ନେଇ ଅଟେ।
ଭାରତୀୟ ସମ୍ବିଧାନ ଧାରା ୧୭ ଅନୁଯାୟୀ ଭାରତରେ ଅସ୍ପୃଶ୍ୟତାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାର ଉଲ୍ଲଂଘନ ଗର୍ହିତ ଅପରାଧର ଶ୍ରେଣୀଭୁକ୍ତ। କେବଳ ଆଇନ ରହିଛି ବୋଲି ନୁହେଁ ଅସ୍ପୃଶ୍ୟତା ମାନବିକତାର ପରିପନ୍ଥୀ। ଭାରତୀୟ ବ୍ୟବସ୍ଥାରେ ଅସ୍ପୃଶ୍ୟତା ବିଦେଶୀ ଶାସନ ଅଧୀନ ରହିବା ଠାରୁ ବଡ଼ ବ୍ୟାଧୀ। ପୁରା କାଳରେ ଏହାର ଭୟଙ୍କର ପ୍ରମାଣମାନ ଏବଂ ଏହା ବିରୋଧରେ ଲଢେଇର ଇତିହାସ ରହିଛି। କିନ୍ତୁ ପ୍ରଶ୍ନ ଉଠେ ଗଣତନ୍ତ୍ର ବିଶ୍ବାସୀ ଓଡ଼ିଶାରେ କଣ ଆଜିବି ଅର୍ଥାତ ୨୦୨୪ ମସିହାରେ ମଧ୍ୟ କଣ ସାଧାରଣ ଜୀବନରେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କ ପ୍ରତି ଅସ୍ପୃଶ୍ୟତା ରହିଛି କି?
ଏଠାରେ ବଲାଙ୍ଗୀର ଜିଲ୍ଲା ଲାଠୋରରେ ଜାତିଗତ ବିବାଦ ଯୋଗୁଁ ଅନୁସୂଚିତ ଜାତି ବସ୍ତି ପରିବାରକୁ ଜାଳି ଦେବା ଭଳି ଘଟଣା ବି କୁହାଯାଉ ନାହିଁ। ତଥାକଥିତ ନିମ୍ନ ଜାତିର ବୋଲି ସ୍ନେହଲତାଙ୍କୁ ହତ୍ୟା କରିଥିବା ଦୋଷୀ କୁଆଡ଼େ ଗଲେ କି ହାଜତ ମୃତ୍ୟୁ ଘଟଣାରେ ଅଧିକାଂଶ ଅନୁସୂଚିତ ଜାତି କିମ୍ବା ଜନଜାତିର କାହିଁକି ଥାଆନ୍ତି ବୋଲି ବଡ଼ ପ୍ରଶ୍ନ ପଚାରିବା ଏହି ଲେଖାର ଉଦେଶ୍ୟ ନୁହେଁ। ବରଂ ସାଧାରଣ ପ୍ରଶ୍ନ ହେଲା, ଦୈନନ୍ଦିନ ଜୀବନରେ କଣ ଓଡ଼ିଶାର ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କୁ ଜାତିଭେଦର ଶିକାର ହେବାକୁ ପଡ଼େ କି। ସାର୍ବଜନୀନ ସ୍ଥାନକୁ ପଶାଇ ଦିଆଯାଏ ନାହିଁ କି? ଉପର ଠାଉରିଆ ଭାବରେ ଦେଖିଲେ ଯେ କେହି ତଥାକଥିତ ଉଚ୍ଚବର୍ଗ ଏହାକୁ ଅପ୍ରାସଙ୍ଗିକ କହି ତାଚ୍ଛଲ୍ୟ କରିପାରନ୍ତି। ବାସ୍ତବିକତା କିନ୍ତୁ ଅନ୍ୟ କଥା କହୁଛି। ୧୯୪୫ ମସିହା ଜୁଲାଇ ମାସରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିରକୁ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ସହିତ ଆସିଥିଲେ ଲର୍ଡ ମାଉଣ୍ଟ ବ୍ୟାଟେନ। କିନ୍ତୁ ଆଶ୍ଚର୍ଯ୍ୟ ଯେ ସେତେବେଳେ ମନ୍ଦିରର ପୂଜକମାନେ ବିଦେଶୀ ତଥା ଭିନ୍ନ ଧର୍ମର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ସ୍ବାଗତ କରିଥିଲେ କିନ୍ତୁ ଅନୁସୂଚିତ ଜାତି ହୋଇଥିବାରୁ ଆମ୍ବେଦକରଙ୍କୁ ପଶାଇ ଦେଇନଥିଲେ। ସେହି ଘଟଣା ମାଉଣ୍ଟବ୍ୟାଟେନଙ୍କ ଭାରତୀୟ ମାନସିକତାକୁ ନେଇ କେଉଁଭଳି ଭାବନା ସୃଷ୍ଟି ହୋଇଥିବ ତାହାତ ଜଣା ନାହିଁ କିନ୍ତୁ ମାଉଣ୍ଟବ୍ୟାଟେନଙ୍କୁ ଭାରତର ଜାତି ବ୍ୟବସ୍ଥାର ବାସ୍ତବିକତା ଚିତ୍ର ଦେଖାଇବା ନେଇ ଆମ୍ବେଦକରଙ୍କ ଉଦେଶ୍ୟ ସଫଳ ହୋଇଥିଲା। ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଥାଇ ପାରେ, ଆଜି ଶ୍ରୀମନ୍ଦିରରେ ଜାତିଗତ ଆଧାରରେ କୌଣସି ବ୍ୟକ୍ତିଙ୍କ ପ୍ରବେଶରେ କଟକଣା ନାହିଁ। ତେଣୁ ଏହି ବିଷୟରେ ଆଲୋଚନା କାହିଁକି? ଉତ୍ତର ହେଲା, ଆଜି ୨୦୨୪ ମସିହା ଫେବ୍ରୁଆରି ମାସ। ମାତ୍ର କିଛି ମାସ ପୂର୍ବରୁ ଭୁବନେଶ୍ବର ବାଲିଅନ୍ତା ଗାଁର ଧରିତ୍ରୀ ଭୋଇଙ୍କୁ ବାଲିଅନ୍ତା ଥାନା ଭିତରେ ସର୍ବସମ୍ମୁଖରେ ତାଙ୍କ ଗାଁର ଜଣେ ତଥାକଥିକ ଉଚ୍ଚ ଜାତିର ମହିଳାଙ୍କ ଗୋଡ଼ ଧରି ଏଥିପାଇଁ କ୍ଷମା ମାଗିବାକୁ ପଡ଼ିଥିଲା କାରଣ ସେ ଭୋଇ ଜାତିର ହୋଇଥିଲେ ମଧ୍ୟ ଗାଁର ଦେବୀ ମନ୍ଦିରକୁ ପ୍ରବେଶ କରି ଦେବୀଙ୍କୁ ଦୀପ ଦେଇଥିଲେ।
ଏଥିସଂକ୍ରାନ୍ତରେ ମୂଳନିବାସୀ ସଙ୍ଗଠନ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ବାଲିଅନ୍ତା ପୁଲିସଙ୍କୁ ନିଲମ୍ବିତ କରାଯାଇଥିଲା କିନ୍ତୁ ଆଜି ମଧ୍ୟ ସେହି ଗାଁ ମନ୍ଦିରରେ ଆଜି ମଧ୍ୟ ଅନୁସୂଚିତ ଜାତି ପ୍ରବେଶ କଟକଣା ବଳବତ୍ତର ରହିଛି। ଗତବର୍ଷ ପୁରୀ ଜିଲ୍ଲା ନିମାପଡ଼ାର ଡେଲି ଦେଉଳି ଗାଁର କିଛି ବ୍ୟକ୍ତି ସେହି ଗାଁ ମନ୍ଦିରକୁ ପ୍ରବେଶ କରିବାରୁ ସେମାନଙ୍କ ଉପରେ ମାଡ଼ ପଡ଼ିଥିଲା। ଏଥିସଂକ୍ରାନ୍ତରେ ମାମଲା ବର୍ତ୍ତମାନ ମଧ୍ୟ ଥାନାରେ ରହିଛି। ଏହା କେବଳ ଉଦାହରଣ। ଯେଉଁଠି ରାଜ୍ୟ ରାଜଧାନୀ ଥିବା ଦେବୀ ମନ୍ଦିରରେ ଯଦି ଜାତିଭେଦ ଏତେ ପ୍ରବଳ ତେବେ ସେଠି ରାଜ୍ୟର ଅନ୍ୟ ଗାଁରେ ଅବସ୍ଥା କଣ ତାର ଉଦାହରଣ ହେଉଛନ୍ତି, ଜଗତସିଂହପୁର ଜିଲ୍ଲା ଭାତଗଡ଼ା ଗାଁର ଚକ୍ରଧର ସାମଲ। ଚକ୍ରଧର କହନ୍ତି, ମାତ୍ର କିଛି ବର୍ଷ ପୂର୍ବରୁ ତାଙ୍କ ଯୁବ ପୁତୁରା କୌଣସି ଘଟଣାକୁ କେନ୍ଦ୍ର କରି ଆତ୍ମହତ୍ୟା କରି ନେଇଥିଲେ। ଭାରକ୍ରାନ୍ତ ହୃଦୟ ଏବଂ ମାନସିକ କଷ୍ଟରେ ସମୁଦାୟ ପରିବାର ନିଜ ଯୁବକ ପୁଅର ଅନ୍ତିମ ସଂସ୍କାର ସାରି ଫେରୁଥିବାବେଳେ ଗାଁର କିଛି ତଥାକଥିତ ଉଚ୍ଚ ବର୍ଗର ବ୍ୟକ୍ତି ସେମାନଙ୍କ ଉପରେ ଏଥିପାଇଁ ଆକ୍ରମଣ କରିଥିଲେ ଯେ ସେମାନେ ଅନୁସୂଚିତ ଜାତିର ହୋଇ ତଥାକଥିତ ଉଚ୍ଚ ବର୍ଗର ମଶାଣିରେ ପୁଅର ଅନ୍ତିମ ସଂସ୍କାର କରିଥିଲେ। ଏହି ସମୟରେ ଉପସ୍ଥିତ ମହିଳାଙ୍କ ପ୍ରତି ମାଡ଼ ଅଧିକ ହୋଇଥିଲା। ଏହାକୁ ନେଇ ଚକ୍ରଧର ଥାନାରେ ଏତଲା ଦେଲେ। ଆକ୍ରମଣର ଶିକାର ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ କ୍ଷତିପୂରଣ ଦିଆଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଆକ୍ରମଣକାରୀମାନଙ୍କୁ ପୁଲିସ ଗିରଫ କରି ନାହିଁ। ପୁରୀ ଜିଲ୍ଲା କଣ୍ଟି ଗାଁରେ ସାର୍ବଜନୀନ ପୋଖରୀରେ ଅନୁସୂଚିତ ଜାତି ବର୍ଗର ଜଣେ ଯୁବକ ଗାଧୋଇବାରୁ ତାଙ୍କ ଗାଁର ଅନ୍ୟାନ୍ୟ ବ୍ୟକ୍ତି ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସାମାଜିକ ବାସନ୍ଦ କରାଯାଇଛି। କିଛି ଦିନ ପୂର୍ବରୁ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଏକ ସ୍କୁଲରେ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଜଣେ ବିଦ୍ୟାର୍ଥୀଙ୍କୁ ଅଲଗା ଖାଇବା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରେ ପାଚିକାମାନେ ଅନୁସୂଚିତ ଜାତିର ହୋଇଥିଲେ ବାପା, ମାଙ୍କ ପ୍ରରୋଚନାରେ ପଡ଼ି ସେମାନଙ୍କ ହାତରୁ ଖାଇବାକୁ ପିଲାମାନେ ରାଜି ହୁଅନ୍ତି ନାହିଁ। କେବଳ ସାଧାରଣ ସମୟ ନୁହେଁ ବିପର୍ଯ୍ୟୟ ବେଳେ ମଧ୍ୟ ଜାତିପ୍ରଥା ମାନବିକତାକୁ ବାରମ୍ବାର ପରାଜିତ କରିଛି। ୨୦୧୯ ଫନି ବାତ୍ୟା ସମୟରେ ପୁରୀ ଜିଲ୍ଲା ବିରିପାଦିଆ ଗାଁରେ ଅନୁସୂଚିତ ଜାତିର ୨୫ ପରିବାରଙ୍କୁ ଜାତିଗତ କାରଣରୁ ବାତ୍ୟା ଆଶ୍ରୟସ୍ଥଳରୁ ବାହାର କରି ଦିଆଯାଇଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଏପରିକି ସେହି ପରିବାରରେ ଶିଶୁ ଏବଂ ବରିଷ୍ଠ ନାଗରିକ ଥିଲେ ମଧ୍ୟ ବାତ୍ୟାରେ ପୀଡ଼ିତ ପଡ଼ୋଶୀମାନଙ୍କୁ କୌଣସି ଭାବରେ ପ୍ରଭାବିତ କରିନଥିଲା। ଯେଉଁଠି ବିପର୍ଯ୍ୟୟ ଧନୀ, ଗରୀବ ସମସ୍ତଙ୍କୁ ଏକାକାର କରି ଦିଏ, ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ସମୟରେ ମଧ୍ୟ ଦଳିତ ପରିବାରଙ୍କୁ ନଳକୂଅରୁ ପାଣି ନେବା ପାଇଁ ବାରଣ କରାଯାଏ। ୨୦୦୪ ମସିହାରେ ପୁରୀ ଜିଲ୍ଲାରେ ତଥାକଥିତ ନିମ୍ନଜାତି ଲୋକଙ୍କ ଘରକୁ ପାଣି ପଶିଯାଇଥିଲା। ଜାତି ନାମରେ ସେହି ସ୍କୁଲ ଶିକ୍ଷକ ବନ୍ୟା ପ୍ରଭାବିତଙ୍କୁ ସ୍କୁଲ ଆଶ୍ରୟ ସ୍ଥଳକୁ ନେବାକୁ ବାରଣ କରିଥିବା ସମ୍ପର୍କିତ ଏକ ଘଟଣା ବିଷୟରେ ତତକାଳୀନ ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଥିଲେ। ସାମାଜିକ କର୍ମକର୍ତ୍ତା ଅଭିରାମ ମଲ୍ଲିକଙ୍କ ଅନୁସାରେ, ସମୁଦାୟ ଉପକୂଳବର୍ତ୍ତୀ ଜିଲ୍ଲାରେ ମନ୍ଦିର ଏବଂ ଦେବୀ ପୂଜା, ଯଜ୍ଞ ଭଳି ଯେକୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିମାନଙ୍କୁ ପୂଜାସ୍ଥଳରୁ ଦୂରେଇ ରଖାଯାଏ. ଏପରିକି ସେମାନେ ପୂଜା କମିଟିର ପ୍ରମୁଖ କର୍ମକର୍ତ୍ତା ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି କୌଣସି କୋହଳ ମାନସିକତା ରଖାଯାଇ ନାହିଁ। ଖୋଦ ପୁରୀ ସହରରେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତି ତଥାକଥିତ ସାଧାରଣ ବର୍ଗର ବ୍ୟକ୍ତିଙ୍କ ଘରକୁ ମଧ୍ୟ ପଶିପାରନ୍ତି ନାହିଁ। ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ପାଣଙ୍କ ପ୍ରତି ଏତେ ଘୃଣା ରହିଛି ଯେ ଏହି ଶବ୍ଦ ଶୁଣିଲେହିଁ ତଥାକଥିତ ସାଧାରଣ ବର୍ଗର ଲୋକେ ଅସ୍ପୃଶ୍ୟ ହୋଇ ଯାଆନ୍ତି। ସାମାଜିକ କର୍ମକର୍ତ୍ତାଙ୍କ ଅନୀଲ ମଲ୍ଲିକଙ୍କ ଅନୁସାରେ, ପାଠପଢୁଆ ଜିଲ୍ଲା ଜଗତସିଂହପୁର ମଧ୍ୟ ଅସ୍ପୃଶ୍ୟତାକୁ ବାଦ ପଡ଼ି ନାହିଁ। ଏହି ଜିଲ୍ଲାର ଅନେକ ଗାଁରେ ସାର୍ବଜନୀନ ସ୍ଥାନ ମନ୍ଦିର, ପୋଖରୀରେ ଅନୁସୂଚିତ ଜାତି ବ୍ୟକ୍ତିଙ୍କ ପ୍ରବେଶରେ କଟକଣା ରହିଛି। ରାଜ୍ୟର ଯେକୌଣସି ସ୍ଥାନରେ ଅନୁସୂଚିତ ଜାତି ବ୍ୟକ୍ତିଙ୍କୁ ସହଜରେ ଭଡ଼ା ମିଳେ ନାହିଁ। ଜାତିଗତ କାରଣରୁ ବାସନ୍ଦର ଅନେକ ଉଦାହରଣ ରହିଛି। ଏପରିକି ପ୍ରତ୍ୟେକ ବର୍ଗରେ ଜାତି ଆଧାରରେ ହୀନମାନ୍ୟ ନଜରରେ ଦେଖିବା ସାଧାରଣ ଘଟଣା। ଏହାକୁତ କେହି ଭେଦ କିମ୍ବା ହିଂସା ନଜରରେ ଦେଖନ୍ତି ନାହିଁ।
ଓଡ଼ିଶାରେ ଜାତିଭେଦର ଏହି ତ୍କୁର ବାସ୍ତବିକତା କେବଳ ଉପରୋକ୍ତ କିଛି ଉଦାହରଣ ନୁହେଁ ଏନସିଆରବି ରିପୋର୍ଟ ମଧ୍ୟ ବାସ୍ତବ ଚିତ୍ରକୁ ପ୍ରକାଶିତ କରୁଛି। ଏଥି ଅନୁଯାୟୀ ରାଜ୍ୟରେ ଅନୁସୂଚିତ ଜାତି ଏବଂ ଜନଜାତି ଭେଦକୁ ନେଇ ୨୦୨୩ ମସିହାରେ ୩୧୧୫ ମାମଲା ରୁଜ୍ଜୁ ହୋଇଛି। ଅନ୍ୟଦିଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ୫ ବର୍ଷର ରିପୋର୍ଟ ଆହୁରି ଉଦବେଗଜନକ। ଅର୍ଥାତ ରାଜ୍ୟରେ ୨୦୧୭ ମସିହାରେ ୧୯୬୯, ୨୦୧୮ ମସିହାରେ ୧୭୭୮, ୨୦୧୯ରେ ୧୮୮୬, ୨୦୨୦ରେ ୨୦୪୬, ୨୦୨୧ ମସିହାରେ ୨୩୨୭ଟି ମାମଲା ରୁଜ୍ଜୁ ହୋଇଛି। କେବଳ ବ୍ୟକ୍ତିଗତ ନୁହେଁ। ସରକାରୀ ସ୍ତରରେ ମଧ୍ୟ ଭେଦଭାବ ସ୍ପଷ୍ଟ। ସମଲେଶ୍ବରୀ ପ୍ରକଳ୍ପରେ ପୂଜକମାନଙ୍କ ଠାରୁ ସେହି ଅଞ୍ଚଳର ଦଳିତ ବସ୍ତିର ବିସ୍ଥାପିତଙ୍କୁ କମ ଟଙ୍କାର କ୍ଷତିପୂରଣ ପ୍ୟାକେଜ ଦିଆଯାଇଛି। ଏହାକୁ ନେଇ ସେମାନେ ଏକମାସରୁ ଉର୍ଧ୍ବ ସମୟ ହେଲା ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆନ୍ଦୋଳନ କରୁଥିଲେ ମଧ୍ୟ ଗୁରୁତ୍ବ ଦିଆଯାଉ ନାହିଁ। ସମଲେଶ୍ବରୀ ପ୍ରକଳ୍ପ ଲୋକାର୍ପଣ ବେଳେ ସେମାନଙ୍କ ଆନ୍ଦୋଳନ ଚାଲିଥିଲା। ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କ ଗସ୍ତ ପରେ ମଧ୍ୟ କୌଣସି ଫରକ ପଡ଼ିଲା ନାହିଁ। ବିରୋଧୀ ଦଳ ନେତା ସେମାନଙ୍କ ବିଧାୟକ କିନ୍ତୁ ଆଜି ପର୍ଯ୍ୟନ୍ତ ସେ କେବେ ଏହାକୁ ପ୍ରସଙ୍ଗ ଭାବି ବିଧାନସଭାରେ ଉଠାଇ ନାହାନ୍ତି।